Wednesday, August 02, 2017

ମୁନ୍‌ଶୀ ପ୍ରେମଚାନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି 


ଗୋର୍ବାଚୋଭ୍



ଚିତ୍ର ଓ ଚିତ୍ରର ଫଟୋ - ଗୋର୍ବାଚୋଭ୍

ଜଣେ ମହାନ ଲେଖକଙ୍କ ଲକ୍ଷଣ ହେଉଛି ତାହାଙ୍କର ସୃଜନ କୃତି ଶହଶହ ବର୍ଷ ପରେ, ପିଢ଼ି ପରେ ପିଢ଼ି ପାଠକଙ୍କ ନିକଟରେ ପ୍ରତିଧ୍ୱନିତ ହେଉଥାଏ । ନା, କେବଳ ଲେଖକ ଓ ତାଙ୍କରି ସୃଜନ କର୍ମ ଆପଣା ସମୟର ଯଥେଷ୍ଟ ଆଗରେ ଥାଏ, ତାହା ମଧ୍ୟ ସମକାଳୀନ ସମାଜର ଏକ ନିଚ୍ଛକ ପ୍ରତିବିମ୍ବ ହୋଇଥାଏ । ନିଃସନ୍ଦେହ ଭାବେ କୁହାଯାଇପାରେ ଯେ ଆଧୁନିକ ହିନ୍ଦୀ କ୍ଷୁଦ୍ର ଗଳ୍ପ, ଲଘୁ କଥା ଓ ଉପନ୍ୟାସର ସେ ଜନକ ଅଟନ୍ତି । କହିବା ବାହୁଲ୍ୟ, ଭାରତ ବର୍ଷରେ କୌଣସି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ହିନ୍ଦୀ ପାଠ୍ୟକ୍ରମ ପ୍ରେମଚାନ୍ଦଙ୍କ କାହାଣୀ ବିନା ଅସମ୍ପୂର୍ଣ୍ଣ ।

ଆମମାନଙ୍କ ମଧ୍ୟରୁ ଅଧିକାଂଶ ଯେଉଁମାନେ ତାଙ୍କରି ଲେଖା ସବୁ ସ୍କୁଲ୍‌ରେ ପଢ଼ିଥିଲେ, ତାଙ୍କୁ ନିଶ୍ଚିତ ରୂପେ ଆଧୁନିକ ହିନ୍ଦୀ-ଉର୍ଦ୍ଦୁ ସାହିତ୍ୟର ଅନ୍ୟତମ ଶ୍ରେଷ୍ଠ ଜ୍ଞାତା ଓ ନିର୍ମାତା ଭାବେ ଜାଣନ୍ତି । ପ୍ରେମଚାନ୍ଦଙ୍କ ବିଚକ୍ଷଣତା ତାଙ୍କରି କାହାଣୀମାନଙ୍କରେ ଜଟିଳ ମାନବୀୟ ଭାବବୋଧର ସରଳ ପ୍ରକାଶ ଓ ସମକାଳୀନ ସାମାଜିକ ପରିସ୍ଥିତିର ଅନାବିଳ ଚିତ୍ରଣରେ ନିହିତ । ସେଗୁଡ଼ିକର ପ୍ରାସଙ୍ଗିକତା ଅନେକ ବର୍ଷ ପରେ ଆଜି ମଧ୍ୟ ଅତୁଟ । ସେଇ ମହାନ ବିଚାର ଧାରାରେ ସେ ପ୍ରାୟ ପନ୍ଦରଟି ଉପନ୍ୟାସ (୧୯୦୩ ରେ ତାଙ୍କର ପ୍ରଥମ ପ୍ରକାଶିତ ଉପନ୍ୟାସ ‘‘ଅସ୍ରାର-ଏ-ମା’ବିଦ୍‌’ ବା ‘ଦେବ-ସ୍ଥାନ ରହସ୍ୟ’’ ଓ ଶେଷ ଅସମ୍ପୂର୍ଣ୍ଣ ଉପନ୍ୟାସ ‘‘ମଙ୍ଗଳସୂତ୍ର’’), ପ୍ରାୟ ୨୫୦ଟି କ୍ଷୁଦ୍ର ଗଳ୍ପ, ଅନେକ ନିବନ୍ଧ, ଏପରିକି ଅନେକ ବୈଦେଶିକ ଭାଷାରୁ ହିନ୍ଦୀ ଅନୁବାଦ କାର୍ଯ୍ୟର ସଫଳ ସ୍ରଷ୍ଟା । ଗୋଦାନ, ନିର୍ମଳା, ରଙ୍ଗଭୂମି, ଗବନ, ପୌଷ ରାତି, ଇଦ୍‌ଗାହ, ମାନସରୋବର, ରଙ୍ଗମଞ୍ଚର ଖେଳାଳୀ, ସେବାସଦନ ଆଦି ତାଙ୍କ କାଳଜୟୀ ସୃଷ୍ଟି ମଧ୍ୟରୁ ଅନ୍ୟତମ । ତାଙ୍କର ପ୍ରକୃତ ନାମ ଥିଲା ଧନପତ୍ ରାୟ ଶ୍ରୀବାସ୍ତବ ଓ ଉପନାମ ଥିଲା ନବାବ ରାୟ । ତାଙ୍କର ସବୁ ଲେଖା ଗୁଡ଼ିକରେ ସିଏ ଅଧିକତର ଉପନାମ ହିଁ ବ୍ୟବ‌ହାର କରିଛନ୍ତି ।

