Friday, November 25, 2016

ଉପେନ୍ଦ୍ର ଭଞ୍ଜ 


ଶ୍ରୀ ରାମଚନ୍ଦ୍ର ଆଚାର୍ଯ୍ୟ, ବି.ଏ. 



ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଅନେକ ଦିନ ପୂର୍ବେ ଗଞ୍ଜାମ ଜିଲ୍ଲାର ଗୁମସରରେ ଭଞ୍ଜବଂଶର ରାଜାମାନେ ରାଜପଣ କରୁଥିଲେ । କୁଲାଡ଼ ସେମାନଙ୍କର ରାଜଧାନୀ ଥିଲା । ସେହି ବଂଶର ରାଜାମାନେ ସେଠାରେ ଆଉ ନାହାନ୍ତି । ଗୁମସର ଏବେ ଇଂରାଜ ସରକାରଙ୍କ ଅଧୀନ ହୋଇଅଛି । 

ଆଜକୁ ପ୍ରାୟ ୨୨୨ ବର୍ଷ ତଳେ ସେହି ବଂଶର ନୀଳକଣ୍ଠ ଭଞ୍ଜ ନାମକ ଜଣେ ରାଜା ସେଠାରେ ରାଜୁତି କରୁଥିଲେ । ସେ କେବଳ ଦୁଇ ବର୍ଷ କାଳ ରାଜା ହୋଇଥିଲେ । ତାଙ୍କ ଭାଇମାନେ ଶତୃ ହୋଇ ରାଜ୍ୟରୁ ତାଙ୍କୁ ତଡ଼ି ଦେବାରୁ, ସେ ନିଜ ପରିବାର ସହିତ ନୂଆଗଡ଼କୁ ପଳାଇଥିଲେ । ଉପେନ୍ଦ୍ର ଭଞ୍ଜ ନୀଳକଣ୍ଠ ଭଞ୍ଜଙ୍କ ପୁତ୍ର ।

ଉପେନ୍ଦ୍ର ଭଞ୍ଜ ପ୍ରାୟ ୧୬୮୫ ଖ୍ରୀଷ୍ଟାବ୍ଦରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ରାଜ୍ୟ ଛାଡ଼ି ପଳାଇବା ବେଳକୁ ଉପେନ୍ଦ୍ର ଭଞ୍ଜ ଅଳ୍ପ ବୟସର ବାଳକ ଥିଲେ । ବାଲ୍ୟକାଳରେ ସେ ମନ୍ଦ ବାଳକମାନଙ୍କ ସଙ୍ଗେ ମିଶି ସର୍ବଦା ଦୁଷ୍ଟ କାମ କରିଥାନ୍ତି ।

ଯୁବକ ହେବା ମାତ୍ରେ ତାଙ୍କ ମନରେ ବିଦ୍ୟା ଶିକ୍ଷା କରିବାର ଇଚ୍ଛା ଜାତ ହେଲା । ସେ ବହୁ ପରିଶ୍ରମ ସହିତ ଜ୍ଞାନ ଅର୍ଜନ କରିବାକୁ ଲାଗିଲେ । ସେ ଜଣେ ପ୍ରଧାନ ରାମଭକ୍ତ । ସେ ଶ୍ରୀ ରାମଚନ୍ଦ୍ରଙ୍କ ଠାରେ ଦୃଢ଼ ବିଶ୍ୱାସ ରଖି ଲେଖା ପଢ଼ା ଆରମ୍ଭ କଲେ । ସେ ପ୍ରତ୍ୟହ ରାମତାରକ ମନ୍ତ୍ର ଜପୁଥାନ୍ତି । ସାଧନା ବଳରେ ସେ ସକଳ ଶାସ୍ତ୍ରରେ ଗଭୀର ଜ୍ଞାନ ଲାଭ କରି ପାରିଲେ । ଇଶ୍ୱରଙ୍କ ପ୍ରତି ଦୃଢ଼ ଭକ୍ତି, ବିଶ୍ୱାସ ରଖି ପରିଶ୍ରମ ସହିତ ପାଠ ପଢ଼ିଲେ ଉତ୍ତମ ବୁଦ୍ଧି ଓ ଜ୍ଞାନ ହୁଏ । ସଂସ୍କୃତ ବ୍ୟାକରଣ, ଜ୍ୟୋତିଷ, ଆୟୁର୍ବେଦ ଇତ୍ୟାଦି ଶାସ୍ତ୍ରରେ ଉପେନ୍ଦ୍ର ଭଞ୍ଜଙ୍କର ଜ୍ଞାନ ଥିଲା । 

