ମହାନଦୀ, ସୁବର୍ଣ୍ଣପୁର ଓ ଗୋଟେ ରୂପକଥାର ପୃଥିବୀ
କେଦାର ମିଶ୍ର
![]() |
ବ୍ରିଟିଶ ଅମଳର ସୋନପୁରର ମାନଚିତ୍ର |
“ହେଇ
ଅନାରେ ଗୋପ,
ହେଇ
ସେପାଖେ ଦିଶୁଛି ସୋନପୁର।’’
୧୯୨୩
ମସିହା ସେପ୍ଟେମ୍ବର ମାସର ଏକ
ସକାଳରେ ସମ୍ବଲପୁର ପଟୁ ଡଙ୍ଗାରେ
ବସି ମହାନଦୀର କଳା ଝିମ୍ ଝିମ୍
ସୁଅରେ ଭାସି ଆସୁଥିବା ନଅ ବର୍ଷର
ବାଳକ ଗୋପୀନାଥ ମହାନ୍ତି,
ହଠାତ୍
ନୁଆ କରି ଆବିଷ୍କାର କରିଥିଲେ
ଗୋଟେ ନୂଆ ସହରକୁ ।
ବାପା ଚିହ୍ନାଇଦେଇଥିଲେ –
“ଏଇ
ସୋନପୁର ।
ହେଇ ସେ ଦେଉଳ ଦେଖୁଛୁ ନା?
ସେ
ସୁବର୍ଣ୍ଣମେରୁ । ଦଣ୍ଡବତ
ହ’।
ୟେ ସ୍ଥାନ ରାମେଶ୍ୱର,
ହେଇ
ସେଠି ତେମୁହାଣି ଯେଉଁଠି ତେଲ
ନଦୀ ଆସି ମହାନଦୀ ସାଙ୍ଗରେ ମିଶିଲା । ଏଇ
ସେ ସୋନପୁର,
କହନ୍ତି
ଏଠି ସୁନା ଅଛି,
ଯଯାତିକେଶରୀ
ଏ ସହର ବସାଇଥିଲେ,
ତାଙ୍କର
ୟେ ରାଜଧାନୀ ହୋଇଥିଲା । କେତେ
ପୁରୁଣା କାଳିଆ ଦେଉଳ ଦେଖିବୁ
ଏଠି,
ଅସଂଖ୍ୟ
। ଭୁବନେଶ୍ୱରରେ ଯେତିକି ଦେଉଳ ଏଠି
ସେତିକି ଦେଉଳ । କେତେ
ନଇରେ ଗଲାଣି,
କେତେ
ଭାଙ୍ଗି ଭୁଷୁଡି ଗଲାଣି,
ତଥାପି
ଆହୁରି ବହୁତ ଅଛି ।
ହେଇ ଦେଖୁଛୁ ଏ ପଥରବନ୍ଧ,
ଆମ
କଟକରେ ଯେମିତି,
ଏଠି
ସେମିତି। ...ନଈ
ସେପାଖେ ପାହାଚ ପାହାଚ ହୋଇ ମହାନଦୀର
ପଥର ବନ୍ଧ,
ସ୍ଥାନେ
ସ୍ଥାନେ ବାଙ୍କ ବୁଲିଛି,
ବୁରୁଜ
ବାହାରିଛି ।"
ସୋନପୁର ବାଳକ ଗୋପୀନାଥଙ୍କୁ
ଗୋଟେ ନୂଆ ସ୍ୱପ୍ନର ଭୂମି ପ୍ରଦାନ
କରିଛି ।
ମହାନଦୀ ତାଙ୍କର ଶିଳ୍ପୀ ପ୍ରାଣକୁ
ଚଳଚଞ୍ଚଳ କରିଛି ।
ଗୋପୀନାଥଙ୍କ ଅଗ୍ରଜ,
ଓଡିଆ
କଥା ସାହିତ୍ୟର ଅନ୍ୟତମ ମହାନ
ଦିଗପାଳ କାହ୍ନୁଚରଣ-
ତାଙ୍କର
