Thursday, March 16, 2017

ତା’ର ଷ୍ଟପେଜ୍ କୋଉଠି ପଚାରନା


ଭାରତ ମାଝୀ


କବି ସିଦ୍ଧାର୍ଥ ମହାପାତ୍ର
ଫଟୋ କ୍ରେଡ଼ିଟ - ବିଶ୍ୱେଶ୍ୱର ଦାସ


‘ସିଦ୍ଧାର୍ଥ ତା’ର କବିତା ବୋହି ବୁଲୁ ଭୀମଟାଙ୍ଗିରୁ ଭୌମନଗର / ଦିନେଦିନେ ରୋଷେଇ କରିବାକୁ ଅଟକିଯାଉ ମୈତ୍ରୀ ବିହାର /  ତା’ର ଷ୍ଟପେଜ୍ କୋଉଠି ପଚାରନା, /  ତାକୁ ଆଜି ପୁରାଣ ପଢିବାକୁ ଛାଡିଦିଅ /  ସେ ନିଜକୁ ବୁଡବକ୍ କହୁ ଓ ମଙ୍ଗଳା ଛକରେ ଚିତ୍କା କରୁ- / ଆସ ଗୋଟେ ସର୍କସ୍ ପାର୍ଟି ଗଢିବା ହୋ ମାର୍କ୍ସ୍, /  ତମେ ଜୋକରକୁ ମୁଁ ରିଂ ମାଷ୍ଟର / କବିତା ଧାଡିକୁ ଲିଭେଇଦେଉ ପଛେ ମୋ କଳ୍ପନାର ଡଷ୍ଟର । /  ଏଥର ସିଦ୍ଧାର୍ଥ ଆମର ପଥି, ପୋଥି ସମେତ ଆମକୁ ଡରାଉ- /  ବେଶି ରଙ୍ଗ ଦେଖାଅନା, ମୋ କବିତା ଭିତରେ ଗୋଟେ ରଙ୍ଗମିସ୍ତ୍ରୀ ଅଛି,/ ହେଲେ ରଙ୍ଗମିସ୍ତ୍ରୀ ଶ୍ରମଜୀବୀ କି ନୁହଁ, ସେ ସଂସଦକୁ ଅନୀଷା କରିଚି ।’ 

ସିଦ୍ଧାର୍ଥ ହୁଏତ ଏମିତି ଥିଲା । ହୁଏତ ଛତରା ଝଡ, ବାତେରା ଜୁଆର । ଭୁବନେଶ୍ୱର ଭିତରେ ଏକଦା ଘୂରି ବୁଲୁଥିବା ଦଲକା ଦଲକା ସାଢେ ସାତ ଶହ ଦଲକା ସିଟିମରା ପବନ । ସେ ଜିଉଁଥିଲା ଖଲଖଲ । ତା’ର ଥିଲା ଲଙ୍ଗଳା-ହସ ଆଉ ଖାଲି ପାଦରେ ଭୁସଭୁସ୍ ଚାଲିଯାଉଥିବା ରୋଷ । ବେଗବାନ ଅମଣିଆ ପାହାଡୀ ନଈ ପରି ହୁଏତ ସେଥିଲା ନୃତ୍ୟରତ ଆଉ ବେଗବାନ, ଉଦ୍ଧାମ । ମାରୁରଗୋରୀ-ଜୀବନକୁ ଭଲ ପାଉଥିବା ରଇଜଳା-କବିଟିଏ ଥିଲା । ତାକୁ ଘାରିଥିଲା କବିତା । ଗୋଠ ଖଣ୍ଡିଆ-କବି ହେବାର ମାତାଲପଣଟିକକକୁ ବଞ୍ଚାଇ ରଖିବାକୁ ଚାହୁଁଥିଲା । ଶାନ୍ତ ସୁଧାର ଗୋଠର କବି ହେବାକୁ ସେ କେବେ ଚାହୁଁନଥିଲା ।

