Tuesday, January 10, 2017

ବହିକଥା - ୧

ଲେଖକ - ଜ୍ୟୋତି ନନ୍ଦ 


ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

କାଗଜ ବହିର ମୂଳ ରୂପ ହେଲା ପାପିରସ । ସେତେବେଳେ ଆଜିଭଳି ଦୁଇ ମଲାଟ ଭିତରେ ବନ୍ଧା ହୋଇଥିବା ଛାପା କାଗଜକୁ ବହି ବୋଲି ବିଚାର କରାଯାଉ ନଥିଲା । ପାପିରସ ଗଛର ବକ୍କଳରେ ଆଜିକାଲିର ପଟ୍ଟ ଭଳି ଚିତ୍ର-ଲେଖା ପରେ ତାହାକୁ ଗୁଡାଇ ରଖାଯାଉଥିଲା । ସେ ସମୟରେ ଏଗୁଡିକ ବହି । ଏହାକୁ ପାପିରସ ବୋଲି କୁହାଯାଉଥିଲା । ବହି ପଛରେ ଅନେକ ସାଧନା ରହିଛି, ଆଜି ହେଉ ବା ଅନ୍ୟ କେଉଁ ଯୁଗରୁ ହେଉ । ତେଣୁ ବହିକୁ ସମସ୍ତେ ଘରର ଜଣେ ସମ୍ମାନିତ ସଦସ୍ୟ ବୋଲି ଭାବନ୍ତି । ତାହା ପାଇଁ ବହିଥାକ ବା ଆଲମାରୀର ସ୍ଵତନ୍ତ୍ର ବ୍ୟବସ୍ଥା ଥାଏ । କିଏ କିଏ ଖାସ ବହିଘର ବି ଘର ତୋଳିଲା ବେଳେ ଯୋଜନା କରିଥାନ୍ତି ଠାକୁରଘର ଭଳି ।
ଆମର ସମୟ କୁ ଅପଚୟ ନ କରିବାପାଇଁ ବହିର ଆବଶ୍ଯକତା ରହିଛି । ସମୟକୁ ମୂଲ୍ୟଯୁକ୍ତ କରିବା ପାଇଁ ହିଁ ବହି କୁ ବହୁ ପୁରାତନ କାଳରୁ ଲୋକେ ଲୋଡି ଆସିଛନ୍ତି । କେହି କେହି ତ ନିଜର କୋଷ୍ଠକାଠିନ୍ୟ ସମୟକୁ ସଦବ୍ୟବହାର କରିବା ପାଇଁ ଖଣ୍ଡେ ଖଣ୍ଡେ ବହି ଧରି ପାଇଖାନା ଭିତରକୁ ପସିଯାଆନ୍ତି । କାହାର କାହାର ପାଇଖାନା ଥାକରେ ଅନ୍ୟାନ୍ୟ ବିଶୋଧକ ସହ କିଛି ବହି ଥିବାର ମୁଁ ଦେଖିଛି ।
ଥରେ ମୁଁ ଜଣେ ଆତ୍ମୀୟଙ୍କ ସେହିଭଳି ଏକ ଥାକରେ ଗୋଟିଏ ବହି ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲି । ପଚାରିଥିଲି,ଆପଣ କ'ଣ ଏ ବହିଟି ଏହିଠି ପଢିଛନ୍ତି, ମାନେ ଏଇ ଜାଗାରେ ? ସେ ମୋତେ କହିଥିଲେ, ତୁ ବିଶ୍ୱାସ କରିବୁନି ସେ ବହିକୁ ବେଶି ପଢିବା ଦରକାର ପଡେନାହିଁ  । ଦୁଇ ପୃଷ୍ଠା ପଢିଲେ କାମ ଶେଷ । ମାନସିକ ଚାପ ବୃଦ୍ଧି ହେଲେ ପାଇଖାନା କାମଟି ସହଜସରଳ ହୋଇଯାଏ ବୋଲି ଆମର ଧାରଣା ରହିଛି । ମୋର ସେହି ମଧୁର ଆତ୍ମୀୟଙ୍କ କୋଷ୍ଠକାଠିନ୍ୟର ପରମଫଳପ୍ରଦ ସେହି ବହିଟି ଦୟାକରି ଅନ୍ୟ କାହାର ପାଇଖାନାର ବହି ଥାକରେ ଶୋଭାବନ ନ ହେଉ । ଭାରି ଦୃଶ୍ୟକଟୁ ଲାଗିବ । କାରଣ ବହିଟି ଥିଲା,ଜାଁ ପଲ୍ ସାର୍ତ୍ତଙ୍କ "ବିଙ୍ଗ୍ ଆଣ୍ଡ୍ ନଥିଙ୍ଗନେସ୍" ।

ବହି ପୃଥିବୀର ସୁନ୍ଦରତମ ଦୃଶ୍ୟ ଭିତରୁ ଅନ୍ୟତମ । ଏଠାରେ ଯେଉଁ ପ୍ରାଚୀନ ସୁନ୍ଦର ଚିତ୍ରଟିର ଉପସ୍ଥାପନ କରାଯାଇଛି ତାହା ଓସିରିସ ଦେବତାଙ୍କୁ ଦର୍ଶାଉଥିବା ମିଶର ଦେଶର ଗୋଟିଏ ପାପିରସ ପଟ୍ଟି । ଗ୍ରନ୍ଥଟି ହେଲା ମିଶରୀୟ ମୃତ୍ୟୁ ଶାସ୍ତ୍ର (ଇଜିପ୍ସିଆନ ବୁକ ଅଫ ଦି ପୃଥିବୀର   ଡେଡ) । ଏହା ବୋଧେହୁଏ ପୃଥିବୀର ସର୍ବପୁରାତନ 'ବହି' ।

No comments:

Post a Comment