Tuesday, January 24, 2017

ବିଳାସପୁରର ବିସ୍ଥାପିତ ଲୋକେ ଓ ଜଙ୍ଗଲ ଅଧିକାର ଆଇନ

ପୁଷ୍ପାଞ୍ଜଳି ଶତପଥୀ ଓ ସାଥୀ


ହୀରୁକୁଦ ଉପରେ ଜାରୀ ୧୯୭୯ ମସିହାର ଡାକଟିକଟ
ଫଟୋ କ୍ରେଡ଼ିଟ - ୱିକମିଡ଼ିଆ କମନ୍ସ

ଏ ଲେଖାର ଜେଗା ଛତ୍ତିଶଗଡ଼ର ନଗର ବିଳାସପୁର ନୁହେଁ । ଏହି ବିଳାସପୁର ଆମ ରାଜ୍ୟ ଓଡ଼ିଶାର ସମ୍ବଲପୁର ଜିଲାର କୁଲୁଣ୍ଡି ପଞ୍ଚାୟତର ନୂଆବଘରା ଗାଁର ଗୋଟିଏ ପଡ଼ା । ବର୍ତ୍ତମାନ ଯେଉଁ ଲୋକମାନେ ବିଳାସପୁର ବସ୍ତିରେ ବସବାସ କରୁଛନ୍ତି, ତାହା ମଧ୍ୟରୁ ଯେଉଁମାନେ ହିରାକୁଦ ବିସ୍ଥାପିତ, ସେମାନେ ଗୀର୍ଦ୍ଧା ବୋଲି ଗୋଟିଏ ଗାଁରେ ବସବାସ କରୁଥିଲେ । ହିରାକୁଦ ବନ୍ଧ ଯେଉଁ ୩୨୫ଟି ଗାଁକୁ ବୁଡ଼ାଇଲା, ସେଥି ମଧ୍ୟରୁ ୨୯୧ଟି ଗାଁ ଓଡ଼ିଶାର ଓ ୩୪ଟି ଗ୍ରାମ ସେହି ସମୟର ମଧ୍ୟୀୟ ପ୍ରଦେଶର ଥିଲା । ଦେଶର ତଥାକଥିତ ବୃହତ୍ତର ସ୍ୱାର୍ଥ ପାଇଁ ବୁଡ଼େଇ ମାନଚିତ୍ରରୁ ଲିଭାଇ ଦିଆଯାଇଥିବା ଓଡ଼ିଶାର ୨୯୧ଟି ଗାଁ ଭିତରେ ଗୀର୍ଦ୍ଧା ଗ୍ରାମଟି ମଧ୍ୟ ଥିଲା ।

ସରକାରୀ ହିସାବ ଅନୁସାରେ ବୁ଼ଡ଼ି ଯାଇଥିବା ୩୨୫ଟି ଗାଁମାନଙ୍କରେ ଅତି କମରେ ୧୬, ୫୦୧ ପରିବାର ବସବାସ କରୁଥିଲେ । ମାତ୍ର ବେସରକାରୀ ହିସାବ ଏଥିରୁ କାହିଁ କେତେ ଅଧିକ । କିଛି ବେସରକାରୀ ହିସାବ ଅନୁସାରେ ଲକ୍ଷେ ଷାଠିଏ ହଜାର ଲୋକେ ବିସ୍ଥାପିତ ହୋଇଥିଲେ, ଯଦିଓ ସରକାରୀ ହିସାବରେ ହିରାକୁଦ ଦ୍ୱାରା ବେଘର ହୋଇଥିବା ଲୋକଙ୍କର ସଂଖ୍ୟା ପ୍ରାୟ ଲକ୍ଷେ । ଏହି ଲୋକେ ଜିଲ୍ଲା ବିଭାଜନ ପରର ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା, ଓ ସୋନପୁର ଜିଲ୍ଲାରେ ବିଛାଡ଼ି ହୋଇ କେ କାହିଁ ପଡ଼ିଲେ ତାହାର ଇୟତ୍ତା ନାହିଁ । କିଛି ଲୋକେ କାହିଁ ଯେ ଗଲେ ତାହାର ହିସାବ ନା ସରକାର ପାଖରେ ଅଛି, ନା ଆଉ କାହା ପାଖରେ । ଗୀର୍ଦ୍ଧା ଗାଁର ଲୋକେ ମଧ୍ୟ ସେଇମିତି ବାତ୍ୟାମୁହଁରେ ଉଡ଼ିଯାଉଥିବା ତୁଳା ପରି ଛିଞ୍ଚାଡ଼ି ହୋଇ କେ କୁଆଡ଼େ ଗଲେ ।

ହିରାକୁଦ ଓଡ଼ିଶାରେ ବୁଡ଼ାଇଥିବା ଗାଁ ମାନ ଯେତେବେଳେ ବିସ୍ଥାପନ ଘଟିଲା, ସେ ପର୍ଯ୍ୟନ୍ତ ମଧ୍ୟ ଗାଁର ଜନଜୀବନରେ ପାରମ୍ପରିକ ଗ୍ରାମୀଣ ମୁଖିଆ, ଗଉନ୍ତିଆମାନଙ୍କର ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ଯେତେବେଳେ ଭିଟାମାଟି ଛାଡ଼ି ଚାଲିଯିବାର କଥା ଉଠିଲା, ଲୋକଶୃତି ଅନୁସାରେ, ସେତେବେଳେ ଗୀର୍ଦ୍ଧା ଗ୍ରାମର ଗଉନ୍ତିଆ ମଧ୍ୟ-ଭାରତର ବିଳାସପୁର ସହରକୁ ଉଠି ଚାଲିଗଲେ । ଯେଣେ ରଜା ତେଣେ ପ୍ରଜା ନ୍ୟାୟରେ ଅନେକ ଗ୍ରାମବାସୀ ଗଉନ୍ତିଆଙ୍କ ସହିତ ଉଠି ବିଳାସପୁର ନଗରରେ ବସବାସ କରିବା ପାଇଁ ଚାଲିଗଲେ । ସେଠାରେ ଏହି ବିସ୍ଥାପିତ ଲୋକମାନେ ପ୍ରାୟ ବାର ବର୍ଷ ଘର କରି ରହିଲେ । କିନ୍ତୁ ସହରୀ ଜୀବନ, ଭିନ୍ନ ଭାଷା ଓ ସଂସ୍କୃତି ଇତ୍ୟାଦି ସେମାନଙ୍କୁ ଆରେଇଲା ନାହିଁ । ସେମାନେ ବିଳାସପୁରରେ ରହି ଏ କଥା ମଧ୍ୟ ଶୁଣିଲେ ଯେ ସେ ସମୟର ଲୋକପ୍ରିୟ ସାମ୍ୟବାଦୀ ନେତା ଶ୍ରୀଯୁକ୍ତ ପ୍ରସନ୍ନ କୁମାର ପଣ୍ଡା ଲୋକଙ୍କର ଜମି ଉପରେ ଅଧି୍କାର ଓ ବିସ୍ତାପିତମାନଙ୍କର କ୍ଷତିପୂରଣ ପାଇବା ପାଇଁ ଲଢ଼ୁଛନ୍ତି । ଜମି ଓ କ୍ଷତିପୂରଣର ସମ୍ଭାବ୍ୟ ଆକର୍ଷଣ ତଥା ଭିଟାମାଟିର ମୋହରେ ଟାଣି ହୋଇ କିଛି ଗ୍ରାମବାସୀ ଓଡ଼ିଶା ଲେଉଟି ଆସିଲେ ।

