Saturday, March 25, 2017

ଶ୍ରୀମଦ ଭାଗବତ - ମୋହିନୀଙ୍କ ଦ୍ୱାରା ଶଙ୍କରମୋହନ ଉପାଖ୍ୟାନ  

ଅଷ୍ଟମ ସ୍କନ୍ଧ

ଦ୍ୱାଦଶ ଅଧ୍ୟାୟ 


ଆଲିଙ୍ଗନରତ ଇଶ୍ୱର ଓ ମୋହିନୀ
କୋଚିର ମତ୍ତନଚେରୀ ଉଆସର ଭିତ୍ତିଚିତ୍ର
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଶୁକ କହନ୍ତି ତୋଷମନ । ଶୁଣ ଅଭିମନ୍ୟୁ-ନନ୍ଦନ ।୧।

ଶୁକ ଉବାଚ

କୃଷ୍ଣ ଯେ ମୋହିନୀ-ସ୍ୱରୂପେ । ଅମୃତ ହରି ମୋହକଳ୍ପେ ।୨।

ଦେବଙ୍କୁ କରାଇଲେ ପାନ । ମାୟାମୋହିନୀ ଭଗବାନ ।୩।
ସେ କଥା ଶୁଣି ବିପରୀତ । ବୃଷେ ଆରୋହି ବିଶ୍ୱନାଥ ।୪।
ସକଳ ଭୂତଗଣ ମେଳେ । ଅମ୍ବିକା ଘେନି ନିଜକୋଳେ ।୫।
ଦେଖିବା ଅର୍ଥେ ଗଲ ହର । ଯହିଁ ବିଜୟେ ମାୟାଧର ।୬।
ଗୋବିନ୍ଦ ରୁଦ୍ର ଦେଖି ତୋଷେ । ଆସନେ ବସାଇ ହରଷେ ।୭।
ପୂଜିଲେ ହରଗୌରୀ ପାଦେ । ରୋମହରଷ ଗଦଗଦେ ।୮।
ସାନନ୍ଦ ସେ ହରଗଉରୀ । ହରଷେ ହସ୍ତେ ହସ୍ତ ଧରି ।୯।
ସନ୍ତୋଷ କରି କୃଷ୍ଣମନ । ବୋଲନ୍ତି ମଧୁର-ବଚନ ।୧୦।

