Tuesday, August 08, 2017

ମିଲନ କୁନ୍ଦେରା


କାଫକା ସମ ଦୃଶ୍ୟାବଳୀ


ଅନୁବାଦ ଓ ଆଲେଖ୍ୟ - ଜ୍ୟୋତି ନନ୍ଦ


ମିଲନ କୁନ୍ଦେରା (୧୯୨୯-ବର୍ତ୍ତମାନ)
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍)


ଫ୍ରାନଜ୍ କାଫକା (୩ ଜୁଲାଇ ୧୮୮୩ -୩ ଜୁନ୍ ୧୯୨୪) ଜର୍ମାନ ଭାଷାର ଉପନ୍ୟାସ ଓ ଛୋଟ ଗପ ଲେଖକ । ତତ୍କାଳୀନ ଅଷ୍ଟ୍ରିଆ ଓ ହଙ୍ଗେରୀ ସାମ୍ରାଜ୍ୟର ପ୍ରାହା ସହର (ଏବେ ଚେକ୍ ପ୍ରଜାତନ୍ତ୍ରର ରାଜଧାନୀ)ରେ ଗୋଟିଏ ମଧ୍ୟବିତ୍ତ ଜର୍ମାନ-ଇହୁଦୀ, ଜର୍ମାନଭାଷୀ ପରିବାରରେ ଜନ୍ମଗ୍ରହଣ କରିଥିଲେ । କାଫକାଙ୍କୁ ବିଂଶ ଶତାବ୍ଦୀର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ସାହିତ୍ୟିକ ହିସାବରେ ବିବେଚନା କରାଯାଏ । କାଫକା ଅସ୍ତିତ୍ବବାଦର ତତ୍ତ୍ୱକୁ ବିଶେଷ ଭାବରେ ପ୍ରଭାବିତ କରିଥିଲେ । ତାଙ୍କର ଅଧିକାଂଶ ଲେଖା, ଯେପରିକି, "ରୂପାନ୍ତର", "ପଥାନୁସରଣ" ଓ "ଦୂର୍ଗ" ଇତ୍ୟାଦିର ବିଷୟବସ୍ତୁ ଏବଂ ଆଦର୍ଶଗତ ଦିଗଟି ମୂଳତଃ ବିଚ୍ଛିନ୍ନତାବୋଧ, ଶାରୀରିକ ଏବଂ ମାନସିକ ନିଷ୍ଠୁରତା, ଅଭିଭାବକ-ସନ୍ତାନ ସମ୍ପର୍କରେ ସଙ୍ଘର୍ଷ, ଆତଙ୍କଜନକ ଉଦ୍ଦେଶ୍ୟକୁ ଚରିତାର୍ଥ କରିବାରେ ବ୍ୟସ୍ତ ଏପରି ଏକ ଚରିତ୍ର, ମଣିଷଜୀବନରେ ଅମଲାତାନ୍ତ୍ରିକ ହସ୍ତକ୍ଷେପ ଏବଂ ରହସ୍ୟମୟ ରୂପାନ୍ତର; ଏହି ସବୁ ବିଷୟକୁ କେନ୍ଦ୍ରକରି ଗଢିଉଠିଛି ।

ତାଙ୍କ ସମୟରେ ପ୍ରାହାର ଅଧିକାଂଶ ଲୋକ ଚେକ୍ ଭାଷାରେ କଥା କହୁଥିଲେ । ଚେକ୍ ଆଉ ଜର୍ମାନ୍ ଭାଷାଭାଷୀ ମଣିଷ ଭିତରେ ବିଭାଜନ ଥିଲା ଗୋଟିଏ ସ୍ପର୍ଶକାତର ବାସ୍ତବତା, ଯେହେତୁ ଉଭୟପକ୍ଷ ଗୋଟିଏ ଗୋଟିଏ ଜାତୀୟ ପରିଚୟର ଦାବୀଦାର ରହିଥିଲେ । ଇହୁଦୀ ସମ୍ପ୍ରଦାୟ ପ୍ରାୟ ଏଇ ଦୁଇ ଅନୁଭୂତି ଭିତରେ ନିଜକୁ ଖୋଜି ପାଉଥିଲେ । ତଥାପି ଏଇ ଜାଗାଟି କେଉଁ ରାଜ୍ୟର ସେହି ପ୍ରଶ୍ନଟି ସ୍ୱାଭାବିକ ଭାବରେ ଉଠୁଥିଲା । କାଫକା ଉଭୟ ଭାଷାରେ ପାରଦର୍ଶୀ ଥିଲେ ହେଁ, ଜର୍ମାନ ଭାଷାକୁ ହିଁ ନିଜର ମାତୃଭାଷା ବୋଲି ମାନି ନେଇଥିଲେ । କାଫକା ଜଣେ ଆଇନଜୀବି ହିସାବରେ ପ୍ରଶିକ୍ଷଣ ନେଇଥିଲେ ।

