Tuesday, August 22, 2017

କଦଳୀ ଚଟଣୀ


ସରୋଜିନୀ ଚୌଧୁରୀ


ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଉପକରଣ - ବଡ଼ ପୋଖତ ଯେଉଁ କଦଳୀ ଚକଟିଲେ ନରମ ହୋଇଯିବ (ଏକଜାତୀୟ କଦଳୀ ଅଛି ଯେ ସିଝିଲେ ଶକ୍ତ ହୁଏ, କିନ୍ତୁ ଅନ୍ୟ କେତେକ ସିଝାଇଲେ ବେଶ ମୋଲାମ ନରମ ହୁଏ ) ଏହିଭଳି କଦଳୀ ଯୋଡ଼ିଏ, ଲୁଣ ଅଧତୋଳେ, ଗୋଲମରିଚ ଗୁଣ୍ଡା ଚିମୁଟେ, ଅଦା ଅଧଗିରେ, ଘିଅ ପଳେ, କାଗଜି ଲେମ୍ବୁ ଗୋଟାକର ତିନିଭାଗର ଏକ ଭାଗ, ଗୋଟା ଗୋଲମରିଚ ବା କିସମିଶ ଚାରିଟା ।

ପ୍ରଣାଳୀ - କଦଳୀ ଚୋପା ଛଡ଼ାଇବ ନାହିଁ ; ଚୋପା ସୁଦ୍ଧା ଧୋଇ ଭାତରେ ପକାଇବ । ସିଝିଗଲେ ବାହାର କରିନେଇ ଗରମଗରମ ଥାଉ ଥାଉ ଛଡ଼ାଇ ଚକଟିବ । ଥଣ୍ଡା ହୋଇଗଲେ କଦଳୀର ଶସ ଶୁଖିଲା ହୋଇଯାଏ, ଭଲ ଚକଟି ହୁଏ ନାହିଁ । ଅଦା ଛଡ଼ାଇ ସରୁ, ଛୋଟ, ଲମ୍ବା କରି କାଟ । କଦଳୀ ଚକଟାରେ ଘିଅ, ଲୁଣ, ମରିଚଗୁଣ୍ଡି, ଓ ଲେମ୍ବୁର ରସ ମିଶାଇ ବାଦାମି ଆକାରରେ ଗଢ଼ । ଅଦାଖଣ୍ଡମାନ ତେରଛା ଭାବରେ ପୋତି ଯାଅ;  ଧୀରେ ଧୀରେ ମଝିରେ ମରିଚଟିଏ ଅଧା ପୋତିଦିଅ ।

ଗୁଣାଗୁଣ - କଞ୍ଚା କଦଳୀ ଶୀତଳ, ମଳରୋଧକ, ଦୁର୍ଜୟ ଓ ବଳବର୍ଦ୍ଧକ

ବି.ଦ୍ର. - କଦଳୀ ଚଟଣୀ ତିଆରିବାର ଏହି ପ୍ରଣାଳୀଟି ସରୋଜିନୀ ଚୌଧୁରୀ (୧୮୮୩-୧୯୫୭)ଙ୍କ ବହି 'ଗୃହିଣୀ ସର୍ବସ୍ୱ'ର ଲାର୍କ ବୁକ୍ସ୍ (ଭୁବନେଶ୍ୱର) ୨୦୦୯ ମସିହାରେ ଛାପିଥିବା ଦ୍ୱିତୀୟ ସଂସ୍କରଣରୁ ନିଆଯାଇଛି ।  ବହିଟିର ପ୍ରଥମ ସଂସ୍କରଣ ୧୯୨୮ ମସିହାରେ ଛପାଯାଇଥିଲା । ସରୋଜିନୀ ଦେବୀ ଜଣେ ସ୍ୱାଧୀନତା ସଙ୍ଗ୍ରାମୀ ଭାବରେ ଜଣାଶୁଣା । ସେ ଫକୀରମୋହନ ସେନାପତିଙ୍କର ସର୍ବକନିଷ୍ଠ କନ୍ୟା ତଥା ଶିଳ୍ପୀ ବିପିନବିହାରୀ ଚୌଧୁରୀଙ୍କର ମାତା ।

No comments:

Post a Comment