Sunday, August 13, 2017

ପର୍ବତରେ ଧର୍ମୋପଦେଶ - ୨୧


ପବିତ୍ର ବାଇବେଲର ଓଡ଼ିଆ ଅନୁବାଦ


ଅଷ୍ଟାଦଶ ଶତାବ୍ଦୀର ବାଇବେଲ ବାକୁସ: ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଯୀଶୁ ଏହି ବାରଜଣଙ୍କୁ ପଠାଇ ଆଜ୍ଞା ଦେଇ କହିଲେ, ତୁମ୍ଭେମାନେ ପରଜାତୀୟ ଲୋକଙ୍କ ବାଟରେ ପୁଣି ଶମିରୋଣୀୟମାନଙ୍କ କୌଣସି ନଗରରେ ପ୍ରବେଶ ନ କରି ଇଶ୍ରାୟେଲ ଗୋତ୍ରର ହଜା ଯେ ସବୁ ମେଷ, ସେମାନଙ୍କ ନିକଟକୁ ଯାଅ । ପୁଣି ଯାଉଁ ଯାଉଁ 'ସ୍ୱର୍ଗରାଜ୍ୟ ସନ୍ନିକଟ ହେଲା,' ଏ କଥା ଘୋଷଣା କରି କହ । ରୋଗିମାନଙ୍କୁ ସୁସ୍ଥ କର, କୁଷ୍ଠିମାନଙ୍କୁ ପରିଷ୍କାର କର, ମୃତ ଲୋକମାନଙ୍କୁ ଜୀବନଦାନ କର, ଓ ଭୂତମାନଙ୍କୁ ଛଡ଼ାଅ ।  ତୁମ୍ଭେମାନେ ବିନାମୂଲ୍ୟରେ ପାଇଅଛ, ବିନାମୂଲ୍ୟରେ ଦିଅ । ଆପଣା ଆପଣା ଥଳୀରେ ସୁନା କି ରୂପା କି ତମ୍ବା କିଛି ନିଅ ନାହିଁ । ଆଉ ଯାତ୍ରା ପାଇଁ ଝୁଲି କିଅବା ଦ୍ୱିତୀୟ ବସ୍ତ୍ର ଅବା ଜୁତା କିଅବା ବାଡି ଏସବୁ ନିଅନାହିଁ; ଯେହେତୁ କାର୍ଯ୍ୟକାରୀ ଲୋକ ନିଜ ଆହାରର ଯୋଗ୍ୟ । ଆଉ ତୁମ୍ଭେମାନେ ଯେଉଁ ନଗରରେ କି ଗ୍ରାମରେ ପ୍ରବେଶ କର, ସେଠାରେ କେଉଁ ଲୋକ ଯୋଗ୍ୟପାତ୍ର, ତାହା ଅନୁସନ୍ଧାନ କର, ଆଉ ସ୍ଥାନାନ୍ତର ଯିବା ସମୟ ପର୍ଯ୍ୟନ୍ତ ତାହା ପାଖରେ ରହ ।  ଆଉ ତାହାର ଗୃହରେ ପ୍ରବେଶ କରିବା ସମୟରେ ତାହାକୁ କଲ୍ୟାଣ କର । ତହିଁରେ ସେ ଗୃହସ୍ଥ ଯେବେ ଯୋଗ୍ୟପାତ୍ର ହୁଏ, ତେବେ ସେହି ମଙ୍ଗଳବାଞ୍ଛା ତାହା ପ୍ରତି ବର୍ତ୍ତୁ; କିନ୍ତୁ ସେ ଯୋଗ୍ୟ ନ ଥିଲେ ତୁମ୍ଭ ଶାନ୍ତି ତୁମ୍ଭ ପ୍ରତି ଫେରି ଆସୁ ।

ଉତ୍ସ - 'ପବିତ୍ର ବାଇବେଲ : ପୁରାତନ ଓ ନୂତନ ନିୟମ' । ବାଇବେଲ ସୋସାଇଟି ଅଫ ଇଣ୍ଡିଆ : ବାଙ୍ଗାଲୋର । ପ୍ରକାଶନର ତାରିଖ ଦିଆଯାଇନାହିଁ । 

No comments:

Post a Comment