ମହାଦେବ ଉବାଚ

 ହେ ଦେବଦେବ ଜଗଦ୍‌ବ୍ୟାପୀ । ଜଗଦୀଶ୍ୱର ବିଶ୍ୱରୂପୀ ।୧୧।

ସର୍ବ ଶରୀରେ ଆତ୍ମାରୂପେ । ତୁ ନାଥ ବସୁ ମୋହକଳ୍ପେ ।୧୨।
ସକଳ ହେତୁ ତୋ ଗୋଚର । ତୁ ନାଥ ଧର୍ମ-ନିରାକାର ।୧୩।
ନାହିଁ ତୋ ଆଦି ମଧ୍ୟ ଅନ୍ତ । ଏଣୁ ତୁ ବୋଲାଉ ଅନନ୍ତ ।୧୪।
ଚରଣ କମଳ ତୋହର । ଚିନ୍ତନେ ଶ୍ରେୟ ପ୍ରାଣୀଙ୍କର ।୧୫।
ବିଷୟ-ସଙ୍ଗ ଦୂର କରି । ମୁନି ସନ୍ନ୍ୟାସୀ ବ୍ରହ୍ମଚାରୀ ।୧୬।
ଚିନ୍ତନ୍ତି ତୋ ଚରଣ ହୃଦେ । ଅନ୍ତେ ପଶନ୍ତି ମୋକ୍ଷପଦେ ।୧୭।
ତୁ ପୂର୍ଣ୍ଣବ୍ରହ୍ମ ସୁଧାସାର । ନିର୍ଗୁଣ ବିଶୋକ-ମନ୍ଦିର ।୧୮।
ଆନନ୍ଦ-ମାତ୍ର ନିର୍ବିକାର । ଅନ୍ୟୋନ୍ୟେ ଥାଇ ତୁ ଅନ୍ତର ।୧୯।
ବିଶ୍ୱର ହେତୁ ନିରଞ୍ଜନ । ସ୍ଥିତି ଉଦୟ ସଞ୍ଜମନ ।୨୦।
ଆତ୍ମାର ଆତ୍ମଜ୍ଞାନରୂପୀ । ଏଣୁ ଅଶେଷ-ଦେହବ୍ୟାପୀ ।୨୧।
ସୁବର୍ଣ୍ଣ-କୁଣ୍ଡଳକ ପ୍ରାୟେ । ସ୍ୱଭାବେ ଅଭେଦ ତୋ ଦେହେ ।୨୨।
ଅଜ୍ଞାନୀ ଦମ୍ଭେ ତୋରଠାରେ । ବିକଳ୍ପ ବିକଳ୍ପ ସଂସାରେ ।୨୩।
ତୁ ନିରୁପାଧି ତୋର ଗୁଣେ । ଭେଦ କରନ୍ତି ଅକାରଣେ ।୨୪।
ସଦ ଅସଦ ପରେ ସ୍ଥିତି । ପରମ ପୁରୁଷ କେ ଚିନ୍ତି ।୨୫।
ସଦ ଅସଦ ଏକ ରୂପୀ । ଅବ୍ୟୟ ଆତ୍ମା ବିଶ୍ୱବ୍ୟାପୀ ।୨୬।
ତୁ ବ୍ରହ୍ମ ହେତୁ ଚିଦାନନ୍ଦ । ଅନାଦିକନ୍ଦ ଆଦିକନ୍ଦ ।୨୭।
ପ୍ରକୃତି ପୁରୁଷ ରୂପର । କେ ସାଂଖ୍ୟେ କରନ୍ତି ବିଚାର ।୨୮।
ଅନ୍ୟେ ବଦନ୍ତି ନବଶକ୍ତି । ଯେ ଅବା ଛନ୍ତି ପାଞ୍ଚରାତ୍ରି ।୨୯।
ଅବ୍ୟୟ ଆତ୍ମତନ୍ତ୍ରରୂପୀ । ତୁ ନାଥ ଠୁଳଶୂନ୍ୟ ବ୍ୟାପୀ ।୩୦।
ମୁଁ ବ୍ରହ୍ମା ଦେବ ମୁନି ଯେତେ । ତୋ ମାୟାବଳେ ଏ ଜଗତେ ।୩୧।
ତୋ ରୂପ ନ ଜାଣନ୍ତି କେହି । ଦୁଷ୍ଟେ ଜାଣିବେ ଅବା କାହିଁ ।୩୨।
ଜଗତ ଜାତ ସ୍ଥିତି ନାଶ । ଭୂତଙ୍କ ଦେହେ ତୋ ପ୍ରକାଶ ।୩୩।
ଜୀବର ବନ୍ଧ-ମୋକ୍ଷ ବେନି । ତୁ ନାଥ କରୁ ମାୟା ଘେନି ।୩୪।
ଆକାଶେ ଯେହ୍ନେ ବାୟୁ ରହେ । ପାର୍ଥିବରେଣୁ ବହେ ଦେହେ ।୩୫।
ତୋ ଦେହେ କେହି ନ ଲାଗନ୍ତି । ଏମନ୍ତ ଈଶ୍ୱରର ଗତି ।୩୬।
ସଚରାଚର ତୋର ଦେହେ । ପବନେ ରେଣୁ ପ୍ରାୟ ରହେ ।୩୭।
ତୁ ଏ ସଂସାର-ଉପକାରୀ । ତ୍ରିଗୁଣେ ନାନାରୂପ ଧରି ।୩୮।
ଯେତେ ସାଧିଲୁ କ୍ରୀଡ଼ାଅର୍ଥେ । ସେ ରୂପେ ଦେଖିଲି ମୁଁ ତୋତେ ।୩୯।
ଏବେ ଯେ ସମୁଦ୍ର-ମନ୍ଥନେ । ଦେବ ଦାନବ ଏକମନେ ।୪୦।
ଅମୃତ ଅର୍ଥେ ଅନ୍ୟଅନ୍ୟେ । ତା ଦେଖି ଦେବେ ଦୁଃଖମନେ ।୪୧।
ତୋତେ ଚିନ୍ତିଲେ ଧ୍ୟାନ କରି । ତୁ ନାଥ ମାୟାରୂପ ଧରି ।୪୨।
ମୋହିନୀରୂପେ ଭଗବାନ । ମୋହିଲୁ ଅସୁରଙ୍କ ମନ ।୪୩।
ସେ ରୂପ ଦେଖାଅ ତୁ ମୋତେ । ଦେଖିବି ଗଉରୀ ସମେତେ ।୪୪।
ଯେ ରୂପ ପରମମଙ୍ଗଳେ । ମୁଁ ତା ଦେଖିବି କୁତୂହଳେ ।୪୫।
ଏମନ୍ତେ ରୁଦ୍ରବାଣୀ ଶୁଣି । ହସି ବୋଲନ୍ତି ଚକ୍ରପାଣି ।୪୬।