ମୋ ବନ୍ଧୁ ଜୋସେଫ୍ ସ୍କଭୋରେକି ତାଙ୍କର ଗୋଟିଏ ବହିରେ ଏଇ ସତ ଘଟଣାଟି ଲେଖିଛନ୍ତି :
ପ୍ରାହା ସହରର ଜଣେ ଇଞ୍ଜିନିୟର ଲଣ୍ଡନର ଗୋଟିଏ ପେଶାଦାରୀ ଆଲୋଚନା ସଭାର ଡକରା ପାଇଥିଲେ । ସେ ସେଠିକି ଯାଇ ଆଲୋଚନା ସଭାରେ ଭାଗନେଲେ ଓ ପ୍ରାହା ସହରକୁ ପୁଣି ଲେଉଟି ଆସିଥିଲେ । ଫେରି ଆସିବାର କିଛି ଘଣ୍ଟା ପରେ ନିଜ ଅଫିସ୍ ରେ ବସି ସେ ପାର୍ଟିର ମୁଖପତ୍ର "ରୁଡ୍ ପ୍ରାଭୋ"କୁ ଓଲଟାଉଥିଲେ । ସେଥିରେ ଗୋଟିଏ ଖବର ଛପା ହୋଇଥିଲା । ଖବରଟି ହେଉଛି, ଲଣ୍ଡନର ଗୋଟିଏ ଆଲୋଚନା ସଭାକୁ ନିମନ୍ତ୍ରିତ ଜଣେ ଚେକ୍ ଇଞ୍ଜିନିୟର ପଶ୍ଚିମର ଗଣମାଧ୍ୟମ ସାମନାରେ ନିଜର ସମାଜତାନ୍ତ୍ରିକ ସ୍ୱଦେଶ ସମ୍ପର୍କ ରେ କୁରୁଚିକର ମନ୍ତବ୍ୟ କରି ପଶ୍ଚିମ ଦେଶରେ ରହିଯାଇଛନ୍ତି ।

ଏମିତି କୁରୁଚିକର ମନ୍ତବ୍ୟ ପରେ ଅବୈଧ ବସବାସ ଖୁବ୍ ସହଜ କଥା ନୁହଁ । ହୁଏତ କୋଡିଏ ବର୍ଷ ସଜା ହୋଇଯାଇ ପାରେ ।ଆମର ଇଞ୍ଜିନିୟର ଜଣକ ନିଜ ଆଖିକୁ ବିଶ୍ୱାସ କରି ପାରିଲେ ନାହିଁ । କିନ୍ତୁ ଲେଖାଟି ଯେ ତାଙ୍କ ନିଜ ବିଷୟରେ, ସେ ବିଷୟରେ ତାଙ୍କର ଆଦୌ ସନ୍ଦେହ ନଥିଲା । ତାଙ୍କର ସହାୟକ ଜଣକ ଅଫିସ୍ ଆସି ଯେତେବେଳେ ସେଇଠେ ତାଙ୍କୁ ଦେଖି ଅବାକ, 'ହେ ଭଗବାନ, ଆପଣ ଫେରି ଆସିଛନ୍ତି ! ମୁଁ ଭାବି ପାରୁନି । ଦେଖିଛନ୍ତି ଆପଣଙ୍କ ବିଷୟରେ କାଗଜରେ କ'ଣ ବାହାରିଛି ?'

ଇଞ୍ଜିନିୟର ଜଣକ ନିଜ ସହାୟକର ଆଖିରେ ଦେଖିଲେ ରାଇଜ ଯାକର ଭୟ । କିନ୍ତୁ କ'ଣ ବା ସେ କରିପାରିବେ ? ଦୌଡିଲେ
"ରୁଡ୍ ପ୍ରାଭୋ"ର ଅଫିସ୍ କୁ । ଖୋଜି ବାହାର କଲେ ସେଇ ବାହାରିଥିବା ଲେଖାଟିର ଦାୟିତ୍ୱପ୍ରାପ୍ତ ସମ୍ପାଦକକୁ । ସମ୍ପାଦକ କ୍ଷମା ମାଗିଲେ । ହଁ, କଥାଟି ବଡ ଅଶ୍ୱସ୍ତିକର । କିନ୍ତୁ ଏଥିରେ ତାଙ୍କର କିଛି କରିବାର ନାହିଁ । ଲେଖାଟି ସେ ପାଇଛନ୍ତି ଆଭ୍ୟନ୍ତରିଣ ମନ୍ତ୍ରଣାଳୟ ନିକଟରୁ । ଇଞ୍ଜିନିୟର ତାହାପରେ ପହଞ୍ଚିଗଲେ ଆଭ୍ୟନ୍ତରିଣ ମନ୍ତ୍ରଣାଳୟ ଅଫିସ୍ ରେ  ।ସେଠାରେ ତାଙ୍କୁ କୁହାଗଲା ଯେ, ହଁ ଏଇଟି ଗୋଟିଏ ଭୁଲ । କିନ୍ତୁ ଏଥିରେ ତାଙ୍କର କିଛି କରିପାରିବାର କ୍ଷମତା ନାହିଁ ।

