Wednesday, August 09, 2017

କପୋତ କପୋତୀ


ଗୁରୁପ୍ରସାଦ ମହାନ୍ତି (୧୯୨୪-୨୦୦୪)



ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

“ଏ ରାତିର ଏତେ ତାରା ସ୍ମୃତି ଅଣେ ତୁମ ସାଥେ ଯୁଗ ଯୁଗ ଅନାଦି ଯୁଗର 
ତୁମରି ପାଖରେ ଆଜି ମୁଁ ଭାବେ, ହଠାତ୍ ଅବା ଏ ବାଲିରେ ସ୍ମୃତି ବୁଣି ବୁଣି
 ଏ ରାତି ବିଛାଇ ଦେବ ସ୍ମୃତି ଆଉ ଯୁଗ ଯୁଗ କଳ୍ପ କଳ୍ପ ତାରା ଆଉ ତାରା 
ତୁମରି ଭ୍ରୂଲତା ତଳେ ହଜି ଯିବ ଦିଗ୍ବଳୟ ବିନୋଦ ନାୟକ ଆଉ ସଚି ରାଉତରା ।”

ସେ କହିଲା ଏହି ମୋର ସାର୍ଜ ସାଢ଼ି ଆକାଶ ରଙ୍ଗରେ
ଆକାଶରୁ ଖସି ଆସେ ତାରା ଆଉ ସଚି ରାଉତରା ।
ଏ ଅନ୍ଧାର ଶୋଇ ପଡ଼େ ଯାକି ଯୁକି ନିର୍ବିବାଦେ
ନିଶବଦ ଘୋଡ଼ି ଘାଡ଼ି ହୋଇ
ଆଉ ନିଶବଦ ଚଇତ୍ର ଯାଏ ଗଳି ଗଳି ରାସ୍ତା ରାସ୍ତା
ଘୋଡାଗାଡ଼ି ରିକ୍ସା ଗାଡ଼ି ଚଢ଼ି ।
ଇଲେକ୍ଟ୍ରିକ୍ ଆଲୁଅରେ, ଲକ୍ସ ସାବୁନ, ତିଲ୍ ତେଲ
ଗୁଡ଼ଖୁ ବା ହାଇଦରି ବିଡ଼ି
ଚୈତ୍ରର ସପନ ନେଇ ତୁମଠାରୁ ଇନ୍ଦ୍ରଜାଲ ନେଇ
ଗାନ୍ଧିଟୋପି ପିନ୍ଧି ଚାଲେ ଏ ରାସ୍ତାରେ ଭିଡ଼ ଠେଲି ଠେଲି ।”
ସେ କହିଲା ଦୁଷ୍ଟ ତୁମେ, ଦୁଷ୍ଟ ଭାରି, ସତ ମିଛ କଥା କହି ପାର
ଚୋର ପରି ମୋ ପାଖରୁ ଅର୍ଥନୀତି, ରାଜନୀତି, ସୋସ୍ୟାଲିଜିମ୍
କାଢ଼ି ନେଇ ପାର ।

"ଏ ରାତିରେ ସୀମା ନିଭେ ଭଦ୍ରତାର ଶିଷ୍ଟତାର ଗାନ୍ଧୀବାଦ ସାମ୍ୟବାଦ
ଆଉ ପ୍ରେମ କରିବାର ସୀମା
ରକ୍ତ ସିନା ପାଣି ଫାଟେ ତଥାପି ଆଖିରେ ଘୋଟେ ଭାରି ହୋଇଏ ରାତିର
ଫୁଲଭରା ବିଜନ ନୀଳିମା ।
 ମୁଁ ଶୁଣେ ଅସ୍ପଷ୍ଟ ପାଦ ଶହ ଶହ ନିଭିଯାଏ ପାଣି ଖୋଜି
ମାଟି ଖୋଜି ଏ ବାଲିର ଅନ୍ଧାର ଭିତରେ
ତଥାପି ଆଖିରେ ମୋର ଅପନ୍ତରା ଏ ଭୂଇଁରେ ନେଳି ସାର୍ଜ ଶାଢ଼ି
ଆଉ ତୁମର ଏ ବିଜନ ନୀଳିମା ।
ସେ କହିଲା ଭଲପାଅ, ଭଲପାଅ ସତେ ତୁମେ ଏତେ ଭଲ ପାଅ
ମୋ ପାଖରେ ବସି ସତେ ଦୁଃଖବାଦ ସୁଖବାଦ ଜୀବନର ସବୁ ଭୁଲିଯାଅ ।
ମୁଁ କହିଲି, "ମିସ୍ ତୁମେ ଚିରନ୍ତନୀ ମିସ୍ ଦାସ୍ ମିସ୍ ନାୟକ ମିସ୍ ସବୁ
ନିଖିଳର ସପନ ଭିତରେ
ନଖରେ ମୁଁ ନାକ ଖୋଳେ ଆକାଶର ବାଦ ଆଉ ଏ ବାଲିର
ବିବାଦ ଭିତରେ
ତୁମକୁ ମୁଁ ଭଲ ପାଏ, ପ୍ରେମ କରେ, ସମାଧାନ ତୁମର ମୁଁ ସମନ୍ୱୟ ତୁମର
ମୁଁ କରେ
ତୁମର ବେଣୀରୁ ଯେବେ ଚୈତ୍ର ଯାଏ ଭିଡ଼ ଠେଲି
ଚୈତ୍ର ୠତୁ ଭିଡ଼ ଠେଲି, ଅହିଂସାର ଘୋଡ଼ାଗାଡ଼ି ଚଢ଼େ ।"
ସେ କହିଲା ଦୁଷ୍ଟ ତମେ, ଭାରି ଚାଲାଖ, ଭାରି ଫାଜିଲ୍, ଭାରି ଭଲ କଥା
କହି ଜାଣ,
ତୁମରି ପ୍ରେମରେ ଆଜି ଭୁଲିଯାଏ, ସତୀତ୍ୱ ମୁଁ, ରାଜନୀତି, ଅର୍ଥନୀତି,
ଆଉ ମୋର ନାରୀ ଜାଗରଣ ।"

ସମ୍ପାଦକୀୟ ଟୀକା - ଏହି ଲେଖାଟି ଶ୍ରୀ ନୀଳକଣ୍ଠ ଦାଶଙ୍କ ଦ୍ୱାରା ସମ୍ପାଦିତ ମାସିକ ସାହିତ୍ୟ ପତ୍ରିକା 'ନବଭାରତ'ର ଦ୍ୱିତୀୟ ଭାଗର ଦଶମ ସଙ୍ଖ୍ୟାରେ, ଅଗଷ୍ଟ ୧୯୫୦ରେ, ୩୮୪-୩୮୫ ପୃଷ୍ଠାରେ ପ୍ରକାଶିତ ହୋଇଥିଲା ।

No comments:

Post a Comment