Sunday, January 15, 2017

ପର୍ବତରେ  ଧର୍ମୋପଦେଶ - ୧


ପବିତ୍ର ବାଇବେଲର ଓଡ଼ିଆ ଅନୁବାଦ


ଅଭିରଞ୍ଜିତ କାଚରେ ଚିତ୍ରିତ ପର୍ବତ ଉପରେ ଯୀଶୁ
ବୋଷ୍ଟନ ନଗରର ଆର୍ଲିଙ୍ଗଟନ ଷ୍ଟ୍ରିଟ ଚର୍ଚ୍ଚ
କଳାକାର - ଲୁଇ କମ୍ଫର୍ଟ ଟିଫାନି (୧୮୪୮-୧୯୩୩: ଆମେରିକା)
ଫଟେ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଲୋକଗହଳ ଦେଖି ଯୀଶୁ ଏକ ପର୍ବତ ଉପରେ ଯାଇ ବସନ୍ତେ ତାହାଙ୍କ ନିକଟକୁ ଶିଷ୍ୟମାନେ ଆସିଲେ । ଏଥିରେ ସେ ଆପଣା ମୁଖ ଫିଟାଇ ସେମାନଙ୍କୁ ଏହି ଉପଦେଶ ଦେବାକୁ ଲାଗିଲେ । ଅଭିମାନଶୂନ୍ୟ ଲୋକେ ଧନ୍ୟ, ଯେହେତୁ ସ୍ୱର୍ଗରାଜ୍ୟ ସେମାନଙ୍କର । ଖେଦଯୁକ୍ତ ଲୋକେ ଧନ୍ୟ, ଯେହେତୁ ସେମାନେ ସାନ୍ତ୍ୱନା ପାଇବେ । ନମ୍ରଶୀଳ ଲୋକେ ଧନ୍ୟ, ଯେହେତୁ ସେମାନେ ପୃଥିବୀରେ ଅଧିକାର ପାଇବେ । ଧର୍ମ ଲାଗି କ୍ଷୁଧିତ ଓ ତୃଷିତ ଲୋକେ ଧନ୍ୟ, ଯେହେତୁ ସେମାନେ ପରିତୃପ୍ତ ହେବେ । ଦୟାଳୁ ଲୋକେ ଧନ୍ୟ, ଯେହେତୁ ସେମାନେ ଦୟା ପାଇବେ । ନିର୍ମଳାନ୍ତଃକରଣ ଲୋକେ ଧନ୍ୟ, ଯେହେତୁ ସେମାନେ ପରମେଶ୍ୱରଙ୍କର ଦର୍ଶନ ପାଇବେ । ମିