ସ୍ୱାଧୀନତା ଆନ୍ଦୋଳନର ଗୀତ - 'ଫୁଟାଇବୁ ଆଜି ରକ୍ତ ପ୍ରଭାତ'
ଅନନ୍ତ ପଟ୍ଟନାୟକ (୧୯୧୦-୧୯୮୭)
![]() |
ଜେଲ ବାହାରେ ମିରଟ କାଣ୍ଡର ବନ୍ଦୀ |
ଜୀବନ ଧରି ହେ ଢ଼ାଳିଲୁ ରକ୍ତ ତୋଳିଲୁ ସଉଧ ମାଳା,
ଆମରି ଲାଗିରେ ଶାସନ ଶକ୍ତ, ଆମେଇ ସର୍ବହରା ।
ଝାଞ୍ଜିପବନ ସହିରେ ସଘନ ଗହୀରେ ରୋଇଲୁ ଧାନ,
ବରଷା କାଦୁଅ ଚକଟି କେତେରେ ଖିନ୍ନ କରିଲୁ ପ୍ରାଣ ।
ପଉଷ ପ୍ରଭାତେ କାଟିଲୁ ଶସ୍ୟ ହସିଲେ ନିଖିଳବାସୀ,
ଶକ୍ତିଶାଳୀର କରାଳ କବଳ ନେଲାରେ ସକଳ ଗ୍ରାସୀ ।
କେତେ ଯେ ଦେଏଣା କେତେ ଯେ ପାଉଣା ମହାଜନ ଜମିଦାର,
ନେଲେଟି ଶୋଷିରେ ଚାହିଁଲୁ ନୀରବେ ଘେନି କଙ୍କାଳ ମାଳ ।
ସନ୍ତାନ ଆମ ଆମରି ଆଗରେ ଶମଶାନେ ପଡ଼େ ଟଳି,
ମୂକ ପାଷାଣର ପରାଣ ବହିରେ ରହିଛୁ ସଭୟେ ଥରି ।
ଯେ ଯୁଗେ ମାନବ ଉଡ଼ଇ ଆକାଶେ ବୁଡ଼ଇ ସାଗର ଜଳେ,
ସେ ଯୁଗେ ଆମେ ରେ ହା ଅନ୍ନ ହା ଅନ୍ନ ଡାକିବୁଲୁ ନତ ଶିରେ ।
ଭାଗ୍ୟ ଆଦରି ଦେଉଳ ଦୁଆରେ ମୁଣ୍ଡ ପିଟୁରେ ବସି,
କର ଭାର ସହି ଦୀନ ଦୁର୍ବଳ ନ ପାରୁ ଜୀବନେ ହସି ।
ଆମେଇ ଗଢ଼ିଲୁ ବନ୍ଧୁକ ତୋପ ତରବାରୀ ଆମ ପାଇଁ
ଆମେଇ ତୋଳୁରେ କାରାର ପ୍ରାଚୀର ବନ୍ଧନ ଗୀତ ଗାଇ ।
ସମାଜର ଶତ ଶୃଙ୍ଖଳ ଜାଲେ ଛନ୍ଦି ଆପଣା ଛାଏଁ,
ଆଲୋକର ପଥ ରୁଦ୍ଧ କରୁ ରେ ଯୁଗଯୁଗାନ୍ତର ଯାଏଁ ।
ପୁଞ୍ଜିତ ରୋଷେ ବଞ୍ଚିତ ଆମେ ଦୀପ୍ତ ଚେତନା ବହି,
ନ ବୁଲିବୁ ଆଉ ଭିକ୍ଷୁକ ବେଶେ ଦୁଃଖ ବେଦନା ସହି ।
ପ୍ରାପ୍ୟ ଆମର ନେବୁରେ ମୁକର ଆମେ ଶ୍ରମିକର ଜାତି,
ଫୁଟାଇବୁ ଆଜି ରକ୍ତ ପ୍ରଭାତ ଚିରି ଅନ୍ଧାର ରାତି ।
ନିଃସ୍ୱ ଯେତେକ ବିଶ୍ୱର କୋଳେ ସକଳ ଶ୍ରମିକ ଚାଷୀ,
ମିଳିତ ହୁଅରେ ଆମରି ସଙ୍ଗେ ଶଙ୍କା ଜଡ଼ତା ନାଶି ।
ଥରୁରେ ଧରଣୀ ଆକାଶ ପବନ ଥରୁରେ ଶୋଷକ କୁଳ,
ହସିଉଠୁ ଆଜି ସମତା ଜଗତେ ଭାଜୁରେ ପାହାଡ଼ ଚୂଳ ।
No comments:
Post a Comment