Wednesday, March 22, 2017

ଚିତ୍ର ପୁରାଣ

ଅନୁବାଦ – ବିଶ୍ୱଜିତ ଆପଟ

ଭୀମାୟନରୁ ଫର୍ଦ୍ଦେ 

ପୁସ୍ତକ : ‘ଏ ଗାର୍ଡନର୍ ଇନ୍ ଦ ୱେଷ୍ଟଲାଣ୍ଡ୍’

ଲେଖକ: ଶ୍ରୀବିଦ୍ୟା ନଟରାଜନ ଅପରାଜିତା ନିନାନ୍
ପ୍ରକାଶକ: ନବାୟନ
ପୃଷ୍ଠା : ୧୨୮
ମୂଲ୍ୟ: ୨୨୦ ଟଙ୍କା
ପ୍ରକାଶନ ସମୟ : ୨୦୧୧

ପୁସ୍ତକ : ‘ଭୀମାୟନ : ଏକ୍ସପେରିଏନସେସ୍ ଅଫ୍ ଅନଟଚେବିଲିଟି’
ଲେଖକ: ଦୁର୍ଗାବାଇ ବ୍ୟାମ, ସୁଭାଷ ବ୍ୟାମ୍, ଶ୍ରୀବିଦ୍ୟା ନଟରାଜନ ଓ ଏସ୍. ଆନନ୍ଦ
ପ୍ରକାଶକ: ନବୟାନ
ପୃଷ୍ଠା : ୧୦୬
ମୂଲ୍ୟ: ୩୯୫ ଟଙ୍କା
ପ୍ରକାଶନ ସମୟ : ୨୦୧୧

ସମୀକ୍ଷାର ପରିସରରେ ଥିବା ଉଭୟ ପୁସ୍ତକ ଚିତ୍ରାତ୍ମକ ଅଟନ୍ତି । ଉଭୟ ପୁସ୍ତକ ଦିଲ୍ଲୀସ୍ଥିତ ପ୍ରକାଶନ ସଂସ୍ଥା ନବାୟନ ଦ୍ୱାରା ପ୍ରକାଶିତ ତଥା ଐତିହାସିକ ବ୍ୟକ୍ତିତ୍ୱମାନଙ୍କ ଉପରେ ପର୍ଯ୍ୟବେସିତ । ଏହି ବ୍ୟକ୍ତି ଦୁଇ ଜଣ ହେଲେ ଜ୍ୟୋତିରାଓ ଫୁଲେ ଓ ଭୀମରାଓ ଆମ୍ବେଦକର । ଦୁହେଁ ଔପନିବେଶିକ ଓ ଉତ୍ତର-ଔପନିବେଶିକ ଭାରତରେ ଜାତି ସମ୍ବନ୍ଧୀୟ ଚିନ୍ତନ ଓ କାର୍ଯ୍ୟକଳାପ ଗୁଡିକୁ ପ୍ରଭାବିତ କରିଥିଲେ ।


ଏ ଗାର୍ଡନର୍ ଇନ୍ ଦ ୱେଷ୍ଟଲାଣ୍ଡ୍’ (ଏଗାଇଦୱେ) ମହାରାଷ୍ଟ୍ରର ମହାନ ସମାଜ ସଂସ୍କାରକ ଜ୍ୟୋତିରାଓ ଗୋବିନ୍ଦରାଓ ଫୁଲେଙ୍କର ଜାତିପ୍ରଥା ବିରୋଧୀ ପୁସ୍ତକ ‘ଗୁଲାମଗିରି ଉପରେ ପର୍ଯ୍ୟବେସିତ ଅଟେ । ‘ଭୀମୟାନ’ ହେଉଛି ଦଳିତ ଦିଗଦ୍ରଷ୍ଟା, ଚିନ୍ତାନାୟକ, ସ୍ୱାଧୀନ ଭାରତର ପ୍ରଥମ ଆଇନ ମନ୍ତ୍ରୀ, ଭାରତୀୟ ସମ୍ବିଧାନର ଚିଠା ପ୍ରସ୍ତୁତକାରୀ କମିଟିର ଅଧ୍ୟକ୍ଷ ଡ. ଭୀମରାଓ ରାମଜୀ ଆମ୍ବେଦକରଙ୍କ ଜୀବନର କେତେକ ମହତ୍ତ୍ୱପୂର୍ଣ୍ଣ ଘଟଣାର ଏକ ଚିତ୍ରାତ୍ମକ ପୁନର୍କଥନ ।

