Sunday, March 05, 2017

ଗୁଣ୍ଡିଚା ସୂଡ଼


ଚାନ୍ଦ ଦାସ


ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଶ୍ରୀଜଗନ୍ନାଥ ନୀଳକନ୍ଦରୁଆ
ରହ କାରଣେ ରାମଚନ୍ଦ୍ର ଗଜପତି
ଅତି ଉତ୍ସୁକ ମତି
ସମଦଲେ ଚଲତି
ପ୍ରଖର ଚରଣ ଗତି
କମ୍ପିତ ବସୁମତି
ଢୋଲ ଦୟାଲୁ ଭେରୀ ବାଦିତ ।

ହରିହର ଶବଦେ ଦିଗ-ଗଗନ ରୁନ୍ଧିତ
ଏହୁ ଯଶଚନ୍ଦ୍ର ଚତୁର୍ଦ୍ଦିଗେ ରାଜିତ
ସୁଖ ବଦତି
ସୁଖ ପ୍ରୀତି
ନରପତି
ଶଙ୍କିଲେରେ ରିପୁ ମହୀପତିଆ
ସେହୁ ନାଶିଲେ ଇହ ପରଲୋକ ଗତିଆ
ଦିଲ୍ଲୀ ମାଳବ ଗୁଜୁରାଟ କର୍ଣ୍ଣାଟ ସକଳ ରାଷ୍ଟ୍ର ନୃପନାୟକୁଆ
ଚାନ୍ଦ ବଦତି ରାମନ୍ଦ୍ରକରୀପତି ଜଗତଲୋଚନ ସୁଖ ଦାୟତୁଆ
ନିଃସାରି - କି  ତେତ୍ତେ ଥୈ ଥୈ ଥୈ ଥୈ ଦିଗ୍ ଦିଗ୍ ତାତ୍ତତା ତ୍ତତାତ୍ତତେ ।

ଚତୁର ବର୍ଗଦାୟକ ଶ୍ରୀନୀଳକନ୍ଦରା
ମୌଳି ମନ୍ଦିରେ ଚତୁରବିଧ ସରୂପ ଉଦିନେଲେ
ସୀତା ସୀତ ହରିତ ଲୋହିତ ବିବିଧ ବର୍ଣ୍ଣେ ପ୍ରକଟିଲେ ଆ
ବଳଭଦ୍ର ସୁଭଦ୍ରା ସୁଦରଶନ ଜଗ ଦର୍ପଗଞ୍ଜନ
ସୁଖ ପରମ ଆକାର ଜୀବନ
କଳୁଷ ହର ତିମିର ଖଣ୍ଡନ
ସଚରାଚର ପାଳନ ନାଶନ ତିଆ
ଇଅ ଇଅ ଅ ଥେଇ ଆଇଅ ଅଇ ଆ ଇ ଅ ଅଇ ଇଆ ଅଆ ଆ ରେ ।
ଚତୁର ବର୍ଗଦାୟକ ଶ୍ରୀନୀଳକନ୍ଦରା 

ଆଭୋଗ - ନାନାବିଧ ବିନୋଦ ବିଚରିତ ବାସର ପ୍ରତିଗାମିନୀ
ଅବିରତ ସୁରାସୁର କିନ୍ନର ନରଗଣ ଅବଲୋକନ ।

ଧନ୍ୟ ଧାରଣ ରାମଚନ୍ଦ୍ର ଦେବ
ନୀଳଗିରି ପତି ଚରଣ କମଳେ ଶରଣୁଆ
ଚତୁରବର୍ଗଦାୟକ ଶ୍ରୀନୀଳକନ୍ଦରା
ସାତକଳା ମଠା - ଥୈତା ତ୍ତାଥୈ ଦିକ୍ ତାକ୍-ତେ ତେଥୈ
ତଥୋ ଦିଗ୍ ଦିଗ୍ ତାତ୍ତା ତାତ୍ତା ତା ତା ତା

ଦ୍ୱାଦଶ ବିନୋଦ ଶ୍ରେଷ୍ଠ ମହୋତ୍ସବ ଗୁଣ୍ଡିଚା ନାମେ ଯେ
ରଥ ଆରୂଢ଼ ଆଡ଼ପର ମଣ୍ଡପେ ଚତୁର୍ଦ୍ଧା ମୁରତୀ ବିଜେ
ତ୍ରିଭୁବନ ପୁରେ ଶଙ୍ଖ ଶବଦ ଧୁନି ସିନ୍ଧୁ ଉଛୁଳି ଚଳେ

ଚତୁରବର୍ଗ ଯୁର ଉତ୍ସବ ସସିଦ୍ଧି ବ୍ରହ୍ମକୀଟ
ସର୍ବ ସାଦର ଇକ୍ଷଣ ଅନୁକ୍ଷଣେ ସୁଧା ବରିଖେ ।

ଅବିରତ ବହେ ଧାରା ଅବଲୋକନେ
ସୁଖକାରୀ ତରେ ସୁଖ ମନ ଜିଣେ ବିଭୁ ଜାଣେଇଆ
ରାମଚନ୍ଦ୍ର ନୃପ ଭାବତିସୋ ସୁଖୟତେ
ଲୋଚନ ମନ ପ୍ରାଣେ ତ୍ରିଭୁବନ ପୁୁରେ 
ଶଙ୍ଖ ଶବଦ ଧୁନି ସିନ୍ଧୁ ଉଛୁଳି ଚଳେ ।

