Monday, March 13, 2017

 ରଙ୍ଗୋତ୍ସବର ଏକ ସମାଜତତ୍ତ୍ୱ


ଜ୍ୟୋତି ନନ୍ଦ 


ରାଧା ରଙ୍ଗୋତ୍ସବ ପାଳନ କରୁଥିବାର ଦୃଶ୍ୟ (କାଙ୍ଗ୍ରା, ୧୭୮୮)
ପାହାଡ଼ି ମିନିଏଚର ଚିତ୍ର, ଭିକ୍ଟୋରିଆ ଆଲବର୍ଟ ସଙ୍ଗ୍ରହାଳୟ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଶ୍ରୀ ଗୌରୀ ଉବାଚ
ଅଥଃ କୈଳାଶଶିଖରାସୀନ ଗୌରୀ ପୃଚ୍ଛତି ଶଙ୍କର
ଅଧୁନା ବୃହି ମେ ନାଥ ନବପଞ୍ଜି ଶୁଭାଶୁଭମ୍ ।
ଶ୍ରୀ ଶଙ୍କର ଉବାଚ
ଶୃଣୁ ଦେବୀ ପ୍ରବକ୍ଷାମି ନବପଞ୍ଜି ଶୁଭାଶୁଭମ୍
ଯସ୍ୟ ଶ୍ରବଣ ମାତ୍ରେଣ ଦିବ୍ୟଜ୍ଞାନ ଭବେନ୍ନର ।

ଶୁଦ୍ଧ ଅଶୁଦ୍ଧକୁ ମିଶାଇ ଲେଖୁଛି ବନ୍ଧୁଗଣ। ଅଶୁଦ୍ଧ ଯଦି କିଏ ଲେଖେ ତାହାକୁ ସବୁ ସମୟରେ ମାଫ୍ କରାଯାଇଥିବା କାରଣରୁ ଆପଣମାନଙ୍କର ସହୃଦୟତା କାମନା କରୁଛି । ସମସ୍ତ ସଂଶୋଧନ ର ଦାୟୀତ୍ତ୍ୱ ଆପଣମାନଙ୍କର ହାତରେ ।

ଆଜି ରଙ୍ଗୋତ୍ସବ । ଭାରତବର୍ଷର ସର୍ବତ୍ର ଯେଉଁ ତିନୋଟି ପର୍ବ ମୂଖ୍ୟତଃ ପାଳନ କରାଯାଏ ତାହା ମଧ୍ୟରୁ ଦୋଳପର୍ବ ଅନ୍ୟତମ । ଆର ଦୁଇଟି ହେଲା ଦଶହରା ଆଉ ଦୀପାବଳୀ । ଏଇ ତିନୋଟି ପର୍ବ ମଧ୍ୟରୁ ଦଶହରା ଓ ଦୀପାବଳୀରେ ଧାର୍ମିକ ଅନୁସଙ୍ଗଟି ପ୍ରାଧାନ୍ୟ ପାଇଥିଲା ବେଳେ ଦୋଳପର୍ବଟି ସେତେ ପରିମାଣରେ ଧର୍ମାନୁଷ୍ଠାନ ନହୋଇ ଅଧିକତର ଲୋକାନୁଷ୍ଠାନ ଭାବରେ ପାଳିତ ହୋଇଥାଏ ।
ଦୋଳପର୍ବ ର ତିନୋଟି ପ୍ରଧାନ ଆଙ୍ଗିକ - ଅଗ୍ନି ଉତ୍ସବ,ରଙ୍ଗ ଉତ୍ସବ ଓ ମଦନ ଉତ୍ସବ ।