ବୋଧହୁଏ ଆମ୍ବେଦକରଙ୍କ ଜୀବନ ଉପରେ ‘ଭୀମାୟନ’ ହେଉଛି ପ୍ରଥମ ଏପରି ବହି । ବସନ୍ତ ମୁନଙ୍କ ଦ୍ୱାରା ସମ୍ପାଦିତ ପୁସ୍ତକମାଳା ‘ବାବାସାହେବ ଆମ୍ବେଦକର : ରାଇଟିଙ୍ଗସ୍ ଆଣ୍ଡ ସ୍ପିଚେସ୍ ‘ ର ୧୨ତମ ଭାଗରେ “ୱେଟିଙ୍ଗ ଫର୍ ଏ ଭିଜା” ଶୀର୍ଷକ ଲେଖାଟିଏ ରହିଛି । ଏହି ଲେଖାରୁ ଆମ୍ବେଦକରଙ୍କ ଜୀବନର କେତେକ ମହତ୍ତ୍ୱପୂର୍ଣ୍ଣ ଘଟଣା ସଙ୍ଗ୍ରହ କରି ‘ଭୀମାୟନ’ରେ ସ୍ଥାନିତ କରାଯାଇଛି । ‘ଭୀମାୟନର ପ୍ରଥମ ଭାଗରେ ଆମେ ପାଣି ସମ୍ବନ୍ଧୀୟ କେତୋଟି କାହାଣୀ ପଢ଼ୁ । ଭାରତରେ ଦଳିତମାନେ ତାଙ୍କ ପ୍ରତି ହେଉଥିବା ଭେଦଭାବକୁ କିପରି ଅନୁଭବ କରୁଥିଲେ, ଏହି କାହାଣୀଗୁଡିକ ମାଧ୍ୟମରେ ଆମେ ଜାଣିବାକୁ ପାଉ ।

ପ୍ରଥମ କାହାଣୀରେ, ବାଳକ ଭୀମ ଅନେକ ସମୟରେ ବିଦ୍ୟାଳୟରେ ଶୋଷିଲା ରହିଯାଆନ୍ତି । କାରଣ ସେ ଯେଉଁ ବିଦ୍ୟାଳୟରେ ପଢୁଥିଲେ ସେଠାକୁ ବିଭିନ୍ନ ଜାତିର ପିଲା ଆସନ୍ତି । ଭୀମ ଯେହେତୁ “ଅସ୍ପୃଶ୍ୟ”, ତାଙ୍କୁ ନିଜେ ଯାଇ ପାଣି ପିଇବାର ଅନୁମତି ନଥାଏ । ଏଣୁ ବିଦ୍ୟାଳୟ ପରିଚାରକଙ୍କୁ ଭୀମ ପାଇଁ ଝରଣାରୁ ପାଣି ଆଣିବାକୁ ପଡେ ।