ସାମ୍ୟବାଦୀ ନେତା ଶ୍ରୀ ପ୍ରସନ୍ନ ପଣ୍ଡା ଏହି ଲୋକମାନଙ୍କର ଗଉନ୍ତିଆଙ୍କର ପରିବାରର ହିଁ ଲୋକ ଥିଲେ । ସେ ବିଳାସପୁରରୁ ଫେରିଥିବା ଗ୍ରାମବାସୀମାନଙ୍କୁ ବର୍ତ୍ତମାନର ବସ୍ତିଟିରେ ଥଇଥାନ କଲେ । ଔପନିବେଶିକ ସମୟରେ ମୂଳ ଦେଶରୁ ଯେତେବେଳେ ଲୋକେ ଯାଇ ଅନ୍ୟ ଦେଶ ମହାଦେଶମାନଙ୍କର ବସତି ସ୍ଥାପନ କରୁଥିଲେ, ସେତେବେଳେ ଅନେକ ସମୟରେ ଜେଗା ଗୁଡ଼ିକର ନାଁ ପାଇଁ ପୁରୁଣା ନାମଗୁଡ଼ିକର ବ୍ୟବହାର କରୁଥିଲେ । ସେହି ପରି ଭାବରେ ନିଉ ଜି ଲ୍ୟାଣ୍ଡ (ଅର୍ଥାତ ନବୀନ ‘ଜି ଲ୍ୟାଣ୍ଡ’) ଦେଶ ବା ନ୍ୟୁ ୟର୍କ (ବା ନୂଆ ୟର୍କ) ନଗରର ନାମ କରଣ ହୋଇଥିଲା । ଯେତେବେଳେ ଗୀର୍ଦ୍ଧା ଗାଁର ଲୋକେ ଓଡ଼ିଶା ଫେରି ଆସିଲେ, ସେତେବେଳେ ସେମାନେ ନିଜର ନୂଆ ବସତିଟିର ନାଁ ଆଉ ପୁରୁଣା ଗାଁ ବା ପଡ଼ା ହିସାବରେ ଦେଲେ ନାହିଁ । ବୋଧେହୁଏ ବିସ୍ଥାପନର ସ୍ମୃତି ଅତ୍ୟନ୍ତ କଷ୍ଟଦାୟକ ଥିଲା । ତେଣୁ ସେମାନେ ନିଜର ନୂଆ ପଡ଼ାର ନାମ ଦେଲେ ବିଳାସପୁର, ସେ ସମୟର ମଧ୍ୟ ପ୍ରଦେଶର ବିଳାସପୁର ନଗରର ନାମ ଅନୁସାରେ ।

ସେତେବେଳେ ଏହିପରି ବାରଟି ପରିବାର ବର୍ତ୍ତମାନର ବିଳାସପୁର ବସ୍ତିକୁ ଫେରିଆସି ରହିବାର ଆମେ ଖବର ପାଉ । ବିସ୍ତାପିତ ଏହି ମୂଳ ବାରଟି ପରିବାର ଆସି ନୂଆବଘରା ଗ୍ରାମରେ ପଡ଼ାଟିଏ ବାନ୍ଧି ସିନା ରହିଲେ । ହେଲେ ସେମାନଙ୍କୁ କିଛି କ୍ଷତିପୂରଣ ମିଳିଲା ନାହିଁ । କିଛି ଜଙ୍ଗଲ ଜମି ଆବାଦ କରି ସେମାନେ ଜୀବିକା ନିର୍ବାହ କରିବାକୁ ଲାଗିଲେ । ଏହି ଗରୀବ ଭୂମିହୀନମାନଙ୍କ ଜମି ଉପରେ ଅଧିକାର ତ ମିଳିଲା ନାହିଁ, ବରଂ, ଅନେକ ସମୟରେ ସେମାନଙ୍କ ବିରୋଧରେ ମକଦ୍ଦମା ମଧ୍ୟ ରୁଜୁ କରାଯାଉଥିଲା । ଏହା ଛଡ଼ା, ସେମାନଙ୍କୁ ଜଙ୍ଗଲ ବିଭାଗକୁ ନାନାଦି ଜୋରିମାନା ମଧ୍ୟ ଗଣିବାକୁ ପଡ଼ୁଥିଲା । ଲୋକେ ଖାଲି ଜୋରିମାନା ଗଣିଗଣି ରହିଲେ । କ୍ଷତିପୂରଣ ବାବଦରେ ମିଥ୍ୟା ପ୍ରତିଶୃତି ଛଡ଼ା, ଲୋକଙ୍କ ଅନୁସାରେ, ପ୍ରଶାସନଠାରୁ ଆଉ କିଛି ମିଳିଲା ନାହିଁ ।

