Saturday, March 04, 2017

ଘର ନମ୍ବର ୨୩୪, ବହୁବଜାର ଷ୍ଟ୍ରୀଟ, କଲିକତା


(ଅସୀମ ବସୁଙ୍କର ଆତ୍ମଜୀବନୀ ‘କଥାକଥାରେ’ରୁ ସଙ୍ଗୃହିତ)


କଲିକତା ବିଶ୍ୱବିଦ୍ୟାଳୟ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

କଲିକତାର ବହୁବଜାର ଷ୍ଟ୍ରୀଟ । ସରକାରୀ ନାମ ବଦଳି ଏବେ ବିପିନ ବିହାରୀ ଗାଙ୍ଗୁଲି, ବା ପ୍ରକାରାନ୍ତରେ ବିବି ଗାଙ୍ଗୁଲି ଷ୍ଟ୍ରୀଟ । କେନ୍ଦ୍ରିୟ କଲିକତାର ଏହି ରାସ୍ତାଟି ଯୋଡ଼େ, ସିଆଲଦା ଷ୍ଟେସନକୁ କଲିକତାର ବ୍ୟାବସାୟିକ କେନ୍ଦ୍ର ବିବିଡି ବାଗ ସହିତ । ରାସ୍ତାଟିକୁ ଆମହର୍ଷ୍ଟ ଷ୍ଟ୍ରିଟ, କଲେଜ ଷ୍ଟ୍ରିଟ, ଚିତ୍ତରଞ୍ଜନ ଆଭେନ୍ୟୁ ଓ ରବୀନ୍ଦ୍ର ସରଣୀ ଛକି କାଟି ଚାଲିଯାଆନ୍ତି । ୧୯୫୪ ମସିହା । ବହୁବଜାର ଷ୍ଟ୍ରୀଟରେ ଛିଡ଼ା ହୋଇଥାଏ ଘର ନମ୍ବର ୨୩୪ । ପୋକ କାଟି ଖାଇ ଯାଇଥିବା ବୁଢ଼ା ଗଛଟିଏ ପରି । ମଲା ଗଛର ପତର ଝଡ଼ିଯାଇଥିବା ପରି, ଚୂନ ଝଡ଼ିଯାଇଥାଏ । ହେଲେ ମରିଆସୁଥିବା ବରଗଛ ଲକ୍ଷେ ଜୀବ ପୋଷିଲା ଭଳି, ୨୩୪ରେ ରହୁଥାଆନ୍ତି ଅନେକ କୁଟୁମ୍ବ, ମଣିଷମାନଙ୍କର । ଛାତ ଉପରେ ଟିଣ ଓ କାଠ ପଟା ଯୋଡ଼ି ତିଆରି ହୋଇଥାଏ କେତେଗୁଡ଼ିଏ କେବିନ । କିଛି କାନ୍ଥ ଟିଣର । କିଛି କାନ୍ଥ ପଟାର । ଆଉ ଛାତ ହେଲା ଟିଣର ।

ଯିତିକି କେବିନ, ସେତେକି ବସା ଓ ପରିବାର । ସେ କେବିନଗୁ଼ଡ଼ିକରେ ଥାଆନ୍ତି ମାଇପ ଓ ଛଅଟି ପିଲାପିଚିକାଙ୍କୁ ନେଇ ସଂସାର କରିଥିବା ବଙ୍ଗାଳୀ କାଠ ମିସ୍ତ୍ରୀ, ସିନେମାରେ ଖୁଚୁରା କାମ କରୁଥିବା ଅଭିନେତା, ପିଅନ, ପକେଟମାର, ଓଡ଼ିଆ ଛାତ୍ର, ତଥା ଏକ ମହଲା ଆଉ ଦୁଇ ମହଲା ଭିତରେ ତ୍ରିଶଙ୍କୁ ଭଳି ଝୁଲିରହିଥିବା ବସାରେ ଅନିନ୍ଦ୍ୟ ସୁନ୍ଦରୀ ସ୍ତ୍ରୀ ସହିତ ରହୁଥିବା ଅସୁନ୍ଦର ଚେହେରାବାଲା ବିହାରୀ କୁଲି । ତଳୁ ଉପରକୁ ଉଠିଲା ବେଳକୁ ନଅଟା ପାହାଚ । ତାହା ପରେ ବିହାରୀ କୁଲିର ଘର । ସେଠି ବାଆଁକୁ ମୋଡ଼ି ସାତଟା ପାହାଚ ଟପିଲା ପରେ ଯାଇଁ ଛାତର କେବିନଗୁଡ଼ିକ । ସେଇଠି ଗୋଟିଏ କେବିନରେ ୧୯୫୪ ମସିହାରେ ଆଉ ଚାରିଜଣ ଓଡ଼ିଆ ପିଅନଙ୍କ ସହ ରହିଲେ ଅସୀମ ବସୁ ।

ସେ ବାଲେଶ୍ୱର ଛାଡ଼ି କଳାଶିକ୍ଷା ପାଇଁ କଲିକତା ଗଲା ବେଳକୁ ହାତରେ ଥିଲା ଟଙ୍କା ଦୁଇ କୋଡ଼ି ଓ କେତେ ଖଣ୍ଡ ବହି । ମହାନଗରରେ ପହଞ୍ଚି ନାମ ଲେଖାଇଲେ କଲିକତା ସରକାରୀ କଳା ମହାବିଦ୍ୟାଳୟରେ । ପ୍ରଥମେ ରହୁଥିଲେ ଗୋଟିଏ ଲୁଗା ସଫା ଦୋକାନରେ । କଲେଜ ଥାଏ ସକାଳେ । କଲେଜରୁ ଫେରି ଦୋକାନରେ କାମ କରିବାକୁ ପଡ଼େ । ମଇଳା ଲୁଗା ନେଇ ସଫା ଲୁଗା ଗରାଖକୁ ବଢ଼ାଇଦେବାକୁ ହୁଏ । କାମ ବଦଳରେ ନା ଦରମା ମିଳେ ନା ଖୋରାକି । ଖାଲି ଘରଭଡ଼ା ମାଫ ହୁଏ ।

ଦିନ ବେଳେ ପାଇସ ହୋଟେଲରେ ଖା’ପି’ । ଭାତ ଦୁଇ ଅଣାର । ତାହା ସହିତ ଅଣ୍ଡା ଝୋଳ ଖାଇଲେ ଆଉ ତିନି ଅଣା ହାତରୁ ବାଜେ । ମିଲ୍ ଟା ସମୁଦାୟ ପାଞ୍ଚ ଅଣା । ରାତିରେ ଜଗିରଖି ଚଳିବାକୁ ପଡ଼େ । ଅଣାକର ମୁଢ଼ି ଓ ମାଗଣା ପାଣିରେ ସବୁଦିନ ରାତିରେ କାମ ଚଳିଯାଏ । କଲେଜରେ ନାଁ ଲେଖାରେ ଅନେକ ଟଙ୍କା ଶ୍ରାଦ୍ଧ ହୋଇଥାଏ । ମାସ ଶେଷକୁ ଖୋରାକି ବାବଦକୁ ଖର୍ଚ୍ଚ ଯାଇ ହାତରେ ଆଦୌ ଟଙ୍କା କଉଡ଼ି ନଥାଏ କହିଲେ ଚଳେ । ଏତିକି ବେଳକୁ ଘରମାଲିକ ପାଇଖାନା ଓ ଗାଧୁଆଘର ବ୍ୟବହାର ପାଇଁ ଭଡ଼ା ମାଗିଲା ତିନି ଟଙ୍କା । ଅନନ୍ୟୋପାୟ ହୋଇ ବସୁ ମହୋଦୟ ବସା ଛାଡ଼ିବାକୁ ବାଧ୍ୟ ହେଲେ ।

