Sunday, August 06, 2017

ପର୍ବତରେ ଧର୍ମୋପଦେଶ - ୨୦


ପବିତ୍ର ବାଇବେଲର ଓଡ଼ିଆ ଅନୁବାଦ



ବାର ପ୍ରେରିତଙ୍କର ମଣ୍ଡଳି (ଚତୁର୍ଥ ଶତାବ୍ଦୀ, ପୁଷ୍କିମ ସଙ୍ଗ୍ରହାଳୟ)
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ 

ଅନନ୍ତର ଯୀଶୁ ସେମାନଙ୍କ ଭଜନାଳୟରେ ଉପଦେଶ ଦେଉଁ ଦେଉଁ, ରାଜ୍ୟର ସୁସମାଚାର ଘୋଷଣା କରୁ କରୁ, ପୁଣି ଲୋକମାନଙ୍କ ମଧ୍ୟରେ  ଯେତେ ପ୍ରକାର ରୋଗ ଓ ବ୍ୟଥା ଥିଲା, ତାହା ସବୁ ସୁସ୍ଥ କରୁ କରୁ ସମସ୍ତ ନଗର ଓ ଗ୍ରାମ ଦେଇ ଭ୍ରମଣ କଲେ । ତହିଁରେ ଲୋକସମୁହକୁ ଅତି କ୍ଲାନ୍ତ ଓ ଅରକ୍ଷକ ମେଷପରି ଛିନ୍ନଭିନ୍ନ ଦେଖି ସେମାନଙ୍କ ପ୍ରତି ତାହାଙ୍କର ଦୟା ଜାତ ହେଲା । ପୁଣି ସେ ଆପଣା ଶିଷ୍ୟମାନଙ୍କୁ କହିଲେ, ଶସ୍ୟ ବହୁତ, ମାତ୍ର ମୂଲିଆମାନେ ଅଳ୍ପ; ଏଣୁ କ୍ଷେତ ମଧ୍ୟକୁ ଆଉ ମୂଲିଆମାନଙ୍କୁ ପଠାଇବା ପାଇଁ ଶସ୍ୟର ଅଧିକାରୀଙ୍କ ନିକଟରେ ପ୍ରାର୍ଥନା କର ।

ଏଥିଉତ୍ତାରେ ଯୀଶୁ ଆପଣାର ବାରଜଣ ଶିଷ୍ୟଙ୍କୁ କତିକି ଡାକି ସେମାନଙ୍କୁ ଅପବିତ୍ର ଭୂତଗଣ ଛଡ଼ାଇବାର ପୁଣି ସର୍ବପ୍ରକାର ରୋଗ ଓ ବ୍ୟାଧି ଉପଶମ କରିବାର ପରାକ୍ରମ ଦେଲେ । ସେହି ବାର ପ୍ରେରିତଙ୍କର ନାମ ଏହି, ପ୍ରଥମ ଶିମୋନ ଯାହାକୁ ପିତର କହନ୍ତି, ଓ ତାହାର ଭାଇ ଆନ୍ଦ୍ରିୟ । ଜେବଦିର ପୁତ୍ର ଯାକୁବ ଓ ତାହାର ଭାଇ ଯୋହନ । ଫିଲିପ ଓ ବାର୍ଥଲମୀ, ଥୋମା ଓ କର ଆଦାୟକାରୀ ମାଥିଉ । ଆଲଫିର ପୁତ୍ର ଯାକୁବ, ଓ ଥଦ୍ଦୀୟ । କିଣାନୀୟ (ବା ଉଦ୍ଯୋଗୀ) ଶିମୋନ, ଓ ଖ୍ରୀଷ୍ଟଙ୍କୁ ଯେ ପରହସ୍ତଗତ କଲା, ସେହି ଇସ୍କାରିଓତୀୟ ଯିହୁଦା । 

ଉତ୍ସ - 'ପବିତ୍ର ବାଇବେଲ : ପୁରାତନ ଓ ନୂତନ ନିୟମ' । ବାଇବେଲ ସୋସାଇଟି ଅଫ ଇଣ୍ଡିଆ : ବାଙ୍ଗାଲୋର । ପ୍ରକାଶନର ତାରିଖ ଦିଆଯାଇନାହିଁ । 

No comments:

Post a Comment