ଯେଉଁ ଉତ୍ସବାଦିରେ ଅଗ୍ନିଙ୍କର ଆବାହନ କରାଯାଏ ତାହା ମୂଖ୍ୟତଃ ଦୁଇଟି କାର୍ଯ୍ୟକୁ ସମ୍ପାଦନ କରିବା ଉଦ୍ଦେଶ୍ୟରେ ହୋଇଥାଏ । କୌଣସି ଆରାଧ୍ୟ ଦେବତାଙ୍କ ଉଦ୍ଦେଶ୍ୟରେ ନିବେଦିତ ବଳିଭୋଗକୁ ସେହି ନିର୍ଦ୍ଦିଷ୍ଟ ଦେବତାଙ୍କ ପ୍ରୀତ୍ୟର୍ଥେ ସମ୍ପ୍ରଦାନ କରିବା ବା କୌଣସି ଆସୁରିକ ଶକ୍ତିକୁ ଦହନ କରିବା । ଏଇ ପ୍ରସଙ୍ଗରେ ଆମେ ଅଗ୍ନିଦେବଙ୍କୁ ଦେଖୁ ଏକ ବାହକ-ଦେବ ହିସାବରେ ଯିଏ ନିଷ୍ଠାର ସହ ଆମର ଅର୍ପଣକୁ ଅନ୍ୟ ଦେବତାଙ୍କ ନିକଟରେ ପହଞ୍ଚାଇ ଦେବା ସହିତ ସେହି ଅର୍ପଣରୁ ଅଳ୍ପ କିଛି ନିଜେ ସନ୍ତୁଷ୍ଟିର ସହ ଗ୍ରହଣ କରି ଆମର ଉନ୍ନତି ବିଧାନରେ ସହାୟକ ହୋଇ ରହିଅଛନ୍ତି । ଋଗ୍-ବୈଦିକ ଯୁଗରେ ମଣିଷର ଆରାଧନାର ପଦ୍ଧତିରେ ଦ୍ୱିତୀୟ ସ୍ଥାନରେ ଥିବା ଅଗ୍ନିଦେବ (ପ୍ରଥମ ସ୍ଥାନରେ ଥିଲେ ଇନ୍ଦ୍ର, ଅବଶ୍ୟ ଇନ୍ଦ୍ର ସେତେବେଳେ ପାଣିପାଗର ଦେବତା ନଥିଲେ, ଥିଲେ ଯୁଦ୍ଧର ଦେବତା) ପରିବର୍ତ୍ତୀ କାଳରେ ବ୍ରହ୍ମା, ବିଷ୍ଣୁ ଓ ରୁଦ୍ରଙ୍କ ସାର୍ବଭୌମତ୍ୱକୁ ସ୍ୱୀକାର କରି ସାଧାରଣ ଦେବତାଟିର ଜୀବନଚର୍ଯ୍ୟାକୁ ଗ୍ରହଣ କରିନେଇଥିବା ଏଇ ଅଗ୍ନିଦେବ ମୋର ଅନ୍ୟତମ ପ୍ରିୟ ଦେବତା ।

ଏହା ସହିତ ଅଗ୍ନିଦେବ ହେଉଛନ୍ତି ଜଣେ ଉପନାଶକ-ଦେବ । ଜଣେ ଚିକିତ୍ସକ ଯେପରି ଆମର ସମସ୍ତ ରୋଗର ଉପନାଶନ କରିଥାଏ, ଠିକ୍ ସେହିପରି ଅଗ୍ନି ସବୁ ଅଶୁଭ ଶକ୍ତିକୁ ଦହନ କରି ଆମର ସାମାଜିକ ଜୀବନକୁ ରୋଗମୁକ୍ତ କରନ୍ତି ବୋଲି ଆମର ବିଶ୍ୱାସ ରହିଛି ।

ଦୋଳପର୍ବରେ ମେଣ୍ଢା ପୋଡିବାର ବିଧାନ ଥିଲା । ବାସ୍ତବ ମେଣ୍ଢାଟିକୁ ପୋଡାଯାଇ ଅଶୁଭ ଶକ୍ତିର ପ୍ରତୀକକୁ ଦହନ କରାଗଲା ବୋଲି ଆଜିକାଲିର ଦଶହରାରେ ରାବଣପୋଡି ଭଳି ଉଲ୍ଲାସ ଆଗରୁ ରଙ୍ଗୋତ୍ସବରେ ଦେଖାଯାଉଥିଲା । କିନ୍ତୁ ବାସ୍ତବ ମେଣ୍ଢାଟି ଏବେ ପ୍ରତୀକ ହୋଇଯାଇଛି । ଭାରତବର୍ଷର କିଛି ସ୍ଥାନରେ ବାଉଁଶରେ ତିଆରି ମେଣ୍ଢାକୁ ଦହନ କରାଯାଏ ଓ ସେହି ପାଉଁଶକୁ ଅଶୁଭ ଶକ୍ତିମାନଙ୍କ କବଳରୁ ସୁରକ୍ଷିତ କରି ରହିବା ପାଇଁ ଶସ୍ୟକ୍ଷେତ୍ର ଓ ଘରେ ପକାଯାଏ । ଏହାଛଡା ଦୋଳପର୍ବର ଏହି ପବିତ୍ର ଅଗ୍ନିରେ ଶସ୍ୟ ଦେବତାଙ୍କର ସନ୍ତୋଷ ବିଧାନ ନିମନ୍ତେ ବିଭିନ୍ନ ଖାଦ୍ୟଶସ୍ୟ ସମ୍ପ୍ରଦାନ କରାଯାଏ ।