କାରଣ ସେଇ ପ୍ରକୌଶଳବିତ୍ ଙ୍କ ସମ୍ପର୍କ ରେ ଏଇ ଭଳି ରିପୋର୍ଟ ପଠେଇଛି ଲଣ୍ଡନ ଦୂତାବାସର ଗୁଇନ୍ଦା ବିଭାଗ । ଇଞ୍ଜିନିୟର ଜଣକ ଅନୁରୋଧ କଲେ, ଖବରଟିକୁ ପ୍ରତ୍ୟାହାର କରିନେବା ପାଇଁ । ନା, ସେମାନେ ଜଣେଇଲେ, ଖବର ପ୍ରତ୍ୟାହାର କରିନେବାର ନିୟମ ନାହିଁ । କିନ୍ତୁ ସେଥିରେ ତାଙ୍କର କିଛି ସମସ୍ୟା ହେବନାହିଁ । ତେଣୁ ଚିନ୍ତା କରିବାର ଦରକାର ନାହିଁ ।

କିନ୍ତୁ ଆମର ଇଞ୍ଜିନିୟର ଜଣକର ଚିନ୍ତା କରିବାର ଅନେକ କାରଣ ଘଟି ଚାଲିଥିଲା । ସେ ହଠାତ୍ ବୁଝି ପାରିଲେ ଯେ, ତାଙ୍କ ଉପରେ ନଜର ରଖାଯାଉଛି । ତାଙ୍କର ଟେଲିଫୋନ୍ କୁ ଟାପ୍ କରାଯାଉଛି । ଏବଂ, ରାସ୍ତାରେ ଗଲାବେଳେ କିଏ ନା କିଏ ତାଙ୍କୁ ଅନୁସରଣ କରୁଛି । ତାଙ୍କୁ ରାତିରେ ଭଲ ନିଦ ହେଲାନି । ସେ ଖାଲି ଦୁଃସ୍ୱପ୍ନ ଦେଖିଲେ । ଶେଷରେ ଏତେ ଚାପ ଆଉ ସହି ନପାରି, ଆଗତ ବିପଦର ସମ୍ଭାବନାକୁ ଖାତିର୍ ନକରି, ସେ ବେଆଇନ ଭାବେ ଦେଶତ୍ୟାଗ କଲେ । ଏବଂ, ସତକୁ ସତ ରାଜନୈତିକ କାରଣରୁ ଅଧିବାସୀ ହେବାକୁ ବାଧ୍ୟ ହେଲେ ।

ଏଇ ଯେଉଁ ଗପଟିକୁ ମୁଁ ଏଇଲେ କହିଲି ସେଇ ଭଳି ଗପକୁ ଆମେ ଶୁଣିବା ସାଙ୍ଗେ ସାଙ୍ଗେ ପ୍ରାୟ କହିଥାଉ, କାଫକା ଭଳି ହୋଇଛି । ଏଇ ଯେଉଁ ପରିଭାଷାଟି- ଜଣେ ଶିଳ୍ପୀର କାମରୁ ନିଆଯାଇଛି, ଜଣେ ଲେଖକର ତିଆରି ଦୃଶ୍ୟରୁ ନିର୍ଣ୍ଣିତ, ତାହା ହେଉଛି, ସେଇ ସବୁ ପରିସ୍ଥିତି (ସାହିତ୍ୟରେ ହେଉ କି ସତ ଜୀବନରେ ହେଉ)ର ଏକମାତ୍ର ସାଧାରଣ ବିଭାଜକ ଯାହା ଅନ୍ୟ କୌଣସି ଶବ୍ଦରେ ବୁଝାଯାଇ ପାରିବ ନାହିଁ ଏବଂ କୌଣସି ରାଜନୈତିକ ବା ସାମାଜିକ ବା ମନସ୍ତାତ୍ତ୍ୱିକ ତତ୍ତ୍ୱ, ଯାହାର କୌଣସି ଉତ୍ତର ଦେଇପାରିବ ନାହିଁ , ତାହାକୁ ବୁଝାଇବା।

ତେବେ କ'ଣ ଏଇ "କାଫକା-ସଦୃଶ" କଥା ?

