Friday, March 17, 2017

ବୋର୍ହେସ୍ ଏବଂ ମୁଁ


ଲେଖକ - ହୋ. ଲୁ. ବୋର୍ହେସ୍


ଅନୁବାଦକ - ଜ୍ୟୋତି ନନ୍ଦ


ଜେନେଭାଠାରେ ବୋର୍ହେସଙ୍କର ସମାଧି
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍


ଏ ହେଉଛନ୍ତି ବୋର୍ହେସ୍, ଆଉଜଣେ, ଯିଏ ସଚରାଚର ସବୁଠି ଦେଖାଯାଇଥାନ୍ତି । ମୁଁ ବୁଏନସ୍ ଏରେସ୍ ର ରାସ୍ତାରେ ଚାଲୁଛି । ହୁଏତ ଯାନ୍ତ୍ରିକ ଭାବରେ ଏଇଲେ ଅଟକିଯାଇଛି ଏଇଠେ ଏବଂ ପ୍ରବେଶ ପଥର ଖିଲାଣ ଆଉ ଦରଜା ଦେଇ ଭିତରକୁ ପଲକହୀନ ଦୃଷ୍ଟିରେ ଚାହିଁ ରହିଛି । ମୋ ହାତରେ ଡାକ ଯୋଗେ ବୋର୍ହେସଙ୍କ ସମ୍ବାଦ ଆସି ପହଞ୍ଚିଛି, ଅଥବା ମୁଁ ତାଙ୍କର ନାମ ଶିକ୍ଷକମାନଙ୍କ ନାମତାଲିକାରୁ କିମ୍ବା ଜୀବନୀମୂଳକ କେଉଁ ପୁସ୍ତକରୁ ଦେଖିଛି ।

ମୋର ଅଭିଜ୍ଞତା ସମୂହ ସମୟର ନିକିତି, ମାନଚିତ୍ର, ସପ୍ତଦଶ ଶତାବ୍ଦୀର ଛାପାଖାନାର ମୁଦ୍ରାକ୍ଷର, ଶବ୍ଦ ପ୍ରକରଣ ଶାସ୍ତ୍ର, କଫିର ସ୍ୱାଦ ଏବଂ ରବର୍ଟ ଲୁଇସ୍ ଷ୍ଟିଭେନସନ୍ ଙ୍କ ଗଦ୍ୟ ସାହିତ୍ୟରେ ପରିଣତ ହୋଇଛି । ମୋ ପସନ୍ଦର ଏଇସବୁ ଜିନିଷଗୁଡିକରେ ବୋର୍ହେସ୍ ମାମୁଲି ଭାବେ ଭାଗ ବସାଇଛନ୍ତି । କିନ୍ତୁ ଏହା କୌଣସି ଅଭିନେତାର ପୋଷାକ ଭଳି ଦୃଷ୍ଟିନନ୍ଦନ ହୋଇଛି । ହୁଏତ କଥାଟିକୁ ଟିକିଏ ବଢ଼େଇକରି କହିଲେ ଶୁଣାଯିବ ଯେ ଆମ ଦୁଇଜଣଙ୍କର ସମ୍ପର୍କ ତିକ୍ତତାରେ ଭରା । ମୁଁ ବଞ୍ଚିଛି ଏବଂ ବଞ୍ଚିରହିବା ପାଇଁ ମୁଁ ମୋ ନିଜ ପାଇଁ ପ୍ରତିନିୟତ ସୁଯୋଗ କରି ଦେଉଛି । ତାହାର କାରଣ ହେଲା ବୋର୍ହେସ୍ ଯେମିତି ସାହିତ୍ୟ ଚର୍ଚ୍ଚାର କଳେବର ପ୍ରସାରିତ କରି ପାରନ୍ତି । ତାଙ୍କର ସାହିତ୍ୟ ରଚନାରେ ମୋର ପୂର୍ଣ୍ଣ ସମର୍ଥନ ରହିଛି । ମୁଁ ସ୍ୱେଚ୍ଛାରେ ସ୍ୱୀକାର କରି ନେଉଛି ଯେ, ସେ ଅନ୍ତତଃ କିଛି ପୃଷ୍ଠା ନିର୍ଭୂଲ ଭାବରେ ଲେଖିଛନ୍ତି ।  କିନ୍ତୁ ସେଇ ସବୁ ପୃଷ୍ଠାଗୁଡିକ ମୋତେ ରକ୍ଷା କରି ପାରିବ ନାହିଁ । କାରଣ ଲେଖା ଭିତରେ ଯେଉଁସବୁ ଭଲ ଜିନିଷ ରହିଛି, ତାହା କାହାର ବ୍ୟକ୍ତିଗତ ସମ୍ପତ୍ତି ନୁହଁ, ଏପରିକି ଅନ୍ୟ କୌଣସି ମଣିଷର ବି ନୁହଁ । ବରଂ ତାହା ସ୍ୱୟଂ ଭାଷା ବା ପ୍ରଥାଗତ ନିୟମର ଅକ୍ତିଆରଭୁକ୍ତ ।