ଦ୍ୱିତୀୟ କାହାଣୀରେ, ଭୀମ ନିଜ ପରିବାର ସହ ମୁମ୍ୱାଇ ନିକଟସ୍ଥ ଗୋରେଗାଁଓ ବୋଲି ଏକ ଜାଗାକୁ ଯାଉଥାଆନ୍ତି । ସେଠି କାମ କରୁଥାଆନ୍ତି ତାଙ୍କ ବାପା । ଯାତ୍ରାର କିଛି ବାଟ ପାଇଁ ତାଙ୍କୁ ଏକ ଟୋଙ୍ଗା ଦରକାର ହୁଏ । କିନ୍ତୁ ତାଙ୍କ ପରିବାର ଲୋକେ ଟୋଙ୍ଗା ଗାଡିଟିଏ ପାଆନ୍ତି ନାହିଁ । କାରଣ, କୌଣସି ଟୋଙ୍ଗା ଚାଳକ ଅସ୍ପୃଶ୍ୟମାନଙ୍କୁ ବସାଇବା ପାଇଁ ରାଜି ହୁଅନ୍ତି ନାହିଁ । ଏହି ଯାତ୍ରାରେ ସେମାନଙ୍କୁ ପାଣି ଓ ଖାଇବା ମଧ୍ୟ ଜୁଟେ ନାହିଁ । କାରଣ କେହି ହେଲେ ସେମାନଙ୍କୁ ପାଣି ଦେବାକୁ ଇଚ୍ଛୁକ ହୁଅନ୍ତି ନାହିଁ । ବାଟ ପାଇଁ ଭୀମଙ୍କ ମାଉସୀ ସେମାନଙ୍କ ନିମନ୍ତେ ଯେଉଁ ମସଲିଆ ଖାଦ୍ୟ ବାନ୍ଧି ଦେଇଥିଲେ, ତାକୁ ବିନା ପାଣିରେ ଖାଇବା କଷ୍ଟକର ହୋଇଥାଆନ୍ତା ।
ଅନେକାଂଶରେ ପାଣି, ମଣିଷ ଓ ଭେଦଭାବକୁ ନେଇ ‘ଭୀମାୟନର କଥା ସବୁ ରୂପ ପାଇଛି । ବହିଟିର ଅନେକ ପୃଷ୍ଠା ମାଛମାନଙ୍କ ଦ୍ୱାରା ଜୀବନ୍ତ ହୋଇଉଠିଛି । ଯେମିତିକି, ୫୪ ପୃଷ୍ଠାରେ ଦଳିତମାନଙ୍କ ପାଇଁ ନିଷିଦ୍ଧ ପୋଖରୀଟିଏ ଏକ ବିଶାଳ ମାଛର ରୂପ ନେଉଛି । ଏ ଚିତ୍ରଟି ରାଜସ୍ଥାନର ଚକୱାରା ଗ୍ରାମରେ ଦଳିତମାନଙ୍କ ପାଇଁ ସାର୍ବଜନୀନ ପୋଖରୀର ପାଣି ନିଷିଦ୍ଧ ହେବାର କାହାଣୀ କହେ । ୨୦୦୮ ରେ ତେହେଲକା ପତ୍ରିକାରେ ପ୍ରକାଶିତ ଖବରରୁ ଏ କାହାଣୀ ଆସିଛି । ବହିଟି ଅତୀତ ଓ ବର୍ତ୍ତମାନ ମଧ୍ୟରେ ଦୋଳାୟମାନ - ଲଣ୍ଡନ ସ୍କୁଲ ଅଫ୍ ଇକୋନମିକ୍ସ୍ ଓ କଲମ୍ବିଆ ବିଶ୍ୱବିଦ୍ୟାଳୟରେ ଶିକ୍ଷାପ୍ରାପ୍ତ ଆମ୍ବେଦକର ଜଣେ ଦଳିତ ଭାବେ ଭୋଗିଥିବା ଅପମାନ ଓ ଏବେ ଯାଏଁ ଭାରତରେ ଚାଲିଆସିଥିବା ଦଳିତ ବିରୋଧୀ ହିଂସା ଓ ଭେଦଭାବ ମଧ୍ୟରେ ବହିଟି ଗତି କରେ ।