ଏହି ପବିତ୍ର ଦୋଳପର୍ବର ସର୍ବଶେଷ ସଞ୍ଜୋଜନ ହେଉଛି ହୋଲିକା ଦହନ । ହୋଲିକା ହେଉଛି ଦୈତ୍ୟରାଜ ହିରଣ୍ୟକଶିପୁର କନ୍ୟା ।ହୋଲିକା ବିଷ୍ଣୁଙ୍କର ଦୈତ୍ୟରୂପ ପ୍ରହ୍ଲାଦକୁ ନିଜ କୋଳରେ ଧରି ପୋଡିମାରିବା ପାଇଁ ଅଗ୍ନିରେ ପ୍ରବେଶ କଲା । କିନ୍ତୁ ବିଷ୍ଣୁଙ୍କ ମାୟା ବଳରେ ନିଜେ ଜଳି ଭସ୍ମୀଭୂତ ହୋଇଗଲା ଆଉ ନିଆଁରୁ ଅକ୍ଷତ ହୋଇ ପୃଥିବୀଲୋକକୁ ଚାଲି ଆସିଲେ ସର୍ବକାଳର ବିଷ୍ଣୁଭକ୍ତ ପ୍ରହ୍ଲାଦ ।ଏହି ଉପାଖ୍ୟାନଟି ବୈଷ୍ଣବ ଧର୍ମର ମାହାତ୍ମ୍ୟକୁ ପ୍ରଚାର କରିବା ପାଇଁ ପରବର୍ତ୍ତୀ କାଳରେ ସଞ୍ଜୋଜିତ ହୋଇଛି ବୋଲି ବିଚାର କରାଯାଏ ।

ଦୋଳପର୍ବ ରଙ୍ଗର ଉତ୍ସବ । ମୂଖ୍ୟତଃ ଲାଲ୍ ଓ ସବୁଜ ରଙ୍ଗରେ ଏଇ ପର୍ବଟି ରଙ୍ଗୀନ ଦିଶେ । କହିବାକୁ ଗଲେ ଏଇ ଦୁଇଟି ରଙ୍ଗ ତାରୁଣ୍ୟ ଓ ଯୌବନର ଦ୍ୟୋତନା ବହନ କରେ । ଏଇ ଦୁଇଟି ରଙ୍ଗ ସହ କାମନା ଓ ଯୌବନର ଅନୁଭୂତିର ସଞ୍ଚାର ଜଡିତ । ବସନ୍ତ କାଳର ଏଇ ପର୍ବ ରାଧାକୃଷ୍ଣଙ୍କ ରାସଲୀଳାକୁ ହୋଲିର ରଙ୍ଗରେ ରୂପାୟନ କରେ । ନିବିଡ କରେ । ବୈଷ୍ଣବ ଧର୍ମର ଆପାତ ସରଳ କଥା ଦ୍ୱାରା ଆମର ସାମାଜିକ ଜୀବନର ନାନ୍ଦନିକ ଦିଗଟି ରାଧାକୃଷ୍ଣଙ୍କର ଅନ୍ତରଙ୍ଗ ଓ ବହିରଙ୍ଗ ଦ୍ୱାରା ବହୁଳ ଭାବରେ ପ୍ରଭାବିତ । ତେଣୁ ଆମେ ଦୋଳପର୍ବ ର ଅନୁସଙ୍ଗ ହିସାବରେ ରଙ୍ଗ ଖେଳୁ । ରଙ୍ଗରେ ନିଜେ ନିଜର ଅସ୍ତିତ୍ୟକୁ ଅସ୍ୱୀକାର କରୁ । ରଙ୍ଗର ମାର୍ଫତରେ ଆମେ ଆମର ଚିରପରିଚିତ ପୃଥିବୀକୁ କିଛିକାଳ ଛାଡିଦେଇ ଏକ ଅନାସ୍ୱାଦିତ ଆନନ୍ଦଲୋକରେ ବାସ କରିବାର ସୌଭାଗ୍ୟ ପ୍ରାପ୍ତ ହୋଇଥାଉ ।

