Thursday, March 30, 2017

ଲଣ୍ଡନ ସେତୁ ଭୂମିଗତ: ଏକ ଆଗାମୀ ମୃତ୍ୟୁର ରାଜକୀୟ ନକ୍ସା

ଜ୍ୟୋତି ନନ୍ଦ


ଲଣ୍ଡନ ସେତୁର ଗୋଟିଏ ଚିତ୍ର (୧୬୮୨)
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍


ସେହି ଦିନଟି କେବଳ ଈଶ୍ବରଙ୍କୁ ଗୋଚର । ସେହିଦିନ ଗୋଟିଏ ରାଜକୀୟ ମହାମୃତ୍ୟୁ ଘଟିବ । ସେଇଦିନର ତଥା ପରବର୍ତ୍ତୀ କାଳର ଇତିହାସ ପାଇଁ ଗୁରୁତ୍ୱପୂର୍ଣ୍ଣ ବାକ୍ୟଟି ହେବ,
"ଲଣ୍ଡନ ସେତୁ ଭୂମିଗତ" ବୋଲି ବାକ୍ଯଟି ସ୍ଥିରୀକୃତ ହୋଇଛି ନିଜ ଜୀବନରେ ନବେ ବୟସ ଅତିକ୍ରାନ୍ତ କରିଥିବା ବର୍ତ୍ତମାନ ବ୍ରିଟେନର ରାଣୀ ଦ୍ୱିତୀୟ ଏଲିଜାବେଥଙ୍କ ସମ୍ଭାବ୍ୟ ମୃତ୍ୟୁ ଘୋଷଣାର କୋଡ୍ ବାର୍ତ୍ତା ହିସାବରେ । ମହାମୃତ୍ୟୁର ସେଇ ଘଟଣା ପରେ ୱେଷ୍ଟମିନିଷ୍ଟର ଆବେ ସ୍ଥିତ ସଂସଦର ଉଭୟ କକ୍ଷରେ ବସିବ ଅଧିବେଶନ ।
ସାଧାରଣ ମଣିଷ ସେଦିନ ନିଜ ନିଜ କାମରୁ ଟିକିଏ ଆଗରୁ ଛୁଟି ପାଇ ଘରକୁ ଫେରିବେ । ଉଡାଜାହାଜର ପାଇଲଟମାନେ ସେମାନଙ୍କର ବିମାନର ଯାତ୍ରୀମାନଙ୍କୁ ଏଇ ଶୋକ ସନ୍ଦେଶ ଦେବେ । ନୂତନ ରାଜା ହିସାବରେ ଦାୟିତ୍ୱ ନେବେ ପ୍ରିନ୍ସ ଚାର୍ଲସ୍ ।ରାଜକୀୟ ଘୋଡସବାରମାନେ ଚାରିଆଡେ ଛୁଟିବେ ରାଣୀଙ୍କ ମୃତ୍ୟୁର ସମ୍ବାଦ ନେଇ । ସମସ୍ତ ଜନତାଙ୍କ ନିକଟରେ ପହଞ୍ଚାଇ ଦିଆଯିବ ଏଇ ମୃତ୍ୟୁ ବାର୍ତ୍ତା ।  ପ୍ରଧାନମନ୍ତ୍ରୀଙ୍କୁ ଅବଗତ କଲା ପରେ ସମଗ୍ର ବିଶ୍ୱ ମିଡିଆକୁ ଏକ ସମୟରେ ଏଇ ଖବରଟି ଦିଆଯିବ ।
