'ଅମୀର ଖୁସ୍ରୁଙ୍କ କବର'
କବି - ଓକ୍ଟାଭିଓ ପାଜ୍ (୧୯୧୪-୧୯୯୮)
ଅନୁବାଦ - ଗୋର୍ବାଚୋଭ୍
![]() |
ଶିଷ୍ୟମାନଙ୍କ ସହ ଅଧ୍ୟାପନାରତ ଅମୀର ଖୁସ୍ରୋ (ଷୋଡ଼ଶ-ସପ୍ତାଦଶ ଶତାବ୍ଦୀ) ହୁସେନ ବେକରା ଙ୍କ କୃତ 'ମଜଲିସ ଅଲ-ଉସାକ' ପାଣ୍ଡୁଲିପିରୁ ଆହୃତ ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
ଚଢ଼େଇର ଭାରରେ ନତ ଗଛଗୁଡ଼ିକ
ସେମାନଙ୍କ ହାତରେ ତୋଳି ଧରିଛନ୍ତି ଅପରାହ୍ନକୁ ।
ଖିଲାଣ ଏବଂ ଅଗଣା ।
ନାଲି ପାଚେରୀର ମଝିରେ
ବିଷ –
ସବୁଜ ପାଣିର ପୋଖରୀ ।
ଅଳିନ୍ଦଟେ ଲମ୍ବି ଯାଇଛି ସମାଧି ଆଡ଼କୁ:
କିଛି ଭିକାରୀ, ଫୁଲ, କୁଷ୍ଠ ରୋଗୀ ଆଉ ମାର୍ବଲ ।
ଦୁଇଟି କବର, ଦୁଇଟି ନାମଫଳକ,
ସେମାନଙ୍କର କାହାଣୀ:
ନିଜାମ୍ ଉଦ୍ଦୀନ୍, ପରିବ୍ରାଜକ ବ୍ରହ୍ମଜ୍ଞାନୀ;
ଅମୀର ଖୁସ୍ରୁ, ଶୁଆ ପକ୍ଷୀର ସ୍ୱର ।
ସାଧୁ, ପୁଣ୍ୟାତ୍ମା ଏବଂ କବି ।
ଗମ୍ବୁଜ ଉପରୁ ଗଜୁରି ଉଠିଛି
ଗୋଟିଏ ନିଷ୍ପ୍ରଭ ବିକଳ ତାରା ।
ଗାଡ଼ିଆ ଭିତରେ ଝଟକୁଛି ପଙ୍କ ।
ଅମୀର ଖୁସ୍ରୁ: ଶୁଆ ନା ଡାହୁକ
ପ୍ରତିଟି ମୁହୂର୍ତ୍ତ ଦୁଇଟି ଭାଗ, ଦୁଇଟି ଦିଗ
ପଙ୍କିଳ ଦୁଃଖ ଏବଂ ଆଲୁଅର ଓଁକାର
ପଦାଂଶ ତ ବାରବୁଲା ନିଆଁ ଝୁଲ,
ଚଳନ୍ତି ସ୍ଥାପତ୍ୟ:
ପ୍ରତ୍ୟେକ କବିତା ପୁଣି କାଳର ରୂପ
ଖାଲି ଜଳେ,
ଜଳୁଥାଏ ।।
No comments:
Post a Comment