Tuesday, November 01, 2016

ଆଜି ଏକେ ନଭେମ୍ବର 

ଜ୍ୟୋତି ନନ୍ଦ 


ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଖାଲି ଆଜି ନୁହଁ ସବୁ ତାରିଖର କିଛିନା କିଛି ଗୁରୁତ୍ୱ ରହିଥାଏ । କିଛି ତାରିଖର କିନ୍ତୁ ଐତିହାସିକ ଗୁରୁତ୍ୱ ଅଧିକ ବୋଲି ଆମର ଧାରଣା । ଅବଶ୍ୟ ଗୁରୁତ୍ୱ କଥାଟି ନିଜନିଜର ବିବେଚନା ର ସାମର୍ଥ୍ୟ ଅନୁସାରେ ନିରୂପିତ ହୋଇଥାଏ । ଭାରତର ସ୍ୱାଧୀନତା ଦିବସ, ଅର୍ଥାତ, ଅଗଷ୍ଟ ୧୫ ଟି ପାକିସ୍ତାନ କୁ କାହିଁକି ସୁନ୍ଦର ଦିଶିବ ? ଯଦିଓ ଏହା ଐତିହାସିକ ସତ୍ୟ ଯେ ପାକିସ୍ତାନ ବି ଭାରତ ଭଳି ତାହାର ପ୍ରଥମ ସ୍ବାଧୀନତା ଦିବସ ପାଳନ କରିଥିଲା ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ।
ଏକେ ନଭେମ୍ବର ୧୮୫୮ ରେ ଇଂଲଣ୍ଡର ମହାରାଣୀ ଭିକ୍ଟୋରିଆ ଭାରତରେ ଚାଲିଥିବା ଇଷ୍ଟ ଇଣ୍ଡିଆ କମ୍ପାନୀର ଶାସନକୁ ନିଜ ହାତକୁ ନେଇ ଥିଲେ । ଆଲାହାବାଦ ଠାରେ ଏକ ଦରବାର ଆହୂତ ହୋଇ ଏ ସଙ୍କ୍ରାନ୍ତ ଘୋଷଣାନାମା ପାଠ କରାଯାଇଥିଲା । ମହାରାଣୀଙ୍କ ଏହି ଘୋଷଣାନାମାକୁ ଲର୍ଡ କ୍ୟାନିଂ ପାଠ କରିଥିଲେ । ଏହାକୁ ଆଲାହାବାଦ ଘୋଷଣାନାମା ବୋଲି ମଧ୍ୟ କୁହାଯାଏ । ଏଥିରେ ଭାରତୀୟ ଦେଶୀୟ ରାଜା ମାନଙ୍କୁ ଯଥୋଚିତ ସୁରକ୍ଷା ତଥା ଭାରତୀୟ ମାନଙ୍କର ଧାର୍ମିକ ଭାବନା ଉପରେ ହସ୍ତକ୍ଷେପ ନକରିବା ପାଇଁ ପ୍ରତିଶୃତି ଦିଆଯାଇ ଥିଲା । ଏହି ଘୋଷଣାନାମାକୁ ଭାରତର ମାଗ୍ନା କାର୍ଟା ବୋଲି କୁହାଯାଏ। ଏହା ର ପ୍ରୟୋଗ ଫଳରେ ଲର୍ଡ କ୍ୟାନିଂ ଭାରତର ପ୍ରଥମ ବଡଲାଟ ବୋଲି ବିବେଚିତ ହେଲେ।
କହିବା ବାହୁଲ୍ୟ ଲେଡି କ୍ୟାନିଂଙ୍କ ନାମାନୁସାରେ କଲିକତାର ସେତେବେଳେ ସଦ୍ୟ ଉଦ୍ଭାବିତ ଏକ ମିଠା ର ନାମକରଣ କରାଯାଇଥିଲା,ଲେଡିକିନି । ଏହି ମିଠା ଟିକୁ ଅନ୍ୟତ୍ର କେହି କେହି ପାନ୍ତୁଆ ବୋଲି କହିଥାଆନ୍ତି।
ମହାରାଣୀଙ୍କ ଏହି ଘୋଷଣାନାମାର ଠିକ ଦଶବର୍ଷ ଆଗରୁ ଏହି ଦିନ, ଅର୍ଥାତ, ଏକେ ନଭେମ୍ବର ୧୮୪୮ ତାରିଖରେ ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଘଟଣା ସଂଘଟିତ ହୋଇଥିଲା । ଇଷ୍ଟନ ବୋଲି ଏକ ରେଳ ଷ୍ଟେସନ ରେ ଡବ୍ଲ୍ୟୁ. ଏଚ୍. ସ୍ମିଥ ପ୍ରଥମ ବହିଦୋକାନ ଆରମ୍ଭ କରିଥିଲେ । ପୃଥିବୀର କୌଣସି ରେଳଷ୍ଟେସନ ରେ ବହିଦୋକାନ ହେବାର ଏହା ସର୍ବପ୍ରଥମ କାର୍ଯ୍ୟକ୍ରମ । ପରବର୍ତ୍ତୀ କାଳରେ ଏହି ଭଳି ବହିଦୋକାନ ମାନ ବ୍ୟାପକ ପ୍ରସାର ଲାଭ କରିଛି ଓ ଜନସାଧାରଣଙ୍କ ପଠନ ଅଭ୍ୟାସ ତଥା ପଠନ ସାମଗ୍ରୀର ବିପଣନ ରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ।
ଅଷ୍ଟାଦଶ ଶତାବ୍ଦୀ ଶେଷ ଆଡକୁ ସ୍ମିଥ ଙ୍କ ପୂର୍ବ ପୁରୂଷ ଛାପା ସାମଗ୍ରୀର ପାଇକାରୀ ତଥା ଖୁଚୁରା ବେପାର କରୁଥିଲେ । ୧୮୧୭ ବେଳକୁ ସେମାନେ ଏହି ବ୍ୟବସାୟରେ ବେଶ୍ ସଫଳ । ଘୋଡାଟଣା ଗାଡିରେ ଛାପା ସାମଗ୍ରୀ ରଖି ବୁଲିବୁଲି ସେମାନେ ବେପାର କରୁଥିଲେ । ଏହି ବ୍ୟବସାୟକୁ ଯଥେଷ୍ଟ ଆଗକୁ ନେଇପାରିଥିଲେ ସ୍ମିଥ ।