ଭଗବାନ ଉବାଚ 

ଅସୁରେ ସୁଧା ନେଲେ ବଳେ । ମୁହିଁ ଯେ ଦେବଙ୍କ ବିକଳେ ।୪୭।

ମାୟାମୋହିନୀ ରୂପ ଧରି । ଅସୁରଗଣେ ମାୟା କରି ।୪୮।
ଅମୃତ ଦେବଗଣେ ଦେଲି । ପୁଣି ସେ ରୂପ ସଂହରିଲି ।୪୯।
ଏବେ ତୁ ଦେଖିବାର ଆଶେ । ଯେବେ ମିିଳିଲୁ ମୋର ପାଶେ ।୫୦।
ସେ ରୂପ ଦେଖାଇବି ମୁହିଁ । ଯେବେ ସମ୍ଭାଳିପାରୁ ତୁହି ।୫୧।
କାମୀମାନଙ୍କ ମହାମୋହ । ପୁରୁଷ କେ ଧରିବ ଦେହ ।୫୨।
ଆନନ୍ଦେ ଶୁକମୁନି କହେ । ଶୁଣ ପରୀକ୍ଷ ମହାରାୟେ ।୫୩।



ଶୁକ ଉବାଚ

ଏମନ୍ତ କହି ଭଗବାନ । ତକ୍ଷଣେ ହେଲେ ଅନ୍ତର୍ଦ୍ଧାନ ।୫୪।
ରୁଦ୍ର ଚାହାଁନ୍ତି ଦଶଦିଶେ । ଗଉରୀ ସଙ୍ଗେ ପ୍ରିୟବଶେ ।୫୫।

