Thursday, March 30, 2017

ଇତିହାସ ଓ ସ୍ମୃତି ମଧ୍ୟରେ: ରବୀନ୍ଦ୍ର କୁମାର ସ୍ୱାଇଁଙ୍କ କବିତା


ସମୀକ୍ଷାତ୍ମକ ପ୍ରବନ୍ଧଟିର ଅନୁବାଦକ - ବିଶ୍ୱଜିତ ଆପଟ



ରବୀନ୍ଦ୍ର କୁମାର ସ୍ୱାଇଁ । ୨୦୦୮। 'ସୁସୁରଶ୍ ଇନ୍ ଦ ସ୍କଲ୍' । ନୂଆ ଦିଲ୍ଲୀ: ଅଥର୍ସ୍ ପ୍ରେସ୍ । ପୃଷ୍ଠା: ୬୮ । ମୂଲ୍ୟ: ୧୦୦ ଟଙ୍କା ।

 

ରବୀନ୍ଦ୍ର କୁମାର ସ୍ୱାଇଁ । ୨୦୦୨ । 'ସିିଭିଅର୍ଡ୍ କର୍ଡ୍' । ନୂଆ ଦିଲ୍ଲୀ: ଇଣ୍ଡିଆଲୋଗ୍ ପବ୍ଲିକେଶନ୍ସ୍ ପ୍ରା. ଲି. । ପୃଷ୍ଠା ସଙ୍ଖ୍ୟା ୭୦ । ମୂଲ୍ୟ: ୧୨୦ ଟଙ୍କା ।



ଆମ ଦେଶରେ ଇଂରାଜୀରେ କାହାଣୀ ଓ ଉପନ୍ୟାସ ଲେଖୁଥିବା ଭାରତୀୟ ଲେଖକମାନେ ପ୍ରାୟତଃ ସମୀକ୍ଷକୀୟ ଓ ପାଠକୀୟ ଧ୍ୟାନ ଆକର୍ଷଣ କରିବାରେ ସଫଳ ହୁଅନ୍ତି । ଏଭଳି ଅବସ୍ଥାର ଫଳ ସ୍ୱରୂପ ଇଂରାଜୀରେ କବିତା ଲେଖୁଥିବା ଭାରତୀୟ ଲେଖକମାନେ ଅପେକ୍ଷାକୃତ ଭାବେ ଅଣଦେଖା ହୋଇ ରହିଯାଇଛନ୍ତି । ଦଳେ ସାହିତ୍ୟିକଙ୍କୁ ଆଉ ଦଳେ ସାହିତ୍ୟିକଙ୍କ ସହ ଯୁଝାଇବା ପାଇଁ ଏ କଥା ଆମେ କହୁନାହୁଁ । ଅନେକ ସମୟରେ ଜଣେ ସାହିତ୍ୟିକଙ୍କର ଗଳ୍ପ ଓ ଉପନ୍ୟାସକୁ ନେଇ ପାଠକ ତଥା ପଣ୍ଡିତ ମହଲରେ ଉତ୍ସବ ଚାଲିଥିଲା ବେଳେ ତାଙ୍କର କାବ୍ୟିକ ରଚନା ଉପେକ୍ଷିତ ହେଉଥାଏ । ଉଦାହରଣ ସ୍ୱରୂପ, ସମ୍ପୂର୍ଣ୍ଣ ଚାଟାର୍ଜୀ ଓ ଅଞ୍ଜୁମ ହସନଙ୍କ ଭଳି ସାହିତ୍ୟିକ ସେମାନଙ୍କର ପ୍ରଥମ ଉପନ୍ୟାସ ପ୍ରକାଶନ ପରେ ହିଁ ଲୋକଲୋଚନକୁ ଆସିଛନ୍ତି ( ଯଦି ନୈଷ୍ଠିକ କବିତାପ୍ରେମୀଙ୍କୁ ବାଦ ଦିଆଯାଏ)

