Wednesday, November 02, 2016

ନୟାଗଡ଼ ଜିଲ୍ଲାର ଦଳିତ ଜୀବନ


(ଗୋବର୍ଦ୍ଧନ ଦୋରାଙ୍କର ଆତ୍ମଜୀବନୀ 'ଛୋଟ ମୋର ଗାଁଟି’ରୁ ସଙ୍ଗୃହିତ)


ଡକ୍ଟର ବି.ଆର. ଆମ୍ବେଦକର
୧୯୩୫ ମସିହାରେ ନାସିକର ୟେଓଲାଠାରେ ଭାଷଣ ଦେଉଥିବା ସମୟରେ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ 


ଲେଖକ, ସଙ୍କଳକ ଓ ଯନ୍ତ୍ରୀ ଶ୍ରୀ ଗୋବର୍ଦ୍ଧନ ଦୋରାଙ୍କର ଘର ନୟାଗଡ଼ ଜିଲ୍ଲାର ବଡ଼ଗୋରଡ଼ା ଗ୍ରାମରେ । ଗାଁରେ ଚଷା, ଗୁଡ଼ିଆ, ଗଉଡ଼, କରଣ, ସୁନାରି, ପାଣ, ଧୋବା ଓ ଖଦାଳ ଇତ୍ୟାଦି ନାନା ଜାତିର ଲୋକ ଅଛନ୍ତି । ଦୋରା ବାବୁଙ୍କର ଜନ୍ମ ୧୯୩୯ ମସିହାରେ । ଜାତିରେ ତେଲେଗୁ ନାଇଡ଼ୁ । ସେ ଶିଶୁ ଶ୍ରେଣୀରେ ୧୯୪୫ ମସିହାରେ ଆଙ୍ଗିସିଙ୍ଗିରେ ଥିବା ବଡ଼ଗୋରଡ଼ା ଶିଶୁ ବିଦ୍ୟାଳୟ କୁ ଯିବାକୁ ଆରମ୍ଭ କରନ୍ତି । ତାହା ପରେ ଯାଆନ୍ତି ସାନଗୋରଡ଼ା ଇସ୍କୁଲୁକୁ, ତତ୍ପରେ ଶିଖରପୁର ମାଇନର ଇସ୍କୁଲୁ, ଓ ସବାଶେଷରେ ଶରଣକୂଳ ହାଇସ୍କୁଲୁ ।

ସେତେବେଳେ ଇସ୍କୁଲୁମାନଙ୍କରେ ଛୁଆଁଅଛୁଆଁ ଭାବ ପ୍ରବଳ । ପିଲାମାନେ ଜାତି ଭିତ୍ତିରେ ଅଲଗା ଅଲଗା ବସନ୍ତି । ବ୍ରାହ୍ଣଣ ପିଲାଏ ବସିବା ପାଇଁ ତାଳପତ୍ରରେ ପ୍ରସ୍ତୁତ ଛପା ଆଣୁଥିଲେ । ଗୋବର୍ଦ୍ଧନ ବାବୁ ବାଉଁଶ ତିଆରି ଛପା ନେଇ ଇସ୍କୁଲୁ ଯାଉଥିଲେ । ଏହି ଛପା ଧୁଷୁମା ଗାଁର ହାଡ଼ିମାନେ ତିଆରି କରୁଥିଲେ । ଏହା ସେମାନଙ୍କର ଜୀବିକା ନିର୍ବାହର ଏକ ସାଧନ ଥିଲା ।  ଛୁଆଁଅଛୁଆଁ ଭାବ ଶିକ୍ଷକମାନଙ୍କ ମଧ୍ୟରେ ବି ଥିଲା ।  ଦଳିତ ପିଲାଙ୍କୁ (ଅନ୍ୟ ଅଞ୍ଚଳମାନଙ୍କ ପରି) ହାତରେ ନ ମାରି, କିମ୍ବା ସିଧା ସଳଖ ବେତରେ ନମାରି, ବେତ ଫୋପାଡ଼ି ମାଡ଼ ମରାଯାଉଥିଲା - ନୟାଗଡ଼ ଜିଲ୍ଲାର ଏହି ଇସ୍କୁଲମାନଙ୍କରେ, ସ୍ୱାଧିନତା ସମୟରେ ।

ଗୋବର୍ଦ୍ଧନବାବୁଙ୍କ ଦେଖିବାରେ ଶ୍ରୀ ବନ ସେଠୀ ଓ ତାଙ୍କର ସାନଭାଇ ଶ୍ରୀ କହ୍ନେଇ ସେଠୀ ଧୋବା ଭାବରେ ଗାଁରେ ଖଟୁଥିଲେ । ଏଥି ପାଇଁ ସେମାନେ ପ୍ରତି ପରିବାରଠାରୁ ବାର୍ଷିକ କିଛି ନିର୍ଦ୍ଦିଷ୍ଟ ପରିମାଣରେ ବର୍ତ୍ତନ ପାଉଥିଲେ । ଏବେ ଚାରି ନଉତି ଲେଖାଏ ସେମାନେ ନେଉଛନ୍ତି ଓ ପ୍ରଥାର ପ୍ରଚଳନ ଏବେ ମଧ୍ୟ ଅଛି । ବେଳେବେଳେ ଲୁଗା ସିଝାଇବାକୁ କାଠ ମିଳେନାହିଁ । ତ, ଧୋବାମାନେ ମଶାଣିରୁ ଦରପୋଡ଼ା କାଠ ଆଣନ୍ତି । ପୋଡ଼ି, ଲୁଗା ସିଝାଇବା କାମରେ ବ୍ୟବହାର କରନ୍ତି । କେହି ଲୋକ ଖରାପ ହୋଇଗଲେ ମାଲଭାଇ ଭାବରେ ମଧ୍ୟ ଧୋବାମାନେ ଶବ ଶୋଭାଯାତ୍ରା ସହିତ ମଶାଣି ଯାଉଥିଲେ । ପିଲା ପେଟରେ ଥାଇ ମା ମରିଗଲେ, ସ୍ତ୍ରୀଲୋକଟିର ପେଟ ଚିରି, ମଲା ପିଲାଟିକୁ ବାହାର କରି ତାହାର ଶବଦାହ କରିବାର ଦାୟିତ୍ତ୍ୱ ମଧ୍ୟ ଧୋବାମାନଙ୍କର ଥିଲା । ମୁର୍ତିଖିଆର ଦଶଦିନ କର୍ମପାଇଁ ଧୋବା ଓ ଧୋବଣିଙ୍କୁ ଲୁଗାପଟା ମିଳୁଥିଲା ।

ଦୋରା ବାବୁଙ୍କ ପିଲାଦିନେ ଗାଁର ଦକ୍ଷିଣ-ପଶ୍ଚିମ ଦିଗରେ ଏକ ଖଦାଳ ସାହି ଥିଲା । ଏଥିରେ ଛଅଟି ପରିବାର ବସବାସ କରୁଥିଲେ । ଏ ସମସ୍ତ ପରିବାରର ସାଙ୍ଗିଆ ଭୋଇ ଥିଲା । ସେମାନେ ସେତେବେଳେ ଅଛୁଆଁ ଭାବରେ ଗଣ୍ୟ ଥିଲେ । ତାଙ୍କୁ କେହି ଛୁଉଁ ନଥିଲେ । ମାତ୍ର ବାହାଘର ବେଳେ ଖଦାଳମାନେ ହିଁ ପାଲିଙ୍କି ବାହକ ଭାବରେ କାମ କରୁଥିଲେ । ଏମାନଙ୍କର ନିଜର ଅଳପ କିଛି ଜମିବାଡ଼ି ଥିଲା । କିଛି ଜମି ଭାଗରେ ଧରି ମଧ୍ୟ ଚାଷ କରୁଥିଲେ । ଅତି ନିରିମାଖି ଖଦାଳ ମାନେ ପରଘରେ ହଳିଆ ରହୁଥିଲେ, ନହେଲେ ମୂଲ ଲାଗି ଚଳୁଥିଲେ । ଏବେ ଅବଶ୍ୟ ଗାଁରୁ ହଳିଆ ପ୍ରଥା ଉଠିଗଲାଣି । ଖଦାଳ ମାନେ ମାଛମାରି ବିକ୍ରୀ ମଧ୍ୟ କରୁଥିଲେ । ଏହା ଛଡ଼ା କୁକୁଡ଼ା ପାଳି, ପକ୍ଷୀ ଓ ଅଣ୍ଡା, ଉଭୟ ବିକିରି କରୁଥିଲେ । ଆଗରୁ ହାଟବଜାରରେ ଅଣ୍ଡା ଓ କୁକୁଡ଼ା ମିଳୁ ନଥିଲା । ଖଦାଳମାନେ ହିଁ କୁକୁଡ଼ା ଆଦି ପାଳି  ଯୋଗାଉଥିଲେ ।

ବଡ଼ଗୋରଡ଼ା ଗାଁରେ ଗୋଟିଏ ମାତ୍ର ପାଣ ଘର ଥିଲା । ଏହି ଘରୁ ଗାଁର ଚଉକିଦାର ଥିଲେ, ଶ୍ରୀ ଲୋକନାଥ ନାୟକ । ତାଙ୍କୁ ଚଉକିଦାରି କରିବା ପାଇଁ ଚାରି ମାଣ ଜମି ମିଳିଥିଲା । ସପ୍ତାହକୁ ଥରେ ସେ ଶରଣକୂଳ ଥାନାରେ ହାଜର ହୁଅନ୍ତି । ଜନ୍ମ, ମୃତ୍ୟୁ ଓ ଅନ୍ୟାନ୍ୟ ଆନୁସଙ୍ଗିକ ଖବର ଥାନାବାଲାଙ୍କୁ ଦିଅନ୍ତି । ଚାରି ମାଣ ଜମି କିଛି କମ ନୁହେଁ । ମାତ୍ର ସେମାନଙ୍କର ଚଳଣି ସେତେବେଳେ ବିଶେଷ ଭଲ ନଥିଲା । କାରଣ ହେଲା ଯେ ପାଣମାନେ ଜାତିରେ ଅଛୁଆଁ ଥିଲେ । ତାଙ୍କ ଜମିରେ ଗାଁର ଅନ୍ୟ ଜାତିର ଲୋକେ ଖଟି ଆସନ୍ତି ନାହିଁ । ତାଙ୍କ ବିଲମାନଙ୍କରେ ଅନ୍ୟ ଗାଁରେ ରହୁଥିବା ତାଙ୍କର ଜାତିଭାଇମାନେ ହିଁ ଖଟି ଆସନ୍ତି । ମାତ୍ର ସେମାନେ ନିଜର ବିଲବାଡ଼ି  ଓ ନାନାଦି ଅନ୍ୟ କାମସାରି ଲୋକନାଥ ବାବୁଙ୍କ ବିଲରେ କାମ କରି ଆସିଲା ବେଳକୁ ଠିକଣା ସମୟ ଗଡ଼ିଯାଇଥାଏ । ବେଟାଇମିଆ ଚାଷ ଯୋଗୁଁ ଅମଳ କମ ହୁଏ । ଅମଳ କମ ହେବାର ଅନ୍ୟ କାରଣ ହେଲା ଜଳସେଚନର ଅଭାବ ।

ଏହି ସବୁ ଅଭାବ ଅସୁବିଧା ଭିତରେ ଲୋକନାଥ ବାବୁଙ୍କ  ଗୋଟିଏ ବୋଲି ପୁଅ, ଦଣ୍ଡଧର ବୃତ୍ତି ପାଇ ପାଠ ପଢି ମାଇନର ସ୍କୁଲ ଶିକ୍ଷକ ହେଲେ । ଉଣେଇଶିଶହ ଷାଠିଏ ମସିହାରେ ଲୋକନାଥ ବାବୁ ହାର୍ଣ୍ଣିଆରେ ଚାଲିଗଲେ । ପୁଅ ସରକାରି ଚାକିରିଆ ହୋଇଥିବାରୁ ଚଉକିଦାରୀରେ ବାହାଲ ହୋଇପାରିଲେ ନାହିଁ । ଝୁଅର ଜୁଆଇଁ କାଶୀ ଗାଁରେ ଚଉକିଆ ହେଲେ । ୧୯୬୫ ମସିହାରେ ଚଉକିଦାରୀ ଉଠିଯିବାରୁ ଏଥିକୁ ଥିବା ଗାଁର ସବୁ ଭୋଗଦଖଲ ଜମି କାଶୀବାବୁଙ୍କ ନାଁରେ ହେଲା । ମାତ୍ର ଥରେ ଏହି ପାଣଘରକୁ ଗାଁ ଲୋକେ ଜରିମାନା କରିବାରୁ ଏମାନେ ଅତିଷ୍ଠ ହୋଇ ଗୋତିରିଡ଼ାକୁ ଉଠିଗଲେ ଓ ବଡ଼ଗୋରଡ଼ାରେ ଥିବା ନିଜର ଜମିଜମା ବିକ୍ରିବଟା କରିଦେଲେ ।  ଦଣ୍ଡଧର ବାବୁ ଅବସର ନେଲାପରେ କଟକ ମହାନଦୀ ବିହାରରେ ବସାବାନ୍ଧି ରହିଲେ । ଏହିପରି ଭାବରେ ଗାଁରୁ ପାଣ ଜାତିର ଚିହ୍ନା ଉଠିଗଲା ।

ବି.ଦ୍ର. ଏହି ଲେଖାଟି ୨୦୧୬ ମସିହାରେ ପାକ୍ଷିକ ସମଦୃଷ୍ଟିର ୧୧ତମ ଭଲ୍ୟୁମର ଷଷ୍ଠ ସ‌ଂଖ୍ୟାରେ ପ୍ରକାଶିତ ହୋଇଥିଲା । 

No comments:

Post a Comment