ଏହାର କିଛି ବୈଶିଷ୍ଟ୍ୟ ବର୍ଣ୍ଣନା କରିବାକୁ ଚେଷ୍ଟା କରାଯାଉ ।

ଏକ


ଆମର ଇଞ୍ଜିନିୟର ଜଣକ ଯେଉଁ କ୍ଷମତାର ମୁହାଁମୁହିଁ ହେଉଥିଲେ, ତାହା ଭିତରେ ଗୋଟିଏ ଅସୀମ ଗୋଲକଧନ୍ଦାର ବୈଶିଷ୍ଟ୍ୟ ରହିଛି । ସେ କୌଣସି ଦିନ ଏଇ ଗୋଲକଧନ୍ଦାର ଶେଷରେ ପହଞ୍ଚି ପାରିବେ ନାହିଁ । ଜାଣି ପାରିବେ ନାହିଁ, ତାଙ୍କ ସମ୍ପର୍କ ରେ ଏଇ ଚୂଡାନ୍ତ ସିଦ୍ଧାନ୍ତଟି କିଏ ନେଇଥିଲା, ଆଉ କାହିଁକି ? ତାଙ୍କର ପରିସ୍ଥିତିଟି ଯେମିତି ଅଦାଲତର ସାମନାରେ "ଜୋଶେଫ୍ କେ" ଭଳି କିମ୍ବା କ୍ୟାସେଲ୍ ସାମ୍ନାରେ ଜମିର ସର୍ଭେୟର୍ "କେ" ଭଳି । ଏଇ ତିନି ଜଣଙ୍କର ଏପରି ଏକ ଜଗତ, ସେଠାରେ ଆଉ କିଛି ନାହିଁ  ।କେବଳ ଗୋଟିଏ ପ୍ରକାଣ୍ଡ ଗୋଲକଧନ୍ଦା ଭଳି ପ୍ରତିଷ୍ଠାନ ଅଛି, ଯେଉଁଥିରୁ ସେମାନଙ୍କର ନିସ୍ତାର ନାହିଁ । ଆଉ ଯାହାକୁ ବୁଝିବାର କୌଣସି ଉପାୟ ନାହିଁ ।

କାଫକାଙ୍କ ପୂର୍ବ ଔପନ୍ୟାସିକମାନେ ଅନେକ ସମୟରେ ପ୍ରତିଷ୍ଠାନର ମୁଖା ଖୋଲି ଦେଇଛନ୍ତି । ଏପରିକି ଯେମିତି ଏଗୁଡିକ ଅସଲରେ ଗୁଡିଏ ଲୋକ ଏବଂ ଏହା ସମସ୍ତଙ୍କର ଭିତରେ ଥିବା ଲଢେଇ କରିବାର ଇଚ୍ଛା ର ଜାଗା । କାଫକାଙ୍କ ପ୍ରତିଷ୍ଠାନ ଏମିତି ଏକ ପ୍ରକ୍ରିୟା, ଯାହା ସ୍ଵତନ୍ତ୍ର ନିୟମରେ ଚାଲେ । କେହି ଜାଣେନା କିଏ ଏଇ ନିୟମଗୁଡିକର ପ୍ରାରୂପକ । ବା କେବେ ସେ ଏହାକୁ ରୂପ ଦେଇଥିଲା । ତାହା ପାଖରେ ମଣିଷର ଚିନ୍ତାର କୌଣସି ମୂଲ୍ୟ ନାହିଁ । ଏବଂ ଏହା ସବୁ ପ୍ରକାର ବୋଧର ବାହାରେ ।

ଦୁଇ


କାଫକା ଙ୍କ ଦି କାସଲ୍ ଉପନ୍ୟାସ ର ପଞ୍ଚମ ଅନୁଚ୍ଛେଦରେ ଗାଆଁର ମେୟର ବିସ୍ତାରିତ ଭାବେ ନାୟକ "କେ"ର ନଥିଟିକୁ ନେଇ ତାହାକୁ ବୁଝାଉଛନ୍ତି ତାହାର ଦୀର୍ଘ ଇତିହାସ । ସଂକ୍ଷେପରେ; ବହୁଦିନ ଆଗେ, ଜଣେ ଜମିଜମାର ସର୍ଭେୟର୍ କୁ ନିଯୁକ୍ତି ଦେବାର ଗୋଟିଏ ପ୍ରସ୍ତାବ କାସଲ୍ ରୁ ଆସିଥିଲା । ମେୟର୍ ଏଇ ପ୍ରସ୍ତାବରେ ସହମତ ନଥିଲେ । ସେ ଲେଖିଥିଲେ, ଏମିତି ଜଣେ ଜମିଜମାର ସର୍ଭେୟର୍ ର ନିଯୁକ୍ତି କରିବା ଦରକାର ନାହିଁ। କିନ୍ତୁ ତାଙ୍କର ସେଇ ଜବାବଟି ଭୁଲ ଦପ୍ତରକୁ ଚାଲିଯାଏ । ଏବଂ, ଗୋଟିଏ ଖୁବ୍ ଦୁର୍ବୋଧ୍ୟ ଅମଲାତାନ୍ତ୍ରିକ ଭୁଲ୍ ବୁଝାମଣାର ଢେର୍ ସମୟ ଧରି ଚାଲିଥିବା ପରମ୍ପରା ପରେ କେ କୁ ନିଯୁକ୍ତ କରାଯାଏ । କେ ର ନିଯୁକ୍ତିଟି ଠିକ୍ ସେଇ ସମୟରେ ହୁଏ, ଯେତେବେଳେ କେତେଗୁଡିଏ ଦପ୍ତର ଏକାଠି ବସି ପୁରୁଣା, ଅଚଳ ସେଇ ପ୍ରସ୍ତାବଟିକୁ ବାତିଲ୍ କରିବାର କାର୍ଯ୍ୟକ୍ରମ ହାତକୁ ନେଉଥିଲେ । ତେଣୁ ଦୀର୍ଘ ପଥ ଯାତ୍ରା କରି କେ ଅସଲରେ ଭୁଲବଶତଃ ସେଇ ଗାଆଁକୁ ଚାଲି ଆସିଛି । ଯଦି ଏଇ କଥାଟିକୁ ମାନି ନିଆଯିବ ଯେ, କେ ର ଅସଲରେ କାସଲ୍ ଏବଂ ଏଇ ଗାଆଁଟି ଛଡା ଅନ୍ୟ କୌଣସି ଅସ୍ତିତ୍ୱ ନାହିଁ ,ତେବେ କେ ର ସମ୍ପୂର୍ଣ୍ଣ ଅସ୍ତିତ୍ତ୍ୱଟି ହିଁ ଗୋଟିଏ ଭୁଲ୍ ।

