Sunday, March 12, 2017

ପର୍ବତରେ ଧର୍ମୋପଦେଶ - ୮

ପବିତ୍ର ବାଇବେଲର ଓଡ଼ିଆ ଅନୁବାଦ


ଗୁଟେନବର୍ଗ ବାଇବେଲରୁ ପୃଷ୍ଠାଏ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଆହୁରି ଯେବେ ଉପବାସ କର, ତେବେ କପଟୀମାନଙ୍କ ପରି ବିଷଣ୍ଣ ବଦନ ହୁଅ ନାହିଁ; ଯେଣୁ ସେମାନେ ମନୁଷ୍ୟମାନଙ୍କୁ ଉପବାସ ଦେଖାଇବା ନିମନ୍ତେ ଆପଣାମାନଙ୍କର ମୁଖ ମଳିନ କରନ୍ତି; ଆମ୍ଭେ ତୁମ୍ଭମାନଙ୍କୁ ସତ କହୁଁ, ସେମାନେ ଆପଣା ଫଳ ପାଇଥାନ୍ତି । ଏଣୁ ତୁମ୍ଭେ ଉପବାସ କରିବା ସମୟରେ ଯେମନ୍ତ ଲୋକଙ୍କ ନିକଟରେ ଉପବାସୀ ପରି ନ ଦିଶ, ପୁଣି ଗୋପନରେ ବର୍ତ୍ତମାନ ଯେ ତୁମ୍ଭର ପିତା, ତାହାଙ୍କ ନିକଟରେ ଦିଶ, ଏହେତୁ ଆପଣା ମସ୍ତକରେ ତୈଳ ଲଗାଅ ଓ ମୁଖ ପ୍ରକ୍ଷାଳନ କର; ତହିଁରେ ତୁମ୍ଭର ପିତା ଯେ ଗୋପନରେ ଦେଖନ୍ତି, ସେ ତୁମ୍ଭକୁ ପ୍ରକାଶରୂପେ ଫଳ ଦେବେ । 

ଯେଉଁଠାରେ ପୋକ ଓ କଳଙ୍କ ଖାଏ ଓ ଚୋରମାନେ ସିନ୍ଧି କାଟି ଚୋରି କରନ୍ତି, ଏପରି ପୃଥିବୀରେ ଆପଣା ପାଇଁ ଅର୍ଥ ସଞ୍ଚୟ କର ନାହିଁ । ମାତ୍ର ଯେଉଁଠାରେ ପୋକ ଓ କଳଙ୍କ ନ ଖାଏ ଓ ଚୋରମାନେ ସିନ୍ଧି କାଟି ଚୋରି ନ କରନ୍ତି, ଏପରି ଯେ ସ୍ୱର୍ଗ ସେଠାରେ ଆପଣା ପାଇଁ ଧନ ସଞ୍ଚୟ କର । ଯେହେତୁ ଯେଉଁଠାରେ ତୁମ୍ଭର ଧନ ଥାଏ, ସେହିଠାରେ ତୁମ୍ଭର ମନ ମଧ୍ୟ ଥିବ । ଚକ୍ଷୁ ଶରୀରର ପ୍ରଦୀପ; ଏନିମନ୍ତେ ତୁମ୍ଭ ଚକ୍ଷୁ ଯେବେ ନିର୍ମଳ ହୁଏ, ତେବେ ତୁମ୍ଭର ସମସ୍ତ ଶରୀର ଆଲୋକମୟ ହେବ । ଚକ୍ଷୁ ମିଳନ ହେଲେ ତୁମ୍ଭର ସବୁ ଶରୀର ଅନ୍ଧକାରମୟ ହେବ । ଏନିମନ୍ତେ ତୁମ୍ଭର ଅନ୍ତରସ୍ଥ ଦୀପ୍ତି ଯେବେ ଅନ୍ଧକାର ହୁଏ, ସେହି ଅନ୍ଧକାର କେଡ଼େ ବଡ଼ !     

ଉତ୍ସ - 'ପବିତ୍ର ବାଇବେଲ : ପୁରାତନ ଓ ନୂତନ ନିୟମ' । ବାଇବେଲ ସୋସାଇଟି ଅଫ ଇଣ୍ଡିଆ : ବାଙ୍ଗାଲୋର । ପ୍ରକାଶନର ତାରିଖ ଦିଆଯାଇନାହିଁ ।

No comments:

Post a Comment