Saturday, January 14, 2017

ଛାତ୍ର ବନ୍ଧୁ ଗୟାଧର ରାଉତ



(କବି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କର ଆତ୍ମଜୀବନୀ ‘ନିରବଧି ନିରବ’ରୁ ସଙ୍ଗୃହିତ)




ମେଲେରିଆର ପୋଷ୍ଟର
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍


କୁଷ୍ଟଁ ତ୍ରିପାଠିଏ ବାଣପୁରର ମଣିଷ । ୧୯୧୧ ମସିହାରେ ଜନମ । ଅର୍ଥାତ, ଗୋପୀନାଥ ମହାନ୍ତିଙ୍କ (୧୯୧୪ ମସିହାରେ ଜନ୍ମ) ପ୍ରଜନ୍ମର ଲୋକ । ହେଲେ ଗୋପୀ ବାବୁଙ୍କ ଠାରୁ ବୟସର ବଡ଼ । ବୃତ୍ତି ଓ ପ୍ରବୃତ୍ତିରେ ଶିକ୍ଷକ । ଚିତ୍ତରେ କବି : ମାୟାଧର ମାନସିଂହ ଓ ରାଧାନାଥ ଗଡ଼ନାୟକ ଇତ୍ୟାଦିଙ୍କ ପରି ଛନ୍ଦବଦ୍ଧ କବିତା-ମନସ୍କ ଲୋକ । ୧୯୩୯-୪୦ ମସିହାରେ ତ୍ରିପାଠୀଏ ଆଠମଲ୍ଲିକରେ ମାଷ୍ଟ୍ରିଆ ପାଇଟି ଛାଡ଼ି ଯାଜପୁର ଗଲେ । ବିରଜା ମଧ୍ୟ ଇଂରାଜୀ ବିଦ୍ୟାଳୟରେ ହେଡ଼େ ପଣ୍ଡିତଗିରି କରିବା ପାଇଁ । ଏହାଥିଲା ବାବୁଙ୍କର ତୃତୀୟ ମାଷ୍ଟ୍ରିଆ ଚାକିରୀ । ପ୍ରଥମେ ବଉଦରେ । ତାହା ପରେ ଆଠମଲ୍ଲିକରେ । ଆଉ ତୁରୁତିୟରେ ବିରଜାଇଙ୍କ କ୍ଷେତ୍ର ଯାଜପୁରରେ । ସେତେବେଳେ କବିଙ୍କୁ ମାତର ୨୮-୨୯ ବର୍ଷ ବୟସ । ବିରଜା ମ.. ବିଦ୍ୟାଳୟରେ ପ୍ରାୟ ଦୁଇ ବରଷ ଶିକ୍ଷକତା କଲେ । ସେହି ଦୁଇ ବର୍ଷ ଭିତରେ ଜଣେ ଛାତ୍ର ଗୟାଧରଙ୍କର ସ୍ନେହର ବନ୍ଧନରେ କବି ବାନ୍ଧି ହୋଇଗଲେ ।

