Sunday, August 20, 2017

ମହିମା ଭକ୍ତି କବିତା - 'ଭଜ ଆହେ ଜ୍ୟୋତିନାଦ'


ଭକ୍ତ କବି ଭୀମ ଭୋଇ


ରୁଦ୍ର ବୀଣା : ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଭଜ ଆହେ ଜ୍ୟୋତିନାଦ କରୁଛି ବୀଣା ଶବଦ
ଶବଦ ଉପରେ ରହିଅଛିଟି ନିର୍ବେଦ । ଘୋଷା ।

ବେଦର ଉପରେ ରହିଅଛିଟି ନିର୍ବେଦ
ନିର୍ବେଦ ଉପରେ ଅଛି ଅଣାକାର ପଦ ।୧।

ଅଣାକାର ପାଦବିନ୍ଦ ଗଳୁଅଛି ମକରନ୍ଦ
ଧ୍ୟାନକରି ସାଧୁଜନେ ପିଅ ମକରନ୍ଦ ।୨।

ଅଲେଖ ଶୂନ୍ୟ ଶବଦ ଶୂନ୍ୟେ କରୁଅଛି ନାଦ
ଶୂନ୍ୟପୁରେ ଦ୍ୱାରୀ ହୋଇଛନ୍ତି ଚାରିବେଦ ।୩।

ଶୂନ୍ୟ ଜ୍ୟୋତି ପାଦମୋଦ ରହିଛନ୍ତି ଛଡବେଦ
ଛଡ ମଣ୍ଡଳରେ ଶୂନ୍ୟ ରୂପ କରି ଭେଦ ।୪।

ଋକ୍ ସାମ ଯଜୁ ଅଥ ତଳ ପାବଚ୍ଛରେ ମୁଦ
ଅଲେଖ ବ୍ରହ୍ମେ ବିଷ୍ଣୁଙ୍କୁ କରିଛନ୍ତି ଭେଦ ।୫।

ଅଭୟ ବ୍ରହ୍ମର ପଦ ଭଜିଣ କରନ୍ତି ମୁଦ
ଭଜୁଛନ୍ତି ନିର୍ବେଦରେ ଭକ୍ତ ଜନ ବୃନ୍ଦ ।୬।

ଶୂନ୍ୟେ ଶୂନ୍ୟେ ବ୍ରହ୍ମନାଦ ରହି ଅନାମିକା ପଦ
ବୀଣାଯନ୍ତ୍ର ଚାଳୁଛନ୍ତି ଅଲେଖ ନିର୍ବେଦ ।୭।

ଅଲେଖ ଅରୂପାନନ୍ଦ ଶୂନ୍ୟେ ରାଉଅଛି ନାଦ
ଲୟ କରି ସାଧୁ ଜନେ ମନକୁ ନିରୋଧ ।୮।

ଧର ନିଷ୍କାମ ନିର୍ବେଦ ମାୟା ଜାଲମାନ ଛେଦ
ଶୂନ୍ୟେ ଜ୍ୟୋତିପାଦ ଚିତ୍ତେ ମନକୁ ମୋଦ ।୯।

ଅଣାକାର ପାଦବିନ୍ଦ ଝରୁଅଛି ମକରନ୍ଦ
ଭଣିଲେ ସେ ଭୀମକନ୍ଧ କବିକୁଳ ଚାନ୍ଦ ।୧୦।

No comments:

Post a Comment