ସିଦ୍ଧାର୍ଥ ସାଙ୍ଗେ ପ୍ରଥମ ଦେଖା ବାଣୀ ବିହାରରେ । ଇଂରାଜି ବିଭାଗରେ ମୋତେ ଅଭିଭୂତ କରିଥିବା କବି ଜୟନ୍ତ ମହାପାତ୍ରଙ୍କ 'ରିଲେସନସିପ୍' ପୁସ୍ତକ ସମ୍ପର୍କରେ ଆଲୋଚନା ବେଳେ । 'ରିଲେସନସିପ୍' ର ଅନୁବାଦ କରିଥିବାରୁ ମୋତେ ଡାକିଥିଲେ ହିମାଂଶୁ ସାର୍ (ପ୍ରଫେସର ହିମାଂଶୁ ମହାପାତ୍ର) । ତା ଆଗରୁ ସିଦ୍ଧାର୍ଥ ସମ୍ପର୍କରେ ଶୁଣିଥିଲି ତାର ସାଙ୍ଗ ଆଉ ମୋର ଅନ୍ୟତମ ବନ୍ଧୁ ସତ୍ୟବ୍ରତଠୁ । ଶୁଣିଥିଲି, ସାହିତ୍ୟ କରିବ ବୋଲି ସିଦ୍ଧାର୍ଥ ନାମକ ଜଣେ ପିଲା ଇଂଜିନିୟରିଂ ଛାଡିଦେଇଥିଲା । ସେ ଗୋଟେ ଇଂରାଜି ଉପନ୍ୟାସ ଲେଖିସାରିଛି ଆଉ ତାକୁ ଅଥର୍ ପ୍ରେସ୍ ଛାପିବ । ସେ ବେଫିକର ବଞ୍ଚେ, ପ୍ରେମ କରେ, ଜୀବନ ଜିଏଁ, କବିତା ଲାଗି ପାଗଳ ହୁଏ, କବିତା ଲେଖେ । ସେତେବେଳେ ସିଦ୍ଧାର୍ଥ ପଢୁଥିଲା ବିଜେବି କଲେଜରେ, ଇଂରାଜିରେ ।

ପରେପରେ ଅନେକ ଖଟି, କବିତା । ନିଗମଭାଇ, ଶୈଲେନ୍, କେଦାର, ଜ୍ୟୋତି ସାର, ମନୁଆ ଭାଇ, ମନୁ ଭାଇ, ପବିତ୍ର ଭାଇଠୁ ଆରମ୍ଭ କରି ଆହୁରି ଅନେକ କବି, ଅନେକ ଲେଖକ । ସଭାସମିତି, ସାହିତ୍ୟ ଆସର । ସୌଭାଗ୍ୟ ମିଶ୍ର, ରାଜେନ୍ଦ୍ର ପଣ୍ଡା । ସେ ଦିନସାରା ଦୌଡି ବୁଲୁଥିଲା କବିତା ନିଶାରେ, ଖଟି ନିଶାରେ, ନିଜକୁ ଆବିଷ୍କାର କରିବାର ବିଭୋର ପଣରେ । ଅନ୍ୱେଷଣ ଥିଲା, ନିଜକୁ ଖର୍ଚ୍ଚ କରିଦେବାର ମାନସିକତା ବି । ଶହଶହ ସନ୍ଧ୍ୟା କଟିଥିଲା ତା ସହ । ନିଗମଭାଇ ସହ ଶହଶହ ମାଇଲ୍ ବୁଲିଥିଲା ସେ, ମଣିଷ ପାଇବାକୁ, ଓଡିଶା ଦେଖିବାକୁ । ଏପରିକି ପିୟୁସିଏଲ୍ ସହ ବି ଯୋଡି ହୋଇଯାଇଥିଲା । ପ୍ରମୋଦିନୀ ଅପା (ପ୍ରମୋଦିନୀ ପ୍ରଧାନ, ଓଡିଶା ଆବାହକ, ପିୟୁସିଏଲ୍)ଙ୍କ ସହ ଫାକ୍ଟ ଫାଇଡିଂ ଟିମ୍ ରେ ଥରେ ଦୁଇ ଥର ବାହାରକୁୁ ଯାଇଥିଲା । ରିପୋର୍ଟ ଲେଖିଥିଲା । ଏହାରି ଭିତରେ ତା କବିତାର ସ୍ୱର ଆହୁରି ଶାଣିତ ହୋଇଥିଲା, ଆହୁରି ମଣିଷ ପାଖାପାଖି ହୋଇଚାଲିଥିଲା । ପଢିବା ନିଶା ତାର ଥିଲା ଏମିତି ଯେ ବେଳେବେଳେ ଈର୍ଷା ଲାଗୁଥିଲା । ଏତେ ଛୋଟ ପିଲା, ଏତେ ପଢିପକାଉଛି ।