ଗୃହତ୍ୟାଗୀ ଶିକ୍ଷକ ସେତେବେଳେ ଛାତ୍ରମାନେ ରହୁଥିବା ହଷ୍ଟେଲର ହିଁ ଗୋଟିଏ ବଖରାରେ ବସା କରି କାଳାତିପାତ କରୁଥାଆନ୍ତି । ବୋର୍ଡ଼ିଙ୍ଗଟିର ଚାରିପଟେ ଦେବଦାରୁ, ଆମ୍ର, ଶ୍ରୀଫଳ ଇତ୍ୟାଦି ବୃକ୍ଷର ବନ । ସେହି ବୋର୍ଡ଼ିଙ୍ଗରେ ରହିବା ଭିତରେ ହିଁ କୁଷ୍ଟଁବାବୁଙ୍କର ଗୟାଧରଙ୍କ ସହିତ ପରିଟିତି ହେଲା । ଅତ୍ୟନ୍ତ ପ୍ରତିଭାବାନ ସପ୍ତମ ଶ୍ରେଣୀର ଛାତ୍ର । ବୟସ ମାତର ତେର ଚଉଦ ବରଷ । ଛାତ୍ରଙ୍କର ପ୍ରତିଭା ହିଁ ଗୁରୁଙ୍କୁ ଆକୃଷ୍ଟ କଲା । ଗୟାଧରଙ୍କର ଗ୍ରାମର ନାମ ଲାଲବାଗ । ବଇତରଣୀ ନଈର ଅନ୍ୟ କୂଳରେ । ଯାଜପୁର ନଗରଠାରୁ ଲାଲବାଗଠାରେ ସ୍ଥିତ ତାଙ୍କର ଘର ତିନି କିଲୋମିଟର ଖଣ୍ଡେ ବାଟ ହବ । ନଈ ସେପାରି ଘର ହୋଇଥିବାରୁ ବୋର୍ଡ଼ିଙ୍ଗରେ ରହୁଥାଆନ୍ତି । ଗୟା ମାତୃହୀନ । ସାବତ ମା । ବିମାତା ସେପରି କିଛି ବିଶେଷ ସ୍ନେହୀ ମହିଳା ନଥିଲେ । ବ୍ୟବସାୟ ଉଦ୍ଦେଶ୍ୟରେ ପିତା କଲିକତାରେ ରହୁଥାଆନ୍ତି । ବାପାଙ୍କର ଶିକ୍ଷା ଦୀଷା କିଛି ନ ଥାଏ । ହେଲେ ଘରେ ପ୍ରତିଭାର ବିକାଶ ପାଇଁ ସେପରି କିଛି ସୁହାଇଲା ଭଳି ପରିବେଶ ନଥିଲେ ମଧ୍ୟ, ଚରିତ୍ର, ସୌଜନ୍ୟ, ଗୁଣ ଓ ମମତ୍ୱ ଦୃଷ୍ଟିରୁ ଅସାଧାରଣ ପିଲାଟିଏ ଗୟାଧର । ଧିରେ ଧିରେ ଦୁହିଁଙ୍କ ଭିତରେ ସ୍ନେହମମତାର ବନ୍ଧନ ଗଭୀର ହୋଇଆସିଲା । ଛାତ୍ରରୁ ଗୟାଧର ବନିଲେ ସାଥି ଓ ବନ୍ଧୁ, ପ୍ରାଣଠାରୁ ପ୍ରିୟ । ଶ୍ରେଣୀର କୋଠରୀରେ, ଖେଳ ପଡ଼ିଆରେ, ଦୋକାନବଜାରରେ, ସଭାରେ, ଉତ୍ସବ ଅନୁଷ୍ଠାନରେ, ଏସବୁ ଯାଗାରେ ନିଜର ପ୍ରିୟ ଛାତ୍ର ବନ୍ଧୁଙ୍କ ସହିତ ଶିକ୍ଷକ ଜଣକ ଥାଆନ୍ତି ।

ଛାତ୍ରଙ୍କର ପ୍ରତିଭା ହିଁ ବନ୍ଧୁତାର ଆଦ୍ୟ ସ୍ଫୁରଣ କରିଥିବାରୁ ଗୁରୁଙ୍କର ସବୁବେଳେ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଥାଏ କି ଗୟାଧରଙ୍କର ପ୍ରତିଭାର କିପରି ଉନ୍ମେଷ ଘଟିବ । ଆଶା ଥିଲା ସେ ବୟଃପ୍ରାପ୍ତ ହୋଇ ଗୟା କବି ବନିବେ, ଦେଶର ନତୃତ୍ତ୍ୱ ନେବେ, ଲେଖକ ହେବେ । ତ୍ରିପାଠୀ ଆଜ୍ଞା ନିଜର ପ୍ରିୟ ଲେଖକଗଣ, ଯଥା, ଗୋପବନ୍ଧୁ ଦାଶ, ଗୋଦାବରୀଶ ମିଶ୍ର, ମାୟାଧର ମାନସିଂହ, କୁନ୍ତଳାକୁମାରୀ ସାବତ, ଶଶୀଭୂଷଣ ରାୟ, ମଧୁସୂଦନ ରାଓ, ଫକୀରମୋହନ ସେନାପତି ଆଦିଙ୍କର ଗପ, କବିତା, ଉପନ୍ୟାସ ଓ ଅନ୍ୟାନ୍ୟ ଲେଖାଗୁଡ଼ିକୁ ନିଜର ପ୍ରାଣପ୍ରିୟ ଶିଷ୍ୟଙ୍କର ହାତରେ ତୋଳିଦେଉଥିଲେ । ଆଶା ଛାତ୍ରଜଣଙ୍କ ଏହି ଲେଖକମାନଙ୍କର ଆଦର୍ଶରେ ଅନୁପ୍ରାଣିତ ହେବେ । ନିଜେ ଲେଖି, ବହୁସ୍ରାବୀ କଲମ ଉତ୍ତୋଳନ କରି, ଜାତୀୟ ସାହିତ୍ୟର ମହାସ୍ରୋତକୁ ଉତଫୁଲ୍ଲିତ କରିବେ । ଗୁରୁଙ୍କ ସାହଚର୍ଯ୍ୟରେ ଆସି ଗୟା କବିତା ଲେଖନ୍ତି । ଗପ ମଧ୍ୟ । ଗପ ଓ କବିତାର ଭାଷା ପ୍ରାଣୋତ୍ସଳ ଭରା ।