ଭାରତୀୟ ଇଂରାଜୀ କବିତା ତ ସାଧାରଣତଃ ଉପେକ୍ଷିତ । କିନ୍ତୁ ଓଡିଶା ପରି ଅଞ୍ଚଳରୁ ଆସୁଥିବା କବିମାନେ ବିବିଧ ଐତିହାସିକ ଓ ସମାଜତାତ୍ତ୍ୱିକ କାରଣ ଯୋଗୁଁ ପାଠକୀୟ ଧ୍ୟାନ ପାଇବାରୁ ବଞ୍ଚିତ ହୋଇଛନ୍ତି । ଏମିତି ଜଣେ କବି ହେଉଛନ୍ତି ରବୀନ୍ଦ୍ର କୁମାର ସ୍ୱାଇଁ, ଯାହାଙ୍କର କବିତାର ଉଚିତ ଚର୍ଚ୍ଚା ହୋଇପାରି ନାହିଁ । ତାଙ୍କ କବିତାର ଚର୍ଚ୍ଚା କେବଳ ଆଞ୍ଚଳିକ ପ୍ରତିନିଧିତ୍ୱ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ନୁହେଁ । ଏ ସମୀକ୍ଷାର ପରିସରଭୁକ୍ତ ବହି ଦୁଇଟି ପ୍ରମାଣ କରନ୍ତି ଯେ, ତାଙ୍କ ପରି କବିଙ୍କର କବିତାର ଚର୍ଚ୍ଚା ଭାରତୀୟ ଇଂରାଜୀ କବିତା ଓ ଏହାର ସମୀକ୍ଷା ସାହିତ୍ୟକୁ ଋଦ୍ଧିମନ୍ତ କରିବ ।

ଶ୍ରୀଯୁକ୍ତ ସ୍ୱାଇଁଙ୍କ କବିତାର ସବୁଠାରୁ ବେଶୀ ମର୍ମଭେଦୀ ଦିଗଟି ହେଉଛି ତାଙ୍କ ନିଜ ସାମାଜିକ ଓ ସାଂସ୍କୃତିକ ପରିବେଶକୁ ନେଇ ଏକ ସହଜ ଓ ସରଳ ଦୃଷ୍ଟିଭଙ୍ଗୀ । ଏ ଜଗତଟି ଯେ ଉପାନ୍ତ, ତାହାକୁ ନେଇ ସେ କେବେ ବି ଗମ୍ଭୀର ନୁହଁନ୍ତି । ଏଣୁ ତାଙ୍କ କବିତାରେ ତାଙ୍କର ଦୁନିଆ ଏକ ସ୍ୱଚ୍ଛନ୍ଦ ସ୍ୱପ୍ନ ପରି ଦୃପ୍ତ ପାହୁଣ୍ଡ ପକାଇ ଉତୁରି ଆସେ । ଯେମିତିକି ତାଙ୍କର ‘ଦ ପ୍ଲାଇଟ୍ ଅଫ୍ ଗଡସ୍’ କବିତାରେ ଆମେ ‘ଭକ୍ତି’ ର ଏକ ମଧୁର ଶ୍ଲେଷାତ୍ମକ ବର୍ଣ୍ଣନା ପାଉ ।

କାରଣ, ଯେତିକି ବା ଜଣା ଅଛି
ଜଣେ ନିଜ ଆଖି ଦୁଇଟିରୁ ଗୋଟିଏ
ତାଡି ଯାଚି ଦେଇଥିଲେ
ଗୋଟିଏ ପଦ୍ମ ଅଭାବ ହେବାରୁ
ପୂଜା ପାଇଁ ଲୋଡାଥିବା
ଶହେ ଆଠ ପଦୁଅଁ ଭିତରୁ । 
(ସ୍ୱାଇଁ ୨୦୦୮: ୧୨)

ଏ ପରିପ୍ରେକ୍ଷୀରେ ନହେଲେ ‘ସିଭିଅର୍ଡ଼୍ କର୍ଡ଼୍’ ଶୀର୍ଷକ କବିତାର ଏହି ଅଂଶ ପଢନ୍ତୁ ଯେଉଁଥିରେ ପୁରୀରୁ ଫେରୁଥିବା ଜଣେ ତୀର୍ଥଯାତ୍ରୀର ଅନୁଭବ ବର୍ଣ୍ଣନା କରାଯାଇଛି -

ଘରେ ପହଞ୍ଚି,
ତୁମେ ମୁହଁପୋତି ଜଣାଅ,
ଭଗବାନ ପୁରୀରେ ଦିଶିଲେ ନାହିଁ,
ବରଂ, ଦିଶିଲା
କଖାରୁ ଲଟାରେ ଘୋଡି ହୋଇଥିବା
ଛପର ଓ ଛାତ
ଆଉ ଏକର ଏକର
ପଡିଆ ପଡିଥିବା ଜମି । 
(ସ୍ୱାଇଁ ୨୦୦୨: ୧୯)