ହିରାକୁଦ ବିସ୍ଥାପିତଙ୍କର ତୃତୀୟ ପୁରୁଷ ଏବେ ଏଠାରେ ରହୁଛନ୍ତି । ଏମାନଙ୍କର ପରିବାର ସଂଖ୍ୟା ମଧ୍ୟ ଏବେ ବଢ଼ିଗଲାଣି । ବିସ୍ଥାପିତଙ୍କ ଛଡ଼ା ଏବେ ବିଳାସପୁର ପଡ଼ାରେ ସୁନ୍ଦରଗଡ଼ର କିଛି ଓରାଙ୍ଗ ଜନଜାତିର ପରିବାର, ସମ୍ବଲପୁରର ଅନ୍ୟ ଅଞ୍ଚଳରୁ ଆସି ବସବାସ କରୁଥିବା କିଛି ମୁଣ୍ଡା ପରିବାର ତଥା ଝାଡ଼ଖଣ୍ଡରୁ ଆସିଥିବା କିଛି ବଡ଼ାଇକ ପରିବାର ମଧ୍ୟ ବସବାସ କରୁଛନ୍ତି । କିଛି ମିର୍ଦ୍ଧା ପରିବାର ମଧ୍ୟ ବିଳାସପୁର ବସ୍ତିରେ ରହୁଛନ୍ତି । ଏହି ପଡ଼ାକୁ ବସବାସ କରିବା ପାଇଁ ଲୋକେ ଆସିବା ପ୍ରାୟ କୋଡ଼ିଏ ବରଷ ତଳେ ବନ୍ଦ ହୋଇଗଲା ।

ବିଳାସପୁର ଲୋକେ ଜଙ୍ଗଲ ଅଧିକାର ଆଇନ ବଳରେ ନିଜେ ଚାଷ କରୁଥିବା ଜମି ଉପରେ ସତ୍ତ୍ୱ ଜାହିର କରିବା ପାଇଁ ୪୮ଟି ଦାବୀ ପତ୍ର ବାଙ୍ଗଟାଲ ଜଙ୍ଗଲ ଅଧିକାର କମିଟି ଅଧିନରେ ଦାୟର କଲେ । ନିୟମ ଅନୁସାରେ ଏହି ଜମିର କ୍ଷେତ୍ର ନୀରିକ୍ଷଣ ଇତ୍ୟାଦି ସରିଗଲା ପରେ ଏହି ବର୍ଷ ୪୨ଟି ଦାବୀ ଦ୍ୱାରା ସିଦ୍ଧ ୧୦୧.୨୫ ଏକର ଜମି ଉପରେ ଗାଁର ଲୋକଙ୍କର ଅଧିକାର ସରକାର ସ୍ୱୀକର କରିଛନ୍ତି । ଛଅଟି ଅଣ-ଆଦିବାସୀ ଅନ୍ୟାନ୍ୟ ପାରମ୍ପରିକ ଜଙ୍ଗଲ ନିବାସୀମାନଙ୍କର ଅଧିକାର ପାଇଁ ଦାବୀ ଖାରଜ ହୋଇଯାଇଛି । ଗ୍ରାମବାସୀମାନଙ୍କ ଦ୍ୱାରା ଗୋଷ୍ଠୀଗତ ଜଙ୍ଗଲ ଅଧିକାର ପାଇଁ ମଧ୍ୟ ଦାବୀପତ୍ର ଜଙ୍ଗଲ ଅଧିକାର କମିଟି ମାଧ୍ୟମରେ ଦିଆଯାଇଥିଲା । ମାତ୍ର ଏ ପର୍ଯ୍ୟନ୍ତ ଜଙ୍ଗଲ ଓ ରାଜସ୍ୱ ବିଭାଗ ଦ୍ୱାରା ଯୁଗ୍ମ ନୀରିକ୍ଷଣ ପ୍ରକ୍ରିୟା ସମ୍ପାଦିତ ହୋଇନାହିଁ । ଏ ବିଷୟରେ ଜଙ୍ଗଲ ବିଭାଗର ଅହହେଳା ହିଁ ପ୍ରାୟତଃ ଦାୟୀ ।