ଅଗ୍ରେ ଯେ ଅଛି ଉପବନ । ନାନା କୁସୁମେ ତରୁଘନ ।୫୬।
ତହିଁ ବିଜୟେ ଦଇତ୍ୟାରି । ଜଗମୋହିନୀ ରୂପ ଧରି ।୫୭।
କରେ କନ୍ଦୁକ ସାର ଶୋହେ । ଯେ ରୂପେ ଜଗୁଜନ ମୋହେ ।୫୮।
ନିତମ୍ବେ ବେଷ୍ଟିତ ଅମ୍ବର । କଟି-ମେଖଳା ରତ୍ନସାର ।୫୯।
ହୃଦେ କମ୍ପଇ ଘନ-କୁଚ । ହାର କାଞ୍ଚଲା ଅତି ସଞ୍ଚ ।୬୦।
ଅତି ସୁସଞ୍ଚ କ୍ଷୀଣମଝା । କି ପଟାନ୍ତର ଦେବା ଦୁଜା ।୬୧।
ସ୍ୱଭାବେ ଡମ୍ବରୁ ଆକାର । ଖଚିତ ନାନା ଅଳଙ୍କାର ।୬୨।
ଶିର ସୀମନ୍ତ ମିଣମୟେ । ନୀଳ-ଅଳକେ ମୁଖଶୋହେ ।୬୩।
ଶିରେ ସୁନ୍ଦର ଭୁରୁ ସାଜେ । ଚଞ୍ଚଳ-ଲୋଚନ ବିରାଜେ ।୬୪।
ଭାଲେ ସିନ୍ଦୂରବିନ୍ଦୁ ସାଜେ । କମଳଲୋଚନ ବିରାଜେ ।୬୫।
ହେମକୁଣ୍ଡଳ ଶୋହେ କର୍ଣ୍ଣେ । ଦଶନ ହସିତ-ବଦନେ ।୬୬।
କବରୀ ମଧ୍ୟେ ପୁଷ୍ପ ଦିଶେ । କି ଏ କନ୍ଦର୍ପ ଦେଖି ହସେ ।୬୭।
କବରୀ ଶ୍ଳଥ ଫିଟେ ବାସ । କରଇ କନ୍ଦର୍ପ ବିକାଶ ।୬୮।
ଅଳକା ତୋଳେ କାମକରେ । ସୁରଙ୍ଗ ଅଙ୍ଗୁଳି ଅଗ୍ରରେ ।୬୯।
କନ୍ଦୁକ ଦକ୍ଷକରେ ଧରି । ସେ ଲୀଳା ଲୁବ୍‌ଧେ ମୋଦଭରି ।୭୦।
ଏମନ୍ତ ରୂପ ହର ଦେଖି । ପିଛାଡ଼ି ନ ପାରନ୍ତି ଆଖି ।୭୧।
ଲୀଳା କଟାକ୍ଷେ ରୂପ ଚାହିଁ । ହୃଦୟେ ଚିତ୍ତ ନ ରହଇ ।୭୨।
ସ୍ୱଗଣ-ଗଉରୀ-ସମେତେ । ସକଳେ ଚାହାନ୍ତି ଚକିତେ ।୭୩।
ଏମନ୍ତେ ମୋହିନୀର କରେ । ଥିଲା କନ୍ଦୁକ ଖସି ଧୀରେ ।୭୪।
ତକ୍ଷଣେ ଭୂମିରେ ପଡ଼ିଲା । ପଡ଼ି ଅନେକ ଦୂର ଗଲା ।୭୫।
କନ୍ଦୁକ ଆଣିବାର ଛଳେ । ବୃକ୍ଷ-ଉହାଡ଼େ ଅତି ଖରେ ।୭୬।
ଧାମନ୍ତେ ଅଦ୍‌ଭୁତ-ଅବଳା । କୁଚରୁ ବସ୍ତ୍ର ଉଡ଼ିଗଲା ।୭୭।
ପବନେ ଉଡ଼େ ଜାନୁବାସ । ଜାନୁଯୁଗଳ ହେଲା ଦୃଶ୍ୟ ।୭୮।
ପବନେ ଉଡ଼ିଯାନ୍ତେ ବାସ । ରୂପ ଦେଖିଣ ହର ବଶ ।୭୯।
ବସ୍ତ୍ର ତୋଳନ୍ତି ବାମହସ୍ତେ । ପୀଡ଼ିତ ଲଜ୍ଜା-ଭୟ-ଚିତ୍ତେ ।୮୦।
ଅଳକା ଅଙ୍ଗୁଳିର ଅଗ୍ରେ । କପୋଳୁ ତୋଳେ ଅତି ବ୍ୟଗ୍ରେ ।୮୧।
ଏମନ୍ତ ରୂପ ତାର ଦେଖି । ଶଙ୍କର ଗଉରୀ ଉପେକ୍ଷି ।୮୨।
ମନ ବୁଡ଼ିଲା ତାର ସଙ୍ଗେ । ମଦନବାଣ ପୀଡ଼େ ଅଙ୍ଗେ ।୮୩।