କାବ୍ୟିକ ପଦ ସବୁ ଯୋଡି କୌଣସି ବିଚିତ୍ର ଦେଶୀପଣ ସୃଷ୍ଟି କରିବାର ଅପଚେଷ୍ଟା ନାହିଁ । କିନ୍ତୁ କବିତାରେ କୌଣସି ନିର୍ଦ୍ଦିଷ୍ଟ ଦେଶୀୟ, ସାଂସ୍କୃତିକ ଅନୁଭବ ଉପୁଜାଉଥିବା ଯାହା କିଛି ପ୍ରଭେଦଗୁଡ଼ିକ ରହିଛି, ସେସବୁଥିରୁ ମଧ୍ୟ କବି ଦୂରେଇ ଯିବାକୁ ଅଭିଳାଷୀ ନୁହଁନ୍ତି । ବୋଧହୁଏ ଶ୍ରୀଯୁକ୍ତ ସ୍ୱାଇଁଙ୍କ କବିତ୍ୱର ଏହା ହିଁ ସବୁଠାରୁ ଆକର୍ଷକ କଥା ।

ଏ ଦୁଇଟି ବହିରେ ସ୍ଥାନିତ କବିତାଗୁଡିକର ଅନ୍ୟ ଏକ ମହତ୍ତ୍ୱପୂର୍ଣ୍ଣ ଦିଗ ହେଲା କବିତାଗୁଡିକ ସମୟ, ସ୍ମୃତି ଓ ଇତିହାସ ମନସ୍କ । ଭାରତରେ ଇତିହାସକୁ ନେଇ ଯେଉଁ ବିଚାର-ବିମର୍ଶ ରହିଛି ତାହା ସବୁବେଳେ ‘ବର୍ଣ୍ଣନା’ ବନାମ ‘ତତ୍ତ୍ୱ’ର ଢାଞ୍ଚା ନେଇଛି । ଶ୍ରୀଯୁକ୍ତ ସ୍ୱାଇଁ ନିଜ କବିତାରେ ଆମର ଅତୀତକୁ ବୁଝିବାର ପ୍ରକ୍ରିୟାକୁ ‘ଇତିହାସ’ କବଳରୁ ମୁକ୍ତ କରିବାକୁ ଚେଷ୍ଟା କରିଛନ୍ତି ଓ ଆମର ସମସାମୟିକତାକୁ ଆମର ସାମୂହିକ ଅତୀତର ଏକ ସାକ୍ଷୀ ରୂପେ ବ୍ୟବହାର କରିଛନ୍ତି । ‘ଆନ୍ ଏମୋଫର୍ସ୍ ଟାଇମ୍’ ଶୀର୍ଷକ କବିତାର ନିମ୍ନଲିଖିତ ଏହି କେତୋଟି ଧାଡିକୁ ବିଚାରକୁ ନିଅନ୍ତୁ - 

ଆସନ୍ତା କାଲି ହୁଏତ
ଆଉ ଏକ ପିଲା ଲମ୍ଫ ଦେଇପାରେ
ତା’ ବାପା ତୋଳିଥିବା ଦେଉଳ ଉପରୁ ।

ଘୁଞ୍ଚି ଚାଲିଥିବା ସମୁଦ୍ରକୁ ଓ
ତା’ ମୃତ୍ୟୁର କୋଳକୁ,
ପ୍ରମାଣ କରିବା ପାଇଁ
ତା’ ବାପା ଯାହାକିଛି କରିଗଲେ,
ବୃଥା ନଥିଲା ।

କିଛି ନହେଲେ ବି ଏହା ଟାଣି ନେଲା ତାକୁ
ବାପାଙ୍କ ପାଖକୁ;
ନିଜ ଆଖିରେ ଦେଖିବା ପାଇଁ
ଏକ ବାଳକର ଉଚ୍ଚତାରୁ
କୀର୍ତ୍ତିର ତେଜ ।