ଦୁର୍ଗାବାଇ ବ୍ୟାମ ଓ ସୁଭାଷ ବ୍ୟାମଙ୍କ ପତିପତ୍ନୀ ଯୁଗଳବନ୍ଦୀ ବହିର କାହାଣୀଗୁଡିକୁ ନିଜ ଚିତ୍ରକଳା ମାଧ୍ୟମରେ ଚମତ୍କାର ଭାବେ ବ୍ୟାଖ୍ୟା କରିଛନ୍ତି । ସେମାନେ ଭାରତର ‘ପ୍ରଧାନ ଗଣ୍ଡ’ ସମ୍ପ୍ରଦାୟର ଲୋକ । ‘ଭୀମାୟନର ଚିତ୍ରକଳା ଗଣ୍ଡ କଳା ପରମ୍ପରାର ଅନ୍ତର୍ଭୁକ୍ତ । କଳାକାର ଜନଗଣ ସିଂହ ଶ୍ୟାମ (୧୯୬୦-୨୦୦୧) ଯାହାଙ୍କୁ ଆଧୁନିକ ଭାରତୀୟ କଳାର “ଜନଗଣ କଲାମ” ର ଜନକ କୁହାଯାଇପାରେ, ତାଙ୍କୁ ଏ ବହି ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ।


ଭୀମାୟନର ପଞ୍ଚମ ପୃଷ୍ଠାରେ ବହିର ପ୍ରଥମ ଚିତ୍ରକଳା ଦେଖିବାକୁ ମିଳେ ଓ ଏହା ହେଉଛି ଶ୍ୟାମଙ୍କର ଗୋଟିଏ ପୃଷ୍ଠାବ୍ୟାପୀ ଚିତ୍ର । ଜନଗଣ କଲାମ ଶୈଳୀରେ ଅଙ୍କିତ ଏହି ଚିତ୍ରରେ ଶ୍ୟାମଙ୍କ କାନ୍ଧଗୁଡିକରେ ବଳଦ ଦୌଡୁଛନ୍ତି, ଦେହରେ ପହଁରୁଛନ୍ତି ମାଛ । ତାଙ୍କର ଗୋଡ ଦୁଇଟିରେ ଅଙ୍କା ହୋଇଛି ଚଢେଇଟେ ଓ ହରିଣଟିଏ । ସାଧାରଣତଃ ଆମେ ପଢ଼ୁ ଯେ “କଳାକାରଙ୍କର କୃତିରେ ତାଙ୍କ ବ୍ୟକ୍ତିତ୍ୱ” ଫୁଟିଉଠେ । ‘ଭୀମାୟନ’ରେ ଆମେ ଏହି ପରମ୍ପରାର ଠିକ ବିପରୀତ କାମ ଦେଖିବାକୁ ପାଉ, ଯେମିତି ବହିଟିର ପଞ୍ଚମ ପୃଷ୍ଠାର ଏହି ଚିତ୍ରରେ । ଆମେ କଳାକାରଙ୍କର ପୋଟ୍ରେଟ ଭିତରେ ଦେଖୁ ତାଙ୍କର ସାମାଜିକ ପରିବେଶ ଓ ତାଙ୍କ କଳା ଜଗତ । ଏପରି କରିବା ଚିତ୍ରକର୍ମ ବିଷୟକୁ ନେଇ ପାଶ୍ଚାତ୍ୟ ସୌନ୍ଦର୍ଯ୍ୟବୋଧ ଓ ସାଧାରଣ ଜ୍ଞାନକୁ ଓଲଟାଇ ଦିଏ । କଳାକାରଙ୍କ କଳାକୃତିରେ ତାଙ୍କୁ ଭେଟିବା ପରିବର୍ତ୍ତେ ଆମେ ଆକ୍ଷରିକ ଅର୍ଥରେ ତାଙ୍କ ଭିତରେ, ଏ କ୍ଷେତ୍ରରେ ତାଙ୍କ ଚିତ୍ର ଭିତରେ, ତାଙ୍କର କଳାକୃତିଗୁଡିକୁ ପାଉ ।