ଆହୁରି ଅନେକ କିଛି ଘଟିବ ବ୍ରିଟେନର ରାଣୀଙ୍କ ଠିକ୍ ମୃତ୍ୟୁ ପରେ, ଯାହାର ଏକ ଆଗାମୀ ନକ୍ସା ବଙ୍କିମହାମ ଉଆସ ପ୍ରସ୍ତୁତ କରିଛି ଯଥେଷ୍ଟ ଆଗରୁ । ଏବଂ ଏହି ଖସଡାର ଏକ ପ୍ରସ୍ତୁତିମୂଳକ ପୂର୍ବାଭ୍ୟାସ ବି ଶେଷ ହୋଇ ଯାଇଛି ଏବେ ।
ନବେ ବର୍ଷ ଅତିକ୍ରମ କରିଥିବା ରାଣୀ ଯଥେଷ୍ଟ ସୁସ୍ଥ ଅଛନ୍ତି ସମ୍ପ୍ରତି । ତଥାପି ଏହା ରାଜପ୍ରାସାଦର ଏକ ପ୍ରଚଳିତ ରୀତି । ସୁତରାଂ ଏବେଠୁ ଠିକ୍ କରା ଯାଇଛି ଯେ ରାଣୀଙ୍କ ମୃତ୍ୟୁର ପରେ ସେଇ ଖବରଟି ପ୍ରଧାନମନ୍ତ୍ରୀଙ୍କୁ ପ୍ରଥମେ ଜଣାଇବେ ରାଣୀଙ୍କ ବ୍ୟକ୍ତିଗତ ସଚିବ ସାର୍ ଖ୍ରୀଷ୍ଟୋଫର୍ ଗିଟ୍ । ଏଥର କିନ୍ତୁ ଖବରଟିକୁ ପ୍ରଥମେ ପ୍ରଚାର କରିବାର ସୁଯୋଗ ବିବିସିକୁ ଦିଆଯିବ ନାହିଁ । ପ୍ରଥମେ ଖବର ଜାରୀ କରିବେ ପ୍ରେସ୍ ଆସୋସିଏସନ୍ । ଦୀର୍ଘ ବର୍ଷର ଏକାଧିପତ୍ତ୍ୟ ଭାଙ୍ଗିଯିବ ।
ଆଗରୁ ରାଜା ପଞ୍ଚମ ଜର୍ଜ ଯେତେବେଳେ ମୃତ୍ୟୁପଥଯାତ୍ରୀ, ସେତେବେଳେ ସମଗ୍ର ଜାତି ଆଗରେ ସେକଥା ଘୋଷଣା କରିଥିଲେ ଚିକିତ୍ସକ ଲର୍ଡ ଡସନ୍ । ସମୟ ଥିଲା ୧୯୩୬ ମସିହା ଜାନୁଆରୀ ମାସର ୨୦ ତାରିଖ ରାତି ସାଢେ ନଅଟା । ସେ ରାତିରେ ଡସନ୍ ଜଣାଇଲେ, ରାଜାଙ୍କର ଜୀବନ ଅତି ମନ୍ଥର ଗତିରେ ଶାନ୍ତିମୟ ଅନ୍ତ ଆଡକୁ ଅଗ୍ରସର ହେଉଛି ।  ତାହାର କିଛି ସମୟ ପରେ ୭୫୦ ମିଲିଗ୍ରାମ ପରିମାଣର ମର୍ଫିନ୍ ଆଉ ପୁରା ଏକ ଗ୍ରାମ୍ ର କୋକେନ୍ ମିଶାଇ ରାଜାଙ୍କ ଶରୀରରେ ଇଞ୍ଜେକ୍ଟ୍ କରିଦେଲେ ସେଇ ମହାନ ଚିକିତ୍ସକ ଡସନ୍ । ଗୋଟିଏ ନିଶ୍ଚିତ ମୃତ୍ୟୁ ପାଇଁ ଯେତିକି ପ୍ରୟୋଜନ, ତାହାର ଦୁଇଗୁଣରୁ ଅଧିକ ଚେତନାନାଶକ ରାଜାଙ୍କ ଶରୀର ରେ ପ୍ରବେଶ କରାଇଥିଲେ ସେ । ଯାହା ଫଳରେ ସମସ୍ତ କଷ୍ଟର ଅନୁଭୂତି ଭୂଲି ରାଜା ଶାନ୍ତିମୟ ମୃତ୍ୟୁର ଅତଳ ଗହ୍ର୍ୱରକୁ ଯାତ୍ରା କରିପାରିବେ । ଅନ୍ୟ ଏକ ଦୃଷ୍ଟିରୁ ରାତିଟି ଶ୍ରେଷ୍ଠ, ଗୋଟିଏ ମୃତ୍ୟୁର ସମ୍ବାଦ ଓ ଆନୁସଙ୍ଗିକ କାମକୁ ଠିକ୍ ଭାବରେ ପ୍ରସ୍ତୁତ କରିବା ପାଇଁ।