ଅନେକ ରାତି କଟିଛି ସିଦ୍ଧାର୍ଥ ସହ । ସେ ମୋତେ ମରିସନ୍ ଶୁଣାଇଛି । ମରିସନ୍ ର ପ୍ରେମିକା ସମ୍ପର୍କରେ ଗପିଛି । ମୁଁ ବି ତାକୁ ଅକ୍ଷୟ ମହାନ୍ତି ଶୁଣାଇଛି । କବିର ସୁମନ୍, ବାଉଲ୍ ଗୀତ ଶୁଣାଇଛି । ବାଳକୃଷ୍ଣ ଦାଶଙ୍କ ଗୀତର ଅର୍ଥ ପଚାରିଛି ସେ ମୋତେ । ଅକ୍ଷୟ ମହାନ୍ତିଙ୍କ 'ଶ୍ରୀକୃଷ୍ଣର ବଂଶୀଧ୍ୱନି ଶୁଣି'... ତାର ପ୍ରିୟ ଗୀତ ଥିଲା । ଆମ ଭିତରେ ଶୈଲେନ୍ ର କଣ୍ଠ ଭଲ । ଏହି ଗୀତ କାଗଜରେ ଟିପି ନେଇ ଖଟିରେ ତାଠୁ ଶୁୁଣୁଛୁ ଆମେ । ବବ୍ ଡିଲନ୍ ର ଗୀତ କେମିତି କବିର ସୁମନ୍ କିଛି ଜାଗାରେ ମାରିଦେଇଛି, ସେ କଥା ଗପିଛୁ । (ବବ୍ ଡିଲନ୍ ନୋବେଲ ପାଇବା ଖବର ଆସିଲା ଦିନ ସେ ମୋତେ ଏସ୍.ଏମ୍.ଏସ୍. ବି କରିଥିଲା । ମୁଁ କହିଥିଲି- ଅକ୍ଷୟ ମହାନ୍ତି ନୋବେଲ ପାଇଲା ଦିନ କହିବ ।) ସେ ଇଂରାଜି ସ୍କୁଲରେ ପଢିଥିଲା, ଓଡିଆ ଟିକେ ଦୁର୍ବଳ ଥିଲା । ହେଲେ ଧୀରେଧୀରେ ଓଡିଆ ପଢା ବି ଆରମ୍ଭ କରିଦେଇଥିଲା । (ତାକୁ ଥରେ କହିଥିଲି ଓଡିଆ ଫିଲ୍ମ ‘ରୋଲ୍ସ ଟୁ ଏଇଟ୍’ର ସେଇ ଗୀତ- ‘କଲରା କୋଳଥ ପଣା /’ନଉଲି ବୟସୀ ଲୋ ବିଦୁବଦନା / ବିଦୁବଦନା ଲୋ / ପୋଖତି ପରଠା ଚୁନା...’ର ଅର୍ଥ ଯେଉଁଦିନ ବୁଝେଇବ, ସେହିଦିନ ତମ ଓଡିଆ ପରଫେକ୍ଟ ।)  ସେ ନିଜେ ବି ତ କିଛି ଓଡିଆ ଲେଖା ଲେଖିସାରିଥିଲା । 

