ମହିମା ଭକ୍ତି କବିତା - 'କ୍ଷଣେ ନ ଛାଡ଼ିବି ପାଦ'
କବି - ଭୀମ ଭୋଇ
କ୍ଷଣେ ନ ଛାଡ଼ିବି ପାଦ,
ଅଣବୁଝାମଣା ହେଲେ କରିବି ପ୍ରମାଦ ।ଘୋଷା।
ଦେବକୂଟ ବିଷ୍ଣୁକୂଟ ଲାଗିଛି ବିବାଦ,
ମନ ଭୟରେ ତବଦ,
ମାୟା କାଳକୂଟ ଡାକ ପଡ଼ୁଛି [ଶବଦ] ।୧।
ନିର୍ଦ୍ଦୋଷେ ଦୋଷ ଲଗାଇ କଲେଣି ବିଚ୍ଛେଦ,
ଦଣ୍ଡ ଶାସ୍ତି ଦେଇ ଖେଦ,
ୠକ, ସାମ, ଯଜୁ ସାକ୍ଷ ଥାନ୍ତୁ ଚାରିବେଦ ।୨।
ରଖ ବା ନ ରଖ ମହୀ ଭକ୍ତକୂଳ ସିଦ୍ଧ,
ଦୁଷ୍ଟେ କରୁଛନ୍ତି ବାଦ,
ନ ସଂହାରି ଦେଉଅଛ ଇନ୍ଦ୍ର ଚନ୍ଦ୍ରପଦ ।୩।
ପାଳନ କରୁଛ ମ୍ଲେଚ୍ଛ ଘୁଷୁରି ଯେ ଗଧ,
ସୁଖ ଭୋଗରେ ଆନନ୍ଦ,
ଗରବିତା ପଣେ ଉପହାସେ ଗଦଗଦ ।୪।
ଲୁଚିଅଛି ସ୍ୱାମୀ ଲତା ବନ ଗିରିକନ୍ଦ,
ଦେଇ ଏକାକ୍ଷର ପଦ,
ଦୈତ୍ୟ ସଙ୍ଗତେ ଭକ୍ତଙ୍କୁ କରାଉଛ ଯୁଦ୍ଧ ।୫।
ସ୍ୱର୍ଗ ମର୍ତ୍ତ୍ୟ ପାତାଳ ତ୍ରିପୁର କର ସାଧ୍ୟ,
ନାମ ମହିମା ଅଗାଧ,
କହେ ଭୀମଭୋଇ କର ଏକଠାରେ ମେଦ ।୬।
କହେ ଭୀମଭୋଇ କର ଏକଠାରେ ମେଦ ।୬।
No comments:
Post a Comment