ରାତିଟିଏ ସିଆଲଦା ଷ୍ଟେସନରେ କଟାଇସାରିଲା ପରେ ଅସୀମ ବାବୁ ଯାଇ ଭେଟନ୍ତି ଗୌରାଙ୍ଗ ପ୍ରେସର ପିଅନ ବସନ୍ତ ବାବୁଙ୍କୁ । ବସାଟିଏ ଯୋଗାଡ଼ କରିବା ପାଇଁ ଅନୁରୋଧ କରନ୍ତି । ବସନ୍ତ ଭେଟାଇ ଦିଅନ୍ତି ଧରଣୀଧର ନାୟକଙ୍କ ସହ । ସେ ମଧ୍ୟ ଜଣେ ପିଅନ । ବିଶ୍ୱବିଦ୍ୟାଳୟରେ । କଲିକତା ବିଶ୍ୱବିଦ୍ୟାଳୟର ବିଶାଳକାୟ କୋଠାର ପଛକୁ ଟିଣ ଛାଉଁଣି ଧାଡ଼ିଏ ଘର । ସେଥିରୁ ଗୋଟିକରେ ବସା ବାନ୍ଧିଥାଆନ୍ତି ଧରଣୀ । ରହନ୍ତି ନିଜର ଦୁଇ ଜଣ ଭାଇଙ୍କ ସହ । ସେମାନେ ମଧ୍ୟ ପିଅନ । ରହିବା ଶୋଇବା ପାଇଁ ଜେଗାର ଅଭାବ ନାହିଁ । ପୂଜା ଛୁଟି ଯାଏଁ ସେଇଠି ରହିଗଲେ ଅସୀମ । ଟ୍ୟୁସନ କରି ଚଳିବାର ଉପକ୍ରମରୁ ସକାଳେ ଅକ୍ଷର ଶିଖାଇ ଜଳଖିଆ ସାଙ୍ଗକୁ ମାସକୁ ଛଅ ଟଙ୍କା ଓ ସନ୍ଧ୍ୟାରେ ଅଷ୍ଟମ ଶ୍ରେଣୀର ଦୁଇ ଜଣ ଝିଅଙ୍କୁ ପଢ଼ାଇ ମାସକୁ କୋଡ଼ିଏ ଟଙ୍କା ମିଳିବାକୁ ଲାଗିଲା । କଲିକତାରେ ଜୀବନ ଗୋଟିଏ ରୂପ ନେବାକୁ ଆରମ୍ଭ କଲା ।
ହେଲେ ଏହି ସମୟରେ ସେ ହଠାତ ନିଜର ଛାତ୍ରୀ ତାଙ୍କ ପାଇଁ ଲେଖିଥିବା ଗୋଟିଏ ପ୍ରେମ ପତ୍ର ତାହାର ବହିରୁ ଆବିଷ୍କାର କଲେ । ଡ଼ର କାରଣରୁ ଟିଉସନ ଛାଡ଼ିଲେ । ଚଳିବା ପାଇଁ ବ୍ୟବସ୍ଥା କରିବାକୁ ଘରକୁ ଯାଇ ବାପା ଭାଇଙ୍କୁ ବୁଝାଇବାକୁ ଚେଷ୍ଟା କଲେ । ଚିଠି ପତ୍ର ଲେଖି ସେ ପର୍ଯ୍ୟନ୍ତ ଏ ସଙ୍କ୍ରାନ୍ତରେ କିଛି ବିଶେଷ ଫଳ ଫଳିନଥାଏ । ବାପା ମାସକୁ କୋଡ଼ିଏ ଟଙ୍କା ଦେବେ ବୋଲି ଶେଷକୁ ରାଜି ହେଲେ । ଭାଇ ବୁଝେଇଲେ କି ଆର୍ଟ ଗ୍ରାଜୁଏଟଟିଏ ହୋଇ ମାଷ୍ଟ୍ରାମୀ କଲେ ମିଳିବ ଟଙ୍କା ସତୁରୀ । ପାଠ ନ ପଢ଼ି ସାଙ୍ଗେ ସାଙ୍ଗେ କିରାଣୀଗିରି କଲେ ବି ସେଇ ସତୁରୀ ହିଁ ମିଳିବ । ଏଣୁ ବିଷୟବୁଦ୍ଧି ସମ୍ପନ୍ନ ଭାତୃଦେବ ଅନୁଜଙ୍କୁ କିରାଣୀ ବୃତ୍ତି ଆପଣେଇନେବା ପାଇଁ ପ୍ରବର୍ତ୍ତାଇଲେ । ହେଲେ ଅବୁଝା ଅସୀମ ବାବୁ ଭାବିଚିନ୍ତି ନିଷ୍ପତ୍ତି ନେଲେ କଲିକତା ଫେରିଯିବା ପାଇଁ, କଳା ଶିକ୍ଷା ସାରିବା ନିମନ୍ତେ । ଏଭଳି ଦୃଢ଼ ସଙ୍କଳ୍ପ ଶୁଣି ଭାଇ ବି ଟଙ୍କା ଦଶଟି ଲେଖାଏଁ ଦେବା ପାଇଁ ରାଜି ହେଲେ । ପରିବାରରୁ ମାସିକ ତିରିଶ ଟଙ୍କା ପାଇବାର ପ୍ରତିଶୃତି ନେଇ କଲିକତା ଫେରି ଆସିଲେ ଅସୀମ ବସୁ ।

