କବିତା - 'ଅରି ଫେରି ନାହିଁ '
କବି - ବୀରକିଶୋର ଦାସ (୧୮୮୨ - ୧୯୫୪)
![]() |
୧୯୩୦ ଦଶକର ସାମ୍ରାଜ୍ୟବାଦ ବିରୋଧୀ ଆନ୍ଦୋଳନର ଦୃଶ୍ୟ ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
ଅରି ଫେରି ନାହିଁ,
ଯୁଦ୍ଧ ସରି ନାହିଁ
ଆସ ମୋ ଶିବିରେ ଆସ ଭାଇ !
ହିମାଳୟ ଶିରେ ଶବଦ ଶୁଭଇ
ଡର ନାହିଁ ଆଉ ଡେରି ନାହିଁ । ଘୋଷା ।
ଡର ନାହିଁ ଆଉ ଡେରି ନାହିଁ । ଘୋଷା ।
ସଉର ଜଗତୁଁ ରଣ ବିଜ୍ଞାନର
ବିଷ ପୂରାପୂରି ହରି ନାହିଁ ।
ପ୍ରକୃତି ସୁନ୍ଦରୀ ବିଜୟ ଚନ୍ଦ୍ରିକା
ବିଶ୍ୱ ଗଗନରେ ଭରି ନାହିଁ ।୧।
ଭାରତର ନବ ମନ୍ତ୍ରର ଉଚ୍ଚାଟେ
ଶିବ ନାଚିଲାଣି ଶବ ପାଇଁ,
ମାନବ ମୁକତି ଗଙ୍ଗା ଆସୁଛନ୍ତି
ବାରେ ଚଉଦିଗ ଦେଖ ଚାହିଁ ।୨।
ଜଡ଼ ଚେତନର ବଳ କଷାକଷି
ଅସ୍ତ୍ର ଜବତ୍-ରଣ ଏହି
ତରଙ୍ଗ ଏହାର ରୋଧିବ କିଏ ସେ
ଯୁଗ ଯୁଗାନ୍ତର ଯିବ ବହି ।୩।
ଭକତ ଯେ ଅଛ ଦେବୀ ପୂଜା କର
ରକତ ମନ୍ଦାର ଢ଼ାଳି ଦେଇ,
ତରୁଣ କେ ଅଛ ମରଣକୁ ଦଳି
ଦେବତା ପରାଏ ଉଠ ଚେଇଁ ।୪।
ଚାଷୀ କାରିଗର ପ୍ରାଣ ରକ୍ଷା କର
ଆଜି ଫୁଲ ପାଣି ସିଞ୍ଚି ଦେଇ,
ଅଚିରେ ଧରଣୀ ସରଗ ସାଜିବ
କଳି ଚାଲିଯିବ ବଳି ପାଇଁ ।୫।
No comments:
Post a Comment