ଏଇ କାଫକା-ସଦୃଶ ଜଗତର ନଥି ପ୍ରକୃତରେ ଗୋଟିଏ ପ୍ଲାଟୋନିକ୍ ଧାରଣାର ଭୂମିକା ନେଇଥାଏ । ତାହା ଯେମିତି ପ୍ରକୃତ ବାସ୍ତବର ପ୍ରତିନିଧି, ଆଉ ଅନ୍ୟ ଦିଗରେ ମଣିଷର ଶାରୀରିକ ଅସ୍ତିତ୍ୱ ଯେମିତି ଗୋଟିଏ ଅଳିକତାର ପର୍ଦ୍ଦାରେ ଗୋଟିଏ ଛାଇ ମାତ୍ର ।ସତ, ଏହି ଜମିଜମାର ସର୍ଭେୟର୍ ଆଉ ପ୍ରାହା ସହର ଇଞ୍ଜିନିୟର, ଯେମିତି ସେମାନଙ୍କର ସେଇ ନଥିର ଛାଇ । ବା ତାହାଠାରୁ ବି କମ୍ । ମାନେ ଅସଲରେ ସେମାନଙ୍କର ନଥିରେ ଥିବା ଗୋଟିଏ ଭୁଲ୍ ର ଚ୍ଛାଇ ମାତ୍ର । ଛାଇଟିଏ ଯାହାର ଛାଇ ଆକାରରେ ବି ବଞ୍ଚିରହିବାର ଅଧିକାର ନାହିଁ । କିନ୍ତୁ ଯଦି ମଣିଷର ଜୀବନ କେବଳ ଗୋଟିଏ ଛାଇଟିଏ ହୁଏ, ଆଉ ପ୍ରକୃତ ବାସ୍ତବତା ଥାଏ ଅନ୍ୟ କେଉଁଠି, ମନୁଷ୍ୟତର ବା ମନୁଷ୍ୟତମ କୌଣସି ଅସ୍ତିତ୍ୱରେ ଯେଉଁଠିକୁ ପହଞ୍ଚିଯାଇ ହେବନି, ତେବେ ସେଇଠି ଆମେ ଧର୍ମତତ୍ତ୍ୱର କ୍ଷେତ୍ରରେ ପ୍ରବେଶ କରିଥାଉ । ସତରେ କାଫକାଙ୍କ ପ୍ରଥମ ଭାଗର ଆଲୋଚକମାନେ ତାଙ୍କର ଉପନ୍ୟାସର ବ୍ୟାଖ୍ୟା କରୁଥିଲେ ଧର୍ମୀୟ ରୂପକ ହିସାବରେ ।

କିନ୍ତୁ ମୁଁ ମନେ କରେ ଏଇ ଧରଣର ବଖାଣ ଭ୍ରାନ୍ତ (କାରଣ ଏଇ ବଖାଣରେ ରହିଛି ଏକ ରୂପକ, ଯେଉଁଠି କାଫକା ଆତ୍ମସ୍ଥ କରିଛନ୍ତି ମଣିଷ ଜୀବନର ସୁନିର୍ଦ୍ଦିଷ୍ଟ ଘଟଣାକୁ), କିନ୍ତୁ ଏହା ଜଣାଉଥାଏ ଯେ, ଯେତେବେଳେ କ୍ଷମତା ନିଜକୁ ଅମାନ୍ୟ କରେ, ସେତେବେଳେ ସେ ସୃଷ୍ଟିକରେ ତାହାର ନିଜସ୍ୱ ଧର୍ମତତ୍ତ୍ୱ । ଯେତେବେଳେ ସେ ଭଗବାନ ଭଳି ଆଚରଣ କରେ, ନିଜ ପ୍ରତି ଗଢ଼ି ତୋଳେ ଏକ ଧାର୍ମିକ ବୋଧ; ଏ ଭଳି ଜଗତର ବର୍ଣ୍ଣନା କେବଳ ଧର୍ମତତ୍ତ୍ୱର ପରିଭାଷାରେ ହିଁ ସମ୍ଭବ ।