ବି ଜନ୍ମ ମହାନଦୀ କୁଳରେ – ସୋନପୁରରେ।
ଶହ ଶହ ବର୍ଷ ଧରି ସୃଜନ ଓ କ୍ଷମତାର ତଟ ଭାବରେ ସୋନପୁର ନିଜର ଏକ
ନିଆରା ପରିଚୟ ସୃଷ୍ଟି କରିଛି।
ବହୁ ଲେଖକ,
କବି,
ଚିନ୍ତକ
ଓ ଦାର୍ଶନିକ ଏହି ସହରରେ ଜନ୍ମ
ନେଇଛନ୍ତି ।
ବହୁ ଛତ୍ରପତି ରାଜା,
ଅଘୋରୀ
ସନ୍ୟାସୀ,
ସର୍ବତ୍ୟାଗୀ
ସନ୍ଥ,
ରୂପସୀ
ଓ ବିଦୁଷୀ ନାୟିକା,
ସୁନାର
ବୋଇତ ନେଇ ଦୂର ଦେଶରୁ ଫେରୁଥିବା
ବଣିକ – ଏ ସହରର ଛାତିରେ ନିଜର
ସ୍ୱାକ୍ଷର ଆଙ୍କି ଯାଇଛନ୍ତି ।
ସୋନପୁରରେ
ମହାନଦୀ ବିଶାଳାକ୍ଷୀ ।
ହୀରାକୁଦ ପରେ ମହାନଦୀ ଟିକେ
କ୍ଷୀଣସ୍ରୋତା ।
ତେବେ ସୋନପୁର ଜିଲାରେ ପ୍ରବେଶ
କରୁ କରୁ ମହାନଦୀର ପ୍ରବାହ ବିଶାଳ
ହୁଏ ।
ସୋନପୁର ପୂର୍ବରୁ ଜୀରା,
ଭେଡେନ୍,
ଅଙ୍ଗ
ଓ ସୁକତେଲ ନଦୀ ମହାନଦୀରେ ମିଶୁଥିବା
ବେଳେ, ସୋନପୁର ସହରରେ ଏକ ତ୍ରିବେଣୀ
ସଙ୍ଗମ ସୃଷ୍ଟି କରି ମହାନଦୀ ସହ
ତେଲ (ପ୍ରାଚୀନ
ଶାସ୍ତ୍ରରେ ତେଲବାହ)
ନଦୀ
ଓ ଜୀର୍ଣ୍ଣ ନଦୀ ର ମିଳନ ଘଟିଛି
।
ସଙ୍ଗମ ସ୍ଥଳରେ ମହାନଦୀ ସମୁଦ୍ର
ପରି ପ୍ରଶସ୍ତ ।
ତେବେ ସୋନପୁର ଓ ମହାନଦୀର ସମ୍ପର୍କ
କେବଳ ସୋନପୁର ସହର ଭିତରେ ସୀମିତ
ନୁହଁ ।
ହୁମା ପରେ ପରେ ମହାନଦୀ ସୁବର୍ଣ୍ଣପୁର
ଜିଲ୍ଲାର ସୀମା କୁ ଛୁଏଁ ।
ତାପରେ ବିନିକା । ଇତିହାସରେ
ବିନିକା ବିନିତାଶ୍ୱପୁର ନାମରେ
ପରିଚିତ।
ସୁବର୍ଣ୍ଣପୁର ସୋମବଂଶ ର ରାଜା
ଯଯାତି କେଶରୀଙ୍କ ରାଜଧାନୀ ହେବା
ପୁର୍ବରୁ ବିନିକା ଅଳ୍ପ ସମୟ ପାଇଁ
ସୋମ ବଂଶ ର ରାଜଧାନୀ ଥିଲା । ଜନଶୃତି
ଅନୁସାରେ ଗଙ୍ଗ ବଂଶର ରାଜା ଦ୍ୱିତୀୟ
ଅନଙ୍ଗଭୀମ ଦେବ ଏକ ଦୁରାରୋଗ୍ୟ
ବ୍ୟାଧିରେ ପୀଡିତ ଥିଲେ ।
ବ୍ୟାଧିରୁ ମୁକ୍ତି ପାଇବା ଲାଗି