ସ୍ମିଥ ଙ୍କୁ ଇଷ୍ଟନ ରେଳଷ୍ଟେସନ ସହିତ ଅନ୍ୟ ଷ୍ଟେସନ ମାନଙ୍କରେ ବି ବହିଦୋକାନ କରିବାର ଏକଚାଟିଆ ଅନୁମତି ମିଳିଥିଲା । ତାହା ସହିତ ବିଶେଷ ସର୍ତ୍ତ ଟିଏ ବି ଯୋଡା ଯାଇଥିଲା। ସର୍ତ୍ତଟି ନିହାତି ସାଧାରଣ । କିନ୍ତୁ ଅସାଧାରଣ ତାହାର ଅନ୍ୱୟ । ସେ ଯେଉଁ ସବୁ ପଠନ ସାମଗ୍ରୀ ପାଠକ ମାନଙ୍କ ନିକଟରେ ପହଞ୍ଚାଇବେ ତାହା 'ଦୋଷମୁକ୍ତ ସୂଚନାବଳୀ ଓ ପବିତ୍ର ଆନନ୍ଦ "ଉପରେ ଆଧାରିତ ହୋଇଥିବା ଆବଶ୍ୟକ । ଏହାର ଉଦ୍ଦେଶ୍ୟ ସ୍ପଷ୍ଟ । ଯୌନ ଉତ୍ତେଜକ ସାମଗ୍ରୀଠାରୁ ମୁକ୍ତିଲାଭ । ସ୍ମିଥଙ୍କ ସଂସ୍ଥା ଏହି ସର୍ତ୍ତ ଯଥାଯଥ ପାଳନ କରିଥିଲା ।