ଏଇ ସବୁର ବାହାରେ ମୁଁ ପୁରାଦସ୍ତୁର ଏବଂ ଅପରିହାର୍ଯ୍ୟ ଭାବରେ ନିଃଶେଷିତ । ବିସ୍ମୂତି ଏବଂ କିଛି କ୍ଷଣସ୍ଥାୟୀ ମୂହୁର୍ତ୍ତ କେବଳ ମୋ ପାଇଁ, ଯାହା ଏଇ ଲୋକଟି ଭିତରେ ବଞ୍ଚି ରହିଛି । ଯଦିଓ ମୁଁ ଜାଣେ ସବୁକିଛିକୁ ସେ ବିକୃତ ଭାବରେ ଛିନ୍ନଛତ୍ର କରେ ଏବଂ ସେ ଯାହା ନୁହଁ ତାହାଠାରୁ ବେଶି କହେ, ତଥାପି ମୁଁ ଅଳ୍ପ ଅଳ୍ପ କରି ମୋର ସବୁ ସତ୍ତାକୁ ତାହାରି ଭିତରେ ଅଜାଡି ଦେଇଛି । ସ୍ପିନୋଜା ବିଶ୍ୱାସ କରୁଥିଲେ ଯେ, ପ୍ରୟୋଜନ ହେଲେ ସମସ୍ତେ ତାଙ୍କ ନିଜ ଭଳି ରହିଥାନ୍ତି, ଯେମିତି ପଥରର ଇଚ୍ଛା ସେ ଅନନ୍ତକାଳ ପଥର ହୋଇ ରହିବ ଆଉ ବାଘଟିଏ ବାଘ । ମୁଁ ବୋର୍ହେସ୍ ଭିତରେ ରହିଥିବି, ମୋ ଭିତରେ ନୁହଁ (ଯଦି ମୁଁ ଆଉ କିଏ ଜଣେ ହୋଇଥାଏ,ତେବେ)। ସେ ଯାହାହେଉ ଅନ୍ୟମାନଙ୍କ ବହି  ତୁଳନାରେ ମୁଁ ତାଙ୍କ ବହି ଭିତରେ ନିଜକୁ ଖୋଜି ପାଏ । ବସ୍ତି କିମ୍ବା ସହରତଳିର ପୁରାଣକାହାଣୀରୁ ଅପସରି ଆସି ମୁଁ ଏବେ ସମୟ ଓ ଅସୀମର ଖେଳରେ ମାତି ଯାଇଛି । କିନ୍ତୁ ସେଇ ସବୁ ଖେଳ ଏବେ ବୋର୍ହେସ୍ ଙ୍କର। ତେଣୁ ମୋତେ ଏବେ ଅନ୍ୟ କିଛି କୁ ନେଇ ଭାବିବାକୁ ହେବ । ମୋର ଜୀବନ ଦୋଦୁଲ୍ୟମାନ ଓ ସ୍ମୃତି, ଭ୍ରାନ୍ତ । ଧୀରେ ଧୀରେ ମୋ ଭିତରୁ ମୁଁ ହଜି ଯାଉଛି ଏବଂ ମୋର ମନେ ହେଉଛି ସମସ୍ତେ ଯେମିତି ଆତଙ୍କିତ ଅଛନ୍ତି। ମୋର ସବୁକିଛି ବିସ୍ମୃତିର ଅତଳ ଗହ୍ୱରରେ ଯେମିତି ମିଳାଇଯିବାକୁ ବସିଛି ଅଥବା ଅନ୍ୟ କାହାର ହାତମୁଠାରେ ବନ୍ଦୀ ହୋଇ ରହିଛି ।

ମୁଁ ନିଶ୍ଚିତ ନୁହଁ,ଆମ ଦୁଇଜଣଙ୍କର ମଧ୍ୟରେ ପ୍ରକୃତରେ ଏଇ ଲେଖାଟି କିଏ ଲେଖିଛି ।

No comments:

Post a Comment