ସେ ତୀର୍ଥାଟନ କରୁଥିବା ସମୟରେ
ବିନିକା ନିକଟବର୍ତ୍ତୀ ମହାନଦୀରେ
ସ୍ନାନ କରନ୍ତେ ତାଙ୍କର ବ୍ୟାଧି
ହରଣ ହୋଇଥିଲା । ଉକ୍ତ ସ୍ଥାନ ରେ ରାଜାଙ୍କ ପାପ
ରହିଗଲା ବୋଲି ନିକଟସ୍ଥ ଗ୍ରାମର
ନାଁ “ରହିଲା” ଓ ଉକ୍ତ ଘାଟର ନାମ
“ପାପକ୍ଷୟ ଘାଟ”
।
ସୂର୍ଯ୍ୟ ପରାଗ ଓ ଚନ୍ଦ୍ର ଗ୍ରହଣ
ସମୟରେ ଏହି ଘାଟରେ ହଜାର ହଜାର ଭକ୍ତ ବୁଡ଼ ପକାଇବା ସହିତ
ନିକଟସ୍ଥ ପ୍ରାଚୀନ ବରଗଛର ସଙ୍କୀର୍ଣ୍ଣ ସନ୍ଧିରେ ବେଢା ବୁଲନ୍ତି
।
ବିନିକାରୁ ସୋନପୁର ପର୍ଯନ୍ତ
ମହାନଦୀକୁ ଚିତ୍ରୋତ୍ପଳା ଗଙ୍ଗା
ବୋଲି କୁହାଯାଏ ।
“କଲୌ ଚିତ୍ରୋତ୍ପଳା ଗଙ୍ଗା” ବୋଲି
ଏଇଠି ବିବେଚିତ ।
ମହାଶିବ ଗୁପ୍ତ ଯଯାତି - ପ୍ରଥମ
(ଖ୍ରୀ.
୮୮୫-୯୨୮)
ବିନିକା
ବା ରାଜଧାନୀ ବିନିତପୁରରୁ ଘୋଷିତ
ତାଙ୍କର ଏକ ତାମ୍ର ଶାସନରେ ମହାନଦୀର
ଚମତ୍କାର ବର୍ଣ୍ଣନା କରିଛନ୍ତି
–
ମହାନଦୀ
ତୁଙ୍ଗ ତରଙ୍ଗ ଭଙ୍ଗ ସ୍ଫାରୋଛଳଛୀକର
ବଦଭିରାରାତ
ଯସ୍ମିନ୍
ରତାସିକ୍ତ ମଦନ୍ଗନାନାଂ ଶ୍ରାମାପନୋଦଃ
କୃୟତେ ମରୁଦଭିଃ ।
ମହାନଦୀର ତରଙ୍ଗ ପ୍ଲାବିତ କୂଳ ରତିମଗ୍ଣ
ନାୟକ ନାୟିକାଙ୍କର ବିହାର ସ୍ଥଳ
ଥିଲା ବୋଲି କୁହାଯାଇଛି ।
ବହୁ
କାହାଣୀ,
କିମ୍ବଦନ୍ତି ଓ ଜନଶୃତି ର ପ୍ରବାହ ମହାନଦୀରେ।
ନଦୀକୁ ନେଇ ଗଢି ଉଠିଛି ଜନଜୀବନ
ଓ ଜୀବନବୋଧ । ଇତିହାସ
କେବଳ ନୁହଁ,
ଏକ
ନିରବଛିନ୍ନ ଜୀବନ ପ୍ରବାହର ସାକ୍ଷୀ
ହେଉଛି ମହାନଦୀ ।
ନଦୀ କୁଳରେ ଗଢିଉଠିଥିବା ସର୍ବ
ପୁରାତନ ସହର ଭାବରେ ସୋନପୁରର
ଗୁରୁତ୍ୱ ରହିଛି ।
ସୋନପୁର ହେଉଛି ଓଡିଶାର ଏକମାତ୍ର
ସହର ଯାହାର ୧୫୦୦ ବର୍ଷର ଲିଖିତ
ଇତିହାସ ବିଦ୍ୟମାନ ।
ବୌଦ୍ଧ,
ଜୈନ,