୧୮୬୦ ବେଳକୁ ଉକ୍ତ ସଂସ୍ଥା ଇଂଲଣ୍ଡର ସମସ୍ତ ମୂଖ୍ୟ ରେଳଷ୍ଟେସନରେ ସେମାନଙ୍କର ବହିଦୋକାନ ସ୍ଥାପନ କରିପାରିଥିଲେ । ଅନ୍ୟମାନଙ୍କ ବହି ସହିତ ସେମାନେ ନିଜ ପ୍ରକାଶିତ ଛବିଳ ଗପ ବହି ଶସ୍ତା ମୂଲ୍ୟରେ ବିକ୍ରୟ କରୁଥିଲେ । ଏହା ସହିତ ସେଇ ସମୟ ରେ ସେମାନେ ଯାତ୍ରୀଟିଏ ଗୋଟିଏ ଷ୍ଟେସନ ରୁ ବହିଟିଏ ଧାର ନେଇ ବାଟରେ ପଢି ଆଉ ଗୋଟିଏ ଷ୍ଟେସନ ରେ ଫେରାଇପାରିବାର ବ୍ୟବସ୍ଥାର ପ୍ରଚଳନ କରିଥିଲେ।
ଏ ବ୍ୟବସାୟିକ ସଫଳତା ସେମାନଙ୍କୁ ବିଂଶ ଶତାବ୍ଦୀ ଆଡକୁ ରେଳଷ୍ଟେସନରୁ ଅନ୍ଯ ଭୂଭାଗ କୁ ଟାଣି ଆଣିଥିଲା ବହି ଦୋକାନ କରିବାପାଇଁ।
ଶେଷ ରେ ଠିକ୍ ସେଇ ନଭେମ୍ବର ୧ ତାରିଖ ।  ମସିହା କିଂତୁ ୨୦୦୯ ।
ମେକ୍ସିକୋ ଆଉ ଯୁକ୍ତରାଷ୍ଟ୍ର ରେ ଭୟାବହ ସ୍ୱାଇନ୍ ଫ୍ୱୁ ସମଗ୍ର ପୃଥିବୀ ସୁରକ୍ଷିତ ହୋଇ ରହିବା ପାଇଁ ବ୍ୟଗ୍ର ଏହି ମହାମାରୀର କବଳରୁ । କାଶିବା ଆଉ ଛିଙ୍କିବା କାରଣରୁ ସହସ୍ରାଧିକ ଘୁଷୁରିଙ୍କୁ ହତ୍ୟା କରାଗଲା ।
ପୂର୍ବରୁ ୧୯୮୬ ରେ ବ୍ରିଟେନରେ ଗାଈମାନେ ପାଗଳ ହେବାରୁ ଲୋକ ମାନଙ୍କର ସ୍ମୃତିଭ୍ରମ ରୋଗ ବ୍ୟାପିଲା । ଏଥିରୁ ମୁକ୍ତ ହେବା ପାଇଁ ଲକ୍ଷାଧିକ ଗାଈଗୋରୁଙ୍କୁ ମାରିଦିଆଗଲା ।
୧୯୯୭ ର ବାର୍ଡ ଫ୍ଲୁ ରୁ ମୁକ୍ତି ପାଇବା ପାଇଁ ହଙ୍ଗ କଙ୍ଗ ରେ ଅବାଧ ପକ୍ଷି ଶୀକାର ଚାଲିଲା।
ତେଣୁ ଏଥିରୁ ଗୋଟିଏ ନିଷ୍କର୍ଷ।

ମଣିଷର ରୋଗ ପାଇଁ ଦୋଷୀ, କେବଳ ପଶୁ।

ସମଗ୍ର ପୃଥିବୀର କୃଷିଜାତ ପଦାର୍ଥ ର ବ୍ୟବସାୟୀ ଯେଉଁ ମାନେ କୁହୁକ ବଳରେ ଖାଦ୍ୟ ପଦାର୍ଥ କୁ ରାସାୟନିକ ବୋମା କରିଦେଇ ପାରନ୍ତି ସେମାନଙ୍କର ଆଦୌ ଦୋଷ ନାହିଁ ।
କୁହୁକ ବିଦ୍ୟାଟିମାନ ଆମର ମନୋରଞ୍ଜନ ପାଇଁ ଉଦ୍ଦିଷ୍ଟ ।

No comments:

Post a Comment