ପାଶ୍ଚାତ୍ୟ ଗ୍ରାଫିକ ପୁସ୍ତକ ରଚନା ବିଧିର ଏପରି ଅନାଦର ଓ ଚପଳ ବୈପରିତ୍ୟ ‘ଭୀମାୟନ’ରେ ଅନେକ ଜାଗାରେ ଦେଖିବାକୁ ମିଳେ । କଥନିକାଟି ପୃଷ୍ଠାରେ ଗାର କାଟି, ପାନେଲ ଭିତରେ ଦିଆଯାଇନାହିଁ । ଗଣ୍ଡ ଚିତ୍ରକଳାର ଦିଗ୍ନ ରୂପାଙ୍କନକୁ ବ୍ୟବହାର କରି ପୃଷ୍ଠା ଭିତରେ କାହାଣୀର ଗତିଶୀଳତାକୁ ଦର୍ଶାଯାଇଛି । ଶୂନ୍ୟ ସ୍ଥାନଗୁଡିକୁ ଭରିବା ପାଇଁ ଚାଉଳ, ସୋରିଷ, ମୋଆ ଘାସର ପ୍ୟାଟର୍ଣ୍ଣମାନ ବ୍ୟବହୃତ ହୋଇଛି । ଅଧ୍ୟାୟ କ୍ରମାଙ୍କ ଥିବା ଶୀର୍ଷକଗୁଡିକ ମୂଷା, ସାପ ଓ ଅନ୍ୟାନ୍ୟ ଜନ୍ତୁଙ୍କର ରୂପ ନେଇଛନ୍ତି ।

ଗଣ୍ଡୀୟ କଳାର ସାମାଜିକ ପରିବେଶର ପ୍ରତିବିମ୍ବ ସ୍ୱରୂପ ରେଳଗାଡିଗୁଡ଼ିକ ପାଲଟି ଯାଇଛନ୍ତି ସାପ । ପୋଖରୀଗୁଡିକ ମାଛ ହୋଇଯାଇଛନ୍ତି । ଆମ୍ବେଦକରଙ୍କୁ ସ୍ୱାଗତ କଲାବେଳେ ଚାଲିଶଗାଁଓର ଲୋକଙ୍କ ହୃଦୟର ଆନନ୍ଦ ଦର୍ଶାଉଛନ୍ତି ମୟୁରମାନେ । ୧୯୫୬ରେ ତାଙ୍କ ନେତୃତ୍ୱରେ ମଣିଷ ଇତିହାସର ସମ୍ଭବତଃ ସବୁଠାରୁ ବଡ ଧର୍ମ ପରିବର୍ତ୍ତନ (ହିନ୍ଦୁରୁ ବୌଦ୍ଧ ଧର୍ମ) ସମାବେଶରେ ପାଞ୍ଚ ଲକ୍ଷ ଲୋକଙ୍କ ସହ ହାତୀ ଓ ଗାଈମାନେ ମଧ୍ୟ ଆସିଛନ୍ତି ।