କାଫକା ଧର୍ମୀୟ ରୂପକ ଲେଖିନାହାଁନ୍ତି, କିନ୍ତୁ କାଫକା-ସଦୃଶ ତାଙ୍କର ଧର୍ମତତ୍ତ୍ୱ (ବା ଛଦ୍ମ ଧର୍ମତତ୍ତ୍ୱ) ଏହାଠାରୁ ଅବିଚ୍ଛେଦ୍ୟ ।

ତିନି


ରାସ୍କାଲନିକୋଭ (ଦସ୍ତୋୟଭସ୍କି ଙ୍କ ଉପନ୍ୟାସ "ଅପରାଧ ଓ ଶାସ୍ତି"ର ପରିଚିତ ନାୟକ) ତାହାର ଅନୁଶୋଚନାର ଭାର ବହନ କରି ପାରୁ ନଥିଲା । ଶାସ୍ତି ଭୋଗିବା ପାଇଁ ସେ ସ୍ୱେଚ୍ଛାରେ ତାହାର ଶାସ୍ତି ପାଇଁ ସମ୍ମତି ଜଣାଇଥିଲା । ଏଇଟି ହେଉଛି ଖୁବ୍ ପରିଚିତ ସେଇ ପରିସ୍ଥିତି, ଯେଉଁଠି ଅପରାଧ ଶାସ୍ତି ଚାହିଁଥାଏ । କାଫକାଙ୍କ କ୍ଷେତ୍ରରେ ଏଇ ଯୁକ୍ତି ଓଲଟି ଯାଏ । ଶାସ୍ତିପ୍ରାପ୍ତ ମଣିଷଟି ଜାଣିପାରେ ନାହିଁ କାହିଁକି ତା'ର ଏଇ ଅପରାଧ । ଶାସ୍ତିର ଉଦ୍ଭଟତା ଏତିକି ଅସହନୀୟ ଯେ ଶାସ୍ତି ପାଇବାକୁ ଶାସ୍ତିପ୍ରାପ୍ତ ମଣିଷଟି ତାହାର ଦଣ୍ଡର ଗୋଟିଏ ନ୍ୟାର୍ଯ୍ୟତା ଖୋଜିଥାଏ; ଏଠାରେ ଶାସ୍ତି ଅପରାଧ ଖୋଜେ । ପ୍ରାହା ସହରର ଇଞ୍ଜିନିୟରର ଶାସ୍ତି ଥିଲା ପ୍ରଗାଢ ପୁଲିସ୍ ପହରା । ଏଇ ଶାସ୍ତି ଦାବି କରେ ଏପରି ଅପରାଧ, ଯାହା କରାଯାଇନାହିଁ, ଦେଶତ୍ୟାଗରେ ଅଭିଯୁକ୍ତ ଇଞ୍ଜିନିୟର ଶେଷରେ ସତକୁ ସତ ଦେଶତ୍ୟାଗ କରେ । ଶାସ୍ତି ଶେଷରେ ଅପରାଧକୁ ଖୋଜି ପାଏ । ତାହାର ବିରୁଦ୍ଧରେ କ'ଣ ଅଭିଯୋଗ ନଜାଣି ଦି ଟ୍ରାଏଲ୍ ର ସପ୍ତମ ଅଧ୍ୟାୟରେ ନାୟକ କେ ତାହାର ପୂରା ଅତୀତଟିକୁ "ପୁଙ୍ଖାନୁପୁଙ୍ଖ " ଭାବେ ପରୀକ୍ଷା କରିବ ବୋଲି ଠିକ୍ କରେ । "ସ୍ୱୟଂ ଦଣ୍ଡପ୍ରଦାନ "ଯନ୍ତ୍ର ଚାଲିବାକୁ ଆରମ୍ଭ କରେ । ଦଣ୍ଡିତ ତାହାର ଅପରାଧ ଖୋଜେ । ଦିନେ ଆମେଲିଆ କାସେଲ୍ ର ଜଣେ ପଦାଧିକାରୀଙ୍କ ଠାରୁ ଗୋଟିଏ ଅଶ୍ଳିଳ ଚିଠି ପାଏ । ରାଗିଯାଇ ସେ ସେଇ ଚିଠିଟିକୁ ଚିରି ଟୁକୁରା ଟୁକୁରା କରି ପକାଏ ।ଆମେଲିଆର ଏପରି ବ୍ୟବହାରକୁ ନିନ୍ଦା କରିବା କଥା ବି ଦରକାର ପଡେ ନାହିଁ କାସେଲ୍ ପକ୍ଷରୁ । ଭୟ (ସେଇ ଭୟ ଯାହା ଆମର ଇଞ୍ଜିନିୟର ଦେଖିଥିଲେ, ତାଙ୍କର ସହକାରୀର ଆଖି ଦୁଇଟିରେ) ନିଜେ ହିଁ ତାହାର କରିବା କାମ ଆରମ୍ଭ କରି ଦିଏ । କୌଣସି ଆଦେଶ ଛଡା, କାସେଲ୍ ରୁ ଆସୁଥିବା କୌଣସି ବୋଧଗମ୍ୟ ନିର୍ଦ୍ଦେଶ ବ୍ୟତୀତ, ସମସ୍ତେ ତାହା ପରେ ଆମେଲିଆର ପରିବାରକୁ ମହାମାରୀ ଭଳି ଏଡାଇଯିବାକୁ ଆରମ୍ଭ କରନ୍ତି ।

