Wednesday, March 15, 2017

କବିତା - 'ଦୁଇ ଚିତ୍ର ମଝିରେ'

କବି - ସିଦ୍ଧାର୍ଥ ମହାପାତ୍ର

ଅନୁବାଦ – ବିଶ୍ୱଜିତ ଆପଟ



ପୂଜା କରିବାର ଅସ୍ଥାୟୀ ଜାଗାଟିଏ
ଯେଣୁତେଣୁ ପ୍ଲାଇ ଯୋଡି ଗଢା ହୋଇଛି
ମୋ ମାଆର ଶୋଇବା ଘରର ଗୋଟେ କୋଣରେ ।

ଅସୁନ୍ଦର ମଲାଟ ସାଜିଥିବା
ସ୍ଥାନୀୟ ଖବର କାଗଜର ମଝିପୃଷ୍ଠାର
ଚିରା ଫାଙ୍କସବୁ ଦେଖାନ୍ତି
ମୋ ଜେଜେମା’ଙ୍କ ଶାଳ ପଲଙ୍କରୁ ଚିରାଯାଇଥିବା ପଟା କେତୋଟି,
ଯାହା ପାଲଟିଥିଲା ବୁଢିଆଣୀଙ୍କ ଚରାଭୂଇଁ;
ସେଇ ଦିନ ଯାଏଁ,
ଯେବେ ମାଆର ଧର୍ମନିଷ୍ଠା
ହଠାତ ନିଜକୁ ଜାହିର କରିବାର ନିଷ୍ପତ୍ତି ନେଲା,
ଆଉ ସେ ପଲଙ୍କକୁ ପାଞ୍ଚୋଟି ସମାନ ଭାଗରେ ଭାଙ୍ଗି,
ପ୍ରତ୍ୟେକଟିରେ ଶସ୍ତା ସାବଜା ରଙ୍ଗ ବୋଳି
ତାଙ୍କୁ କାନ୍ଥରେ ଟାଙ୍ଗି ଦେଲା ।

ପାଞ୍ଚୋଟି ବନ୍ଧେଇ ଫୋଟର,
ଓ ତିନୋଟି ମୁରୁକିହସା ଠାକୁର ମୂର୍ତ୍ତିର,
ଏବେ ସେମାନେ ସାଜନ୍ତି ବିଶ୍ରାମାଗାର ।


ସେଥିରୁ ଗୋଟିଏ ଫଟୋ ପୁରୁଣା କ୍ୟାଲେଣ୍ଡରରୁ କଟା
ଆଉ ପ୍ଲାଷ୍ଟିକ ଓ କାଚରେ ବନ୍ଧା;
ବାହୁବଳୀ ନୀଳ ବର୍ଣ୍ଣ ଶିବ ଧ୍ୟାନ ମୁଦ୍ରାରେ,
ପାଖରେ ଗୋଲଗାଲ ହସହସ ପାର୍ବତୀ
(ଯିଏ କିଛି ବର୍ଷ ପୂର୍ବର ଜନୈକା ଅଭିନେତ୍ରୀଙ୍କ ପରି ଦିଶୁଛନ୍ତି,
ଯାହାଙ୍କ ନାମ ମୋର ମନେ ପଡୁନାହିଁ )

ହାତୀ ମୁଣ୍ଡ ଧାରଣପୂର୍ବକ ବାଳକ ଗଣେଶ ତାଙ୍କ କୋଳରେ ବସି
ହୃଷ୍ଟପୃଷ୍ଟ, ଶ୍ୟାମଳ କାର୍ତ୍ତିକଙ୍କ ଉପରେ ଏକ ବେପରୁଆ ହସ ହସନ୍ତି ।
ପ୍ରଚ୍ଛଦପଟରେ ଆମର ଅତି ପରିଚିତ
ବରଫାଚ୍ଛାଦିତ ଶିଖରମାଳା;
ଏକ ଶୁଭ୍ର ଜଳପ୍ରପାତ ଓ ଝୁଲନ୍ତ ଓହଳମାନଙ୍କର
ଏକ ରଙ୍ଗୀନ ସମାବେଶ ।
ପାରିବାରିକ ଆନନ୍ଦର ଏକ ସୁନ୍ଦର ଚିତ୍ରଣ ।