ଶୈବ,
ତନ୍ତ୍ର,
ଅଘୋର,
ମତ୍ତ
ମୟୂର,
ସୌର
ଓ ବୈଷ୍ଣବ ମତର ମହା ସଙ୍ଗମ ଘଟିଛି
ସୋନପୁର ସହରରେ ।
ଦିନ ଥିଲା,
ସୋନପୁର
ର ରାମେଶ୍ୱର ମହାଶ୍ମଶାନ ଅଘୋର
ତନ୍ତ୍ର ସାଧନାର ଏକ ପ୍ରସିଦ୍ଧ
ପୀଠ ଥିଲା।
ବହୁ ଅଘୋରୀ ସାଧକ ଏହି ଶ୍ମଶାନରେ
ସାଧନା କରୁଥିବାର ଦୃଶ୍ୟ ଆଜି
ହୁଏତ ଆଉ ନାହିଁ । ତେବେ
ତନ୍ତ୍ର ସାଧନାର ବହୁ ସ୍ମୃତି ଓ
ସନ୍ତକ ମହାନଦୀର ବୁକୁରେ ଆଜି
ମଧ୍ୟ ଅଲିଭା ହୋଇ ରହିଛନ୍ତି ।
ସୋନପୁରର ସବୁ ବାଟ ମହାନଦୀ ଘାଟରେ
ସରିଥାଏ ।
ସେମିତି ସୋନପୁରର ପ୍ରତ୍ୟେକ
ବାସିନ୍ଦାଙ୍କ ସ୍ବପ୍ନ,
ସୃଜନ
ଓ କଳ୍ପନା ର ମହାସଙ୍ଗମ ହୁଏ ମହାନଦୀରେ ।
ନଦୀର ପ୍ରତ୍ୟେକ ପଥର ଓ ପ୍ରତିଟି
ବାଲିପଠାର ନିର୍ଦ୍ଦିଷ୍ଟ ନାଁ
ରହିଛି ।
ସବୁ ପଥରକୁ ନେଇ ରହିଛି କାହାଣୀ
ଓ କିମ୍ବଦନ୍ତି ।
ଯେମିତି ରାମେଶ୍ୱର ମନ୍ଦିର
ସାମ୍ନାରେ ହାତୀ ପରି ଶୋଇ ରହିଥିବା
ସେ ପଥର -
ଲୋକ
କଳ୍ପନାରେ ହାତୀ ପଥର ।
ବଢି ପାଣିରେ ଏଇ ପଥର କେବେବି ବୁଡ଼େ ନାହିଁ ।
ରାଜା ଘରର କେଉଁ ଦୁର୍ଦ୍ଦାନ୍ତ
ହାତୀ କେତେ ଶହ ବର୍ଷରୁ କେଜାଣି
ପଥର ହୋଇ ପଡି ରହିଛି ମହାନଦୀରେ । ସେମିତି
ଅଛି ବାଘ ପଥର,
ତମ୍ବୁ
ପଥର ଓ ଆହୁରି ଅନେକ ।
ସୋନପୁର
ଅଷ୍ଟ ଶମ୍ଭୁ,
ଅଷ୍ଟ
ଚଣ୍ଡି ଓ ଅଷ୍ଟ ବିଷ୍ଣୁ ର ସହର।
ମହାନଦୀ କୁଳରେ ସବୁ ଦେବାଦେବୀ
।
ଦୁଇଟି ଶ୍ମଶାନର ବନ୍ଧନୀ ଭିତରେ
ସୋନପୁରର ଅସ୍ତିତ୍ୱ ।
ପଶ୍ଚିମ ଶ୍ମଶାନର ଅଧିପତି
ଗୋକର୍ଣ୍ଣେଶ୍ୱର,
ସେଠୁ
ଅତି ଅଳ୍ପ ଦୂରରେ ମୁସଲମାନଙ୍କ
କବରଖାନା ।
ମୃତ୍ୟୁ ଏଠି ମଣିଷର ସଙ୍କୀର୍ଣ୍ଣ
ପରିଚୟକୁ ଭାଙ୍ଗି ଦିଏ । ମଲା
ପରେ ମଣିଷ ମାଟି ନଚେତ ପାଉଁଶ
!
