ଭାଇଙ୍କ ବିଷୟରେ ଏକ ଲୋକଗୀତ
ସଙ୍ଗ୍ରାହିକା - ହେମଲତା ମାନସିଂହ
![]() |
ଅଜନ୍ତାରେ ଛତାର ଚିତ୍ର ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
ନଇ ସେ ପାରିକି ଅନେଇ ଦେଲି ଲୋ
କେଉଟ ମେଲିଛି ଜାଲ,
କେଉଟ ନୁହନ୍ତି ଆମରି ଭାଇ ଲୋ
ଲମ୍ବିଛନ୍ତି ଲମ୍ବ ବାଳ ।
ନଈ ସେ ପାରିକି ଅନାଇ ଦେଲି ଲୋ
କଂସାରୀ ମାଜୁଛି କଂସା,
କଂସାରୀ ନୁହନ୍ତି ଆମରି ଭାଇ ଲୋ
ଖେଳୁଛନ୍ତି ବାଲି ପଶା ।
ନଈ ସେ ପାରିକି ଅନାଇ ଦେଲି ଲୋ
କିମ୍ଭୀର ଗାଳିଛି ମାଟି,
କିମ୍ଭୀର ନୁହନ୍ତି ଆମରି ଭାଇଲୋ
ଭାଙ୍ଗୁଛନ୍ତି ଦାନ୍ତକାଠି
ଦୁଆର ମୁଁହରେ ଚୁନ
ନ ସହି ପାରିବି କଟୁ ବଚନ ଲୋ
ଅଳକା ନଈକୁ ମନ ।
ଅଳକା ବାଲି ତାତିଲା
ଉଠା ଭାତୁଆଣି ବସା ତିଅଣ ଲୋ
ମୋ ଭାଇ ଛତା ଦିଶିଲା ।
ଛତାରେ ଛତା ପରତା
ଏଇ ଛତା ଘିତି ଯିବ ବାରତା
ମୋ ଭାଇ ମନେ ପଡ଼ନ୍ତା ।
ଚୁଙ୍ଗୁଡ଼ି ବୋବାଇ ଜଳେ
ସତେକି ମୋ ଭାଇ ମନେ ପଡ଼ିବ
ଛାମୁଣ୍ଡିଆ ଛତା ତଳେ ।
ସୁନାମୁକୁଟର ଝରି
କାହା ସଙ୍ଗେ ଭାଇ କରିଛି ଅଳି
ଶ୍ରୀମୁଖ ଯାଉଛି ଜଳି ।
ଉତ୍ସ - 'ଶଙ୍ଖ', ପ୍ରଥମ ଖଣ୍ଡ, ତୃତୀୟ ସଂଖ୍ୟା ।
No comments:
Post a Comment