Tuesday, March 28, 2017

ଜଣେ ଥିଲେ କବି


ଜ୍ୟୋତି ନନ୍ଦ


ଏପିକ୍ କାବ୍ୟକଳାର ମ୍ୟୁଜ୍ କାଲିଓପିଙ୍କର ସହ ମହାକବି ହୋମର୍
ଲକ୍ସମ୍ବର୍ଗର ଭିଖ୍ତେନଠାରେ ସ୍ଥିତ ରୋମୀୟ ମୌଜାଗୀ (୨୪୦ ମସିହା)
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ସେ ସମୟର କଥା ।

ସେତେବେଳେ କେହି ନଥିଲେ । ନା କୌଣସି ଲୋକବାକ କି କେଉଁ ପ୍ରେତାତ୍ମା ? ଥିଲେ କେବଳ ବାର୍ତ୍ତାଳାପ କରିପାରୁନଥିବା କିଛି ମୂକ ପଥର; ତାଙ୍କର ଚିରକାଳର ବନ୍ଦୀତ୍ୱର ଅସହାୟତାରୁ ବାହାରି ଆସୁଥିବା ଦୀର୍ଘଶ୍ୱାସ ସହ ପରିବେଶଟିକୁ ଅଧିକତର କାରୁଣ୍ୟରେ ପରିମାର୍ଜିତ କରିଦେଇ ନିଜନିଜକୁ ନିଜ ଭିତରେ ସଜାଡି ନେବାର ଅସଫଳ ପ୍ରୟାସରେ । ଏହା ବ୍ୟତୀତ ସେହି ଦୀର୍ଘ ଶ୍ୱାସ ସବୁକୁ ନିଜନିଜ ଦେହରେ ଆଚ୍ଛାଦିତ କରିବାର ଲୋମଶ ଅନୁଭବ ସହିତ ସେଠାରେ ଉପସ୍ଥିତ ଥିଲେ କେତୋଟି ଶାନ୍ତ ମେଷ ପ୍ରଜାତି ।ସେମାନଙ୍କର ଆଖିରେ ଜଡିରହିଥିଲା ସେ ସମୟର ସମସ୍ତ ଉପସ୍ଥିତ କାରୁଣ୍ୟ । ସେମାନେ ଖୋଜୁଥିଲେ ଶ୍ୟାମଳ ତୃଣରାଜି, ଜୀବନ ଧାରଣ ନିମନ୍ତେ ।
ସେଇ ପଥର ଆଉ କେତୋଟି ମେଷ ପ୍ରଜାତିଙ୍କ ଅସହାୟତା ପାଖରେ କାହାଣୀର ଅନ୍ତ ବି ହୋଇପାରିଥାନ୍ତା । ଅନ୍ତ ପାଇଁ ଏମିତିରେ ଦେଖିଲେ କୌଣସି ନିର୍ଦ୍ଧିଷ୍ଟ ସମୟ ଲୋଡା ନାହିଁ । ଯେ କୌଣସି ସମୟ ଅନ୍ତର ସମୟ ,ଆଉ ଆରମ୍ଭର ବି ।
ସବୁବେଳେ ସମଗ୍ର ସସାଗରା ଧରାର ସମସ୍ତ ଚରିତ୍ରାବଳୀ ଲକ୍ଷଲକ୍ଷ ସ୍ଥିର ମୁହୂର୍ତ୍ତରେ ବନ୍ଧା ହୋଇ ଅପେକ୍ଷାରତ ଅଛନ୍ତି କୌଣସି କବିକୁ । କବିଟି ସେମାନଙ୍କୁ ମୁକ୍ତ କରି ପାରିବ । ଅବଶ୍ୟ କବିଟିକୁ ବେଶି କିଛି କାମ କରିବା ପାଇଁ ସେମାନେ ବରାଦ କରି ନାହାଁନ୍ତି । କେବଳ କବିଟି ସେମାନଙ୍କୁ ଥରଟିଏ ଚାହିଁ ଦେଲେ ହେଲା । ଶ୍ରୋଡିଙ୍ଗରଙ୍କ ବିରାଡି ଭଳି ସେମାନେ ଏହାପରଠାରୁ ଗତି ପ୍ରାପ୍ତ ହେବେ ।ସେମାନଙ୍କର ସମୟ-ନ୍ୟାସ ହୋଇଯିବ ।