ଧରଣୀଧର ହିଁ ଯୋଗାଡ଼ କରିଦେଲେ ବହୁବଜାର ଷ୍ଟ୍ରୀଟର ବସାଟିକୁ । ସାଥିରେ ଦେଲେ ଇକମିକ କୁକର ଗୋଟିଏ, ଆଉ ଆଲୁମିନିଅମର ଥାଳି ଓ ଗିନା ପଟେ । ଏଗୁଡ଼ିକ ସବୁ ଧରଣୀଙ୍କ ପାଖରେ ହିଁ ଥିଲା । ଅସୀମ ବାବୁଙ୍କୁ ନୂଆ ଜାଗାରେ ଥଇଥାନ କରିବା ପାଇଁ ଏହା ଅନେକଟା ସାହାଯ୍ୟ କଲା । ଇକମିକ କୁକରର ଉଦ୍ଭାବକ ଥିଲେ ଇନ୍ଦୁମାଧବ ମଲ୍ଲିକ । ଏହି କୁକର ପ୍ରଥମେ ବଜାରକୁ ୧୯୧୦ ମସିହାରେ ଆସିବାକୁ ଆରମ୍ଭ କଲା । ଏଥିରେ ଥିଲା ଚାରୋଟି ଖୋପ । ଚାଉଳ, ଡାଲି, ପରିବା ଓ ତରକାରୀ ରାନ୍ଧିବା ପାଇଁ । ଗତ ଶତାବ୍ବୀର ଷଷ୍ଠ ଦଶକ ବେଳକୁ ଇକମିକ କୁକର କଲିକତାରେ ରନ୍ଧନ ପ୍ରକ୍ରିୟାର ଏକ ଗୁରୁତ୍ତ୍ୱପୂର୍ଣ୍ଣ ଅଂଶ ବନିସାରିଥାଏ ।

ବସାଟି ପାଇଁ ମାସକୁ ଘରଭଡ଼ା ଚାରିଟଙ୍କା ଆଠ ଅଣା । ଅସୀମ ବାବୁଙ୍କର କଲିକତାରେ ତୃତୀୟ ଓ ଶେଷ ବସା, ଯେଉଁଠି ସେ ବିତାଇଦେଲେ କଲିକତାର ସରକାରୀ କଳା ମହାବିଦ୍ୟାଳୟରେ ଛାତ୍ର ଭାବରେ ପାଞ୍ଚ ବରଷ । ବସାରେ ଅସୀମ ବାବୁଙ୍କୁ ମିଶାଇ ପାଞ୍ଚ ଜଣ ରହୁଥିଲେ । ବାକି ଚାରି ଜଣ ଥିଲେ ବିଶ୍ୱବିଦ୍ୟାଳୟରେ ପିଅନ । ସେମାନେ ଘର ଭଡ଼ା ଦେଉଥିଲେ ସତ । ହେଲେ ସମସ୍ତେ ଉପୁରୀ ଦୁଇ ପଇସା ଅରଜିବା ପାଇଁ କଲିକତି ବାବୁମାନଙ୍କ ଘରେ ରୋଷେଇଆ କାମ ମଧ୍ୟ କରୁଥିଲେ । ସକାଳୁ ବାବୁମାନଙ୍କ ଘରେ ରୋଷେଇ ସାରନ୍ତି । କାମ ସାରି, ଖାଇ, ବହୁବଜାର ଷ୍ଟ୍ରୀଟର ଘରେ ପହଞ୍ଚନ୍ତି । ଘରୋଇ ଜାମାପଟା ବଦଳାଇ ଦିଅନ୍ତି । ଅଫିସ୍ ର ଜାମା ପିନ୍ଧି କାର୍ଯ୍ୟାଳୟ ଅଭିମୁଖେ ଯାତ୍ରା କରନ୍ତି । ପୁଣି ଅଫିସରୁ ଫେରି କେବିନରେ ଘରୋଇ ଜାମା ପିନ୍ଧି, ରୋଷେଇ କରିବା ପାଇଁ ବାହାରିଯାଆନ୍ତି । ଅର୍ଥାତ, ରୋଷେଇଆ କାମ ହାତରେ ଥିଲା ପର୍ଯ୍ୟନ୍ତ ପିଅନ ବାପୁଡ଼ାମାନେ ୨୩୪ ବହୁବଜାର ଷ୍ଟ୍ରୀଟର କେବିନଟିକୁ ପୋଷାକ ପରିବର୍ତ୍ତନ ନିମନ୍ତେ ହିଁ ବ୍ୟବହାର କରୁଥାଆନ୍ତି ।