ମୂଲ୍ୟ, ଆଦର୍ଶ ଓ ବର୍ତ୍ତମାନ ବୋଲି ଉତ୍ତରାଧିକାରରେ ପାଇଥିବା 
ଜିନିଷ ସବୁ ଗହଣରେ କଳଙ୍କର ଆଭାସ
ଓ ବଞ୍ଚିବାକୁ
ଯାହା ଯେମିତି ମିଳିଥିବା ଜୀବନ ତା’ର ।
ଆଉ ଶେଷରେ
ସନ୍ତୋଷରେ ତେଜିବାକୁ ଜୀବନ,
ବାପାଙ୍କର ଉପଯୁକ୍ତ ଦାୟାଦଟିଏ ହୋଇ । 
(ସ୍ୱାଇଁ ୨୦୦୨: ୪୯)

ଏହି ଧାଡିଗୁଡ଼ିକ ବାଳକ ଧର୍ମପଦର ବଳିଦାନର କଥା କୁହନ୍ତି । ସେ କୋଣାର୍କରେ ସୂର୍ଯ୍ୟ ମନ୍ଦିର ଗଢିଥିବା ତା’ର ବାପା ଓ ଅନ୍ୟ ଶିଳ୍ପୀଙ୍କ ପ୍ରାଣ ରକ୍ଷା ପାଇଁ ବଙ୍ଗୋପ ସାଗରକୁ ଡେଇଁ ପଡିଥିଲା । ଆମ ଆଲୋଚନାର ସନ୍ଦର୍ଭରେ କଥା ହେଲା, ଏ ଧାଡିଗୁଡିକ ସମସାମୟିକ ଘଟଣାବଳୀର ସାକ୍ଷ୍ୟ ବହନ କରୁଥିବା ଏକ କବିତାର ଶେଷ ଅଂଶ ।  

ତାଙ୍କ କବିତା ଦୈନନ୍ଦିନ ଓ ବ୍ୟକ୍ତିଗତ କଥାଗୁଡିକୁ ବର୍ଣ୍ଣନ କରେ । ବର୍ଣ୍ଣନାକାର (ଯିଏ କି ଅନେକ ସମୟରେ କବି ନିଜେ ହିଁ) ସେତେବେଳେ ସଫଳ ହୁଅନ୍ତି, ଯେତେବେଳେ ସେ ସାଜନ୍ତି ପୀଢିମାନଙ୍କ ଭିତରେ ସେତୁ, ଆଉ ଏପରି ଏକ ଉପସ୍ଥିତି ଯେଉଁଥିରେ ଅତୀତ ଓ ଭବିଷ୍ୟତ ଏକାଠି ହୁଅନ୍ତି । ନିମ୍ନରେ ଦିଆଯାଇଥିବା ଉଦ୍ଧୃତିଗୁଡିକ ଏହାର ଉଦାହରଣ ଭାବରେ ଦେଖାଯାଇପାରେ ।

ଭସେଇବା ପାଇଁ ପୁଅମାନଙ୍କର କାଗଜ ନାଆ
ବର୍ଷା ପାଣିକ କାଦୁଆ ସୁଅରେ
ଗାଁ ରାସ୍ତାରେ
ବାପାମାନେ ସଦାକାଳେ ଗରିବ ହୋଇ ରହିଥିବେ । 
(ସ୍ୱାଇଁ ୨୦୦୨: ‘ସନସ୍ ଆଣ୍ଡ୍ ଫାଦର୍ସ୍’, ୧୬)


ବାପା, ଦୁଇ ବର୍ଷ ବିତିଲାଣି
ତୁମେ ଗଲା ଦିନୁଁ,
ଆଉ ମୋ ରାତିଗୁଡା ଏବେବି
ତୁମ ଉଜ୍ଜ୍ୱଳ ମୁହଁରେ ଆଲୋକିତ ।
ମୁଁ ଏବେ ଯାଏଁ ପଚାରି ନାହିଁ ନିଜକୁ
ଏଇଟା ମୋ ଅପରାଧର ଜୁଳୁଜୁଳିଆ ପୋକ ନା
ତୁମ ସ୍ନେହର ବତୀଘର ।
ମୋ ଝିଅ ଭଲଭାବେ ଜାଣେ ତୁମକୁ
ହେଲେ ମନେପକାଇ ପାରେନା ତୁମ ମୁହଁ ।