ଏଇ ମାର୍ଚ୍ଚ ମାସ ୧୭ ତାରିଖର "ଦି ଗାର୍ଡିଆନ୍" ଏଇ ସମ୍ଭାବ୍ୟ ମୃତ୍ୟୁର ଆଗାମୀ ପ୍ରସ୍ତୁତି ସମ୍ପର୍କ ରେ ଏକ ବିସ୍ତୃତ ପ୍ରତିବେଦନ ପ୍ରକାଶ କରିଛି । ସେଇଥିରେ କୁହାଯାଇଛି ଯେ ବଙ୍କିମହାମ୍ ପ୍ରାସାଦରେ ଏଇଭଳି ଅନେକ ଘଟଣା ପାଇଁ ସମ୍ଭାବିତ ଗୋପନ ନକ୍ସାର ଚିଠା ପ୍ରସ୍ତୁତ ହୋଇ ରହିଛି । ବ୍ରିଟେନ୍ ଯେତେବେଳେ ସେଇଭଳି ଏକ ବିୟୋଗାତ୍ମକ ଘଟଣାର ସମ୍ମୁଖୀନ ହେବ ସେତେବେଳେ ସେଇ ପୂର୍ବ ନିର୍ଦ୍ଧାରିତ ନକ୍ସା ଅନୁସାରେ ସମସ୍ତ କାର୍ଯ୍ୟକ୍ରମ ପରିଚାଳିତ କରାଯିବ ।
ବିଶ୍ୱନିୟନ୍ତାଙ୍କୁ ଗୋଚର ଥିବା ସେଇ ଦିନଟି ଯେତେବେଳେ ଆସିବ ସେତେବେଳେ ରାଣୀଙ୍କ ଶଯ୍ୟା ପାଖରେ ରହିବେ ଜଣେ ପାକଅନ୍ତ୍ରବିଶେଷଜ୍ଞ । ତାଙ୍କ ନାମ ପ୍ରଫେସର୍ ହୁଓ ଥମାସ୍ । ଚିକିତ୍ସାର ସବୁ ଦାୟିତ୍ୱ ତାଙ୍କର । ସେ ସମୟରେ ରାଣୀଙ୍କ କକ୍ଷକୁ ଯିବାର ସୁଯୋଗ କେଉଁମାନଙ୍କର ରହିବ, ତାହା ସେ ନିୟନ୍ତ୍ରଣ କରିବେ । ଆଉ ସେ ସମୟର କେତେ ପରିମାଣର ତଥ୍ୟ ବାହାର ଜନତାକୁ ଉପଲବ୍ଧ କରାଯିବ, ତାହା ସେ ନିର୍ଦ୍ଧାରଣ କରିବେ ।
ସର୍ବଶେଷ ରାଜାଙ୍କର ମୃତ୍ୟୁ ସମ୍ବାଦ ବଙ୍କିମହାମ୍ ପ୍ରାସାଦ ତରଫରୁ କୁହାଯାଇଥିଲା ପଞ୍ଚଷଠି ବର୍ଷ ତଳେ । ତାହା ହେଉଛି ରାଜା ଷଷ୍ଠ ଜର୍ଜଙ୍କର ମୃତ୍ୟୁ ସମ୍ବାଦ । ସେହି ସମୟର କୋଡ୍ ବାର୍ତ୍ତାକୁ କୌଣସି ସ୍ୱିଚ୍ ବୋର୍ଡ ଅପରେଟର୍ ବୁଝି ପାରିନଥିଲେ । ସେ ସମୟର କୋଡ୍ ବାର୍ତ୍ତା ଥିଲା,"ହାଇଡ୍ ପାର୍କ କର୍ନର"।
