ବୈଷ୍ଣବ ପଦାବଳୀ - 'ଶ୍ରୀକୃଷ୍ଣଙ୍କର ସେବା ଅଭିଳାଷ'
କବି - ଗୁଣମଣି ସୁତ
![]() |
ଫଟୋ କ୍ରେଡ଼ିଟ - ଓଡ଼ିଶା ରାଜ୍ୟ ସଙ୍ଗ୍ରହାଳାୟ |
କରିବି କି ବେଶ ଗୋ,
ନିଶି ହେଲା ପ୍ରବେଶ । (ପଦ)
ଜାଣଇ ବେଣୀ ସଜ, ଲୋଟଣୀ ଜୁଡ଼ା ଉଜ
କବରୀ ସାଜିବାକୁ ନାହିଁ ଜଣେ
ଗଣ୍ଡେ ଚିତ୍ର ମକରି, ଲିହିଥିବି କି କରି
ରାମା ଚାହିଁବୁ ଆଜା ଦରପଣେ ।୧।
ଖୋସିବି ଫୁଲ ଝରା, ଦିଶିବ କେତେ ତୋରା
ଖସିବ ନାହିଁ ତୋର କେଳିକାଳେ,
ସଜାଡ଼ିବି ଅଳକ, ଦେବି ମଞ୍ଜୁ ତିଳକ
ଦେଖି ପଲକ ନ ପଡ଼ିବ ଢାଳେ ।୨।
ନୋହିବ କ୍ରମେ ହୁଡ଼, ଚିତା ଆଦି ପାହୁଡ଼
ଖଞ୍ଜିବି ନାନା ଅଳଙ୍କାର ମାନ,
ବସନ ପାନ ଭାଙ୍ଗି, ବଢ଼ାଇ ଦେବା ଭଙ୍ଗି
ଦେଖିଲେ ପଛେ ପ୍ରଶଂସିବୁ ଧନ।୩।
ତୋ ଆଜ୍ଞା ବିନା ମୁହିଁ, ଭରସି ନ ପାରଇ
ନ ଗୁଣମାନ କରିବାକୁ ଭୟେ,
ତୁ ଯେବେ ହେବୁ ରାଜି, କ୍ଷଣକେ ଦେବି ସାଜି
କେଶ ପାଶରୁ ପାଦ ଲାକ୍ଷା ଯ।ଏ ।୪।
ଛାଡ଼ି ସକଳ ବେଶ, ଧରି ମୁଁ ଆଦରଶ
ଦେଖାଇବୁ ଶ୍ରୀମୁଖ ନିରେଖିବୁ,
ଯେବେ ତୋ ହେବ ଚିତ୍ତ, ମୋ ସେବାରେ ଉଚିତ
ପଛ ପଛକେ ବରତନ ଦେବୁ ।୫।
ଭଣିଲେ ଗୁଣମଣି-ସୁତ ଶ୍ରୀକୃଷ୍ଣ ବାଣୀ
ଶୁଣି ରମଣୀ ଗଣ୍ଡେ ହାସ ଉଠି,
ଲାଜ ବ୍ୟାଜ ମିଶାଇ କିଛି କହି ନ କହଇ
ଅଳପ ମୁଖ ମୋଡ଼େ କଲେ ପିଠି ।୬।
ଶବ୍ଦାର୍ଥ
ଉଜ - ଉତ୍ତମ
ଲିହି - ଲେଖି
ଅଳକ - ଚୂର୍ଣ୍ଣ କେଶ
ହୁଡ଼ - ଭ୍ରମ
ବ୍ୟାଜ - କପଟ, ଛଳନା
ଆଦରଶ - ଆଇନା
No comments:
Post a Comment