ଉମା ଦେଖନ୍ତେ ଲଜ୍ଜା ଛାଡ଼ି । ଧାମନ୍ତି କାମେ ମନ ବୁଡ଼ି ।୮୪।
ହରକୁ ଦେଖି ବେଗେ ଧାଇଁ । ବୃକ୍ଷ-ଗହଳେ ସେ ଲୁଚଇ ।୮୫।
ରୁଦ୍ର ଧାଇଁଲେ ଅତି ବେଗେ । ମିଳିଲେ ବୃକ୍ଷଙ୍କର ଲାଗେ ।୮୬।
ବୃକ୍ଷକୁ ବୃକ୍ଷ ଯାନ୍ତି ଗଳି । ହସ୍ତ ଦେଖାନ୍ତି ବେଗେ ତୋଳି ।୮୭।
ଦେଖି ଧାମନ୍ତି ରୁଦ୍ର ବେଗେ । ବସନ ନାହିଁ କଟିଭାଗେ ।୮୮।
ଜଟା-କଳାପ ଅସମ୍ଭାଳ । କପୋଳୁ ଗଳେ ଶ୍ରମ ଝାଳ ।୮୯।
କରିଣୀ ଦେଖି ଯେହ୍ନେ ଗଜ । ଧାମଇଁ ଉଚ୍ଚେ ତୋଳି ଭୁଜ ।୯୦।
ରୁଦ୍ର ଧଇଲେ ତାଙ୍କୁ କୋଳେ । ଆବୋରି ବେନିଭୁଜେ ବଳେ ।୯୧।
ପୁଣି ମୋହିନୀ କରୁଁ ଗଳି । ଧାମଇଁ ଜାନୁବସ୍ତ୍ର ତୋଳି ।୯୨।
କବରୀଭାର ଫିଟି ତଳେ । ବିଞ୍ଚି ପଡ଼ନ୍ତି ଫୁଲମାଳେ ।୯୩।
ପୁଣି ଧରନ୍ତେ ହର କୋଳେ । ମୋହିନୀ ଗଳେ ଭୁଜତଳେ ।୯୪।
ମୁକୁଳା କେଶ ଅଧୋମୁଖେ । ଧାମଇଁ ବଦନ-ସୁରେଖେ ।୯୫।
ପୃଥୁ-ନିତଙ୍କ ଚଳେ ଧୀରେ । ପୁଣି ଧଇଲେ ରୁଦ୍ର କୋଳେ ।୯୬।
ଏମନ୍ତେ ବିଷ୍ଣୁମାୟା ବଳେ । ଶଙ୍କର ମଦନ ଆକୁଳେ ।୯୭।
ବଇରୀ-ବାଣେ ସେ ବିକଳେ । ପୁଣି ଧରନ୍ତି କାମଭୋଳେ ।୯୮।
ପୁଣି ପଳାନ୍ତି ଭୁଜ ତୋଳି । ରୁଦ୍ର-ଶରୀରୁ ରେତ ଗଳି ।୯୯।
ସୁରଭୀ ଅର୍ଥେ ବୃଷ ଯେହ୍ନେ । ଧାମଇଁ ଉଠିଣ ଅଜ୍ଞାନେ ।୧୦୦।
ରେତ ପଡ଼ିଲା ଯହିଁ ତହିଁ । ମୋହିନୀ ବେଶେ ମୋହ ପାଇ ।୧୦୧।
ସୁନା ରୂପା ହେଲା ତକ୍ଷଣେ । ଲତା-ଗହନ-ଘୋରବନେ ।୧୦୨।
ନଦୀ-ପର୍ବତ-ସରୋବରେ । ପଡ଼ଇ ରେତ ବୃଷ୍ଟିଧାରେ ।୧୦୩।
ଏମନ୍ତେ ବିଷ୍ଣୁମାୟା-ବଶେ । ଶଙ୍କର ଧାଇଁ ବନଦେଶେ ।୧୦୪।
ନିରାଶ ହୋଇ ନିବର୍ତ୍ତିଲେ । ଗଉରୀ ନିକଟେ ମିଳିଲେ ।୧୦୫।
ବିଷ୍ଣୁମାୟାରେ ମୋହି ମନ । ରୁଦ୍ର ହୋଇଲେ ଛନଛନ ।୧୦୬।
ଈଶ୍ୱର ଦୁଃଖ କୃଷ୍ଣ ଦେଖି । ମୋହିନୀ ଶରୀର ଉପେକ୍ଷି ।୧୦୭।
ନିଜ ମୂରତି ଧରି ହରି । ଶଙ୍କର ପାଶେ ବିଜେ କରି ।୧୦୮।
କହନ୍ତି ରୁଦ୍ର-ମୁଖ ଚାହିଁ । କୋମଳ-ବାକ୍ୟେ ଭାବଗ୍ରାହୀ ।୧୦୯।
ବୋଲନ୍ତି ପ୍ରଭୁ ଜଗନ୍ନାଥ । ଦେଖିଣ ଈଶ୍ୱର-ଆରତ ।୧୧୦।