ରାଣୀ ଦ୍ୱିତୀୟ ଏଲିଜାବେଥଙ୍କ ପାଇଁ ଏହା," ଲଣ୍ଡନ ବ୍ରିଜ୍ ଇଜ୍ ଡାଉନ୍"।
ରାଣୀ ଏଲିଜାବେଥଙ୍କ ପରେ ରାଜା ହେବେ ଚାର୍ଲସ୍ । ତାଙ୍କର ସିଂହାସନ ଆରୋହଣ ପର୍ବଟି ରାଣୀଙ୍କ ମୃତ୍ୟୁର ଚବିଶ ଘଣ୍ଟା ମଧ୍ୟରେ ସମାପ୍ତ ହେବ । ମାଆର ମୃତ୍ୟୁବରଣ କରିବାର ପ୍ରଥମ ସନ୍ଧ୍ୟାରେ ସେ ରାଜା ହିସାବରେ ଜାତି ଉଦ୍ଦେଶ୍ୱରେ ପ୍ରଥମ ଭାଷଣ ଦେବେ।
ରାଣୀଙ୍କ ମୃତ୍ୟୁର ଦ୍ୱିତୀୟ ଦିନ ରାଜା ହିସାବରେ ଚାର୍ଲସ ସକାଳ ଏଗାରଟା ବେଳେ ଘୋଷିତ ହେବେ । ଜଣେ ଉଚ୍ଚପଦସ୍ଥ କର୍ମକର୍ତ୍ତା ରିଚାର୍ଡ୍ ଟିଲବ୍ରୁକ୍ ଗୋଟିଏ ଘୋଷଣାପତ୍ର ପାଠ କରିବେ, "ସର୍ବଶକ୍ତିମାନ ଈଶ୍ୱର ଆନନ୍ଦର ସହିତ ଆମର ମହାମାନ୍ୟା ରାଣୀ ଦ୍ୱିତୀୟ ଏଲିଜାବେଥଙ୍କୁ ତାଙ୍କର ନିକଟକୁ ଡାକି ନେଇଛନ୍ତି..."। ଏହାପରେ ନିରାପତ୍ତା ରକ୍ଷୀମାନଙ୍କ ଭିତରୁ କିଛି ରାଜପ୍ରାସାଦର ବାରଣ୍ଡାକୁ ଆସିବେ ଓ ତିନୋଟି ବାଣ ଫୁଟାଇବେ । ତାହାପରେ ଥମାସ୍ ଉଡ୍କକ୍ ବୋଲି ଜଣେ ଜିନିଲୋଜିଷ୍ଟ ଯାହାଙ୍କର ମାସିକ ବେତନ ମାତ୍ର ୪୯.୦୭ ପାଉଣ୍ଡ ଏବଂ ଯାହା ୧୮୩୦ ସାଲଠାରୁ ପରିବର୍ତ୍ତିତ ହୋଇ ନାହିଁ, ସେ ସେହି ପ୍ରସିଦ୍ଧ ଗାର୍ଟର କିଙ୍ଗ୍ ଅଫ୍ ଆର୍ମ୍ସ୍ ର ବାଲକୋନୀରେ ଠିଆ ହେବେ, ଓ ରାଜା ତୃତୀୟ ଚାର୍ଲଙ୍କୁ ରାଜା ହିସାବରେ ଘୋଷିତ କରିବେ।
ତାହାପରେ ଆଉ କିଛି ଘୋଡସବାର ଟ୍ରାଫଲ୍ଗାର୍ ଚଉକର ରାଜା ଚାର୍ଲସଙ୍କ ମୂର୍ତ୍ତି ନିକଟକୁ ଯାଇ ନୂତନ ରାଜାର ଘୋଷଣା ପାଠ କରିବେ । ତାହାପରେ ହାଇଡ୍ ପାର୍କ ରୁ ପ୍ରାୟ ସାତ ମିନିଟ ଧରି ୪୧ ଥର ତୋପଧ୍ୱନୀ ହେବ । ସିଟି ଅଫ୍ ଲଣ୍ଡନର ପୁରୁଣା କାନ୍ଥରେ ଗୋଟିଏ ଲାଲ୍ ଫିତା ଝୁଲାଇ ଦିଆଯିବ । ଗୋଏନ୍ଦା ପ୍ରମୁଖ ଫିଲିପ୍ ଜର୍ଡାନ୍ ନିଜେ ତାହାପରେ ଅଶ୍ୱାରୋହୀ ହୋଇଥିବେ ଏବଂ ସମସ୍ତ ଅଶ୍ୱାରୋହୀ ଙ୍କୁ ନିର୍ଦ୍ଦେଶ ଦେବେ ରାଜ୍ୟ ସାରା ରାଜା-ପରିବର୍ତ୍ତନର ବାର୍ତ୍ତାର ପ୍ରଚାର ପାଇଁ ।
ଏହାପରେ ରାଜା ଚାର୍ଲସ ରାଜ୍ୟ ଭ୍ରମଣରେ ବାହାରିବେ। ସେ ଭ୍ରମଣ କରିବେ ଏଡିନବରା, ବେଲଫାଷ୍ଟ୍ ଓ କାର୍ଡିଫ୍ । କର୍ମକର୍ତ୍ତାଙ୍କ ସହ କଥା ହେବେ । ପ୍ରଥମ ଦିନରୁ ସାଧାରଣ ମଣିଷ ହେବା ହିଁ ରାଜପ୍ରକ୍ରିୟାର ଅଂଶ । ନୂଆ ରାଜା ଅନେକ କ୍ଷେତ୍ରରେ ଗାଡି ଚଢିବେ ନାହିଁ, ପାଦରେ ଚାଲି ଚାଲି ରାଜ୍ୟ ବୁଲିବେ।
ଯେଉଁଠାରେ ମୃତ୍ୟୁବରଣ କଲେ ବି ରାଣୀଙ୍କ ଶରୀର ଅଣାହେବ ବଙ୍କିମହାମ୍ ପ୍ରସାଦକୁ ।
ବିଶ୍ୱନିୟନ୍ତାଙ୍କୁ ଗୋଚର ଥିବା ସେହି ରାଜକୀୟ ମହାମୃତ୍ୟୁଟି ଘଟିବା ପରେ ବିଶ୍ୱବ୍ୟାପୀ ସେଇ ଗୁରୁତ୍ୱପୂର୍ଣ୍ଣ ସମ୍ବାଦଟି ସର୍ବତ୍ର ପ୍ରଚାରିତ ହେଉଥିବା ସମୟରେ ବଙ୍କିମହାମ୍ ରାଜପ୍ରାସାଦର ଅଳିନ୍ଦରୁ ଧିର ପାଦରେ ଓହ୍ଲାଇ ଆସିବେ ଶୋକର କଳା ପୋଷାକ ପରିବୃତା ଜଣେ ତରୁଣୀ । ପ୍ରାସାଦର ମୂଳ ଫାଟକରେ ଝୁଲାଇଦେବେ ଗୋଟିଏ ନୋଟିସ୍ ।
ଶତାବ୍ଦୀ ଶତାବ୍ଦୀ ଧରି ଅନୁସୃତ ହୋଇ ଆସୁଥିବା ଚାରିପଟ କଳାଗାର ରେ ରେଖାଙ୍କିତ ସେଇ ନୋଟିସ୍ ପରି ଗୋଟିଏ ନୋଟିସ୍ ଟିରେ ରହିଥିବ ପୃଥିବୀର ସବୁଠାରୁ ବିଶ୍ୱାସ ଯୋଗ୍ୟ ରାଜକୀୟ ମୃତ୍ୟୁ ସମ୍ବାଦ ।

ତଥ୍ୟ ସୂତ୍ର: 'ଦି ଗାର୍ଡିଆନ୍' ଖବର କାଗଜ

No comments:

Post a Comment