ଏକ
ଉଦାର ଦାର୍ଶନିକତାର ଶ୍ମଶାନମୟୀ
ସହର,
ଯାହାର
ଆରମ୍ଭ ଓ ସମାପ୍ତି ଶ୍ମଶାନରେ ।
ପୁର୍ବ ଶ୍ମଶାନର ଅଧିପତି ରାମେଶ୍ୱର
।
ସେ ମହାସଙ୍ଗମର ମହାକାଳ ।
ଦୁଇ ଶ୍ମଶାନର ମଝିରେ ଅନେକ ଅନେକ
ଘାଟ ଓ ତୁଠ ।
“କୋଶଳାନନ୍ଦ” କାବ୍ୟର ମହାକବି
ପଣ୍ଡିତ ଗଙ୍ଗାଧର ମିଶ୍ର ସୋନପୁରକୁ ଦ୍ବିତୀୟ ବାରାଣସୀ ବୋଲି
କହିଛନ୍ତି (ତତଃ
ସ୍ବର୍ଣ୍ଣପୁରୀ ପାଦୌ ପୂର୍ଣ୍ଣକାମୀ
ମନୋରଥିଃ,
ସାକ୍ଷାତ
ବାରାଣସୀ ଯୁକ୍ତଂ ପରିତଃ
ସଶିବୈଃଶିବୈଃ) । ତେଣୁ
ଶିବ ଓ ଶିବାଙ୍କର ବିଚରଣ ମହାନଦୀ
କୁଳରେ ସବୁଠି ।
ସୋନପୁରର ଘାଟ ସବୁ ବିଚିତ୍ର ।
ସବୁ ଘାଟ ସହ ଗୋଟେ ଗୋଟେ ମନ୍ଦିର ।
ଘାଟକୁ ଲାଗି କାରିଗର ପଡ଼ା ବା
ସାହି ।
ଘାଟ ଶ୍ରେଣୀ ଆରମ୍ଭ ହୁଏ ଗୋକର୍ଣ୍ଣେଶ୍ୱର
ଘାଟ ରୁ ।
ତାହା ପରେ ମତ୍ସିନ୍ଦ୍ର ଘାଟ -
ବିଖ୍ୟାତ
ନାଥ ଯୋଗୀ ମତ୍ସିନ୍ଦ୍ର ନାଥ ଏଠି
ସାଧନା କରିଥିଲେ ବୋଲି କୁହାଯାଏ
। ତା ପରେ
ଧୋବା ଘାଟ,
ଘୋଡା
ଘାଟ,
ଗୌରୀ
ଘାଟ,
ଦଶମତି
ଘାଟ,
ରାଜ
ଘାଟ,
ଗୋପାଲଜୀ
ଘାଟ,
ଖଣ୍ଡାଧୁଆ
ଘାଟ, ଟିକିରୀପଡା
ଘାଟ,
ତେନ୍ତୁଳି
ଘାଟ,
ବ୍ରାହ୍ମଣୀ
ଘାଟ,
ତଲପଡା
ଘାଟ,
ଭାଗବତ
ଘାଟ,
କୁମ୍ଭାର
ଘାଟ,
ଆମ୍ବ
ଘାଟ,
ପାଚେରୀ
ଘାଟ ଓ ଶେଷରେ ରାମେଶ୍ୱର ଘାଟ । ସବୁ
ଘାଟ ସହ ଇତିହାସ ଓ କିମ୍ବଦନ୍ତି
ଯୋଡି ହୋଇ ରହିଛନ୍ତି ।
ପାଚେରୀ ଘାଟର ପଥର ତଳେ ଅନେକ
ମୁର୍ତ୍ତି ଓ ଦେବୀ ଦେବତା ।
ସେମିତି ରାମେଶ୍ୱର ସମ୍ମୁଖରେ
ଏକ ବିଶାଳ କଳା ରଙ୍ଗର ଚଟାଣ -
କାଲେଶ୍
ଟାଙ୍ଗର ।
ବହୁ ପ୍ରାଚୀନ ଚିତ୍ର ଓ ସ୍ଥାପତ୍ୟ
ରହିଛି ସେଠି ।
ଲୋକଶୃତିରେ ସେଠି ତୃତୀୟ ପାଣ୍ଡବ