ଏହି ବହି ଆମ୍ବେଦକରଙ୍କର ସ୍ମୃତିର ପୁନରୁଦ୍ଧାର ଓ ପୁନର୍ସ୍ଥାପନରେ ବ୍ରତୀ । ଆମ୍ବେଦକରଙ୍କ ସହ ତୁଳନୀୟ ଅନ୍ୟ ଭାରତୀୟ ଯଥା ଗାନ୍ଧୀ ଓ ନେହେରୁଙ୍କ ପ୍ରତିମୂର୍ତ୍ତି ସଂଖ୍ୟା ତୁଳନାରେ ଆମ୍ବେଦକରଙ୍କ ଅଧିକ ସଂଖ୍ୟକ ପ୍ରତିମୂର୍ତ୍ତି ଉନ୍ମୋଚିଚ ହୋଇଛି । ତଥାପି ସେ ଜଣେ ଦଳିତ ଆଦର୍ଶ ହୋଇ ରହିଛନ୍ତି, ଜାତୀୟ ଆଦର୍ଶ ନୁହେଁ । ଯଦିଓ ସେ ସାର୍ବଜନୀନ ସିଦ୍ଧାନ୍ତଗୁଡିକ ବଳରେ ଅସ୍ପୃଶ୍ୟତା ଓ ଜାତିଭେଦ ବିରୋଧରେ ନିଜ ସଙ୍ଗ୍ରାମ ଲଢିଥିଲେ, ତାଙ୍କୁ ଜଣେ ଦଳିତ ବୁଦ୍ଧିଜୀବୀ ଭାବେ ହିଁ ଦେଖାଯାଇଛି । ଅଦ୍ଭୁତ ଭାବରେ ଗଣ୍ଡ କଳାର ଗ୍ରାମ୍ୟ ରୀତି ଆମ୍ବେଦକରଙ୍କୁ ତାଙ୍କ ସମ୍ପ୍ରଦାୟର ଜୀବନ ଓ ଯନ୍ତ୍ରଣାରୁ ବାହାରେ ନ ରଖି, ସ୍ୱାଧୀନତାର ସାର୍ବଜନୀନ ବର୍ଣ୍ଣନାରେ ତାଙ୍କୁ ପୁନର୍ସ୍ଥାପିତ କରିଛି ।

ଏଗାଇଦୱେ’ମଧ୍ୟ ଏକ ସୁନ୍ଦର ବହି । ଅନେକ ପ୍ରକାରରେ ଏ ବହିଟି ମଧ୍ୟ ଗୋଟିଏ ସାମାଜିକ ଆନ୍ଦୋଳନ ତଥା ତାହାର ନାୟକ ନାୟିକା, ଜ୍ୟୋତିବା ଫୁଲେ ଓ ସାବିତ୍ରୀବାଇ ଫୁଲେଙ୍କର ସ୍ମୃତିକୁ ଉଜ୍ଜୀବିତ କରିବା ପାଇଁ ଚେଷ୍ଟିତ । ‘ଗୁଲାମଗିରି’ରେ ବିବାଦଟି ଯଦିଓ ଜ୍ୟୋତିବା ଓ ତାଙ୍କ ସାଙ୍ଗ ଧୋନ୍ଦିବା ମଧ୍ୟରେ ରହିଛି, ‘ଏଗାଇଦୱେଜୋତିବାଙ୍କ ପତ୍ନୀ ସାବିତ୍ରୀବାଇ ଫୁଲେଙ୍କ ଜୀବନକୁ ଭାରତୀୟ ଇତିହାସର ବିସ୍ମୃତିରୁ ଉଦ୍ଧାର କରିବାର ଚେଷ୍ଟା କରେ । ଫୁଲେଙ୍କ ଜାତିପ୍ରଥା ବିରେଧୀ ସଙ୍ଗ୍ରାମରେ ସାବିତ୍ରୀବାଇ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ । ସେ ନିଜ ସ୍ୱାମୀଙ୍କର ବିଚାର ନିର୍ମାଣର ପ୍ରକ୍ରିୟାକୁ ମଧ୍ୟ ପ୍ରଭାବିତ କରିଥିଲେ । ‘ଭୀମାୟନଭଳି ‘ଏଗାଇଦୱେ ମଧ୍ୟ ଏକ ଅଗ୍ରଣୀ କାମ । ବହିର ପ୍ରଶସ୍ତିରେ ଯେପରି ଲେଖା ହୋଇଛି, ଏହି ବହିଟି ସମ୍ଭବତଃ ଭାରତରେ ପ୍ରଥମ ବହି ଯେଉଁଥିରେ କି ଐତିହାସିକ ବହିକୁ ଚିତ୍ରରୂପ ଦିଆଯାଇଛି ।

