Monday, September 18, 2017

ଭୀମ-ବାଣୀ

ଜ୍ୟୋତି ନନ୍ଦ


ବୁଦ୍ଧଙ୍କର ଦେହା‌ଂଶ ଉପରେ କୁଶୀନଗରରେ ଅନୁଷ୍ଠିତ ଯୁଦ୍ଧ
ସାଞ୍ଚି ସ୍ଥିତ ପ୍ରଥମ ସ୍ତୁପର ଦକ୍ଷିଣ ଦ୍ୱାରଦେଶ (ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍)

ମାନବତାର ଇତିହାସକୁ ଦେଖିଲେ ରାଷ୍ଟ୍ରୀୟତା ସବୁବେଳେ ଏକ ବହୁତ ବଡ ଶକ୍ତି ହୋଇ ରହିଅଛି । ଏହା ଏକତାର ଭାବନା । କୌଣସି ବର୍ଗ ବିଶେଷର ସମ୍ବନ୍ଧିତ ନୁହଁ ।

ରାଷ୍ଟ୍ରବାଦ ସେତେବେଳେ ହିଁ ଔଚିତ୍ୟ ଲାଭ କରିପାରିବ ଯେତେବେଳେ ଲୋକମାନଙ୍କ ଭିତରେ ଜାତି, ଧର୍ମ ଆଉ ରଙ୍ଗକୁ ଭୁଲିଯାଇ ସେମାନଙ୍କ ଭିତରେ ସାମାଜିକ ଭ୍ରାତୃତ୍ତ୍ୱକୁ ସର୍ବୋଚ୍ଚ ସ୍ଥାନ ଦିଆଯାଇଥାଏ ।
   ସ୍ୱତନ୍ତ୍ରତା କୁ କୌଣସି ମହାନ ବ୍ୟକ୍ତି ଆଗରେ ସମର୍ପଣ କରିବା ଉଚିତ ନୁହଁ । ଭକ୍ତି ବା ବୀରପୂଜା ହେଉଛି ସ୍ୱୈରତନ୍ତ୍ରର ପ୍ରଚଳିତ ମାର୍ଗ ।

କାର୍ଯ୍ୟ କରିବାର ବାସ୍ତବିକ ସ୍ୱତନ୍ତ୍ରତା କେବଳ ସେଇଠି, ଯେଉଁଠି ଶୋଷଣକୁ ସମୂଳେ ନାଶ କରି ଦିଆ ଯାଇଛି, ଯେଉଁଠି ଗୋଟିଏ ବର୍ଗ ଦ୍ୱାରା ଅନ୍ୟ ବର୍ଗ ଉପରେ ଅତ୍ୟାଚାର ହେଉନାହିଁ, ଯେଉଁଠି ବେରୋଜଗାରୀ ନାହିଁ, ଯେଉଁଠି ଦାରିଦ୍ର୍ୟ ନାହିଁ, ଯେଉଁଠି ଜଣେ ବ୍ୟକ୍ତିର ଧନ୍ଦାଟି ନିଜ ହାତରୁ ଖସି ଯିବାର ଭୟ ନାହିଁ, ନିଜ କାର୍ଯ୍ୟର ପରିଣାମ ସ୍ୱରୂପ ଯେଉଁଠି ଜଣେ ବ୍ୟକ୍ତିର ନିଜ ଧନ୍ଦାର ହାନି, ଘରର ହାନି ତଥା ରୋଜିରୋଟିର ହାନି ଆଦି ଭୟରୁ ମୁକ୍ତ ।