ଜଙ୍ଗଲ ଅଧିକାର ଆଇନ ଅଧିନରେ ବିସ୍ଥାପିତଙ୍କର ଭୁମ୍ୟାଧିକାର ସ୍ୱିକୃତ ହେବାରେ ବିଳାସପୁର ବୋଧେହୁଏ ପ୍ରଥମ ଉଦାହରଣ ଅଟେ । ଜଙ୍ଗଲ ଅଧିକାର ଆଇନର ମୂଳ ଲକ୍ଷ୍ୟ ଥିଲା ଔତିହାସିକ ଭାବରେ ଯେଉଁ ଜନଗୋଷ୍ଠୀମାନଙ୍କର ଜମି ଓ ଜଙ୍ଗଲ ଉପରେ ଅଧିକାର ହନନ କରାଯାଇଥିଲା, ତାହାର ନ୍ୟାୟସଙ୍ଗତ କ୍ଷତିପୂରଣ କରିପାରିବା । ଯଦିଓ ବିଳାଲପୁରରେ ଗୋଷ୍ଠୀଗତ ଜଙ୍ଗଲ ଅଧିକାର ଏ ପର୍ଯ୍ୟନ୍ତ ସ୍ୱୀକୃତ ହୋଇପାରିନାହିଁ, ଲୋକଙ୍କର ବ୍ୟକ୍ତିଗତ ଜମି ଉପରେ ଅଧିକାର ସ୍ୱୀକୃତ ହେବା ଏକ ଶୁଭ ସଙ୍କେତ । ରାଜ୍ୟ ସରକାର ଓ ବିସ୍ଥାପିତମାନେ ବସବାସ କରୁଥିବା ଅଞ୍ଚଳମାନଙ୍କର ଜିଲ୍ଲା ପ୍ରଶାସନ ଏହାକୁ ଏକ ଉଦାହରଣ ଭାବରେ ଗ୍ରହଣ କରି, ଅତୀତରେ ଅଧିକାର ହନନ ହୋଇ ବିସ୍ଥାପିତ ହୋଇଥିବା ଲୋକଙ୍କର ଜମି ଅଧିକାରକୁ ଅଗ୍ରାଧୀକାର ଦେଇ ସ୍ୱୀକୃତି ପ୍ରଦାନ କଲେ, ଏହା ଏକ ଜାତୀୟ ଦୃଷ୍ଟାନ୍ତ ସୃଷ୍ଟି କରିବ । 

ବି.ଦ୍ର. ଏହି ଲେଖାଟି ଦୈନିକ ଧରିତ୍ରୀର ୯ ଜାନୁଆରୀ ୨୦୧୭ ସଂଖ୍ୟାର ସମ୍ପାଦକୀୟ ପୃଷ୍ଠାରେ  ଛପା ହୋଇଥିଲା । 

No comments:

Post a Comment