ଆମେଲିଆର ବାପା ତାଙ୍କର ପରିବାରକୁ ବଞ୍ଚାଇବାକୁ ଚେଷ୍ଟା କରନ୍ତି । କିନ୍ତୁ ସେଇଠି ଗୋଟିଏ ସମସ୍ୟା ଦେଖାଦିଏ । କେବଳ ଏଇ ଶାସ୍ତିର ସିଦ୍ଧାନ୍ତର ଉତ୍ସ ଖୋଜି ପାଇବା ଅସମ୍ଭବ ନୁହଁ, ଅସଲରେ ଏଇ ସିଦ୍ଧାନ୍ତର କୌଣସି ଅସ୍ତିତ୍ୱ ନାହିଁ । ପୁନର୍ବିଚାର ପାଇଁ, କ୍ଷମା ଚାହିଁବା ପାଇଁ ଆଗ ଦଣ୍ଡପ୍ରାପ୍ତ ହେବାକୁ ପଡିବ । ଆମେଲିଆର ବାପା ତେଣୁ କାସେଲ୍ ର ସାମ୍ନାରେ ଅପରାଧ ଘୋଷଣା କରିବାକୁ ଭିକ୍ଷା ଚାହାଁନ୍ତି । ଅତଏବ ଖାଲି ଏତିକି କହିଲେ ଚଳିଯିବ ନାହିଁ ଯେ, ଶାସ୍ତି ଅପରାଧ ଖୋଜୁଥାଏ । ଏଇ ଛଦ୍ମଧର୍ମତତ୍ତ୍ୱର ଜଗତରେ, ଦଣ୍ଡିତ ତାହାର ଦଣ୍ଡର ପ୍ରକୃତ କାରଣ, ଅପରାଧ ନିଜର ସ୍ୱୀକୃତି ପାଇବା ପାଇଁ ଭିକ୍ଷା ଚାହିଁଥାଏ !

ଆଜିକାଲି ଅନେକ ସମୟରେ ଦେଖାଯାଏ ଯେ, ବଦନାମ ହୋଇଥିବା କୌଣସି ଲୋକଟିଏ ନିଜ ପାଇଁ କାମ ଯୋଗାଡ କରିପାରେନାହିଁ । ବାରମ୍ବାର ନିଷ୍ଫଳ ହୋଇ ସେ ଅପରାଧ କରିଛି ଓ ସେଇ କାରଣରୁ ତା'କୁ କାମ ପାଇବା ନିଷିଦ୍ଧ ହେଉଛି ବୋଲି ସାର୍ଟିଫିକେଟଟିଏ ଚାହିଁବାକୁ ପଡିଥାଏ । ଆଉ ଶାସ୍ତିର କୌଣସି ସିଦ୍ଧାନ୍ତ ଖୋଜିଲେ ମିଳେନାହିଁ । ପ୍ରାହା ସହରରେ ଯେହେତୁ ଆଇନତଃ କାମ କରିବା ବାଧ୍ୟତାମୂଳକ, ସେମାନେ ଶେଷରେ ପରଜୀବି ହିସାବରେ ଅଭିଯୁକ୍ତ ହୁଅନ୍ତି । ଯାହାର ଅର୍ଥ ହେଉଛି କାମକୁ ଏଡାଇ ଯିବାର ଦାୟରେ ଅଭିଯୁକ୍ତ ହେବା ।

ଶାସ୍ତି ଅଭିଯୋଗ ଖୋଜି ନେଇଥାଏ ।

ଚାରି


ପ୍ରାହାର ଇଞ୍ଜିନିୟରର ଗପଟି ଅନେକ ପରିମାଣରେ ମଜା ଗପଟିଏ ଭଲି ଗୋଟିଏ ରସିକତା ଓ ହାସ୍ୟ ଉଦ୍ରେକ କରେ ।