କବି ଆସିଲେ । ସେ ଦୃଷ୍ଟିହୀନ । ସେ ଦେଖିଲେ ଅସ୍ତିତ୍ୱ ନଥିବା ଏକ ଉଜ୍ଜ୍ୱଳ ବିରାଟ ନଗର; ମେଘନାଦ ପାଚେରି ଭିତରେ ସୁରକ୍ଷିତ । ନିକଟରେ ପର୍ବତମାଳା ଓ ସମୁଦ୍ର ।
କବି ଶୁଣି ପାରିଲେ ହଠାତ୍ ଯୁଦ୍ଧୋଲ୍ଲାସ ଓ ରଣହୁଙ୍କାର ।
କବି ଗୀତ ଗାଇବାକୁ ଆରମ୍ଭ କଲେ। କବିଙ୍କ ସ୍ୱର ମଧୁର, କିନ୍ତୁ ସେଥିରେ ରହିଥିଲା ଯୁଦ୍ଧଜନିତ ନରସଂହାରର ସମଷ୍ତ ବିଭିଷୀକା ଆଉ କର୍କଶତା ।
ପ୍ରାୟ ଚାରିଶହ ପଚାଶ ବର୍ଷ ପରେ ପୁନର୍ଜୀବିତ ହେଲା ଗୋଟିଏ ରାଜ୍ୟ । ନାଆଁ ତାହାର ଟ୍ରୟ । କାଳ କବଳିତ ସାଧାରଣ ଯୁଦ୍ଧଟିଏ ପୁଣି ଥରେ ପୁନର୍ବିନ୍ୟାସ ପାଇଲା; ଗୁରୁତ୍ୱପୂର୍ଣ୍ଣ ହୋଇ ଉଠିଲା ପରବର୍ତ୍ତି କାଳର ଇତିହାସରେ । ଯୁଦ୍ଧଟି ହେଉଛି ଟ୍ରୋଜାନ୍ ଯୁଦ୍ଧ।
ବୈଜ୍ଞାନିକ କଥାକାର ମାନେ ତାଙ୍କର ଐତିହାସିକ ପ୍ରବଚନରେ ଯାହା କୁହନ୍ତୁ ପଛକେ, ବିଜ୍ଞାନ-ଅଜ୍ଞାନୀ ଇତିହାସ ପଣ୍ଡିତ (ଇତିହାସରେ ପୁଣି ପଣ୍ଡିତ,ପୁଣି ଓଡିଶାରେ?)ମାନଙ୍କ ଦୃଷ୍ଟିରେ ଇତିହାସରେ ସବୁ ଯୁଦ୍ଧର ମୂଖ୍ୟ କାରଣ ହେଉଛି ଗୋଟିଏ ରାଜ୍ୟର ନିଷ୍କଣ୍ଟକ ବାଣିଜ୍ୟିକ ପ୍ରତିଷ୍ଠା ସ୍ଥାପନର ଉଦ୍ଦେଶ୍ୟ । ଟ୍ରୋଜାନ୍ ମାନେ କୃଷ୍ଣସାଗରକୁ  ନିଜର କରାୟତ୍ତ କରି ରଖିଥିଲେ ଓ ସେଇ ବାଟ ଦେଇ ଯାଉଥିବା ଜାହାଜ ମାନଙ୍କଠାରୁ ଯଥେଷ୍ଟ ଅଧିକ ମାହାସୁଲ ଆଦାୟ କରୁଥିଲେ । ତେଣୁ ଗ୍ରୀକ୍ ମାନଙ୍କର ପ୍ରାଚ୍ୟ ଦେଶଗୁଡିକ ସହିତ ଆକର୍ଷଣୀୟ କାର୍ପାସ ଓ ମସଲା ର ଲୋଭନୀୟ ବ୍ୟାପାର ବାଧାପ୍ରାପ୍ତ ହେଉଥିଲା । ଠିକ୍ ଯେପରି ଗଙ୍ଗା ଆଉ ଶୋଣ ନଦୀ ପରିବେଷ୍ଟିତ ଜଳଦୁର୍ଗ ବୋଲି କଥିତ ମୌର୍ଯ୍ୟ ରାଜ୍ୟ ପାଟଳିପୁତ୍ରରୁ ବାଣିଜ୍ୟିକ ସରବରାହ ଗଙ୍ଗା ନଦୀରେ ଆସି ତାମ୍ରଲିପ୍ତି ବନ୍ଦର ଦେଇ ବଙ୍ଗୋପସାଗରରେ ଦକ୍ଷିଣକୁ ଯାତ୍ରା କରୁଥିଲା । ଏହି ଲୋଭନୀୟ ଜଳପଥରେ ଗୋଟିଏ ସ୍ୱାଧୀନ ରାଜ୍ୟ କଳିଙ୍ଗର ସ୍ଥିତି କୁ ସେମାନେ ବାଣିଜ୍ୟିକ କାରଣରୁ ଠିକ୍ ରେ ଦେଖୁନଥିଲେ । ତେଣୁ କଳିଙ୍ଗ ଯୁଦ୍ଧ ସଙ୍ଗଠିତ ହେଲା । କଳିଙ୍ଗକୁ ଅଧିକାର କରାଗଲା । ଠିକ୍ ସେହିଭଳି ଗ୍ରୀକ୍ ମାନେ ଟ୍ରୟ ଅଧିକାର କରିଥିଲେ ।
ଏହିଭଳି ଗୋଟିଏ ପାଠ୍ୟକ୍ରମ ଭିତ୍ତିକ ଯୁଦ୍ଧକୁ କେହି କାହିଁକି ମନେ ରଖିବ ? ଯୁଦ୍ଧର କାରଣଗୁଡ଼ିକ ରସାଳ ହେଲେ, ସେଥିରେ ବିଚିତ୍ର ଘଟଣାର ଅବତାରଣା ଘଟିଲେ ଯୁଦ୍ଧଟି ଆମ ମନରେ ବସା ବାନ୍ଧି ରହିପାରେ ।
ଏମିତିରେ କହିବାକୁ ଗଲେ ଆମେ ଯୁଦ୍ଧ ସବୁକୁ ଯୁଦ୍ଧ କାହାଣୀରୁ ମନେ ରଖାଥାଉ । ପଥର ସବୁ କେବଳ ପଥର ବୋଲି ଆମେ ଦେଖୁ । କିନ୍ତୁ ସେମାନେ ନିୟତି ଦ୍ୱାରା ଏମିତି ପଥର ହୋଇ ପଡିରହିଛନ୍ତି ବୋଲି କେବଳ କବିଟିଏ କହିପାରେ ।
ସେଇଥି ପାଇଁ ପ୍ରତ୍ୟେକ ଯୁଦ୍ଧ ପଛରେ ଆମ ଆଖି ଖୋଜିବୁଲୁଥାଏ କବିଟିକୁ, ତାହାର କୁହୁକରେ ଭରା ବର୍ଣ୍ଣନାକୁ । ଅତୀତର ସେଇ ଯୁଦ୍ଧର ରୋମାଞ୍ଚକୁ ଉପଭୋଗ କରିବା ଆମର ଭାଗ୍ୟରେ ଜୁଟିନାହିଁ । କିନ୍ତୁ ଆମେ କାହାଣୀରୁ ଅନ୍ତତଃ ପକ୍ଷେ ସେଇ ଆନନ୍ଦତକ ନିଜ ନିଜ ବାଟରେ ତ ଉପଭୋଗ କରି ପାରିବା ।
(ସେଇଥି ପାଇଁ କଳିଙ୍ଗ ଯୁଦ୍ଧର ଏକମାତ୍ର ଐତିହାସିକ ପ୍ରାମାଣ୍ୟ ଦଲିଲ ପ୍ରସ୍ତର-ରାଜାଜ୍ଞା ସଂଖ୍ୟା - ୧୩ ରେ ସାମାନ୍ୟତମ ସୂଚନା ନଥିବା କଳିଙ୍ଗର କୌଣସି ସୌନ୍ଦର୍ଯ୍ୟମୟୀ ରାଣୀ କାରୁବାକୀ, କଳିଙ୍ଗ ଯୁଦ୍ଧର ମୂଖ୍ୟ କାରଣ ହୋଇ ଆମର ଚିନ୍ତା ଜଗତରେ ଚିରକାଳ ଆସ୍ଥାନ ବିସ୍ତାର କରି ରହିଅଛନ୍ତି ।
ସେଇଭଳି "ଭାରତର ଶୁଆ" ବୋଲି ପ୍ରସିଦ୍ଧି ଲାଭ କରିଥିବା ଜଣେ ବିଶିଷ୍ଟ କବି ଅମିର ଖୁସ୍ରୁ ଙ୍କ ସାହଚର୍ଯ୍ୟରେ ଜୀବନ ବିତାଉ ଥିବା ସୁଲତାନ ଆଲ୍ଲାଉଦ୍ଦିନ ଖିଲିଜୀଙ୍କ ଜୀବନର ଗୋପନୀୟ ରାଜପୁତ୍ ରମଣୀ ପଦ୍ମିନୀ-ପ୍ରେମ ର ସାମାନ୍ୟତମ ସୂଚନା ସେହି