ତେଣୁ ଅସୀମ ବାବୁ ଘରଟିକୁ ପ୍ରାୟତଃ ନିଜର ଏକେଲା ବ୍ୟବହାର ସକାଶେ ପାଉଥାଆନ୍ତି । ସକାଳୁ ଉଠି ଛଅଟା ବେଳେ ଇକମିକ କୁକରରେ ନିଜ ପାଇଁ ମୁଠାଏ ଚାଉଳ, କିଛି ଡାଲି ଓ ଯୋଡ଼ିଏ ଆଳୁ ବସାଇ ଦେଇ ଆର୍ଟ କଲେଜ କ୍ଲାସ ନିମନ୍ତେ ବାହାରି ଯାଆନ୍ତି । କ୍ଲାସ ସରୁସରୁ ଦି’ପହର । ଫେରିଆସି ପ୍ରଥମେ ତରତର ହୋଇ ସେ ଗାଧୋଇ ପଡ଼ନ୍ତି । ତାହା ପରେ ଭାତ, ସିଝା ଡାଲି ଓ ଆଳୁ ଭରତାର ଦିବ୍ୟ ଭୋଜନ । ଉପର ବେଳା କରିବାକୁ କିଛି ପ୍ରାୟ ନ ଥାଏ । ୨୩୪ ବହୁବଜାର ଷ୍ଟ୍ରୀଟରେ ସେତେବେଳେ ମାଇପିମାନଙ୍କର ରାଜୁତି, କାରଣ ମିଣିପମାନେ ସେତେବେଳେ ବାହାରେ ଥାଆନ୍ତି ନାନାଦି ପାଇଟିରେ । ମାସକ ଭିତରେ ଧରଣୀ ଅସୀମଙ୍କ ପାଇଁ ଆଉ ଗୋଟିଏ ଟ୍ୟୁସନ ଯୋଗାଡ଼ କରିଦେଲେ । କୋଡ଼ିଏ ଟଙ୍କିଆ । ଘରୁ ଆସୁଥିଲା ତିରିଶ । ଏହି କୋଡ଼ିଏ ଟଙ୍କା ମିଶି ହେଲା ପଚାଶ । ଅସୀମ ବାବୁଙ୍କୁ ଟିକିଏ ଆରାମ ଲାଗିଲା । ରଙ୍ଗ ତୁଳୀ ମନମୁତାବକ କିଣିପାରିଲେ । ମଝିରେ ମଝିରେ ଥିଏଟର ଯିବା କି ଜଳଖିଆ ଟିକିଏ ଖାଇବା ସମ୍ଭବ ହେଲା ।


୨୩୪ ବହୁବଜାର ଷ୍ଟ୍ରୀଟରେ ରହିଲା ବେଳେ ଅସୀମ ବାବୁ ‘ତରଙ୍ଗ’ ଓ ‘ସମାବେଶ’ ଆଦି ପତ୍ରିକା ପାଇଁ ଚିତ୍ର ଆଙ୍କିବା ଆରମ୍ଭ କଲେ ।ଚଉଧୁରୀ ହେମକାନ୍ତ ମିଶ୍ର, ବିୟତକେଶ ତ୍ରିପାଠୀ, କଣ୍ଡୁରିଚରଣ ଦାସ, ଜଗଦୀଶ ବାବୁ ଆଦିଙ୍କ ସହ ବନ୍ଧୁତା ମଧ୍ୟ ହେଲା । ବିଜ୍ଞାପନ ଶିଳ୍ପରେ କାମ ଆରମ୍ଭ କଲେ । ପାଞ୍ଚ ବର୍ଷର କଳାଶିକ୍ଷା ସରିଲା । ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେଲେ ଅସୀମ ବସୁ । ଷ୍ଟାଟିଷ୍ଟିକାଲ ବ୍ୟୁରୋର ଚାକିରୀ ପାଇଁ କଟକରେ ସାକ୍ଷାତକାର ନିମନ୍ତେ ଯାଇଁ, ସେ କାମ ଆରମ୍ଭ କଲେ ସୀତାକାନ୍ତ ମହାନ୍ତିଙ୍କର ଅନୁଷ‌୍ଠାନ, ଓଡ଼ିଶାର ପ୍ରଥମ ବ୍ୟାବସାୟିକ ଷ୍ଟୁଡ଼ିଓ ‘ଶିଳ୍ପପୁରୀ’ରେ । ୨୩୪ ବହୁବଜାର ଷ୍ଟ୍ରୀଟ ରହିଗଲା ବହୁ ପଛରେ । ସ୍ମୃତିର ଠିକଣାଟିଏ ହୋଇ । 

ବି.ଦ୍ର. - ଏହି ଲେଖାଟି ପାକ୍ଷିକ ପତ୍ରିକା ସମଦୃଷ୍ଟିରେ ପୂର୍ବ ପ୍ରକାଶିତ ହୋଇଅଛି । 

No comments:

Post a Comment