ଭୀମଙ୍କ ପାଦଚିହ୍ନ ରହିଛି ।
ରହିଛି ମଧ୍ୟ ସୀତା ଓ ରାମ ନିଜ
ପୂର୍ବ ପୁରୁଷଙ୍କୁ ପିଣ୍ଡଦାନ
ଦେଇ ଥିବାର ସନ୍ତକ । ଏହି
ଶିଳା କୁ ଲକ୍ଷ୍ୟ କରି “ତପସ୍ୱିନୀ”
ରେ ଗଙ୍ଗାଧର ମେହେର ଲେଖିଥିଲେ –
ମହାନଦୀ
ମହାନଦୀର ମହା ପ୍ରବାହ ଆସି
ରାମେଶ୍ୱର
ଶିଳା ସବୁକୁ ଦେଲେ ସଶିରେ
ଗ୍ରାସି। (ଦ୍ୱିତୀୟ
ସର୍ଗ)
ମହାନଦୀର ପ୍ରବାହ ଚିରି କେବେ ଦିନେ ଯବନ
ଗୋଳରୁ ରକ୍ଷା କରିବାକୁ ମହାପ୍ରଭୁ
ଜଗନ୍ନାଥ ଚାପରେ ବିଜେ ହୋଇ ଆସିଥିଲେ
ସୋନପୁରଠୁ ଅଳ୍ପ ଦୂରରେ ଅବସ୍ଥିତ
କୋଟ ସମଲାଇ ଗୁମ୍ଫାକୁ । ନିଳାଦ୍ରୀ
ମହୋଦୟ ଗ୍ରନ୍ଥ ଯାହାକି ଜଗନ୍ନାଥ
ମନ୍ଦିର ସେବା ପୂଜାର ଶ୍ରେଷ୍ଠ
ସୂଚନା ପୁସ୍ତକ ସେଥିରେ ସୋନପୁର
ସ୍ଥିତ ମହାନଦୀର ବର୍ଣ୍ଣନା କରି
ଏହାକୁ ସାକ୍ଷାତ ଗଙ୍ଗା ବୋଲି
ମାନ୍ୟତା ପ୍ରଦାନ କରାଯାଇଛି ।
“ମହାନଦୀ ବିଖ୍ୟାତା ପୂର୍ବ ସାଗର
ଗାମିନୀ,
ବର୍ତ୍ତତେ
ପୃଥିବୀନାଥ,
ଗଙ୍ଗେବଃ
ମୁକ୍ତିଦାୟିନୀ ‘’ ।
ଇତିହାସ
ଓ ମଣିଷ ସଭ୍ୟତାର ବିକାଶଧାରାକୁ
ମହାନଦୀ ତାର ପ୍ରବାହରେ ପ୍ରତିବିମ୍ବିତ
କରି ଚାଲିଛି । ସୋନପୁର
ମହାନଦୀ ଗର୍ଭରେ ରହିଥିବା ଏକ
ପ୍ରାଚୀନ କୁଦ “ଅସୁରଗଡ” ର
ପ୍ରତ୍ନତାତ୍ତ୍ୱିକ ଖନନରୁ ସେଠାରେ
ଏକ ବହୁ ପ୍ରାଚୀନ ସଭ୍ୟତାର ସନ୍ଧାନ
ମିଳିଥିଲା । ଏକଦା
ଏହାକୁ ଲଙ୍କା, ପଶ୍ଚିମ
ଲଙ୍କା, କାମିତାପୁର
ଇତ୍ୟାଦି ନାମରେ ନାମିତ କରାଯାଇଥିବାର
ପ୍ରମାଣ ମିଳିଥାଏ ।
ସବୁ ଐତିହାସିକ ଉପାଦାନର ବିଶ୍ଲେଷଣ
ତ ଚାଲିଛି ଓ ଚାଲିଥିବ,
ତେବେ
ମହାନଦୀ ତାହାର ଅନ୍ତହୀନ ପ୍ରବାହରେ
ଶାଶ୍ୱତ କାଳର କବିତାକୁ ପ୍ରତି
ମୁହୂର୍ତ୍ତରେ ନୂଆ କରି ଛନ୍ଦାୟିତ
