Monday, August 21, 2017

ସ୍ତ୍ରୀଲିଙ୍ଗ ନିର୍ମାଣ


ଜ୍ୟୋତି ନନ୍ଦ


ପୁସ୍ତକ - 'ଦି ଫିମେଲ୍ ୟୁନକ୍'
ପ୍ରଥମ ସଂସ୍କରଣର ମଲାଟ (୧୯୭୦)
ଲେଖିକା - ଜର୍ମେନ୍ ଗ୍ରିଅର୍
(୨୯ ଜାନୁୂଆରୀ ୧୯୩୯- ବର୍ତ୍ତମାନ)
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ 



ଏଇ ଶୀର୍ଷକ଼ଟି କବି ଓ ନାରୀବାଦୀ ମଲ୍ଲିକା ସେନଗୁପ୍ତଙ୍କର ଗୋଟିଏ ବହିର ମଧ୍ୟ  । ପ୍ରତିବେଶୀ ବଙ୍ଗଳାର ଏଇ ପ୍ରଥିତଯଶା ଲେଖିକା "ସୀତାୟନ" ବୋଲି ଗୋଟିଏ ରାମାୟଣ ଲେଖିଛନ୍ତି । ତାଙ୍କର ଅମର ସ୍ମୃତି ପ୍ରତି ମୁଁ ଶ୍ରଦ୍ଧାଞ୍ଜଳି ଜଣାଉଛି ।

ନାରୀଟିଏ ଜନ୍ମ ହୁଏ ନାହିଁ, ମାତ୍ର ନାରୀଟିକୁ ଆମେ ନାରୀ କହିଲେ ଯେମିତି ଦେଖୁ ବା ଭାବୁ, ସେମିତି ତାହାକୁ ନିର୍ମାଣ କରାଯାଇଥାଏ ।ଅର୍ଥାତ୍ କଳେବଳେ କଉଶଳେ ସେମାନଙ୍କୁ ଶରୀର ଭିତରେ ବନ୍ଦୀ କରାଯିବାର ଚେଷ୍ଟା ଚାଲିଥାଏ । ଆଉ ସେଥିରେ ଆମେ ବିଶେଷ ଭାବରେ ସଫଳ ।

ନାରୀର ଶ୍ରେଷ୍ଠ ରୂପ ଆମେ କହୁ ମାଆ, ଯାହାର ଏମିତି ଅର୍ଥ ବି ହୋଇପାରିବ ଯେ ନାରୀଟିର ସର୍ବଶ୍ରେଷ୍ଠ ଉପଲବ୍ଧି ହେଉଛି ସନ୍ତାନ ଉତ୍ପାଦନ ଆଉ ସନ୍ତାନର ପାଳନ । ମାଆଟିର ଯୌନତାକୁ ଆମେ ଗ୍ରହଣ କରିପାରୁନାହିଁ, ଯେମିତି ବାପାଟିର ଯୌନତାକୁ ଆମେ ମୋଟାମୋଟି ଭାବେ ଗ୍ରହଣ କରିନେଇଥାଉ । ସାବତ ମାଆଟି ଆମର ପସନ୍ଦ, ସାବତ ବାପ ସେତେ ନୁହଁ । ସେଇଥି ପାଇଁ ନାରୀବାଦୀ ଜର୍ମାନେ ଗ୍ରୀଅର୍ 'ଦି ଫିମେଲ୍ ୟୁନକ୍' ବା 'ଲିଙ୍ଗହୀନା ନାରୀ ବୋଲି ଗୋଟିଏ ସୁନ୍ଦର ବହି ବି ଲେଖିଛନ୍ତି ।

କହିବାକୁ ଗଲେ ସନ୍ତାନ ଜନ୍ମ, ରୂପଚର୍ଯ୍ୟା, ପତି ପରମଗୁରୁ ଲଗାମରେ ବନ୍ଧା ବିବାହର ସାମାଜିକତା ଓ ଯୌନ-ପୁସ୍ତକ ଆଦିରେ ଆମେ ନାରୀକୁ ଶରୀରରେ ବାନ୍ଧିଥାଉ ।

ଷଷ୍ଠ ଦଶକ ମଝିରୁ ଜନ୍ମ ନିୟନ୍ତ୍ରଣ ବଟିକାର ଉଦ୍ଭାବନ ନାରୀକୁ ଶରୀର-ମୁକ୍ତିର ଆନନ୍ଦ ଦେଇଥିଲେ ହେଁ, ଆମେ ପ୍ରସାଧନ ସାମଗ୍ରୀର ବିପଣନରେ ସେମାନଙ୍କୁ ବଶ କରିନେଲୁ । ଆମ ଗଳିର ବାପାମାଆ ମାନେ ହୋଟେଲ୍ କ୍ରାଉନ୍ ସାମ୍ନାରେ କାମ ପାଇବା ଆଶାରେ ହାତବାନ୍ଧି ବସିଥିଲା ବେଳେ ତାଙ୍କର କିଶୋରୀ ଝିଅ ବିଜ୍ଞାପନର ହଳଦିଆ କାଗଜ ଖଣ୍ଡେ ଧରି ବିଶ୍ୱସୁନ୍ଦରୀ ହେବାର ସ୍ୱପ୍ନ ଦେଖିଲା ।