ଆର ପଟ କାନ୍ଥରେ
ଝୁଲୁଛି ମୋ ପରିବାରର ଫୋଟ,
ଧାତବ ଫ୍ରେମ୍ ରେ ବନ୍ଧେଇ ହୋଇ ।

ଏ ଫଟୋର ଚରିତ୍ରମାନେ
ପୂର୍ବ ଆଲୋକଚିତ୍ରଟି ପରି ଦିଶିବାକୁ ଉଦ୍ୟତ ;
ହେଲେ ଏମାନଙ୍କ ଆକାର କେବଳ ଅଲଗା,
ଟିକେ ବେଶୀ ମାନବୀୟ ।

ପଛ ପଟ ସିନେରୀ ବି,
ଯାହା ଅଜନ୍ତା ଷ୍ଟୁଡିଓର ଏକ ପର୍ଦ୍ଦା,
ଆର ଚିତ୍ରର ଏକ ନିମ୍ନମାନର ସଂସ୍କରଣ ମାତ୍ର ।

ଜଣେ କିଏ ରଚିଛି ଏକ ନିଷ୍ଠୁର ପରିହାସ
ଆଉ ଥୋଇଛି ଏହି ଚିତ୍ର ଦୁଇଟିକୁ
ବିପରୀତ ଦିଗରେ, ଗୋଟିଏ କର୍ଣ୍ଣର ଏପଟେ ସେପଟେ ।

ସେମାନଙ୍କ ଚାହାଣୀ ସ୍ଥିର ।
ଚିତ୍ର ଦ୍ୱୟ ଚାହୁଁଛନ୍ତି ପରସ୍ପରକୁ,
ଆଉ କଥାଭାଷା ହେଉଛନ୍ତି ।

ମୁଁ ଉଭୟ ଠୁଁ ସମାନ ଦୂରରେ
ଗୋଲ ଗୋଲ ଘୁରେ
ବୁଝିବାକୁ ସେଇ ସାଙ୍କେତିକ ଇଶାରା ସବୁକୁ ।

କିଏ ପାର୍ବତୀଙ୍କୁ ପଚାରିବସେ,
କ’ଣ ଶିବ ମଧ୍ୟ ଏକ ପ୍ରବଞ୍ଚକ ?
ଆଉ ଜଣେ ଶିବଙ୍କୁ ପଚାରେ,
କାଳେ ବିକୃତ ଗଣେଶ ବି ନିରାଶ କରନ୍ତି ।

ମୁଁ ଉତ୍ତର ପାଇଁ ଅପେକ୍ଷା କରେନା ।
କୁହୁଡି ପରି ଓହ୍ଲେଇ ଆସେ ଏକ ଭାରିପଣ,
ମୋତେ ଘୋଡେଇ ପକାଏ ।

ମୁଁ ବିଛଣାରେ କଡ଼ ଲେଉଟାଏ ।

ପାଞ୍ଚ ବର୍ଷର ଶିଶୁ ହୋଇ ମୁଁ ହସେ;
ଗୋଲ ଗୋଲ ଚଲାଏ ମୋ ତିନି ଚକିଆ ସାଇକେଲ,
ସେଇ ପୁରୁଣା ଅଗଣାରେ
ସେତେବେଳେ ଜେଜେମା ହାତ ଠାରେ, ହସେ,
ଆଉ ମୋତେ ଭିତରକୁ ଡାକିନିଏ ।

ବି.ଦ୍ର. - କବିତାର ଏହି ଅନୁବାଦଟି ୧୨ ମାର୍ଚ୍ଚ ରେ ପ୍ରକାଶିତ ଦୈନିକ ସଞ୍ଚାରର ସାହିତ୍ୟ ପୃଷ୍ଠାରେ ଛପାଯାଇଥିଲା ।

No comments:

Post a Comment