କରୁଥିବ ।
ମହାନଦୀର ପାଣିକୁ ଛୁଇଁ ଜଣେ ସିଦ୍ଧ
କବିର ବଜ୍ରବାଣୀ କେବେବି ଲିଭିବାର
ନାହିଁ -
ସେଦିନ
ମହାନଦୀ ଜଳକୁ ଛୁଇଁ ମାଟିର ମହାକବି
ଭୀମ ଭୋଇ ଲେଖିଥିଲେ -
"କହୁଛି
ସଂସାରେ ସତୈଶ ଅଙ୍କରେ ସାଧନ ନୋହିଲେ
ପୃଥ୍ବୀ
ନିଷ୍ଠୁର
ବଚନ ସାଧୁ ସୁଜ୍ଞଜନ ଶୁଣ ଶୁଣ ମୋର
ରୀତି
ବସିଥାଇ
କୂଳ ମହାନଦୀ ଜଳ ଛୁଉଁ ଅଛି ସତ୍ୟ
କରି
ଧର୍ମକୁ
ଲଙ୍ଘି ସୁରାପାନ କରିବି ହରିବି
ବ୍ରାହ୍ମଣ ସ୍ତିରୀ ।"
(ସ୍ତୁତି
ଚିନ୍ତାମଣି -୨୬
ବୋଲି )
ଭୀମ
ଭୋଇଙ୍କ କବିତାରେ ମହାନଦୀ ଭିନ୍ନ
ଭିନ୍ନ ରୂପ ପରିଗ୍ରହ କରିଛି । କେତେବେଳେ
ସେ ମହାସତ୍ୟର ସାକ୍ଷୀ,
ପୁଣି
କେବେ କବିତାର ସୁତୀବ୍ର ପ୍ରବାହ।
ତାଙ୍କ ପ୍ରାର୍ଥନାରେ –
"ସାର
ଅସାର ଦୁତିୟ ପରକାର ବାତ୍ସଲ୍ୟରେ
ପଦ ବସୁ
ବରଷା
ଋତୁ ରେ ମହାନଦୀ ପ୍ରାୟ ପଦ ଅର୍ଥ
ବଢି ଆସୁ ।"
(ସ୍ତୁତି
ଚିନ୍ତାମଣି -
୩୦
ବୋଲି )
ଭୀମ
ଭୋଇ ଓ ଆହୁରି ବହୁ ସନ୍ଥ ସିଦ୍ଧ
କବିଙ୍କର କାବ୍ୟ ସାଧନାର ସାକ୍ଷୀ
ମହାନଦୀ ।
ସୋନପୁରର ଅନ୍ୟତମ ସନ୍ଥ କବି ତଥା "ସୁଧାସାର ଗୀତା"ର କବି ଚନ୍ଦ୍ରମଣି
ଦାସ,
ରାଜକବି
ପ୍ରତାପରୁଦ୍ର ଦେବ,
ଦାମୋଦର
ମିଶ୍ର ଶାସ୍ତ୍ରୀ,
ଗୋପୀନାଥ
ପାଣିଗ୍ରାହୀ,
ଆଦିତ୍ୟ
ପ୍ରସାଦ ଗୁରୁ ଓ ଆହୁରି ଅନେକ
ମହାନଦୀକୁ ନେଇ ନିଜର କାବ୍ୟ
ପ୍ରେରଣାକୁ ଆବିଷ୍କାର କରିଛନ୍ତି
। ସୋନପୁରର ରାଜା ପ୍ରତାପରୁଦ୍ର ଦେବ
(୧୮୫୩-୧୯୦୨)
ତାଙ୍କର
ମହାନଦୀ ଅଷ୍ଟକମ୍ ରେ ଏହାର ଚମତ୍କାର
ବର୍ଣ୍ଣନା କରିଯାଇଛନ୍ତି।
ମହାନଦୀ
ରାଜାକୁ ରାଜ୍ୟଜୟର ମନ୍ତ୍ର
ଦେଇଛି,
ଋଷିକୁ ଦେଇଛି ମୋକ୍ଷ,
ଅଘୋରୀକୁ