ଭଗବାନ ଉବାଚ



ହେ ଦେବଦେବ ବିଶ୍ୱନାଥ । ତୁ ହେଲୁ ମାୟାରେ ମୋହିତ ।୧୧୧।


ଅଶେଷଜନ ମାୟାବଳେ । ଭ୍ରମନ୍ତି ଅବନୀମଣ୍ଡଳେ ।୧୧୨।
ନାନା ପ୍ରକାରେ ତନୁ ଧରି । କେବା ପାରିବ ମାୟା ତରି ।୧୧୩।
ଭୋ ରୁଦ୍ର ମହିମା ତୋହର । ଅଜ୍ଞାନୀଜନେ ଅଗୋଚର ।୧୧୪।
ଯେ ବିଷ୍ଣୁମାୟା ଗୁଣମୟୀ । ସେ ମାୟା କଳି ତ ନୁହଁଇ ।୧୧୫।
ତୁ ନାଥ ନିଜ ମାୟାବଳେ । ତ୍ରିଗୁଣ ଗ୍ରାସୁ ଅନ୍ତଃକାଳେ ।୧୧୬।
ଶୁକ ଶ୍ରୀକୃଷ୍ଣପାଦ ଧ୍ୟାୟି । କହନ୍ତି ପରୀକ୍ଷିତ ଚାହିଁ ।୧୧୭।



ଶୁକ ଉବାଚ

ଶୁଣ ରାଜନ ଏକଚିତ୍ତେ । ହରଙ୍କୁ ପ୍ରବୋଧି ଏମନ୍ତେ ।୧୧୮।
ଶିବଙ୍କୁ ପ୍ରଦକ୍ଷିଣ କରି । ନିଜ ଭୁବନେ ଗଲେ ହରି ।୧୧୯।
ରୁଦ୍ର ଭବାନୀଗଣ ତୁଲେ । ନିଜ ଭୁବନେ ବିଜେ କଲେ ।୧୨୦।
ଋଷିଙ୍କ ମଧ୍ୟେ ହର ବସି । ବିଷ୍ଣୁଙ୍କ ମାୟା ପରଶଂସି ।୧୨୧।


ଈଶ୍ୱର ଉବାଚ



ଶୁଣ ଅଶେଷ ଋଷିବରେ । ବିଷ୍ଣୁର ମାୟା ଏ ଶୟଳେ ।୧୨୨।

ଅଶେଷ-ଜନ-ମନ ହରେ । କେବା ଏ ସଂସାରୁ ନିସ୍ତରେ ।୧୨୩।
ଶୁଣ ଗୋ ପ୍ରିୟେ କହି ଯାହା । ଦେଖିଲ ବିଷ୍ଣୁଙ୍କର ମାୟା ।୧୨୪।
ମୁଁ ମାୟାଧରଙ୍କର ଈଶ । ତା ମାୟା ଦେଖି କଲି ତ୍ରାସ ।୧୨୫।
ତା ମାୟାବଳେ ମୋହେ ଶିବ । ଆନ କେ ସେ ମାୟା ତରିବ ।୧୨୬।
ବିଷ୍ଣୁର ମାୟା ଅଗୋଚର । ଯହିଁ ଭ୍ରମନ୍ତି ବ୍ରହ୍ମାସୁର ।୧୨୭।
କହନ୍ତି ବ୍ୟାସଙ୍କ ତନୁଜ । ଶୁଣ ପରୀକ୍ଷ ମହାରାଜ ।୧୨୮।


ଶୁକ ଉବାଚ


ଏମନ୍ତ ଶ୍ରୀକୃଷ୍ଣ ମହିମା । କେ କହିପାରେ ଗୁଣସୀମା ।୧୨୯।
ଯେ ହରି ଜଗତ ଉଦ୍ଧରେ । କପଟେ କୂର୍ମରୂପ ଧରେ ।୧୩୦।
ତାର ଚରିତ ଶୁଣି କର୍ଣ୍ଣେ । ମୁଖେ ଗୁଣନ୍ତି ଯେବା ଜନେ ।୧୩୧।
ଯେ ଅବା ପ୍ରସ୍ତାବେ କହନ୍ତି । ଘୋର ସଂସାରୁ ତରିଯାନ୍ତି ।୧୩୨।
ଅଷ୍ଟମ ସ୍କନ୍ଧେ ହରି-ବାଣୀ । ଶୁଣି ସଂସାରୁ ତର ପ୍ରାଣୀ ।୧୩୩।
ବୋଲଇ ବିପ୍ର ଜଗନ୍ନାଥ । ଭାଷା-ପ୍ରବନ୍ଧେ ଭାଗବତ ।୧୩୪।




ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଅଷ୍ଟମସ୍କନ୍ଧେ ଶଙ୍କରମୋହନଂ ନାମ ଦ୍ୱାଦଶୋଽଧ୍ୟାୟଃ । ।

[ଉତ୍ସ - ଓଡ଼ିଆ ୱିକିସୋର୍ସ ]

No comments:

Post a Comment