ତା’ ଦ୍ୱନ୍ଦ ମୋ’ଠାରେ ନାହିଁ ନିଶ୍ଚୟ,
ହେଲେ ତା’ ପ୍ରଶ୍ନ,
ତୁମେ ତାଙ୍କଠାରୁ କ’ଣ ଶିଖିଥିଲ?’
ମୋ ପାଇଁ ଏକ ଦର୍ପଣ
ମୁହଁର ଏତେ ପାଖରେ ଯେ
କିଛି ଦିଶୁ ନାହିଁ । 
(ସ୍ୱାଇଁ ୨୦୦୮ : ‘ମିରର୍ ଠୁ କ୍ଲୋଜ ଟୁ ଦ ଫେସ୍’, ୧୭)

ଶ୍ରୀଯୁକ୍ତ ସ୍ୱାଇଁଙ୍କର କବିତାବଳୀ ପ୍ରକୃତ ପକ୍ଷେ କବିତା ଲିଖନ ଉପରେ ଆତ୍ମମନନଶୀଳ । ଏହାର ମାନେ ନୁହେଁ ଯେ ଏ ବହି ଦ୍ୱୟରେ ଥିବା କବିତାଗୁଡିକ କେବଳ କବିତା ଲିଖନର କଳା ଉପରେ ହିଁ ଧ୍ୟାନରତ । କବିତା ଲେଖିବା ଓ ପଢିବାର ଅନୁଭବକୁ ଆମ ଜୀବନର ବିଭିନ୍ନ ଦିଗକୁ ବୁଝିବାର ଏକ ମାଧ୍ୟମ ରୂପେ କବି ବ୍ୟବହାର କରନ୍ତି । ପାଠକଙ୍କର ବିଚାର ପାଇଁ କେତୋଟି ଧାଡି ଦିଆଗଲା:

ସେମାନେ ନିଦରେ ଚିରୁଥିବେ ରାତିକୁ
ସତେକି ଏହା ଏକ
ସେମାନଙ୍କୁ ଭଲ ନଲାଗୁଥିବା କବିତା । 
(ସ୍ୱାଇଁ ୨୦୦୮: ‘ଅଲ୍ ଦ କ୍ରେଭିଙ୍ଗସ୍’, ୨୫)


ତୁମକୁ ନ ଡାକି ଚାଲିଆସନ୍ତି ସେମାନେ:
ଗଛରେ ଫୁଲମାନେ,
ବାକ୍ୟ ମଝିରେ ବିରାମ,
ଆଉ ବେଳେ ବେଳେ
ଲମ୍ବା ଲମ୍ବା ଅପ୍ରାସଙ୍ଗିକ ବାକ୍ୟମାନେ
ଓ ଏକ ଅବୁଝା ସ୍ତ୍ରୀ । 
(ସ୍ୱାଇଁ ୨୦୦୨: ‘ଦ ୱାଟର କୋର୍ସ’, ୨୪)


କେବେ ଦିନେ ଜଣକୁ ଘୋଷଣା କରିବାକୁ ହେବ,
ସେ ଗୋଟେ ଅନାଥ କବିତାର ଏକାକୀ ପିତା । 
(ସ୍ୱାଇଁ ୨୦୦୨: ‘ୱାନ୍ ଡେ’, ୫୨)

ଏହି ଉଦ୍ଧୃତାଂଶଗୁଡିକ ଶ୍ରୀଯୁକ୍ତ ସ୍ୱାଇଁଙ୍କ କବିତାର ଅନ୍ୟ ଏକ ବିଶେଷ ଦିଗ ପ୍ରତି ଆଲୋକପାତ କରନ୍ତି । ସେଇଟି ହେଲା ଏପରି ଧାଡିମାନ ରଚିବାର ତାଙ୍କ କୌଶଳ ଯେଉଁ ଧାଡିଗୁଡିକ ଶୀରକେନ୍ଦ୍ର ଦେଇ ଦେହରେ ପ୍ରବେଶ କରିଯାଆନ୍ତି ଓ ମୁଣ୍ଡ ଭିତରେ ବସା ବାନ୍ଧନ୍ତି । ଏଠି କେତୋଟି ଉଦାହରଣ ଦେଖିବା ଚାଲନ୍ତୁ ।