ଜୀବନ୍ମୁକ୍ତ ହେବାର କଳା ଶିଖେଇଛି,
ନର୍ତ୍ତକୀର ପାଦରେ ଛନ୍ଦ ହୋଇ ଖେଳିଛି ମହାନଦୀର ପ୍ରବାହ ।
ସୋନପୁରର ବୁଣାକାର ନିଜ ମଙ୍ଗାରେ ମହାନଦୀର ତରଙ୍ଗକୁ ବାନ୍ଧ ଓ
ରଙ୍ଗଭେଦରେ ଜୀବନ୍ତ କରିଛି।
ସୋନପୁରର ଚିତ୍ରକାର ନଦୀରୁ,
ତାର
ଶିଳାରୁ ସଙ୍ଗ୍ରହ କରିଛି ରଙ୍ଗ ।
ସବୁକିଛିରେ ନଦୀ ଅଛି,
ସବୁ
କିଛି ନଦୀରେ ସମାହିତ ହୋଇ ଯାଇଛି ।
ପ୍ରଖର ବଢି ପାଣିରେ ଯେତେବେଳେ
ନାଉରିଆ ମଙ୍ଗ ସମ୍ଭାଳି ପାରେ ନାଇଁ,
ସେତେବେଳେ
ମହାନଦୀ ତା ଲାଗି ପାଲଟି ଯାଏ ମା ଲଙ୍କେଶ୍ୱରୀ ।
ମହାନଦୀର ଏକ ଅକାତକାତ ଗଣ୍ଡ ରହିଛି
ସୋନପୁରରେ ଓ ସେଇ ଗଣ୍ଡରେ ବିରାଜିତ
ଦେବୀ ଲଙ୍କେଶ୍ୱରୀ ।
ସେ ସ୍ୱୟଂ ମହାନଦୀ ସ୍ୱରୂପା ।
ତାଙ୍କର ରୂପ କି ବିଗ୍ରହ ନଥିଲା ।
ଏବେ ମହାନଦୀ ମଝିରେ ତିଆରି ହୋଇଛି
ଏକ ସୁନ୍ଦର ଦେଉଳ ।
ମହାନଦୀ ସେଠି ଜୀବନ ଓ ଜୀବିକାର
ଦେବୀ । ବହୁ
ରୂପ ଓ ସ୍ୱରୂପ ରେ ମହାନଦୀକୁ
ସୋନପୁର ଦେଖିଛି ।
ସେମିତି ସୋନପୁରକୁ ମଧ୍ୟ ମହାନଦୀ
ଦେଖିଛି ବହୁ ରୂପ ଓ ଐଶ୍ୱର୍ଯ୍ୟରେ । କେବେ ସୋମବଂଶର ରାଜଧାନୀ,
କେବେ
ମହାରାଣୀ ଲକ୍ଷ୍ମିଂକରାଙ୍କ ବଜ୍ରଯାନ
ତନ୍ତ୍ରର ତପୋଭୂମି ଭାବରେ,
କେବେ
ପୁଣି କିଶୋର କାହ୍ନୁଚରଣ ଓ ଗୋପୀନାଥ
ମହାନ୍ତିଙ୍କ ପ୍ରେରଣାଦାୟିନୀ
ଭାବରେ -
ଅନେକ
ଅନେକ ବର୍ଷ ପରେ ପୃଥିବୀର ଏକମାତ୍ର
ସହର ଯେଉଁଠି ଜନସଂଖ୍ୟା କମି
ଯାଉଥିବାର ଏକ ବିରଳ ପ୍ରତୀକ
ଭାବରେ;
ସୋନପୁର ଓ ମହାନଦୀ ପରସ୍ପରକୁ ନିବିଡ ଭାବରେ
ଧରି ରଖିଛନ୍ତି ନିଜ ନିଜର ବାହୁ
ବନ୍ଧନରେ ।
ମର୍ ସୋନପୁର ମତେ ସୁନ୍ଦର ମୁଁ ବହୁତ୍ ଭଲ ପାଏ ମୋର ସୋନପୁର କେ ।
ReplyDelete