Sunday, March 05, 2017

ପର୍ବତରେ  ଧର୍ମୋପଦେଶ - ୭

ପବିତ୍ର ବାଇବେଲର ଓଡ଼ିଆ ଅନୁବାଦ


ମୃତ ସାଗର ପୋଥିରୁ ଇସାୟାଙ୍କର ପୁସ୍ତକ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଆଉ ଯେବେ ପ୍ରାର୍ଥନା କର, ତେବେ କପଟୀମାନଙ୍କ ପରି ହୁଅ ନାହିଁ ; ଯେହେତୁ ସେମାନେ ମନୁଷ୍ୟମାନଙ୍କୁ ଦେଖାଇବା ପାଇଁ ଭଜନାଳୟରେ ଓ ରାଜଦାଣ଼୍ଡର କୋଣରେ ଠିଆ ହୋଇ ପ୍ରାର୍ଥନା କରିବାକୁ ଭଲପାନ୍ତି ; ଆମ୍ଭେ ତୁମ୍ଭମାନଙ୍କୁ ସତ୍ୟ କହୁଁ, ସେମାନେ ଆପଣା ଫଳ ପାଇଥାନ୍ତି । ଏନିମନ୍ତେ ପ୍ରାର୍ଥନା କାଳରେ ନିରୋଳ ସ୍ଥାନକୁ ଯାଇ ଦ୍ୱାର ବନ୍ଦ କରି ତୁମ୍ଭର ଗୁପ୍ତ ସ୍ଥାନସ୍ଥ ପିତାଙ୍କ ନିକଟରେ ପ୍ରାର୍ଥନା କର ; ତହିଁରେ ତୁମ୍ଭର ପିତା ଯେ ଗୋପନରେ ଦେଖନ୍ତି, ସେ ତୁମ୍ଭକୁ ପ୍ରକାଶରୂପେ ଫଳଦେବେ । ଆଉ ପ୍ରାର୍ଥନା କାଳରେ ଦେବପୂଜକମାନଙ୍କ ପରି ବ୍ୟର୍ଥ ପୁନରୁକ୍ତି କର ନାହିଁ ; ଯେହେତୁ ତୁମ୍ଭମାନଙ୍କର କଅଣ ପ୍ରୟୋଜନ, ତାହା ମାଗିବା ପୂର୍ବରୁ ତୁମ୍ଭମାନଙ୍କର ପିତା ଜାଣନ୍ତି । ଏନିମନ୍ତେ ଏହି ପ୍ରକାର ପ୍ରାର୍ଥନା କର । ହେ ଆମ୍ଭମାନଙ୍କ ସ୍ୱର୍ଗସ୍ଥ ପିତଃ, ତୁମ୍ଭ ନାମର ପୂଜା ହେଉ । ତୁମ୍ଭର ରାଜ୍ୟ ଆସୁ । ଯେରୂପେ ସ୍ୱର୍ଗରେ ସେରୂପେ ପୃଥିବୀରେ ତୁମ୍ଭର ଇଚ୍ଛା ସଫଳ ହେଉ । ଆଜି ଆମ୍ଭମାନଙ୍କୁ ପ୍ରୟୋଜନୀୟ ଆହାର ଦିଅ । ଆମ୍ଭେମାନେ ଯେମନ୍ତ ଆପଣା ଆପଣା ଅପରାଧୀମାନଙ୍କୁ କ୍ଷମା କରିଅଛୁଁ, ତେମନ୍ତ ଆମ୍ଭମାନଙ୍କର ଅପରାଧ ସବୁ କ୍ଷମା କର । ପରୀକ୍ଷାରେ ଆମ୍ଭମାନଙ୍କୁ ଆଣ ନାହିଁ, ମାତ୍ର ମନ୍ଦରୁ ରକ୍ଷା କର ; [ଯେଣୁ ରାଜତ୍ୱ, ପରାକ୍ରମ, ଗୌରବ ସଦାସର୍ବଦା ତୁମ୍ଭର । ଆମେନ ! ] ଏ ନିମନ୍ତେ ଯେବେ ତୁମ୍ଭେମାନେ ପରର ଅପରାଧ କ୍ଷମା କର, ତେବେ ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତା ତୁମ୍ଭମାନଙ୍କୁ କ୍ଷମା କରିବେ । ଯେବେ ପରର ଅପରାଧ କ୍ଷମା ନ କର ତେବେ ତୁମ୍ଭମାନଙ୍କ ପିତାହିଁ ତୁମ୍ଭମାନଙ୍କର ଅପରାଧ କ୍ଷମା କରିବେ ନାହିଁ ।   

ଉତ୍ସ - 'ପବିତ୍ର ବାଇବେଲ : ପୁରାତନ ଓ ନୂତନ ନିୟମ' । ବାଇବେଲ ସୋସାଇଟି ଅଫ ଇଣ୍ଡିଆ : ବାଙ୍ଗାଲୋର । ପ୍ରକାଶନର ତାରିଖ ଦିଆଯାଇନାହିଁ ।

No comments:

Post a Comment