Thursday, January 26, 2017

କବିତା - 'ଭାଇ, ତମେ କେତେ ଜଣ'


ଜାତୀୟ କବି ବୀରକିଶୋର ଦାସ (୧୮୯୨-୧୯୫୪)


ଭଗତ ସିଂହ, ସୁଖଦେବ ଥାପର ତଥା ଶିବରାମ ରାଜଗୁରୁ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଭାଇ,
ତମେ କେତେ ଜଣ
ଜୀବନକୁ ପାଣି
ଛଡ଼ାଇ ନ ଦେଲେ ଚଳିବ କି ?
ଦଝୀଚିର ହାଡ଼
ଉଜାଡ଼ି ନ ଦେଲେ
ଜଗତର ଭାଗ୍ୟ ଫେରିବ କି ?

ଶେଷ ଯବନିକା ହେଲାଣି ପତନ
ବଦଳି ଯିବ ଏ ଶୋଷକ ଶାସନ
ଶୋଷଣ ନୀତିର ବତୀ ଲିଭି ଆସେ
ଜଳାଇଲେ ଦୀପ ଜଳିବ କି ?

ଆଖି ଆଗେ ସଫା ଦିଶେ ଢ଼ଳ ଢ଼ଳ
ସ୍ୱାଧୀନତା ସ୍ରୋତ ଆସଇ ପ୍ରବଳ
ପହିଲି ଆଷାଢ଼ ନଈ ବଢ଼ି ପାଣି
ତମେ ତାକୁ ଲୋଭେ ପିଇବ କି ?

ଧନୀ, ମହାଜନ, ରାଜା ଜମିଦାର
ତ୍ୟାଗ ମାଳିଧରି ହୋଇବେ ବାହାର
ଗେରୁଆ ବସନ ମଧୁର ବଚନ
ଶୁଣି ନିଜ ନୀତି ଭୁଲିବ କି ?

ଧଳା ବଦଳରେ କଳା ହେଲେ ଯୋକ
ମେଣ୍ଟିବ କି କୋଟି ଗରୀବଙ୍କ ଦୁଃଖ
ଚାଷୀ ମୁଲିଆଙ୍କ ଖପୁରିକି ଚୂରି
ଦିଲ୍ଲୀ ଦରବାର ତୋଳିବା କି ?

ତମରି ରକ୍ତରେ ଜାତୀୟ ପତାକା
ରଙ୍ଗାଇବ ଯେବେ ସହି ଶତ ଧକା
ମାନବ ଜାତିକି ବଞ୍ଚାଇ ରଖିବ
ପୃଥିବୀରେ ଯିବ ନାଆଁ ରଖି ।  

No comments:

Post a Comment