ମହିମା ଭକ୍ତି କବିତା - 'ତତ୍ତ୍ୱ କଲେ ସତ୍ୟ ହେବ ଉଦୟେ ଗୋ'
ଭକ୍ତ କବି ଭୀମ ଭୋଇ
ବୌଦ୍ଧ ଭାବଚକ୍ର : ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
ତତ୍ତ୍ୱ
କଲେ ସତ୍ୟ ହେବ ଉଦୟେ ଗୋ
ଏଥିରେ
ନକର କିଛି ସଂଶୟ ଗୋ । ଘୋଷା ।
ହେତୁ ଚେତା ଦ୍ୱାରେ ଧର ବିଅର୍ଥେ ଭ୍ରମି ନ ମର
ଭଜ ନିଷ୍କାମରେ ଗୋ, ଶ୍ରୀଗୁରୁ ଆଜ୍ଞାରେ ।
ଚାହିଁ ଯେବେ ଦେବେ ଗୁରୁ ସୁଦୟା ହେବ ଛାମୁରୁ
ଏ ପିଣ୍ଡ ପରାଣ ହେବ ଅକ୍ଷୟେ ଗୋ ।୧।
ଆପଣା ଜିହ୍ୱାରେ ସତ୍ୟ ରଖି ପାରିଲେ ଭକତ
ଧ୍ୟାୟି ପାଦ ତଳେ ଗୋ, ପୂର୍ବ ତପ ଥିଲେ ।
କାମ କଳ୍ପଣା ନିବାର ଭବ ଭୟ କରି ଦୂର
ହାରି ଗୁହାରି ବୁଝିବେ ନିଶ୍ଚୟେ ଗୋ ।୨।
ଆତଙ୍କେ ଡାକିବ ଯେବେ କର୍ଣ୍ଣେ ଶୁଣିଲେ ଆସିବେ
ଜାଣିବେ ଅନ୍ତରେ ଗୋ, ଭକତ ହିତରେ ।
ଅନାଦି ସେ ଭାବଗ୍ରାହୀ ଭକ୍ତ ହିତେ ବଶ ହୋଇ
ଚିତ୍ତକୁ ଜାଣି କରିବେ ବିଜୟେ ଗୋ ।୩।
ବ୍ରହ୍ମପାଶେ ନାମ ଅଛି ଘୋଡାଇ କରି ରଖିଛି
ଚର୍ମ ନୟନକୁ ଗୋ, ନ ଦିଶେ କାହାକୁ ।
ଜ୍ଞାନ ନୟନେ ଦିଶଇ ଦୂରେ ନାହିଁ ପାଶେ ଥାଇ
ଚିହ୍ନି ପାରିଲେ କରନ୍ତି ସୁଦୟେ ଗୋ ।୪।
ଗୁରୁ ପାଦେ ସେବା କର ନାମ ବ୍ରହ୍ନରେ ବିହର
ଅଛି ଯେବେ ଭାଗ୍ୟ ଗୋ, ଦିଆଯିବ ଭାଗ ।
କୋଟି ଜନ୍ମ ପାପ ଯିବ ହେତୁ ଚେତା ନ ବୁଡିବ
ଚିହ୍ନି ପାରିବ ଯେମନ୍ତେ ସ୍ୱଦେହେ ଗୋ ।୫।
ଯାର ରୂପ ରେଖ ନାହିଁ ନର ଦେହ ଛନ୍ତି ବହି
କହୁଛନ୍ତି କଥା ଗୋ, ବ୍ରହ୍ମାଣ୍ତ କରତା ।
ଭଣେ ଭୀମହୀନ ଭୋଇ ସଦା ଅପରାଧୀ ହୋଇ
କର ଯୋଡି ଶ୍ରୀ ଛାମୁରେ ବିନୟେ ଗୋ ।୬।
No comments:
Post a Comment