ଦିନକର କଥା । କାର୍ତ୍ତିକ ପୂର୍ଣ୍ଣିମା । ବଇତରଣୀର ନଈବାଲି ଉପରେ ଲୋକ ସାଲୁବାଲୁ । ମେଳା ପଡ଼ିଛି । ଦୋକାନ ବଜାର ମାଳମାଳ । କିଣାବିକାର ଗହଳି । ଲୋକଙ୍କର କୁହାଟ । ଛାତ୍ର ଓ ଶିକ୍ଷକ, ଜଣା ଓ ଅଜଣା - ସବୁ ଲୋକେ ନେତ୍ରସ୍ଥ ହେଲେ । ହେଲେ ଦୁଶିଲେ ନାହିଁ ଜଣେ, ଯିଏ ଦୁଶିବାର ନିହାତି ଆବଶ୍ୟକ ଥିଲା - ପ୍ରିୟ ଛାତ୍ର ଗୟାଧର । ଶୁଣିଲେ ଗୟା ଘରେ, ନଈ ସେପାରିରେ, ଜ୍ୱରଗ୍ରସ୍ତ । ବିମାତା ଯତ୍ନ ନେଉନାହାନ୍ତି । ନିଃସଙ୍ଗ ହୋଇ ଚାରିଦିନ ହେଲାଣି ଜରରେ ଖାଲି ପେଟରେ ସିଝୁଛନ୍ତି । କୁଷ୍ଟଁବାବୁ ଶୁଣି ସମ୍ଭାଳି ହୋଇ ରହିପାରିଲେ ନାହିଁ । ତତକ୍ଷଣାତ ଯାଜପୁରର ବଜାରରୁ କିଛି କମଳା, ଦ୍ରାକ୍ଷାଫଳ, ଲେମ୍ବୁ, ସେଉ ଇତ୍ୟାଦି ଫଳ ଧରି, ସାଇକେଲଟିରେ ଛୁଟିଗଲେ ନଈ ସେପାରି ଲାଲବାଗ ଗାଁକୁ ।

ଗୟାଧର ଦାଣ୍ଡ ଘରେ ଚାଦର ଘୋଡ଼ି ହୋଇ ଶୋଇଥାଆନ୍ତି । ପାଖରେ କେହି ନଥାନ୍ତି । ଦେହରେ, କପାଳରେ ତାତି । କମଳା ଚୋପା ଛଡ଼ାଇ କୁଷ୍ଟଁବାବୁ ଗୟାଧରଙ୍କୁ ଖୋଇଦେଲେ । ଅଙ୍ଗୁର କୋଳି ନିଜ ଜ୍ୱରଗ୍ରସ୍ତ ହାତରେ ସିଏ ଖାଇଲେ । ପରୀକ୍ଷା ଦେଇ ନ ପାରିବାର ଚିନ୍ତାରେ ତାଙ୍କର ଆଖିରୁ ଲୁହ ଗଡ଼ିଗଲା । ଗୁରୁ ସାନ୍ତ୍ୱନା ଦେଲେ । ଉତ୍ସାହ ଦେଲେ । ସପ୍ତାହକ ପରେ ସାଷ୍ଟାମ ହୋଇ ଗୟାଧର ଇସ୍କୁଲୁ ଫେରିଲେ । ଗୟାଧର ନାମଟି ଗୁରୁଙ୍କ ମନରେ ରୋମାଞ୍ଚ ସୃଷ୍ଟି କରିଛି । ଦଶନ୍ଧି ଦଶନ୍ଧିର ବ୍ୟବଧାନ ପରେ ମଧ୍ୟ କବିଙ୍କର ମାନସପଟଳରେ ସେଇ ନାମ ନାଚିଯାଇଛି । ସେଇ ନାମର ରୂପ, ସେଇ ରୂପର ଗୁଣ ଓ ପ୍ରତିଭା ପୁଲକ ସୃଷ୍ଟି କରିଛି ।