ହିନ୍ଦଭୀ ଭାଷାର କବିଙ୍କର ଅଜ୍ଞାତ ଥିଲା । ଏହାକୁ ଆବିଷ୍କାର କରାଯାଇପାରିଲା ଘଟଣାର ପ୍ରାୟ ଅଢେଇଶହ ବର୍ଷ ପରେ । ଆବିଷ୍କାରକ ଜଣକ ପୁଣି ଜଣେ କବି, କୌଣସି ଐତିହାସିକ ନୁହଁନ୍ତି । ସେଇ କବିଙ୍କ ନାଁ ମାଲିକ୍ ମହମ୍ମଦ ଜୟସୀ ଆଉ କାବ୍ୟଟିର ନାମ "ପଦ୍ମାଭତ"।
କବି,ଐତିହାସିକ ଏବଂ ଇତିହାସ-ପ୍ରବଚକ ମାନଙ୍କ ମଧ୍ୟରେ କୌଣସି ଘଟଣାର ପ୍ରାମାଣିକରଣକୁ ନେଇ ପାର୍ଥକ୍ୟ ରହିଛି । ସୁନ୍ଦର ଭାବରେ କହି ପାରିଲେ ମିଛଟିଏ କିଛି ସମୟ ପର୍ଯ୍ୟନ୍ତ ସତ ହୋଇ ରହିପାରେ । ସବୁକାଳ ପାଇଁ ନୁହେଁ ।
କବିଟିଏ ଯୁଦ୍ଧ ସହ ନାୟକତ୍ୱ ଓ ସୌନ୍ଦର୍ଯ୍ୟ କୁ ଯୋଡିପାରେ । ବୀରତ୍ୱ ସହ ସବୁ ସମୟରେ ଆମର ନାୟକ ମାନେ ନିଜ ପ୍ରେମକୁ ପ୍ରତିଷ୍ଠିତ କରିଛନ୍ତି । ଆଉ ନାୟକ ନଥିଲେ ଆମର କବିଟି ଅସାର । ଏବଂ କବିଟି ନଥିଲେ ନାୟକର ଜନ୍ମ ଘଟିବା କଷ୍ଟ ।
ସେଇଥିପାଇଁ ବାରଶହ ଜାହାଜ ପଞ୍ଚିଗଲା ଅପୂର୍ବ ସୁନ୍ଦରୀ ରାଣୀ ହେଲେନଙ୍କୁ ଉଦ୍ଧାର କରିବା ପାଇଁ, ଯାହାଙ୍କର ଜନ୍ମ ମଣିଷଯୋନିରୁ ନୁହଁ । ହେଲେନଙ୍କର ଜନ୍ମ ଗୋଟିଏ ହଂସର ଅଣ୍ଡାରୁ ।
ସେଇଥିପାଇଁ ଆଚିଲାସ୍ ନିଜ ରଥ ପଛରେ ବାନ୍ଧି ଘୋଷାଡି ନେଲା ପରାସ୍ତ ହେକ୍ଟରକୁ ।
ସେଇଥିପାଇଁ ଆଫ୍ରୋଡାଇଟ୍ ଜାଦୁକରୀ କୁହୁଡିର ସୃଜନ କଲେ ଆଚିଲାସ୍ ର ବିଜୟକୁ ସୁଗମ କରିବା ପାଇଁ ।
ସେଇଥିପାଇଁ ଓଡିସିଅସ୍ ତିଆରି କଲେ କାଠର ସୁଉଚ୍ଚ ଘୋଡା ଟ୍ରୋଜାନ୍ ମାନଙ୍କୁ ପ୍ରତାରିତ କରିବା ପାଇଁ ।
ସେଇଥିପାଇଁ ସମସ୍ତ ମଣିଷ, ନରନାରୀ ଦେବାଦେବୀ ଆମ ଭଳି ଦେଖାଗଲେ ଏଇ ଯୁଦ୍ଧରେ, ସେମାନଙ୍କର ଦୃଶ୍ୟମାନ ଈର୍ଷାରେ, ପ୍ରତିହିଂସାରେ, ବିଭିଷିକାରେ ।
କିଏ ଜାଣେ ସେମାନେ ସେକାଳରେ ଥିଲେ କି ନଥିଲେ ? କିନ୍ତୁ ଆମର ପ୍ରିୟ ଦୃଷ୍ଟିହୀନ କବି ହୋମର ସେ ସମସ୍ତଙ୍କୁ ଏକାଠି ଦେଖିଛନ୍ତି ।ତାହା ଆମର ସୌଭାଗ୍ୟ ।

1 comment: