ପର୍ବତରେ ଧର୍ମୋପଦେଶ - ୨
ପବିତ୍ର ବାଇବେଲର ଓଡ଼ିଆ ଅନୁବାଦ
![]() |
ଯୀଶୁ ଖ୍ରୀଷ୍ଟଙ୍କୁ ଦର୍ଶାଉଥିବା ରୋମୀୟ ସମୟର ଭିତ୍ତିଚିତ୍ର (ଚତୁର୍ଥ ଶତାବ୍ଦୀ) ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
ତୁମ୍ଭେମାନେ ପୃଥିବୀର ଲବଣ ସ୍ୱରୂପ, ପୁଣି ଲବଣ ଅସ୍ୱାଦୁ ହେଲେ ତାହା କିପ୍ରକାରେ ଲବଣହଯୁକ୍ତ ହେବ ? ତାହା କୌଣସି କାର୍ଯ୍ୟଯୋଗ୍ୟ ନୁହେଁ, କେବଳ ବାହାରେ ପକା ଯାଇ ମଣିଷର ପାଦ ତଳେ ଦଳିତ ହେବାର ଯୋଗ୍ୟ । ତୁମ୍ଭେମାନେ ଜଗତର ଆଲୁଅସ୍ୱରୂପ; ପର୍ବତ ଉପରେ ସ୍ଥାପିତ ନଗର ଗୁପ୍ତ ହୋଇ ନ ପାରେ । ଲୋକେ ପ୍ରଦୀପ ଜ୍ୱଳାଇ ମାଣ ତଳେ ନ ରଖି ଦୀପରୁଖା ଉପରେ ରଖନ୍ତି ; ତହିଁରେ ସେହି ଦୀପ ଗୃହସ୍ଥିତ ସମସ୍ତ ଲୋକଙ୍କୁ ଆଲୁଅ ଦିଏ । ସେହିପରି ଲୋକଙ୍କ ସାକ୍ଷାତରେ ତୁମ୍ଭମାନଙ୍କର ଆଲୁଅ ପ୍ରକାଶ ପାଉ, ତହିଁରେ ସେମାନେ ତୁମ୍ଭମାନଙ୍କ ସୁକର୍ମ ଦେଖି ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତାଙ୍କର ଧନ୍ୟବାଦ କରିବେ ।
ଆମ୍ଭେ ଯେ ବ୍ୟବସ୍ଥା କି ଭବିଷ୍ୟତବାକ୍ୟ ଲୋପ କରିବାକୁ ଆସିଅଛୁଁ, ଏପରି ଭାବ ନାହିଁ; ଲୋପ କରିବାକୁ ନୁହେ ମାତ୍ର ସଫଳ କରିବାକୁ ଆମ୍ଭେ ଆସିଅଛୁ । ଏହିହେତୁ ଆମ୍ଭେ ସତ୍ୟ କହୁଁ, ଯେପର୍ଯ୍ୟନ୍ତ ଆକାଶ ଓ ପୃଥିବୀର ଧ୍ୱଂସ ନ ହେବ, ସେ ପର୍ଯ୍ୟନ୍ତ ସମସ୍ତ ପୂର୍ଣ୍ଣ ନ ହେଲେ ବ୍ୟବସ୍ଥାରୁ ଏକ ମାତ୍ରା କି ଏକ ବିନ୍ଦୁର ଲୋପ ହେବ ନାହିଁ । ଏ ନିମନ୍ତେ ଯେ କେହି ଏହି କ୍ଷୁଦ୍ରତମ ଆଜ୍ଞା ମଧ୍ୟରୁ କୌଣସି ଏକ ଆଜ୍ଞା ଲଙ୍ଘନ କରି ସେହିରୂପେ ଲୋକଙ୍କୁ ଶିକ୍ଷା ଦିଏ, ସେ ସ୍ୱର୍ଗରାଜ୍ୟରେ ସମସ୍ତଙ୍କଠାରୁ କ୍ଷୁଦ୍ର ଗଣିତ ହେବ । କିନ୍ତୁ ଯେ ତାହାସବୁ ପାଳନ କରି ଶିକ୍ଷା ଦିଏ, ସେ ସ୍ୱର୍ଗରାଜ୍ୟରେ ପ୍ରଧାନରୂପେ ଗଣିତ ହେବ । ଆଉ ଆମ୍ଭେ ତୁମ୍ଭମାନଙ୍କୁ କହୁଅଛୁଁ, ଅଧ୍ୟାପକ ଓ ଫାରୁଶି ଲୋକଙ୍କ ଅପେକ୍ଷା ତୁମ୍ଭମାନଙ୍କର ଧାର୍ମିକପଣ ଅଧିକ ନୋହିଲେ ତୁମ୍ଭେମାନେ କେବେହେଁ ସ୍ୱର୍ଗରାଜ୍ୟରେ ପ୍ରବେଶ କରିବ ନାହିଁ ।
ଉତ୍ସ - 'ପବିତ୍ର ବାଇବେଲ : ପୁରାତନ ଓ ନୂତନ ନିୟମ' । ବାଇବେଲ ସୋସାଇଟି ଅଫ ଇଣ୍ଡିଆ : ବାଙ୍ଗାଲୋର । ପ୍ରକାଶନର ତାରିଖ ଦିଆଯାଇନାହିଁ ।
No comments:
Post a Comment