ସେଇ କାହାଣୀମାନଙ୍କ ମାଧ୍ୟମରେ, ପ୍ରେମଚାନ୍ଦ ନିଜର ପାଠକ ମାନଙ୍କୁ ବିଂଶ ଶତାବ୍ଦୀର ଆଦ୍ୟ ଭାଗରେ ଭାରତରେ ଘଟିଥିବା ସାମାଜିକ ସଙ୍ଘର୍ଷ ତଥା ଉତ୍‌ଥାନ-ପତନକୁ ନେଇଯାଆନ୍ତି । ତାଙ୍କ କାହାଣୀରେ ନାୟକମାନଙ୍କ ଚରିତ୍ର ବଳିଷ୍ଠ ଓ ନମନୀୟ । ନାୟିକା ମାନେ ଦୃଢ଼ ଇଛାଶକ୍ତିର ଅଧିକାରୀ ତଥା ସ୍ୱୟଂମନନଶୀଳ । କିନ୍ତୁ ସେହି ଉପନ୍ୟାସ ତଥା ଗଳ୍ପ ଗୁଡ଼ିକରେ ବର୍ଣ୍ଣିତ ହୋଇଥିବା ସମସ୍ୟାଟିମାନ ଆଜିର ସମାଜରେ ମଧ୍ୟ ନିଜର ପ୍ରାବଲ୍ୟ ବିସ୍ତାର କରି ରହିଛନ୍ତି । ତେଣୁ ପ୍ରାକ୍‌-ସ୍ୱାଧୀନତା କାଳର ପ୍ରେମଚାନ୍ଦ ସାମ୍ପ୍ରତିକ ସମୟରେ ମଧ୍ୟ ସେତିକି ପ୍ରାସଙ୍ଗିକ । ତା’ଙ୍କ ସାହିତ୍ୟ, କାହାଣୀ ଓ ଉପନ୍ୟାସ ଗୁଡ଼ିକର ନାୟକ, ନାୟିକା, ଏବଂ ସେ ସମୟର ଘଟୁଥିବା ସମସ୍ୟାର ବିବରଣୀ – ଆମ୍ଭେ ଆଜି ମଧ୍ୟ ସେଗୁଡ଼ିକ ଉପରେ ବିଜୟ ପାଇବାକୁ ସଙ୍ଘର୍ଷରତ: ତାହା ଦାରିଦ୍ର୍ୟତା ହେଉ ବା ସାମାଜିକ ବୈଷମ୍ୟ ହେଉ, ଅଥବା ଜାତିଆଣ ଭେଦଭାବ । ଦେଖିବାକୁ ଗଲେ ବର୍ତ୍ତମାନର ସ୍ଥିତି ଅଧିକ ସଙ୍ଗୀନ । ପ୍ରେମଚାନ୍ଦଙ୍କ ମୃତ୍ୟୁର ଆଠ ଦଶନ୍ଧି ପରେ ମଧ୍ୟ, ତାଙ୍କର କୃତି ସବୁ ପୁଣି ଉଜ୍ଜୀବିତ ଏବଂ ଅଧିକାରୁ ଅଧିକା ଅନୁକରଣ ଯୋଗ୍ୟ ହୋଇ ଉଠୁଛନ୍ତି; ସେଇ ସମୟରେ – ଯେତେବେଳେ ବିଖଣ୍ଡିତ ଗୋଷ୍ଠୀମାନେ ନିରବଚ୍ଛିନ୍ନ ଭାବେ ସମାଜରେ ସାମ୍ପ୍ରଦାୟିକ ବିଭେଦ ଓ ବିବାଦ ସୃଷ୍ଟି କରିବାର ସର୍ବଦା ସୁଯୋଗ ଖୋଜିବୁଲୁଛନ୍ତି ।