ଯଦି ଜଣେ ବ୍ୟକ୍ତିର ପ୍ରେମ ତଥା ଘୃଣା ପ୍ରବଳ ନୁହଁ, ତେବେ ସେ ଏହି ଆଶା କରିବ ନାହିଁ ଯେ ସେ ନିଜ ଯୁଗ ଉପରେ କୌଣସି ପ୍ରଭାବ ଛାଡି ଯିବ ଏବଂ ମହାନ ସିଦ୍ଧାନ୍ତ ତଥା ସଙ୍ଘର୍ଷ ଅପେକ୍ଷା ଉଚିତ ଲକ୍ଷ୍ୟ ସାଧନରେ କିଛି ସହାୟତା କରି ପାରିବ । ମୁଁ ଅନ୍ୟାୟ, ଅତ୍ୟାଚାର, ଆଡମ୍ବର ତଥା ଅନର୍ଥ କୁ ଘୃଣା କରେ ଆଉ ମୋର ଘୃଣା ସେଇ ଲୋକଙ୍କ ପ୍ରତି ରହିଛି, ଯେଉଁମାନେ ଏହାକୁ ନିଜର କରିଛନ୍ତି । ସେମାନେ ଦୋଷୀ । ମୁଁ ନିଜର ସମାଲୋଚକ ମାନଙ୍କୁ କହିବି, ମୁଁ ନିଜର ଏଇ ଭାବକୁ ବାସ୍ତବିକ ଶକ୍ତି ବୋଲି ଭାବେ । ଏହା କେବଳ ସେଇ ପ୍ରେମର ଅଭିବ୍ୟକ୍ତି, ଯାହା ମୁଁ ସେହି ଲକ୍ଷ୍ୟ ବା ଉଦ୍ଦେଶ୍ୟରେ ପ୍ରକଟ କରୁଛି, ଯାହା ପ୍ରତି ମୋର ବିଶ୍ୱାସ ରହିଛି ।

ରାଜେନ୍ଦ୍ର ଯାଦବ


ଦୁଇଜଣ ସ୍ୱର୍ଗତ ଚରିତ୍ର


ଭାଇମାନେ ମୁଁ ଆଜି ପରଲୋକରେ ଆରାମ କରୁଛି - ଏଇଟି ସ୍ୱର୍ଗ କି ନର୍କ, ସେ ଝଞ୍ଜଟକୁ ଯିବାନାହିଁ । ସେଇ ଲୋକର ନର୍କଠୁ ଏଇ ଲୋକର ନର୍କ ଯାଏଁ ମୋ ଯାତ୍ରାର ଟିକଟ ଡାକ୍ତରମାନେ ଯୋଗାଡ କରି ଦେଇଛନ୍ତି ।

ହେଲା କ'ଣକି, ମୋର ଗୋଟାଏ ବଡ ଜଟିଳ ଅପରେସନ ହବାର ଥାଏ । ଯେଉଁ ସରକାରୀ ଡାକ୍ତର ଏଇ କାମଟି କରିବାର ଥିଲା, ଜଣାପଡିଲା ସେ ରିଜର୍ଭେସନ କୋଟାରୁ ଆସିଛି, ସେଇଥି ପାଇଁ ସେ ଯୋଗ୍ୟ କି କୁଶଳ ହେବାର ପ୍ରଶ୍ନ ତ ନଥିଲା । ମୁଁ ଗୋଟିଏ ଭବ୍ୟ ଆଉ ବିଖ୍ୟାତ ନର୍ସିଂ ହୋମ୍ ର ତରୁଣ, ସୁନ୍ଦର ଆଉ ତାଜା ଡାକ୍ତରର ଶରଣକୁ ଗଲି । ସେଇଠାର ଫିସ୍ ଆଉ ଅଲଗା ଖର୍ଚ୍ଚ ମୋର ବାଆର ବଜେଇ ଦେଲା । ଜାନ୍ ବଞ୍ଚିଲେ ଇଏତ ପୁଣି ଫେରିଆସିବ ଭାବି ପରିବାର ଲୋକେ ଏଇ ଜୁଆ ବି ଖେଳିଦେଲେ । କ'ଣ ଆଉ କରାଯିବ ମୋର କିସମତ୍ ଖରାପ । ଅପରେସନ ଟେବୁଲ୍ ଉପରେ ଦମ୍ ଶେଷ...।

ଏଇଠିକି ପହଞ୍ଚିଲା ପରେ ଖବର ମିଳିଲା କି, କୋର୍ସରେ ଆଡମିସନ ପାଇଁ ଏଇ ତରୁଣ ଡାକ୍ତର ଜଣକ ପଚାଶ ଲକ୍ଷ ଘୁଷ୍ ଆକାରରେ ଦେଇଥିଲା, ମନ୍ତ୍ରୀ-ଅଫିସରଙ୍କ ପାଦ ଧରିଥିଲା । ଆଉ ଡିଗ୍ରୀ ମିଳିଲା ପରେ ଯୌତୁକ ପାଇଥିବା କେତେ କୋଟି ଟଙ୍କାରେ ରାତାରାତି ଛିଡା କରିପକେଇଥିଲା ଏଇ ନର୍ସିଂ ହୋମ୍ । ଭଗବାନ ଜାଣନ୍ତି ଏହା ସହିତ ଜଡିତ କୋଡିଏ ଜଣ ଡାକ୍ତର କେଉଁ ବାଟରେ ଆସିଥିଲେ ।ଏମାନେ ହୁଏତ ଠିକ୍ ତା' ଭଳି ନୁହଁନ୍ତି ବୋଲି ଭାବି ଏମାନଙ୍କୁ ନିଜ ସହ ଯୋଡିଥିଲା ସେ । ଡାକ୍ତରର ତରୁଣୀ ପତ୍ନୀଟି ଆତ୍ମହତ୍ୟା କରିଦେଇଥିଲା । କାରଣ, ସେ ତା' ବାପଘରୁ ସେତିକି ପଇସା ଆଣିପାରୁନଥିଲା, ଯେତିକି ଡାକ୍ତରର ଆବଶ୍ୟକ ଥିଲା ।