ଶେଷରେ ଦୋଳପର୍ବ ହେଉଛି ଏକ ମଦନୋତ୍ସବ । ରକ୍ଷା,ଏଇ ଦିନ କୌଣସି ସ୍ଥାନରେ ଭାଲେଣ୍ଟାଇନ ଦିବସର ନୈତିକ-ରକ୍ଷୀମାନଙ୍କୁ ଦେଖିବାକୁ ମିଳେନାହିଁ, ଯଦିଓ ଏହା ନାରୀ-ପୁରୁଷ ନିବିଡତାର ମଧ୍ୟ ଏକ ପର୍ବ । ଆଦିମ କାଳରୁ ବିଭିନ୍ନ ସଭ୍ୟତାରେ ନାରୀ-ପୁରୁଷର ଯୌନାଚାର ଭିତ୍ତିକ ପର୍ବ ପାଳନର ଏକ ପରମ୍ପରା ରହି ଆସିଛି । ଏଇ ପ୍ରକାରର ପର୍ବ ପାଳନର ଆବଶ୍ୟକତା ହେଉଛି ନାରୀ-ପୁରୁଷ ଭିତରେ ସଙ୍ଗୁପ୍ତ ଉର୍ବର ଉତ୍ପାଦକ ଶକ୍ତିକୁ ବୈଧ ଓ ଏକ ସାର୍ବଜନୀନ ଉତ୍ସବରେ ପରିଣତ କରିବାର ପ୍ରକ୍ରିୟାକରଣ । ଉର୍ବରତା ମାନବ ସଭ୍ୟତାର ପ୍ରାଥମିକ ଆବଶ୍ୟକତା, ତାହା ଖାଦ୍ୟଶସ୍ୟର ଉତ୍ପାଦନ ପାଇଁ ହେଉ, କି ପ୍ରଜନନ ପାଇଁ ହେଉ, କି ଆମର ଯାବତୀୟ ବିଚାର ହେଉ । ସଭ୍ୟତାର ବିକାଶସହିତ ଆମର ଯୌନାଚାର ମଧ୍ୟ ଅନେକ ପରିଚ୍ଛନ୍ନ ହୋଇଛି । ନାରୀ ପୁରୁଷର ପାରସ୍ପରିକ ଅଧିକାରକୁ ନେଇ ଅନେକ ସଙ୍ଘର୍ଷମୂଳକ ଅପ୍ରୀତିକର ପ୍ରଶ୍ନ ଉଠିବାରେ ଲାଗିଛି । କିନ୍ତୁ ଦୋଳପର୍ବର ରଙ୍ଗ ନାରୀ-ପୁରୁଷ ସମ୍ପର୍କର ନିବିଡ଼ତାକୁ ପ୍ରତିଷ୍ଠିତ କରେ । ସମସ୍ତ ସଙ୍ଘର୍ଷକୁ ସ୍ଥଗିତ ରଖେ, ଅଳ୍ପ ସମୟ ପାଇଁ ହେଉ ପଛକେ ।

କାଲି ସନ୍ଧ୍ୟାରେ ଆମର ସବୁ ଗାଁଆର ଦୋଳଭାଡିରେ ନୂଆ ପାଞ୍ଜି ପଢା ସରିଥିବ । କଷି ଆମ୍ବ ଭୋଗ ସରିଥିବ । ଅବିର ଲାଗି ହୋଇଥିବ । ଦୋଳପର୍ବ ଏମିତିରେ ଦେଖିଲେ ବୈଷ୍ଣବ,ଶୈବ ଓ ଶାକ୍ତ, ଏହି ତିନୋଟି ଧର୍ମ ଧାରାର ମିଳନ ।

ଶଙ୍କର କୈଳାସ ଶିଖରରେ ଗୌରୀଙ୍କୁ ନୂଆ ପାଞ୍ଜିର ଶୁଭାଶୁଭ କହନ୍ତି । ଶଙ୍କର ଆଉ ଗୌରୀଙ୍କ କଥାବାର୍ତ୍ତାରୁ ଆମ ଲୋକକଥାରେ ଆମେ ଶୁଣୁ ଅନେକ ଚମକପ୍ରଦ କାହାଣୀଟି ମାନ । ସେହି କାହାଣୀ ସବୁରେ "ଲେଖକର ଅନୁପ୍ରବେଶ " ଭଳି ଶଙ୍କର ଗୌରୀଙ୍କ ମାତ୍ରାଧିକ ଅନୁପ୍ରବେଶ ଘଟିଥାଏ । ସେହି ଅନୁପ୍ରବେଶଗୁଡ଼ିକ ସବୁବେଳେ ସୁଖପ୍ରଦ । ଶଙ୍କର ନବପଞ୍ଜିକାର ଶୁଭାଶୁଭ ଶୁଣିବାକୁ ଦିବ୍ୟଜ୍ଞାନ ସଦୃଶ ଫଳପ୍ରାପ୍ତି ବୋଲି କହିଛନ୍ତି । ଶଙ୍କର ଗୌରୀଙ୍କ କୃପାରୁ ଆମେ ସମସ୍ତେ ଦିବ୍ୟଜ୍ଞାନ ପ୍ରାପ୍ତ ହେବା ।

ଦୋଳପର୍ବ ଆପଣମାନଙ୍କର ଆନନ୍ଦମୟ ହେଉ ।

1 comment:

  1. A very interesting narrative focussing on our cultural traditions.
    Unique presentation style. I have to share it.

    ReplyDelete