Sunday, March 19, 2017

ପର୍ବତରେ ଧର୍ମୋପଦେଶ - ୯


ପବିତ୍ର ବାଇବେଲର ଓଡ଼ିଆ ଅନୁବାଦ


ହିବ୍ରୁ ବାଇବେଲ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

କୌଣସି ମନୁଷ୍ୟ ଦୁଇ ମୁନିବର ସେବା କରି ନ ପାରେ । ହୁଏତ ସେ ଜଣକୁ ଘୃଣା କରି ଅନ୍ୟ ଜଣକୁ ଭଲ ପାଇବ, ଅଥବା ଜଣକ ପ୍ରତି ଅନୁରକ୍ତ ହୋଇ ଅନ୍ୟ ଜଣକୁ ତୁଚ୍ଛ କରିବ ; ତୁମ୍ଭେମାନେ ପରମେଶ୍ୱର ଓ ଧନ ଏହି ଦୁଇର ସେବା କରି ପାରିବ ନାହିଁ ।

ଏନିମନ୍ତେ ଆମ୍ଭେ ତୁମ୍ଭମାନଙ୍କୁ କହୁଁ, ଜୀବନ ପାଇଁ କଣ ଖାଇବ, କଣ ପିଇବ, ପୁଣି ଶରୀର ପାଇଁ କଣ ପିନ୍ଧିବ, ଏ ବିଷୟରେ ଭାବିତ ହୁଅ ନାହିଁ । ଭକ୍ଷ୍ୟଠାରୁ ଜୀବନ ଓ ବସ୍ତ୍ରଠାରୁ ଶରୀର କି ଶ୍ରେଷ୍ଠ ନୁହେ ? ଆକାଶର ପକ୍ଷୀଙ୍କି ଅନାଅ ; ସେମାନେ ବୁଣନ୍ତି ନାହିଁ କି କାଟନ୍ତି ନାହିଁ, ପୁଣି ଅମାରରେ ରଖନ୍ତି ନାହିଁ , ତଥାପି ତୁମ୍ଭମାନଙ୍କର ସ୍ୱର୍ଗସ୍ଥ ପିତା ସେମାନଙ୍କୁ ଆହାର ଦିଅନ୍ତି । ତୁମ୍ଭେମାନେ କି ସେମାନଙ୍କଠାରୁ ଶ୍ରେଷ୍ଠ ନୁହ ? ତୁମ୍ଭମାନଙ୍କ ମଧ୍ୟରେ କେଉଁ ଲୋକ ଭାବିତ ହୋଇ ଆପଣାକୁ ଆହୁରି ହାତେ ଦୀର୍ଘ କରି ପାରେ ? ଆଉ ବସ୍ତ୍ର ନିମନ୍ତେ କାହିଁକି ଭାବିତ ହୁଅ ? ବିଲର କାନୁଡ ପୁଷ୍ପମାନ କିପରି ବଢ଼ନ୍ତି, ତାହା ବିବେଚନା କରି ଦେଖ । ସେ ସବୁ ଶ୍ରମ କରନ୍ତି ନାହିଁ, ଅବା ସୂତା କାଟନ୍ତି ନାହିଁ; ତଥାପି ଆମ୍ଭେ ତୁମ୍ଭମାନଙ୍କୁ କହୁଁ ଯେ ଶଲୋମନ ସୁଦ୍ଧା ଆପଣାର ସମସ୍ତ ଐଶ୍ୱର୍ଯ୍ୟରେ ଏହାର ଗୋଟାକ ପରି ବିଭୂଷିତ ନଥିଲେ । ଏନିମନ୍ତେ କ୍ଷେତର ଯେଉଁ ଘାସ ଆଜି ଅଛି, କାଲି ଚୁଲିରେ ପକା ଯାଏ, ତାକୁ ଯେବେ ପରମେଶ୍ୱର ଏପରି ବେଶ ଦିଅନ୍ତି, ତେବେ ହେ ଅଳ୍ପବିଶ୍ୱାସିମାନେ, ସେ ତୁମ୍ଭମାନଙ୍କୁ କି ଅଧିକ ନ ଦେବେ ?  ଏଣୁ ଚିନ୍ତା କରି ନ କୁହ ଆମ୍ଭେମାନେ କଣ ଖାଇବୁଁ ? କଣ ପିଇବୁଁ ? ପୁଣି କଣ ପିନ୍ଧିବୁଁ ? ଯେହେତୁ ଦେବପୂଜକମାନେ ହିଁ ଏହିସବୁ ବିଷୟରେ ସଚେଷ୍ଟ ହୁଅନ୍ତି । ଆଉ ଏହି ସମସ୍ତ ପଦାର୍ଥ ତୁମ୍ଭମାନଙ୍କର ପ୍ରୟୋଜନ ଅଟେ, ତାହା ତୁମ୍ଭମାନଙ୍କର ସ୍ୱର୍ଗସ୍ଥ ପିତା ଜାଣନ୍ତି । ଏନିମନ୍ତେ ତୁମ୍ଭେମାନେ ପ୍ରଥମରେ ତାହାଙ୍କର ରାଜ୍ୟ ଓ ତାହାଙ୍କ ଧର୍ମ ବିଷୟରେ ଚେଷ୍ଟା କର, ତେଣୁ ଏହି ସବୁ ପଦାର୍ଥ ତୁମ୍ଭମାନଙ୍କୁ ଦିଆଯିବ । ଅତଏବ କାଲି ପାଇଁ ଚିନ୍ତା କର ନାହିଁ, ଯେଣୁ କାଲି ଆପଣା ବିଷୟରେ ଆପେ ଚିନ୍ତିତ ହେବ । ଆଜିର କଷ୍ଟ ଆଜି ପାଇଁ ଯଥେଷ୍ଟ ।

ଉତ୍ସ - 'ପବିତ୍ର ବାଇବେଲ : ପୁରାତନ ଓ ନୂତନ ନିୟମ' । ବାଇବେଲ ସୋସାଇଟି ଅଫ ଇଣ୍ଡିଆ : ବାଙ୍ଗାଲୋର । ପ୍ରକାଶନର ତାରିଖ ଦିଆଯାଇନାହିଁ ।

No comments:

Post a Comment