ପ୍ରତିଭା ଛଡ଼ା ଗୟାଙ୍କର ଗୁରୁସେବା ତ୍ରିପାଠୀବାବୁଙ୍କୁ ନିଜର କରିଥିଲା । ବିରଜା ମଧ୍ୟ ଇଂରାଜୀ ଛାତ୍ରାବାସରେ ଥରେ କୃଷ୍ଣବାବୁ ମେଲେରିଆ ଜର ଭୋଗୁଥାଆନ୍ତି । ଦିନେଦୁଇଦିନ ନୁହେଁ । ତିନି ସପ୍ତାହ ଧରି ପାଳିଜର ଆକ୍ରାନ୍ତ କରି ରଖିଥାଏ ଦେହକୁ, ମନକୁ, ଆତ୍ମାକୁ । ଦେହରେ ଅନେକ ତାତି । ଓଦା ଚାଉଳ ଛାଟି ଦେଲେ ଚମ ଉପରେ ମୁଢ଼ି ଫୁଟିଯିବ । ବାନ୍ତି, କମ୍ପ, ଜରରେ ଅବସ୍ଥା ନାହିଁ ନ ଥିବା । ଜିଭ ଶୁଖି ଓଠ ମୁଦି ହୋଇଯାଉଥାଏ । ପଦାକୁ ଯାଇ ମଳମୂତ୍ର ତ୍ୟାଗ କରିବା ପାଇଁ ମଧ୍ୟ ବଳ ନଥାଏ । ଛାତ୍ରମାନେ ଆସନ୍ତି । ସମବେଦନା ଜ୍ଞାପନ କରନ୍ତି । ଚାଲିଯାଆନ୍ତି । ମୁଣ୍ଡ ପାଖରେ ବସିରହିଥାଆନ୍ତି ଖାଲି ଗୟାଧର ରାଉତ । କପାଳରେ ଓଦାକନା ଦିଅନ୍ତି । ବାନ୍ତି, ଛେପ ଓ ଖଙ୍କାର ସଫା କରନ୍ତି । ଧରିଧରି ପଦାକୁ ନେଇ ଝାଡ଼ା ପରିସ୍ରା କରାଇବାର ବ୍ୟବସ୍ଥା କରାନ୍ତି । ଯାଜପୁରନଗରରୁ ବ୍ରଜବାବୁ ଡାକତରଙ୍କୁ ଡାକି ଆଣନ୍ତି । ଓଷପାଣିର ବେବସ୍ତା କରନ୍ତି । ଶିଷ୍ୟଙ୍କର ସେବାରେ ଗୁରୁଙ୍କୁ ପୁନର୍ଜୀବନ ଲାଭ ହୁଏ । ଏଣୁ ସେ ତାଙ୍କୁ ସର୍ବଦା ମୁଗ୍ଧ ଦୃଷ୍ଟିରେ ଚାହାନ୍ତି । କାରଣ ତାଙ୍କୁ ବାଳକ ଗୟା ଭିତରେ ଭବିଷ୍ୟତର ପ୍ରତିଭାବନ ଜଣେ ଯୁବକ ଦିଶେ, ଯିଏ ନିଜର କଲମରେ, କଥାରେ ଓ କାମରେ ଦେଶର, ଜାତିର, ଭାଷାର ସେବା କରିଚାଲିଛି । ବିରଜା ବିଦ୍ୟାଳୟର କେହି କେହି ଶିକ୍ଷକ ଏହି ସମ୍ପର୍କକୁ ଭିନ୍ନଦୃଷ୍ଟିରେ ଦେଖୁଥିଲେ ହେଁ ସେଥିକୁ କବି ଖାତିର କରିନାହାନ୍ତି ।