ଯଦି ନାରୀଟିଏ ଆର୍ଥିକ ସ୍ୱଚ୍ଛଳତାକୁ ମାଧ୍ୟମ କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ତିଆରି କରିପାରିଲା, ନିଜ ପ୍ରେମକୁ ଲିଭ୍ ଇନ୍ ରେ ରୂପାୟିତ କରିବାକୁ ଚାହିଁଲା, ସେତେବେଳେ ଆମେମାନେ ଲକ୍ଷ ଲକ୍ଷ ଯୌନପୁସ୍ତକ ପ୍ରସ୍ତୁତ କରି ତାହାକୁ ସଂସ୍କୃତିର ବଶବମ୍ବଦା ହେବାପାଇଁ ବାଧ୍ୟ କଲୁ । ସେହି ସବୁ ପୁସ୍ତକରେ ଆପଣଜାଣନ୍ତି ନାରୀଟି ଶାରୀରିକ ଭାବରେ ଚିର ପିପାସୁ ବୋଲି ଚିତ୍ରିତ । ପୁରୁଷ ଯେମିତି ଶରୀର କ୍ଷେତ୍ରରେ ଏକ ଉଦାସୀନ ଧର୍ମଯାଜକ ।

ବାଃ।

ଏବେ ତ ଆମ ହାତରେ ସାଇବର୍ ଜଗତ ଅଛି । ଆମକୁ ଲାଗୁଛି ଯେମିତି ଆରପଟରେ ବିଚରଣ କରୁଛନ୍ତି ଅସଂଖ୍ୟ ଭର୍ଚୁଆଲ୍ ଅସତୀ ।ସେଇ ଅସତୀ ଶବ୍ଦଟିକୁ ମୁଁ ବ୍ୟବହାର କରିବାକୁ ସବୁବେଳେ କୁଣ୍ଠା ପ୍ରକାଶ କରିଥାଏ, ଯେହେତୁ ତାହାର ପୁରୁଷ ସୁଲଭ ବ୍ୟବହାରଯୋଗ୍ୟ ପ୍ରତିଶବ୍ଦ ନାହିଁ ସେଇଥିପାଇଁ । ଆଗରୁ ଶ୍ରୀଯୁକ୍ତ କମଳାକାନ୍ତ ମହାପାତ୍ରଙ୍କ ସେକ୍ରେଟାରୀଏଟ୍ ର ବାବୁଟି ଅଫିସ୍ ସାରିଲା ପରେ ମାଳିସାହିକୁ ଯାଉଥିଲା । ଏବେ କୁଆଡକୁ ଯିବା ଦରକାର ନାହିଁ । ଢେର ରାତି ହେଲେ ଚିନ୍ତକ ହେଉକି ଅଚିନ୍ତକ, ସମସ୍ତେ ସହଜରେ ଭର୍ଚୁଆଲ୍ ଶରୀର ଖୋଜିବେ । ଆଉ ତୃପ୍ତ ହେବେ ନିଜ ଶରୀର କର୍ମରେ । ମୋର ଆଖି କାନ ନାକ ପାଟି ଆଦି ସବୁ ପୁରୁଷାଂଙ୍ଗ ହୋଇଥିଲା କେବଳ ବେଳେ ମୋ'ର ନିର୍ଦ୍ଦିଷ୍ଟ ଗୋଟିଏ ଅଙ୍ଗକୁ କାହିଁକି ପୁରୁଷାଙ୍ଗ କୁହାଯିବ, ବା କୁହାଯାଉଛି, ସେକଥାକୁ ମୁଁ ଏଯାଏଁ ବୁଝିପାରିନାହିଁ । 

ବିଚାର ଆପଣଙ୍କର । ଏ ପ୍ରସଙ୍ଗଟି ବହୁତ ଦୀର୍ଘ । ବହୁତ କଥା ଅଛି । ପରେ ଗପ କରିବା ।

ମୁଁ ମୋର ଶିକ୍ଷକ ଜୀବନର ଏକତୃତୀୟାଂଶ ସମୟ ଝିଅମାନଙ୍କ ସହ ବିତାଇଛି । ମୁଁ ବେଳେବେଳେ ସେମାନଙ୍କୁ ପଚାରେ, ତମ ଘରମାନଙ୍କରେ ନିଷ୍ପତ୍ତି କିଏ ନିଏ, ବାପା ନା ମାଆ ? ଅଧିକାଂଶ ସମୟରେ ସେମାନେ ଖାଲି ହସିଥାଆନ୍ତି । ହସକୁରୀ ଝିଅଟିକୁ ଦେଖିବାକୁ ଭାରି ସୁନ୍ଦର ଲାଗେ । କିନ୍ତ ମୁଁ ତାହା ଭିତରର ବିମର୍ଶର ଭାବଟି ପଢିପାରେ ।

ପରିବାରରେ ପିଲାପିଲି ହେବାର ନିଷ୍ପତ୍ତି କିଏ ନିଏ  ? ନା, ଏଇ ପ୍ରଶ୍ନ ମୁଁ ମୋ' ପିଲାମାନଙ୍କୁ ବୋଧହୁଏ ପଚାରିପାରିବି ନାହିଁ ।

1 comment:

  1. ବାଃ , ଚମତ୍କାର ଲେଖାଟିଏ ସାର୍ । ପଢ଼ି ଖୁବ୍ ଭଲ ଲାଗିଲା ।

    ReplyDelete