Sunday, January 15, 2017

ମହିମା ଭକ୍ତି କବିତା - 'ଦୁର୍ଲଭ ଜନ୍ମରେ ଥରେ ଦର୍ଶନ କର'


କବି - ଭୀମ ଭୋଇ


ଫଟୋ କ୍ରେଡ଼ିଟ - ୱିକିପିଡ଼ିଆ କମନ୍ସ୍

ଦୁର୍ଲଭ ଜନ୍ମରେ ଥରେ ଦର୍ଶନ କର
ପିଣ୍ଡ ପ୍ରାଣ କାଳ କାଳ ନୁହଇ ଚିର । ଘୋଷା ।

ପରଶୁ ପଥର ଖଣ୍ଡେ ଖସି ପଡ଼ିଛି ବ୍ରହ୍ମାଣ୍ଡେ 
ଚିହ୍ନାଇ ହେଉଛି ହୃଦେ ସମ୍ଭାଳି ଧର ।
ଏହିପରି ସ୍ୱଦେହରେ ଆଉ କି ମିଳିବ ଥରେ
ମାଳ ଗୁନ୍ଥି ବାନ୍ଧି ରଖ ହୃଦରେ ହାର ।୧।

ଜାଣୁଛ ସକଳ ବିଧି ବିଚାରିଲେ ସର୍ବ ସିଦ୍ଧି
ଜନ୍ମ ମରଣଟି ଏ ଦେହକୁ ଅସାର ।
ସ୍ୱାମୀ ନାମେ ଅହଙ୍କାର ସର୍ବେ କର ନିରନ୍ତର
ତେବେ ଏ ଜନ୍ମ କଷ୍ଟରୁ ହୋଇବ ପାର ।୨।

କୋଟିଏ ଜନ୍ମରେ ଜନ୍ମ ହୋଇଣ ଏହୁ ଜୀବନ
ମହାଭାଗ୍ୟେ ପାଇଅଛି ଗୁରୁପୟର ।
ଗଳୁଅଛି ମକରନ୍ଦ ଲୟେ କର ପାଦବିନ୍ଦ 
ଦିବସ ରଜନୀ ବହି ଆସୁଛି ଧାର ।୩।

କରୁଅଛୁ ଯାକୁ ହିତ ସକଳ ଏ ପଶୁଭୃତ୍ୟ
ନିଦାନ କାଳକୁ ସର୍ବେ ହେବ ଅନ୍ତର ।
କୋମଳ ଶରୀର ଅଙ୍ଗ ଅବଶ୍ୟ ଏ ନାଶ ଯିବ
ହେତୁ ଚେତା ଜ୍ଞାନ ଧ୍ୟାନ ହେବ ପାଶୋର ।୪।

ଜଳ ଘଟେ ଯେଉଁପରି ଏ ଦେହରେ ଅଛି ପୂରି
କାମ କ୍ରୋଧ ଲୋଭ ମୋହ ବହି ଶରୀର ।
ଶ୍ରୀଗୁରୁ ଚରଣେ ଧ୍ୟାୟି ଭଣେ ଭୀମସେନ ଭୋଇ
ନିରନ୍ତରେ ବହୁଅଛି ନୟନୁ ନୀର ।୫।

No comments:

Post a Comment