ଦିଗ୍ ଦିଗ୍ ଥେୟା ତାତତ୍ତା ଥୈ ଥୈ ଥୋ ଦିଗ୍ ଦିଗ୍ 
ତା ତ୍ତା ତା ତ୍ତା ତା ତ୍ତା ତାତ୍ତା 
ପଞ୍ଚ ଦିନାନ୍ତରେ ପରମ ପଦ୍ନାପ୍ରୀତି ବିଚ୍ଛେଦ ଖେଦଭରେ ଧାବେ
ତୁରିତେ ଗୁଣ୍ଡିଚା ପୁର ସନ୍ନିଧେ ପାବେ
ପ୍ରଚୁର ଭୃତ୍ୟଗଣ ଦୋଷ ରୂପେ ଦଣ୍ଡ ଦଣ୍ଡାବେ 
ମତି ଚଞ୍ଚଳା ତଡ଼ତି ପ୍ରାଣମଣି ପୁରତେ ମିଳିଆବେ ।

ରଥ ଦକ୍ଷିଣାମୁଖ ଅବଧିକୃତ ହେର
ଉତ୍ସବାନନ୍ଦ କରୀବର ତବ ପାବେ
ପାଲଟି ନୀଳଗିରି ଶିଖରେ ପରବେଶେ
ଜଗଜ୍ଜନନୀ ମୁଖ ପୂର୍ଣ୍ଣଶଶୀ କିସେ
ଦେଖି ନୃପତି ମନ କୁମୁଦ ଉଲ୍ଲାସେ 
କଳି କଳୁଷ ଘୋର ସନ୍ତାପ ନାଶେ 
ତିଆଡ଼ା - ଦିଗ୍ ଦିଗ୍ ଥେୟା ତ୍ତାତ୍ତ ତଥୈ ଥୈ ଥୋ ଦିଗ୍ ଦିଗ୍ 
ତାତ୍ତା ତା ତତ୍ତା ।

କମଳିନୀ ବିମନ୍ନ ଜାଣି ଜାଣୁ ମଣ୍ଡନ ଶିରୋମଣି
ରଚିଲେ ଗୁଣ୍ଡିଚା ବେନି ବାହୁଡ଼ା ଭ୍ରମଣି
ଘନ ଘନ ବାଜିଲା 
ଘନ ଘନ ମର୍ଦ୍ଦଳା 
ନିଶାଣ ବୀରତୂର ଘଣ୍ଟ ରବାଗଣ ଘଟ୍ୱହାଣ ସ୍ଫୁରିଲା 
ଦିଗ ଗଗନ ଶବଦ  ସଚରାଚର ତେଆ
ଆ ଆ ଆ ଆ ଆ ଆ । 

ଘନ ଘନ ବାଜିଲା
ଦେବ ଦେବ ପହଣ୍ଡି ବିଜୟେ ଜୟେ
ସକଳ ସୁଖ ଉଦୟେ
ଧୁନି ଶୁଣି ରାମଚନ୍ଦ୍ର ଦେବ ନୃପ ପୁଲକ ପୂରିଲା କାଏ
ଘନ ଘନ ବାଜିଲା ।

ସରିମାନ - ସଂକର୍ଷଣ ସୁଦର୍ଶନ ସୁଭଦ୍ରା ଶୀ ନାରାୟଣ
ରଥ ଯାନ ଚଢ଼ି ଉଭା ଅତୁଳିତ ଶୋଭା ପରକାଶ
ଧୀରେ ଧୀରେ ଧରଣୀ ଅଧିର
ନାଗ ନର ସୁରାସୁର ପେଖି ପୁଲକେ ତୁଆ
ସ ଥକିତ ଚରଣଗତି ଗଳିତ ନୟନ ନୀର
ଗମନ ହରିଣ ବତ ମଧୁର କଲେ କାରକେ ତୁଆ
ରାମଚନ୍ଦ୍ର ନୃପବର ରଥପୃଷ୍ଠେ ଦେଇ ଶିର ଗମନ

ଏକତାଳି - ନବଦିନ ଯାତ୍ରା ଶେଷ ଶେଷେ ଜଗୁନ୍ନିବାସେ

ନୀଳିଦ୍ରି ପ୍ରବେଶେ ରାମା ମନ ଉଲ୍ଲାସେ
ଆରେ ମାଇ ଦ୍ୱାର ରନ୍ଧିଲେ ପରିବାରୀ ପରିହାସେ ଭାଷେ ।
ଗୁଣ୍ଡିଚା ବିନୋଦେ ଦେବେ ପାଇଲେ ଆ 
କି ଆରେ ମାଇ ପୁରତେ ଚକ୍ରହସ୍ତ କଉତୁକେ ଧନ ବସ୍ତ୍ର ଦିଲେ 
ପରିଜନେ ଦ୍ୱାର ଫେଡ଼ିଲେ ଆଟ
ଭିତରେ ବିଜେ ସଧୀରେ ଦେବରାୟା
ଅଭିନବ ଇନ୍ଦ୍ରଦ୍ୟୁମନ ଅବତାରା ।
ଯୁଗେ ଯୁଗେ ରହିଲେ ଏ କୀରତି ବିସ୍ତାରା ।
ରାମଚନ୍ଦ୍ର ନୃପତି ଦୁର୍ଲଭ କୀର୍ତ୍ତି ଏ
ଚାନ୍ଦ ଭଣେ ଇହ ପରଲୋକ ଗତି ଆ ।

ଉତ୍ସ - ଶ୍ରୀ ଯତୀନ୍ଦ୍ର ମୋହନ ମହାନ୍ତି କୃତ ପ୍ରାଚୀନ ଓଡ଼ିଆ କବିତା (ପ୍ରଥମ ଭାଗ) । ୧୯୮୪, ପ୍ରଥମ ପ୍ରକାଶ । ଭୁବନେଶ୍ୱର - ଓଡ଼ିଶା ସାହିତ୍ୟ ଏକାଡ଼େମୀ ।  

No comments:

Post a Comment