ଦୁଇ ଜଣ ଭଦ୍ରଲୋକ ଏକେବାରେ ସାଧାରଣ (ଫରାସୀ ଅନୁବାଦରେ ଯେମିତି ଅଛି) । ଦିନେ ସକାଳେ ଜୋସେଫ୍ କେ ର ଶୋଇବା ଘରେ ଉପସ୍ଥିତ ହୁଅନ୍ତି, ତାହାକୁ ଜଣାନ୍ତି ଯେ ତାହାକୁ ଆରେଷ୍ଟ କରାହୋଇଛି ଏବଂ ସେ ନିଜର ସକାଳର ଜଳଖିଆ ଏହା ମଧ୍ୟରେ ଶେଷ କରି ଦେଉ । କେ ଜଣେ ନିୟମନିଷ୍ଠ ସରକାରୀ କର୍ମଚାରୀ । ସେ ସେଇ ଦୁଇଜଣଙ୍କୁ ନିଜ ଫ୍ଲାଟ୍ ରୁ ବାହାର ନ କରି, ରାତିପୋଷାକ ପିନ୍ଧିଥିବା ଅବସ୍ଥାରେ ବହୁ ସମୟ ଧରି ଆତ୍ମପକ୍ଷ ସମର୍ଥନ କରିଚାଲେ । କାଫକା ଯେତେବେଳେ ତାଙ୍କର ବନ୍ଧୁମାନଙ୍କୁ ଦି ଟ୍ରାଏଲ୍ ର ପ୍ରଥମ ଅଧ୍ୟାୟଟି ପଢି ଶୁଣାଇଥିଲେ, ସମସ୍ତେ ହସି ଉଠିଥିଲେ, ଏପରିକି ନିଜେ ଲେଖକ ମଧ୍ୟ ।

କାଫକା-ସଦୃଶ ଜଗତର ମୂଳ ନିର୍ଯାସ ଠାରୁ କମିକ୍ କୁ ଅଲଗା କରା ଯାଏ ନାହିଁ । କିନ୍ତୁ ତାଙ୍କର ଗପଟି କମିକ୍, ଏହା ଇଞ୍ଜିନିୟର ପାଇଁ ସ୍ୱସ୍ତିର ବିଷୟ ନୁହଁ । ସେ ତାହାର ନିଜ ଜୀବନର ରସିକତାରେ ଆବଦ୍ଧ, ଯେମିତି ପାତ୍ରରେ ମାଛ; ତା ପାଇଁ ଏହା ଭଜା ନୁହଁ ।ସତ କହିଲେ ରସିକତା ସେଯାଏଁ ରସିକତା, ଯେପର୍ଯ୍ୟନ୍ତ ଆପଣ ପାତ୍ରର ବାହାରେ; ଏହାର ଓଲଟା ଦିଗରେ କାଫକା ଆମକୁ ନେଇଯାଆନ୍ତି ଭିତରକୁ, ରସିକତାର ଅଭ୍ୟନ୍ତରକୁ, କମିକ୍ ର ବିଭତ୍ସତାକୁ ।

କାଫକା-ସଦୃଶ ଜଗତରେ ଶେକସପିଅର୍ ଙ୍କ ଜଗତ ଭଳି କମିକ୍-ଟ୍ରାଜିକ୍ ର ଓଲଟା ନୁହଁ । ଏଠାରେ ତାହା ଟ୍ରାଜିକ୍ କୁ ଆହୁରି ସହନୀୟ କରି ତିଆରି କରିବା ପାଇଁ, ତାହାର ସ୍ୱରକୁ ଆଉ ଟିକିଏ ନରମ କରାଯାଇ ନାହିଁ । ଏହା ଟ୍ରାଜିକ୍ ସହିତ ଯାଏନା । ଏହା ଟ୍ରାଜିକ୍ କୁ ତାହାର ଡିମ୍ବ ଭିତରେ ଏବଂ ତାହାର ଶିକାରକୁ ଟ୍ରାଜିକ୍ ର (ସତ ଅଥବା ଆରୋପିତ) ମହିମାରୁ ବଞ୍ଚିତ କରେ । ଇଞ୍ଜିନିୟର ଜଣକ ହରାଏ ତାହାର ସ୍ୱଦେଶ ଆଉ ସମସ୍ତେ ହସି ଉଠନ୍ତି ।

ଆଧୁନିକ ଇତିହାସରେ ଏମିତି ଅନେକ ସମୟ ରହିଛି ଯେତେବେଳେ ଜୀବନ କାଫକାଙ୍କ ଉପନ୍ୟାସ ଭଳି ହୋଇଯାଇଛି ।
କ୍ରମଶଃ........

(କାଫକାଙ୍କ ବିଶିଷ୍ଟ ଉପନ୍ୟାସ ଦି କାସଲ୍ କୁ ଆମ ଭାଷାରେ ଅନୁବାଦ କରିଛନ୍ତି ବିଶିଷ୍ଟ କବି ଶ୍ରୀଯୁକ୍ତ ସୌଭାଗ୍ୟ କୁମାର ମିଶ୍ର ।
ଏଇ ଉପନ୍ୟାସ "ଦୂର୍ଗ" ର ପ୍ରକାଶକ, ଓଡିଶା ସାହିତ୍ୟ ଏକାଡେମୀ)

No comments:

Post a Comment