ପରେ ସେ ଅନେକ କବିତା ରଚନା କଲେ । ତାଙ୍କର କବିତା ସବୁ ଅତ୍ୟନ୍ତ ସୁନ୍ଦର ଓ ସରସ । ତାଙ୍କର ପଦ୍ୟ ଲେଖାରେ ସେହି ସମୟର ପଣ୍ଡିତମାନେ ବିଶେଷ ପ୍ରୀତ ହେଲେ । ଏଣୁ ଉପେନ୍ଦ୍ର ଭଞ୍ଜ ଅଧିକ ଉତ୍ସାହରେ ଅନେକ ପୁସ୍ତକ ଲେଖିଗଲେ । ତାଙ୍କ ଲେଖାରେ ସନ୍ତୁଷ୍ଟ ହୋଇ ସେହି ସମୟର ନୂଆଗଡ଼ ରାଜା ତାଙ୍କୁ 'ବୀରବର' ଉପାଧି ଦେଇଥିଲେ । 

ପୁସ୍ତକ ଲେଖାରେ ତାଙ୍କର ବଡ଼ ନାମ ହେଲା । ସେହି ସମୟର ବାଣପୁର ରାଜା ଉପେନ୍ଦ୍ର ଭଞ୍ଜଙ୍କ ସହିତ ନିଜ କନ୍ୟାଙ୍କର ବିବାହ ଦେଲେ । ଉପେନ୍ଦ୍ର ଭଞ୍ଜ ବାଣପୁରରେ କେତେକ ଦିନ କଟାଇଲେ । ତାଙ୍କ ପତ୍ନୀ ମଧ୍ୟ ପଣ୍ଡିତା ଥିଲେ । 

ଉପେନ୍ଦ୍ର ଭଞ୍ଜ ରାଜପୁତ୍ର ହେଲେ ହେଁ ରାଜପଣ କରିପାରି ନଥିଲେ ।  କିନ୍ତୁ ସେଥିପାଇଁ ତାଙ୍କର ଦୁଃଖ ନଥିଲା । ସେ ତାଙ୍କର ଜୀବନଟା ଶାସ୍ତ୍ର ପାଠ ଓ ପୁସ୍ତକ ରଚନାରେ କଟାଇଥିଲେ । 

ଆଜି ପର୍ଯ୍ୟନ୍ତ ତାଙ୍କର କୋଡ଼ିଏ ଖଣ୍ଡ ମାତ୍ର ଗ୍ରନ୍ଥ ପ୍ରକାଶିତ ହୋଇଅଛି । ସେଥି ମଧ୍ୟରୁ 'ବୈଦେହୀଶବିଳାଶ' ପ୍ରଧାନ ।

ଉପେନ୍ଦ୍ର ଭଞ୍ଜ ଓଡ଼ିଆ ଭାଷାର ଅଶେଷ ଉପକାର କରିଅଛନ୍ତି । ତାଙ୍କର ଲେଖା ଓଡ଼ିଆର ଗୌରବ ରଖିପାରିଛି । ସେ ପ୍ରାୟ ୪୦ ବର୍ଷ ଜୀବିତ ଥିଲେ । ସେ ୧୭୨୧ ଖ୍ରୀଷ୍ଟାବ୍ଦରେ ପରଲୋକ ଯାତ୍ରା କରିଥିଲେ । 

ବି.ଦ୍ର. ଏହି ଲେଖାଟି ପ୍ରଥମେ ପିଲାଙ୍କ ପତ୍ରିକା ପଞ୍ଚାମୃତର ତୃତୀୟ ଖଣ୍ଡର ତୃତୀୟ (୧୯୨୬?) ସଂଖ୍ୟାରେ ଛପାଯାଇଥିଲା । 

No comments:

Post a Comment