Thursday, August 24, 2017

ଗେଣ୍ଡାର ଝୋଳ

ସରୋଜିନୀ ଚୌଧୁରୀ


ମୋସେର ଗେଣ୍ଡା (୨୦୦ ଖ୍ରୀଷ୍ଟାବ୍ଦ)
ଲିମା ନଗରର ଲାର୍କୋ ଜାଦୁଘରର ସଙ୍ଗ୍ରହ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଉପକରଣ - କୁଜି ଗେଣ୍ଡା ୫/୭ ପୁଞ୍ଜା, ଜଳ ଅଧ ସେର, ମଧ୍ୟଭଳି ବାଇଗଣ ଗୋଟାଏ, କଦଳୀ ଖଣ୍ଡେ, ହଳଦି ବଟା (ଖୁବ ଚିକ୍କଣ) ଟିକିଏ, ଖୁିବ୍ ଚିକ୍କଣ ଧନିଆ ଜିରା ବଟାରୁ ଟିକିଏ, ଲୁଣ ଚିମୁଟେ, ତେଜପତ୍ର ଖଣ୍ଡିଏ, ଲବଙ୍ଗ ଗୋଟାଏ, ଡାଲଚିନି ଛୋଟ ଖଣ୍ଡିଏ, ଘିଅ ଅଧପଳେ ଛୋଟ ପଳାରେ ।

ପ୍ରଣାଳୀ - ଗେଣ୍ଡା ଛଡ଼ାଇ ଭଲକରି ଧୋଇ ରଖ । ବାଇଗଣ ଓ କଦଳୀ କାଟି ଧୋଇ ରଖ । 

ହାଣ୍ଡିଟିଏ ଚୁଲ୍ଲୀରେ ଚଢ଼ାଇ ଘିଅରୁ ଅଧେ ପକାଅ । ଘିଅ ତାତିଲେ ଡାଲଚିନି ଲବଙ୍ଗ ତେଜପତ୍ର ପକାଇ ଘାଣ୍ଟିଦେଇ ଲୁଣ ହଳଦି ଗୋଳାଇ ଗେଣ୍ଡା ପକାଅ, ଥରେ ଦୁଇ ଥର ଘାଣ୍ଟି ସେଥିରେ ପରିବା ପକାଇ କସ । କସି ଉଠିଲେ ଜଳ ମସଲା ଲୁଣ ପକାଇ ଢାଙ୍କୁଣି ଦେଇଦିଅ ।ଧୀରେଧୀରେ ମୃଦୁ ଜାଳରେ ପନ୍ଦର ମିନିଟରେ ସିଦ୍ଧ ହେବ । 

ପସାରୁଣୀ ପତ୍ର ଦେଇ ମଧ୍ୟ ଏହି ଭଳି ଝୋଳ କରାଯାଏ ।   

ଗୁଣାଗୁଣ - ରକ୍ତ ଆମାଶୟ, ଅଜୀର୍ଣ୍ଣ, ଓ ଆମଦୋଷ ଜନିତ ଦସ୍ତ ହେଉଥିଲେ ଗେଣ୍ଡାରେ ଖୁବ ଉପକାର ମିଳେ । ଯେଉଁ ପିଲାଙ୍କର ଶରୀର ଦୁର୍ବଳ, ଦିନୁଦିନୁ ଶୀର୍ଣ୍ଣ ଦେଖାଯାନ୍ତି ସେମାନଙ୍କ ପକ୍ଷରେ ଗେଣ୍ଡା ଗୋଟିଏ ଉତ୍କୃଷ୍ଟ ବଳକାରକ ପଥ୍ୟ । ଅବସ୍ଥାନୁସାରେ ଝୋଳ ବା ଯୁଷ୍ କି କଞ୍ଚାରସ ଦିଆଯାଏ ।  

ବି.ଦ୍ର. - ଗେଣ୍ଡା ଝୋଳ ତିଆରିବାର ଏହି ପ୍ରଣାଳୀଟି ସରୋଜିନୀ ଚୌଧୁରୀ (୧୮୮୩-୧୯୫୭)ଙ୍କ ବହି 'ଗୃହିଣୀ ସର୍ବସ୍ୱ'ର ଲାର୍କ ବୁକ୍ସ୍ (ଭୁବନେଶ୍ୱର) ୨୦୦୯ ମସିହାରେ ଛାପିଥିବା ଦ୍ୱିତୀୟ ସଂସ୍କରଣରୁ ନିଆଯାଇଛି ।  ବହିଟିର ପ୍ରଥମ ସଂସ୍କରଣ ୧୯୨୮ ମସିହାରେ ଛପାଯାଇଥିଲା । ସରୋଜିନୀ ଦେବୀ ଜଣେ ସ୍ୱାଧୀନତା ସଙ୍ଗ୍ରାମୀ ଭାବରେ ଜଣାଶୁଣା । ସେ ଫକୀରମୋହନ ସେନାପତିଙ୍କର ସର୍ବକନିଷ୍ଠ କନ୍ୟା ତଥା ଶିଳ୍ପୀ ବିପିନବିହାରୀ ଚୌଧୁରୀଙ୍କର ମାତା ।

No comments:

Post a Comment