ଏଗାଇଦୱେ ବହିର ଶୀର୍ଷକରେ ଉଲ୍ଲିଖିତ ‘ୱେଷ୍ଟଲାଣ୍ଡ’ ବା ପତିତ ଭୂମି ଜାତିପ୍ରଥାର ପତିତ ଭୂମିକୁ ସୂଚାଏ ଯେଉଁଥିରେ ମାଳି ସାଜିଛନ୍ତି ଜ୍ୟୋତିବା ଫୁଲେ । ଊନବିଂଶ ଶତାବ୍ଦୀର ସମାଜ ସଂସ୍କାରକମାନଙ୍କ ମଧ୍ୟରେ ସେ ଥିଲେ ଅନନ୍ୟ । ସେ ଦୃଢ ଭାବରେ ଜାତିପ୍ରଥା ଓ ହିନ୍ଦୁ ଶାସ୍ତ୍ର ପୁରାଣର ବିରୋଧ କରୁଥିଲେ । ଏକ ସାମ୍ୟବାଦୀ ସମାଜ ଗଠନ ଦିଗରେ ଏବଂ ଜାତିଗତ ଭେଦଭାବ ଓ ପୂର୍ବାଗ୍ରହଗୁଡିକୁ ରୋକିବା ପାଇଁ ବ୍ୟାପକ ସମାନ ବିଦ୍ୟାଳୟ ଶିକ୍ଷା ଯେଉଁ ଭୂମିକା ନିର୍ବାହ କରିପାରେ ତାହା ଫୁଲେ ସେତେବେଳୁ ଜାଣିପାରିଥିଲେ ।

ବହିଟିରେ ଅଳ୍ପ କେତୋଟି କଳାକୃତି ରହିଛି କିନ୍ତୁ ସବୁଗୁଡିକ ନିପୁଣ ହାତରେ ସୁନ୍ଦର ଭାବେ ଅଙ୍କାଯାଇଛି । ହାଲୁକା ଭାବେ କହିଲେ, ବହିଟି ସହ ମୋର ଗୋଟିଏ ଅସୁବିଧା ଅବଶ୍ୟ ରହିଛି । ସେଇଟି ମଣିଷମାନଙ୍କ ଲୋମ ସମ୍ପର୍କିତ । ଯେଉଁ ଲୋକଙ୍କୁ ପ୍ରାୟ ସଭିଏଁ ନାପସନ୍ଦ କରିବେ, ବହିରେ ସେ ସମସ୍ତଙ୍କର ଦେହରେ ଅତିଶୟ ଲୋମ ରହିଛି । ଏପରି କାହିଁକି ଯେ?

ଏ ଦୁଇଟି ପୁସ୍ତକ ପ୍ରକାଶନ କରିଥିବାରୁ ନବୟାନ ନିଶ୍ଚିତ ରୂପେ ଅଭିନନ୍ଦନର ପାତ୍ର । ଉଭୟ ବହିକୁ ବହୁ ଲୋକ ପଢିବା ଉଚିତ । ଗ୍ରାଫିକ ବହି ପ୍ରକାଶନ କ୍ଷେତ୍ରରେ ଏ ପୁସ୍ତକଦ୍ୱୟ ଭାରତରେ ଏକ ନୂଆ ମାନକ ପ୍ରତିଷ୍ଠା କରିଛନ୍ତି ।

ବି.ଦ୍ର. - ଏହି ଲେଖାଟି ପ୍ରଥମେ ୫ ଜୁନ ୨୦୧୨ରେ, ‘ହାର୍ଡ ନ୍ୟୁଜ୍’ ଇଂରାଜୀ ମାସିକରେ, ‘ଏପିକ୍ ଗ୍ରାଫିକ୍’ ଶୀର୍ଷକରେ ପ୍ରକାଶିତ ହୋଇଥିଲା ।

No comments:

Post a Comment