ଅନ୍ଧକାରରେ ହିଁ
ତୁମେ ତୁମ ନିଜ ଜାତିର ଆଲୋକ ଖୋଜ,
ଯେପରି ଗୋଟିଏ ଅଜନ୍ମା ଶିଶୁର ଗର୍ଭରେ ।
(ସ୍ୱାଇଁ ୨୦୦୨: 'ଗ୍ରେସ ଅଫ୍ ଡାର୍କ୍ନେସ୍', ୧୫)


.... ଯେମିତି ତୁମେ ମୋତେ ଚାହିଁଲ
ମନେ ହେଲା ମୁଁ ହେଉଛି ବାସ୍ତବତା
ଓ ତୁମ ଚାହାଣୀ ଏହାକୁ ଦେଖିବାର
ଅନ୍ୟତମ ବାଟ । 
(ସ୍ୱାଇଁ ୨୦୦୮: ‘ମାଇ ୱେଡିଙ୍ଗ୍ ନାଇଟ୍’, ୪୭)


ଇନ୍ଦ୍ରଧନୁଗୁଡା ପିଲାଙ୍କ ପ୍ରାର୍ଥନା ଅଟନ୍ତି...
ପିଲାମାନେ ଯଦି କେବେ କାହା ପକ୍ଷରେ,
ତେବେ ସେମାନେ ଦେବତାଙ୍କ ପକ୍ଷଭୁକ୍ତ:
କାରଣ ଦେବଗଣ ସଦାକାଳେ ବାଳୁତ । 
(ସ୍ୱାଇଁ ୨୦୦୮ : ‘ଚିଲଡ୍ରେନ୍ସ ସିକ୍ରେଟସ୍’, ୬୬)


ଅବଶ୍ୟ ଏହି କବିତାଗୁଡ଼ିକରେ କିଛି ବିସଙ୍ଗତି ମଧ୍ୟ ରହିଛି । ଗୋଟିଏ ବା ଦୁଇଟି ଜାଗାରେ ପଦ ରଚନା ଉପରେ କବିଙ୍କ ନିୟନ୍ତ୍ରଣ ଟିକେ ଢିଲା ମନେ ହୁଏ । ଯେତେବେଳେ ଶ୍ରୀଯୁକ୍ତ ସ୍ୱାଇଁ ସମସାମୟିକ ଘଟଣା ଉପରେ ସିଧା କିଛି କହୁଛନ୍ତି (ଯେପରିକି ୧୯୯୯ ଅକ୍ଟୋବରରେ ଓଡିଶା ଉପକୂଳକୁ ମାଡିଆସିଥିବା ମହାବାତ୍ୟା ବିଷୟରେ), କବିତାଗୁଡିକ ପଥହରା ହୋଇଯାଇଛନ୍ତି ଓ ଏଣେତେଣେ ଧାଇଁଛନ୍ତି । କିନ୍ତୁ ସେମିତି କବିତା ମାତ୍ର ଅଳ୍ପ କେତୋଟି ଯେ ଦୁଇ ହାତରେ ଗଣିଦେଇ ହେବ । ମୋଟାମୋଟି କହିବାକୁ ଗଲେ ବହି ଦୁଇଟିର କବିତାଗୁଡିକ ଖୁବ ସୁନ୍ଦର ଭାବେ ଆମ ଅନୁଭବର କଥା କହିଛନ୍ତି । ଇଣ୍ଡିଆଲୋଗ୍ ଓ ଅଥର୍ସ୍ ପ୍ରେସ୍ ଏ ଦୁଇଟି ବହିର ପ୍ରକାଶନ ପାଇଁ ଅଭିନନ୍ଦନର ପାତ୍ର, ଯଦିଓ ‘ସୁସୁରଶ୍ ଇନ୍ ଦ ସ୍କଲ୍’ ବହିଟିର ମଲାଟ ବହିରେ ଥିବା କବିତାମାନଙ୍କ ପ୍ରତି ନ୍ୟାୟ କରିପାରିନାହିଁ ।

ବି.ଦ୍ର. ଏହି ଲେଖାଟି ପ୍ରଥମେ ଇଂରାଜୀ ଅନ୍ଲାଇନ୍ ସାହିତ୍ୟ ପତ୍ରିକା 'ମ୍ୟୁଜ୍ ଇଣ୍ଡିଆ'ର ୨୮ ନମ୍ବର ସଂଖ୍ୟାରେ ୨୦୦୯ ମସିହାରେ ଛପାଯାଇଥିଲା ।

No comments:

Post a Comment