ସ୍ୱାଧୀନତା ଆନ୍ଦୋଳନର ଗୀତ 'ମାର୍ ତୁ ଯେତେ ଗୁଳି'
କବି - ସଚ୍ଚିଦାନନ୍ଦ ରାଉତରାୟ
![]() |
୧୩ ଏପ୍ରିଲ ୧୯୧୯ର ଗଣହତ୍ୟାର କିଛି ମାସ ପରର ଜାଲିୱାନାୱାଲା ବାଗ ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
ମାର୍ ତୁ ଯେତେ ଗୁଳି
ମରିବୁ ପଛେ ଡରିବୁ ନାହିଁ ଯାଅନା ଏହା ଭୁଲି ।।
ଘୋଡ଼୍-ସବାର ସିପାହୀ ନେଇ ଚଢ଼ାଉ ଯେତେ କର
ପତାଇ ଦେଇ ବୁକୁର ହାଡ଼ ହୋଇବୁ ଆଗଭର ।।
ରଖ ତୋ ଲାଠି, କାଠର ଲାଠି, ହାଡ଼ର ଆମ ଛାତି
ମରଣ ଆମ ମଇତ୍ର ଜାଣ କଷଣ ଆମ ଛାତି ।।
ଲୁହାର ଏହି କାଳିଆ ଚମ ନୁଖୁରା ଏହି ଧଡ଼
ରଖିଛି ଧରି ପ୍ରଳୟ ନିଆଁ ନୋହୁରେ ଆମେ ଜଡ଼ ।।
ମୁନିଆଁ ତୋ'ର ବରଛା ଯଦି ପିଠିରେ ଆମ ଗଳେ,
ପତାକା ଆମେ ନ ଦେବୁ ଭାଇ ନୁଆଁଇ କେବେ ତଳେ ।।
ମାହୁନ୍ତ ତୋ'ର ମଡ଼ାରେ ହାତୀ ପାଇକ ଖେଳା ଅସି
ଗୁରୁଖା ଥାଟ ଆମରି ଧନେ ରଖିଛୁ ଯେତେ ପୋଷି ।।
ପଠାରେ ସବୁ ତିଆରି ଆମେ ଆସିଛୁ ପଣ କରି
ହୁଙ୍କାପିଟା ଶାସନ କଳ ଗୋଡ଼ରେ ଦେବୁ ଦଳି ।।
କହିବାପାଇଁ ଯେ ଦେଶେ କଥା ହୋଇଛି ଭାଇ ମନା,
ମଣିଷ ଜିଭ ଆଇନି କାଟି ଯେଉଁଠି କରେ ଖନା ।।
ସେହି ଦେଶର ମଣିଷ ଆମେ କରିଛୁ ଆଜି ଦାବି
ଜାଗରେ ସବୁ ପରଜାକୁଳ ନ ମର ମିଛେ ଭାବି ।।
ଛାତିରେ ତୋ'ର ହାତୀର ବଳ ଉଠରେ ମାତି ଖରେ
ତୋହରି ଲହୁ ପିଇ ଯେ ବଡ଼ ପଳାଉ ସେଟି ଡରେ ।।
ସମାଜେ ଯେତେ ଓଡ଼ଶ ମଶା ରକତ ତୋ'ର ପିଏ
ମାଉଁଶ ତୋ'ର ନିଲାମ କରି ଅୟସେ ଯେହୁ ଜୀଏ ।।
ଦେଖି ତୋ' ମେଣ୍ଟ ଭାଙ୍ଗୁ ତୋ ଆଣ୍ଟ ତୁଟୁ ତା' ବଡ଼ପଣ
ହୁଙ୍କାରେ ତୋ' ଉଠୁରେ ଥରି କପିଳାସର ବଣ ।
ମୂଲିଆ କୁଳ ହୁଅରେ ଠୁଳ ଆସରେ ଚାଷୀ ଚାଲି
ଅନ୍ଦାରୀ ଦେଶ ଆଲୁଅ କରି ଦିହୁଡ଼ି ଦିଅ ଜାଳି ।।
ପୁଲିସି ବେତ-ରୋଳର ଡ଼ିହ ନଳୀର ଗୁଳି ଖାଇ
ଚାଲରେ ଆଜି ମୁକ୍ତିପଥେ ବିଜୟଗୀତି ଗାଇ ।।
ବୁକୁର ଲହୁ ଢାଳି ତୁ ଆଜି ବନ୍ୟା ଯାଅ ରଚି
ଭସାଇ ନେଉ ମଇଳା ଆଉ ଜୁଲୁମ୍ ଯେତେ ଅଛି ।।
ମାର୍ ତୁ ଗୁଳି
ହୁଙ୍କାପିଟା ଶାସନ ଆମେ ଗୋଡ଼ରେ ଦେବା ଦଳି ।।
ରଚନା କାଳ - ୧୯୩୮
ଉତ୍ସ - ଶ୍ରୀ ଚିନ୍ତାମଣି ବେହେରାଙ୍କର ଦ୍ୱାରା ସଙ୍କଳିତ ତଥା ସମ୍ପାଦିତ 'କବିତା ଯେବେ ଥିଲା ମନ୍ତ୍ର' । ପ୍ରକାଶନର ସ୍ଥାନ ଭୁବନେଶ୍ୱର । ଓଡ଼ିଶା ସାହିତ୍ୟ ଏକାଡ଼େମୀ ଦ୍ୱାରା ୨୦୦୪ ମସିହାରେ ପ୍ରକାଶିତ ।
No comments:
Post a Comment