୧୯୪୦ ମସିହାରେ ଗୟାଧର ମାଇନର ପରୀକ୍ଷା ଦେଇ ପାସ କଲେ । ୧୯୪୧ ମସିହାରେ ଯାଜପୁର ଉଚ୍ଚ ବିଦ୍ୟାଳୟରେ ନାମ ଲେଖାଇଲେ । ସେଇ ୧୯୪୧ରେ କୃଷ୍ଣଚନ୍ଦ୍ର ତ୍ରିପାଠୀ ବିରଜା ମଧ୍ୟ ଇଂରାଜୀ ବିଦ୍ୟାଳୟର ଶିକ୍ଷକତା ପରିତ୍ୟାଗ କଲେ । ବାଲେଶ୍ୱର ମିଶନ ଉଚ୍ଚ ବିଦ୍ୟାଳୟକୁ ଶିକ୍ଷାଦାନ କରିବା ପାଇଁ ଚାଲିଗଲେ । ବାଲେଶ୍ୱର ଯିବା ପାଇଁ ଗାଡ଼ିରେ ବସିଥିବା ବେଳେ ଦେଖାହେଲା ଗୟା ସହିତ । ହାତ ଧରି ପ୍ରିୟ ଛାତ୍ରକୁ ନିରନ୍ତର କଲମ ଚାଳନା କରିବା ପାଇଁ ଅନୁରୋଧ କରି ଯାଜପୁର ରୋଡ଼ ଟେସନକୁ ଚାଲିଗଲେ ବାଲେଶ୍ୱର ପାଇଁ ରେଳଗାଡ଼ି ଧରିବା ପାଇଁ । ଜାଣି ନଥିଲେ ପ୍ରିୟତମ ସହ ତାହା ହେବ ଶେଷ ଦେଖା । ପରେ ଗୟାଧରଙ୍କର ଜଣେ ସହପାଠୀ କ୍ଷେତ୍ରମୋହନ ପାଣିଗ୍ରାହୀଙ୍କ ଠାରୁ ତାଙ୍କ ବିଷୟରେ ଖବର ପାଇଲେ । ଯାଜପୁର ଉଚ୍ଚ ବିଦ୍ୟାଳୟରେ ବିଦ୍ୟାରମ୍ଭ କରିବାର ମାତ୍ର ଦୁଇ ବରଷ ପରେ ଗୟା ପାଠପଢ଼ା ଛାଡ଼ି ଦେଲେ । ତାହା ପରେ ବିବାହ କଲେ । ବିବାହର ଫଳଶୃତି ହେଲା ଖୁବ ଶୀଘ୍ର ଗୋଟିଏ କନ୍ୟାସନ୍ତାନ ଲାଭ । ହେଲେ ତାହା ପରେ କୌଣସି ରୋଗରେ ଗୟା ପ୍ରାଣତ୍ୟାଗ ଗଲେ ।

ଏହା ପରେ କବି କେବେ ଯାଜପୁର ଯାଇନାହାନ୍ତି । ଯାଇପାରିନାହାନ୍ତି । ଯାଜପୁରରେ, ବଇତରଣୀ ନଈ କୂଳରେ, ବିରଜା ବେଢ଼ାରେ, ନଇ ସେପାରି ଲାଲବାଗ ଗ୍ରାମର ସିଲହଟରେ ଦୁଶିଯିବ ଗୟାଧର ରାଉତଙ୍କର ଛବି । ତାହାକୁ ଗୁରୁ ଦେଖି ପାରିବେ ନାହିଁ । ବଇତରଣୀର କଳକଳ ଆୱାଜରେ ଶୁଭିଯିବ ତାଙ୍କର ଆୱାଜର ଛାଇ । ତାହାକୁ କବି ଶୁଣିପାରିବେ ନାହିଁ । ଖାଲି ଲେଖିପାରିବେ ଏହି ଦୁଇଧାଡ଼ି କବିତା - “ତୁମେ ଗଲ କେଉଁ ଆଡ଼େ ଲୁଚିଗଲ ତମେ / ତୁମ ପ୍ରାଣର ଅମୃତ ଟିକକ ଦେଇଗଲେ ମତେ / ମୁଁ ସେଇଟିକ ଧରି ତୁମକୁ ହେଉଚି ଖୋଜି / ଦୂର ଦିଗଚକ୍ର ଧରି ଏଇ ଅନନ୍ତ ଜଗତେ /”

(ପାକ୍ଷିକ ପତ୍ରିକା 'ସମଦୃଷ୍ଟି'ର ୧୧ତମ ଖଣ୍ଡର ୧୩ତମ ସଂଖ୍ୟାରେ ୨୦୧୭ ମସିହାରେ ପ୍ରକାଶିତ)

No comments:

Post a Comment