ଏହି ଶକ୍ତିମାନଙ୍କୁ ପରାଜିତ କରିବା ପ୍ରେମଚାନ୍ଦ ପାଇଁ ତାଙ୍କର ଜନ୍ମଦିନର ସର୍ବଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ; ଏକ ବ୍ୟାପକ ରାଷ୍ଟ୍ରୀୟ ଏକତାର ପ୍ରତିଛବି ରୂପେ ସହିଷ୍ଣୁତା । ତଥା, ଶାନ୍ତି ସହକାରେ ଏକ ବହୁଳତାବାଦୀ ସମାଜ ଗଠନ ନିମନ୍ତେ ପ୍ରେମଚାନ୍ଦଙ୍କ ସାହିତ୍ୟ କୃତିର ବ୍ୟାପକ ପ୍ରଚାର ଓ ପ୍ରସାର କରିବାକୁ ହେବ । ଏହି ପ୍ରସାର କାର୍ଯ୍ୟରେ ବିଶେଷ ଧ୍ୟାନ ଦେବାକୁ ହେବ ଯେ ଆଜିର ଛାତ୍ର/ଛାତ୍ରୀ ତଥା ଯୁବସମାଜ କିପରି ପ୍ରେମଚାନ୍ଦଙ୍କୁ ଅଧିକରୁ ଅଧିକ ପଢ଼ିପାରିବେ, ଫଳରେ ସମାଜରେ ଲଗାତାର ଜାତିପ୍ରଥା ଓ ସମ୍ପ୍ରଦାୟ ଭଳି ସଙ୍କୀର୍ଣ୍ଣ ବିଷୟକୁ ନେଇ ବିଶୃଙ୍ଖଳା ସୃଷ୍ଟି କରୁଥିବା କୁଶକ୍ତିମାନଙ୍କ ସିମୀତ ଦୃଷ୍ଟିଭଙ୍ଗୀ ପ୍ରତି ଆକର୍ଷିତ ନ ହୋଇ, ସେଇ ସମସ୍ୟା ଗୁଡ଼ିକର ଶାନ୍ତିପୂର୍ଣ୍ଣ ସମାଧାନର ବାଟ ଖୋଜିବାରେ ଆଗ୍ରହୀ ହେବେ ।

[ସନ୍ନିବେଶିତ ଛବିଟି ରଙ୍ଗ ପେନ୍‌ସିଲ୍‌ ଓ କ୍ରେୟନ୍‌ ସହାୟତାରେ ଅଙ୍କିତ; ସେହି ମହାନ୍‌ ପ୍ରେମଚାନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବାକୁ ଏ ଅକିଞ୍ଚନର ଏକ କ୍ଷୁଦ୍ର ପ୍ରୟାସ । ]

No comments:

Post a Comment