ଜୟପୁର ଲିଟରେଚର ଫେଷ୍ଟିଭାଲ୍ ରେ ସିଦ୍ଧାର୍ଥ ସହ କେଇଟା ଅର୍ଥପୂର୍ଣ ଦିନ କଟିଥିଲା । ମନୁଭାଇ (କବି, ଅନୁବାଦକ ମନୁ ଦାଶ)ଙ୍କୁ ରାତିରେ ଶୁଆଇ ନଦେବା, ତାଙ୍କ ବେଡ୍ ଆଗରେ ଆମେ ଦିହେଁ ରାତିରେ ସୂର୍ଯ୍ୟ ନମସ୍କାର କରିବା ଓ ଟ୍ରେନ୍ ରେ ସିଗାରେଟ ଟାଣିଲା ବେଳେ ଧରାପଡି ତଣ୍ଡ ଗଣିବା ଏବେ ବି ମନେ ଅଛି । ଏବେବି ମନେ ଅଛି, ସେ ତିନିମାସ କାଳ ମୋ ବେଡ୍ ର ବେଡସିଟ୍ କୁ ତା ବ୍ୟାଗ୍ ରେ ଧରି ଭୁବନେଶ୍ୱର ବୁଲୁଥିଲା ।

ସିଦ୍ଧାର୍ଥ ଯେମିତି ଥିଲା ବେଗବାନ, ସେମିତି ଥିଲା ବେଗବାନ ପ୍ରେମିକ । ସେ ପ୍ରେମ କରୁଥିଲା, ପ୍ରେମରେ ହିଁ ରହୁଥିଲା । ତା ଜୀବନରେ ପ୍ରେମିକା ବଦଳିଥିଲେ, ହେଲେ ସେ ସେଇ ସେମିତି ନିଃଡର ଓ ନିର୍ଭେଜାଲ୍ ପ୍ରେମିକ ହୋଇ ହିଁ ଥିଲା । ଏତେ ବାୟାପଣ ଭିତରେ ସେ ଥିଲା ପରିବାରର ମଣିଷ । ବାପା ଥିଲେ ସରକାରଙ୍କ ବଡ ଅଫିସର, ମା’ ବୋଧେ ପ୍ରିନସପାଲ୍ ଥିଲେ କଲେଜରେ । ଉଭୟ ରିଟାୟର୍ଡ୍ । ଆମେ ଜୟପୁର ଗଲାବେଳେ ସମ୍ବଲପୁର ଷ୍ଟେସନରେ ବାପାମା’ଙ୍କୁ ପ୍ରଥମ କରି ଦେଖିଥିଲି । ସେଇଠୁ ମୁଁ ବି ପାଲଟି ଯାଇଥିଲି ତାଙ୍କ ପରିବାରର ଜଣେ । ବାପାଙ୍କ ‘ଡକ୍ଟର’ ବ୍ରାଣ୍ଡର ଚଷମା ସେଇଠୁ ଛଡେଇନେଇଥିଲା ସିଦ୍ଧାର୍ଥ ଆଉ ସେଇ ଚଷମା ଏବେ ମୋ ପାଖରେ ।

ସେଦିନ ସିଦ୍ଧାର୍ଥର ମଲାଦେହ ଆସିଲା ପଣ୍ଡିଚେରୀରୁ, ଫ୍ଲାଇଟ୍ ରେ, ହେଲେ କାର୍ଗୋରେ । ନିଗମଭାଇ, ମୁଁ ଓ ଆଉ କିଛି ସାଙ୍ଗ ଏୟାରପୋର୍ଟ୍ ରୁ କଟକ ଗଲୁ ସତୀଚଉରା ପଚାରିପଚାରି । ସିଦ୍ଧାର୍ଥ ଆମକୁ ସତୀଚଉରା ଦେଖାଇଦେଲା । 

ସିଦ୍ଧାର୍ଥର ଷ୍ଟପେଜ୍ କୋଉଠି ସତରେ ମୁଁ କେବେ ତାକୁ ପଚାରିନି । ଆଉ କେବେ ପଚାରିପାରିବିନି ।

ଏହି ଲେଖାଟି ୧୨ ମାର୍ଚ୍ଚ ୨୦୧୭ରେ ପ୍ରକାଶିତ ଦୈନିକ ସଞ୍ଚାରର ସାହିତ୍ୟ ପୃଷ୍ଠାରେ ଛପାଯାଇଥିଲା ।

No comments:

Post a Comment