ଯେଉଁଦିନ ସେ ମୋର ଅପରେସନ୍ କରିଥିଲା, ଠିକ୍ ସେହି ଦିନ ଗୋଟିଏ ବହୁତ ବଡ ସମ୍ପନ୍ନ ଘରେ ତାହାର ଦ୍ୱିତୀୟ ଥର ବାହାଘର ସ୍ଥିର ହୋଇଥିଲା ।

ଆରେ ହଁ, ଯେଉଁ ସବୁ ଔଷଧଗୁଡିକ ମୋ ଚିକିତ୍ସାରେ ଲାଗିଥିଲା, ସେସବୁ ବି ନକଲି ଥିଲା । ଏହାକୁ ବିକ୍ରୀ କରୁଥିବା କେମିଷ୍ଟ ଶପ୍ ସେ ନର୍ସିଂ ହୋମ୍ ର କୋଠା  ଭିତରେ ଥିଲା । ଯାହାଫଳରେ ରୋଗୀମାନଙ୍କୁ ଯେମିତି ଦୂରକୁ ଯାଇ ଏପଟସେପଟ ହେବାକୁ ନପଡେ 

ଏମିତି ଦେଖିଲେ ମୋର ମରିବାଟି ସ୍ଥିର ଥିଲା । 

ସେ ଯାହାହେଉ । ମୁଁ ଏବେ ଏଠାରେ ଖୁବ୍ ମଜ୍ଜାରେ ଅଛି ଆଉ ଭାବୁଛି ସେଇ ଡାକ୍ତରର ଆଗ ସ୍ତ୍ରୀର ଆତ୍ମାକୁ ଖୋଜି ତା'ସହ ଦୋସ୍ତି କରିବି ।

ସେ ବିଚାରୀ ତ ଏଇଠି କେଉଁଠି ଘୁରି ବୁଲୁଥିବ.....।

*ସ୍ୱର୍ଗତ ରାଜେନ୍ଦ୍ର ଯାଦବ ହିନ୍ଦୀର ଜଣେ ପ୍ରଖ୍ୟାତ କଥାକାର ଏବଂ ପ୍ରଗତିଶୀଳ ଜନଚେତନାର ଜଣେ ନିଷ୍ଠାପର ବ୍ୟାଖ୍ୟାକାର ।

ବୁଦ୍ଧ ବାଣୀ


ଯେଉଁ ପରି ଯେତେ ସବୁ ବିପଦର ବୋଝକୁ ନିଜ ଉପରକୁ ଉଠାଇନେଇ ମାଆଟିଏ ନିଜର ଶିଶୁକୁ ପାଳେ, ସେହି ପ୍ରକାରେ ପ୍ରତ୍ୟେକ
ବ୍ୟକ୍ତିକୁ ସମସ୍ତ ପ୍ରାଣୀଙ୍କ ପ୍ରତି ଅପାର ପ୍ରେମ ପ୍ରଦାନ କରିବା ପାଇଁ ମନ ବଳାଇବାକୁ ପଡିବ । ତାହାକୁ ସମ୍ପୂର୍ଣ୍ଣ ବିଶ୍ୱ ପ୍ରତି ସଦ୍ଭାବନା ରଖିବା ଉଚିତ୍ ।  ପର-ତଳ, ଆର କୂଳ ଯେତେ ସମସ୍ତଙ୍କ ପାଇଁ ନିଜ ମନରେ ଘୃଣାହୀନ ଏବଂ ଶତ୍ରୁତାରହିତ ଅବାଧ ପ୍ରେମ ରହିବା
ଦରକାର । ଏହି ପ୍ରକାର ଜୀବନ-ପଦ୍ଧତି ବିଶ୍ୱରେ ସର୍ବୋତ୍ତମ ।

1 comment: