Friday, August 25, 2017

ସ୍ତୋତ୍ର ଆନନ୍ଦଲହରୀ

କବି - ଶଙ୍କରାଚାର୍ଯ୍ୟ

ଅନୁବାଦକ - ଜ୍ୟୋତି ନନ୍ଦ


ଥାଇଲାଣ୍ଡର ଦେବୀ ସରସ୍ୱତୀ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ସମୁଦ୍ରର ଆଲିଙ୍ଗନ, ଆନନ୍ଦଧାରା,
ଦିଗନ୍ତରୁ ଦିଗନ୍ତ:
ମଝିରେ ମଣିଦ୍ୱୀପ, ଭାବନା ମନ୍ଦିର
ଆନତ ଦେବଗଣ ଏକତ୍ର ଯେଉଁଠି,
ପାଦତଳର ଧାଡ଼ିକୁ ଧାଡ଼ି ପାହାଚକୁ ତେଜି
ମୋହିନୀ ତୁମେ କାମନାର ଉତ୍ତୁଙ୍ଗ ପଲଙ୍କକୁ
ଆରୋହଣ କରୁଥାଅ ।

କାନନରେ ବୀଣା ବାଜେ,
ମୋହନତାନରେ ଫୁଲର କୋମଳ ନିଃଶ୍ୱାସ,
ବନ୍ଦନା କରେ ବିହଙ୍ଗମ,
ପତଙ୍ଗ ଆଉ ବ୍ୟାଘ୍ରର ବାହାରେ ସମୟ,
ପରିଚାରକ ଭଳି ଅପେକ୍ଷମାଣ ।
ତୁମେ ଆରୋହଣ କରୁଥାଅ ମୋହିନୀ
ଉତ୍ତୁଙ୍ଗ କାମନାର ପଲଙ୍କକୁ ।

ରାତି ଏଠି ତମ ମୁକୁଳା କେଶରାଜି, ମଥାରେ
ଝଲମଲ ନକ୍ଷତ୍ରର ଶୋଭାବନ୍ତ ମୁକୁଟ
ଗୋଟିଏ ହାତରେ ବୀଜ-ମନ୍ତ୍ରମାଳା ଆରଟିରେ
ଚିରନ୍ତନ ପୁସ୍ତକ ତମର ।
ମୋହିନୀ, ତମ ଛାଇ ଏବେ ଆମ ଚିନ୍ତାରେ ଅବା
ଯେ କୌଣସି ମୁହୂର୍ତ୍ତରେ ଆଖିବୁଜିଦେଲେ
ଝଲସି ଉଠିବ ସ୍ୱପ୍ନରେ ।
ସଶବ୍ଦରେ ଓହ୍ଲାଇ ଆସେ କବିତା, ରକ୍ତରୁ ।

କନ୍ଦର୍ପର କଥା ଜାଣେ, ମର୍ମଭେଦୀ ପୁଷ୍ପବାଣ ସହ
ସାମନ୍ତ ଯାର ବସନ୍ତ, ବାସନା ସାରଥୀ
ଏଇ ବିଶ୍ୱଜୟୀ ବୀର, ତାହା ବି ଜାଣେ, ପ୍ରେରଣାର ଉତ୍ସ
ତୁମର ଅପାଙ୍ଗରୁ ଛିନ୍ନ ଏକ କଣା, ଦୃଷ୍ଟିର କରୁଣା ।

ଦେଖିଅଛି ଏକ କଦାକାର ବୃଦ୍ଧ
ସହଚର ଯାର ଏବେ ରାକ୍ଷସୀ ଜରା ଆଉ ଭାର୍ଯ୍ୟା;
କାନ୍ତିମୟୀ ଯୁବତୀମାନେ ଅତି ପ୍ରମୋଦରେ ଉଦ୍ଦାମ ଏଇଲେ
ଛାତିଏ ଆଶ୍ଳେଷ ନେଇ ଯାଆନ୍ତି ଉତ୍ସବର ବୋଇତ ବନ୍ଦାଇ ।
ତୁମର ଅପାଙ୍ଗରୁ ମୁକ୍ତ ଏକ କଣା ଦୃଷ୍ଟି,
ସବୁବେଳେ କାମନା ତାହାର ।

ଚିରତରୁଣ ଶୃଙ୍ଗାରରେ ରତିଦାତ୍ରୀ ତୁମେ ତୁମେ ସରସ୍ୱତୀ !
ଝରିଆସ ବିନ୍ଦୁ ହୋଇ ଏ ଧୂଳି ମାଟିର ଜଗତେ ଆଲୁଅ ବିଛାଡ଼ି
ତେଣୁ ଭାଷା ପାଏ ଛନ୍ଦ, ଭାବନା ପ୍ରତିମା ହୁଏ,
ତମ ଆଲିଙ୍ଗନେ ଭୁଲି ମୃତ୍ୟୁଭୟ
ଜନ୍ମଦାତା ସକଳ ଦମ୍ପତ୍ତି ।

ଅନ୍ୟ ସବୁ ଦୃଶ୍ୟ ପୋଛି ହୃଦୟରେ ଦେଖେ ଯିଏ
ତୁମରି ନୟନ, ସଙ୍ଗୋପନେ ବୁଣେ ଜ୍ୟୋତିର୍ବୀଜ
ଅନିଶ୍ଚିତ ଅନ୍ଧାରରେ:
ଶୁଣିଛି ତୁମେ ଦାନ କର ତା'ରେ
ଖେଳରେ ଖେଳରେ କୌତୁକରେ
ସୁନାରୂପା, ସମସ୍ତ ଚନ୍ଦନ ବନ, ସାଥିରେ ଉର୍ବଶୀ ।

ସେଇ ଯେ ଉର୍ବଶୀ ଚିରକାଳ ଉର୍ଦ୍ଧ୍ୱ ମୁଖ ଯାର ସ୍ତନାଗ୍ର
ରୋମକୂପ ବିଦ୍ୟୁତ୍-ଗର୍ଭ, ଶରୀରରେ ସୋମରସ ନିଶା
ଅଙ୍ଗରୁ ଆଡ଼େଇ ଦେଇ ରତିକ୍ଲାନ୍ତ ତପସ୍ୱୀ ଯେତେକ;
କାଞ୍ଚଲା ପରି ନିର୍ଭାର, ଅଲ୍ଲିଜିତା, ଆହ୍ଲାଦିନୀ, ନଗ୍ନା
ସିଏ କି ତୁଳନା ତମ ସହ ?

ଈଶ୍ୱରୀ ତୁମେ ଇତିହାସର ଅତୀତ
ତୁମେ କେନ୍ଦ୍ର, ପ୍ରାନ୍ତ ଆଉ ଅନ୍ତରାଳ
ବିଶ୍ୱ ଯେ ଶରୀର ତୁମ ସୂର୍ଯ୍ୟ ଚନ୍ଦ୍ର ଦୁଇ ଗୋଟି ସ୍ତନ
ପୋଷାକ ବଦଳାଇ ଆସନ୍ତି ଋତୁ ସବୁ
ତୁମର ଚିହ୍ନରେ ଇଙ୍ଗିତ ଆଙ୍କେ ଅଦୃଷ୍ଟ
ନାଭି ରନ୍ଧ୍ରେ ଲୁଚିବସିଛନ୍ତି ସବୁ ଏକାଠି
ନାଆଁ ଯାର ଆମେ ଦେଇଛୁ ତ୍ରିକାଳ ।

ବ୍ୟୋମ ତୁମେ, ମନ ତୁମେ, ତୁମେ ଜଳ, ଜଳର ତରଳ
ସ୍ତବରେ ବାନ୍ଧିଛୁ ପଞ୍ଚଭୂତ ବନ୍ଧୁ ହୁଏ ଚେତନା ଇନ୍ଦ୍ରିୟ
ଯେତେ ଦ୍ୱନ୍ଦ୍ୱ ବିବାଦ, ଯେତେ ଖଣ୍ଡ ଖଣ୍ଡ ଜାଗତିକ ଅଂଶ, ସବୁ,
ସବୁ ମିଶିଯାଏ ଦେବୀ ତୁମର ସ୍ଥିର ଅବିକଳ ଆନନ୍ଦରେ ।

ମୁଁ କିନ୍ତୁ ଦରିଦ୍ର ଅତି ବିଚ୍ଛେଦ ହିଁ ମୋହର ନିବାସ ।
ତୁମ ଦେଖା ପାଏ ନାହିଁ,
ଜାଣେ ତୁମକୁ ଦେଖିବା ଜମା ପାରିବିନି ସହି;
ଖୋଜୁଅଛି ଖାଲି ତୁମର ଆଭାସ, ସଙ୍କେତ ଅବା ଅକସ୍ମାତ
କେଉଁ ସ୍ୱପ୍ନର ମୁହୂର୍ତ୍ତ ।
ଏତିକି ହିଁ ଯଥେଷ୍ଟ ହେବ ମୋହ ପାଇଁ ।

ସେହି ସବୁ ମୁହୂର୍ତ୍ତରେ ଯେତେବେଳେ ହୃଦୟରେ ଶୁଣେ
ଶବ୍ଦର ପଦପାତ, ଭାଷା ଧରା ଦିଏ ଛନ୍ଦେ
ମନନରେ ମୂର୍ତ୍ତିଗଢା ହୁଏ ସେତେବେଳେ
ଯେତେକ ସଂଶୟ ମୋର ଆର୍ତ୍ତି, ବିକାର ଅବା ଶୂନ୍ୟତା 
ସବୁ ସାର୍ଥକତା ପାଏ 
ଏକ ଉପାର୍ଜିତ ଭଙ୍ଗୁର ଆନନ୍ଦେ ।

ବିଶାଳ ଏ ଚରାଚର ମୁହିଁ କ୍ଷୁଦ୍ର ଅତି
ମୃତ୍ୟୁଭୟ ଭୁଲି ହୋଇପାରେ କ୍ଷଣିକ ପ୍ରେମିକ
କଥା ଯେତେ ବୁଢ଼ା ଥିଲେ ଫେରି ପାଆନ୍ତି ଯୌବନ,
ବିନ୍ଦୁଏ ଶୃଙ୍ଗାର କରୁଣାରେ ତୁମ;
ତୁମେ କାମେଶ୍ଵରୀ ସରସ୍ଵତୀ ଆମର ଆରାଧ୍ୟା ।

ପ୍ରୟାଗର ତ୍ରିବେଣୀ ସଙ୍ଗମ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଏକ ସ୍ୱୀକାରୋକ୍ତି

ଏଇଟି ଶ୍ରୀଶ୍ରୀ ଶଙ୍କରାଚାର୍ଯ୍ୟଙ୍କ କୃତ ପ୍ରସିଦ୍ଧ "ଆନନ୍ଦ ଲହରୀ"ର ଏକ ଅନୁସୃଜନର ଅନୁସୃଜନ ।

ହଁ , ଏକ ଅନୁସୃଜନର ଅନୁସୃଜନ ।

ମୋର ଜଣେ ତରୁଣ ପ୍ରଶାସକ ବନ୍ଧୁ ଅଛନ୍ତି । ପ୍ରଶାସନକୁ ଆସିବା ପୂର୍ବରୁ ସେ ଇଂରାଜୀ ଭାଷା ସାହିତ୍ୟର ଅଧ୍ୟାପକ ଥିଲେ । ଗମ୍ଭୀର ଅଧ୍ୟୟନରେ ଆଉ ମନନରେ ସେ ସବୁବେଳେ ଆମର ଶ୍ରଦ୍ଧାର ପାତ୍ର । ହଠାତ ସେ ଶଙ୍କରାଚାର୍ଯ୍ୟଙ୍କୁ ପଢିବାକୁ ଆରମ୍ଭ କଲେ । ସବୁବେଳେ ଶଙ୍କରାଚାର୍ଯ୍ୟ । ଦେଖାହେଲେ ଖାଲି ଆଦିଗୁରୁଙ୍କର କଥା । ଆମେମାନେ ଯେଉଁମାନେ ଦଣ୍ଡିକିରି ମାଛ ପ୍ରଜାତିର, ରୋହି ମାଛମାନଙ୍କୁ ଥଟ୍ଟା କରି କାଳ ବିନୋଦନ କରିଥାଉ । ସେ କିନ୍ତୁ ନିଷ୍ଠାର ସହ ଆମକୁ ଶଙ୍କରାଚାର୍ଯ୍ୟଙ୍କ ବିଷୟ କହିବାରୁ ବିରତ ହୁଅନ୍ତି ନାହିଁ ।

ମୁଁ ଯେତେବେଳେ ଦୈବାତ ଶଙ୍କରାଚାର୍ଯ୍ୟଙ୍କର ଏଇ "ଆନନ୍ଦ ଲହରୀ" ସ୍ତୋତ୍ରର ଅନୁସୃଜନଟି ପଢିଲି, ମୁଁ ଅପୁର୍ବ ଆନନ୍ଦରେ ହତବାକ ହୋଇଗଲି । ମୋର ମନେ ପଡିଲା, ମୋର ଅନୁଜପ୍ରତିମ, ଶଙ୍କରାଚାର୍ଯ୍ୟ ପ୍ରେମୀ, ସେଇ ପ୍ରଶାସକଙ୍କର କଥା । ବହୁ ଦିନ ହେଲା ତାଙ୍କ ସହ ଦେଖା ହୋଇନି । ହୁଏତ ସେ ଭୂବନେଶ୍ୱରରେ ରହୁଥାଇପାରନ୍ତି ।

ତାଙ୍କର ନାଆଁ ଶ୍ରୀଯୁକ୍ତ ପ୍ରଦୀପ୍ତ କୁମାର ନନ୍ଦ ।

ରକ୍ଷା ସେ ଏଇ ମାଧ୍ୟମରେ ନାହାଁନ୍ତି । ଥିଲେ ମୋର ଏଇ ଲେଖାକୁ ଦେଖି ସେ ପୁରୁଣା ଥଟ୍ଟାକୁ ସୁଧ ମୂଳ ସହ ଶୁଝାଇ ହୁଏତ କହିଥାଆନ୍ତେ, 'ଶେଷରେ ଭାଇନା ଆପଣ ? ଆସିଲେ ତ !  ଶଙ୍କରାଚାର୍ଯ୍ୟଙ୍କୁ କ'ଣ ଛାଡିହେବ ?'

ସେ ଯାହାହେଉ । ଏଇ ଅନୁସୃଜନରେ ବନ୍ଧୁଗଣ, ମୋର ଭୂମିକା ସ୍ୱଳ୍ପ । ଗୋଟିଏ ଜରି ଗୋଟାଳିର ଯେତିକି ଭୂମିକା, ସେତିକି । ମୁଁ ସଂସ୍କୃତରେ ପଣ୍ଡିତ ନୁହେଁ । ଯଦି ଆପଣମାନେ ମୋର ମାଟ୍ରିକ ପରୀକ୍ଷା ନମ୍ବର ଦେଖିବେ, ତେବେ ମୁଁ ସଂସ୍କୃତରେ ଜଣେ ମହାପଣ୍ଡିତ, ଆଉ ମୋ ତଳ ଭାଇ ସଂସ୍କୃତରେ ମୋଠୁ ଅଧିକ ଅତିପଣ୍ଡିତ । ଆଗରୁ ପାଣ୍ଡିତ୍ୱକୁ ନେଇ ଆମର ଅନେକ ଯୁଦ୍ଧ ହେଉଥିଲା । ସେ ଯାହା ହେଉ, ଶଙ୍କରାଚାର୍ଯ୍ୟ ତ ଆଉ ମାଟ୍ରିକ ପରୀକ୍ଷାର ପାଠ୍ୟକ୍ରମ ନୁହଁନ୍ତି !

ଏଇ ଅନୁସୃଜନର ସମସ୍ତ ଶ୍ରେୟାଂଶ ବଙ୍ଗଳାର କବି ତଥା ତୁଳନାତ୍ମକ ସାହିତ୍ୟର ଆଦ୍ୟପୁରୁଷ ଶ୍ରୀଯୁକ୍ତ ବୁଦ୍ଧଦେବ ବସୁଙ୍କର, ଯାହାଙ୍କର "ରାତ୍ ଭରେ ବ୍ରିଷ୍ଟି" ଉପନ୍ୟାସ ସହ ଆପଣମାନେ ପରିଚିତ ।

ମୁଁ ଶଙ୍କରାଚାର୍ଯ୍ୟଙ୍କର 'ଆନନ୍ଦ ଲହରୀ' ସ୍ତୋତ୍ର ଆଉ ଶ୍ରୀଯୁକ୍ତ ବସୁଙ୍କର ଅନୁସୃଜନକୁ ଏକାଠି ପଢ଼ି ଏଇ ଅନୁସୃଜନଟି କରିଛି । ସମସ୍ତ ଅଶୁଦ୍ଧିକୁ ମୋର ଅଜ୍ଞତା ବୋଲି ଉଦାର ହୃଦୟରେ କ୍ଷମା କରିଦେବେ ।

ଦୟାକରି ପଢ଼ିବେ ।

No comments:

Post a Comment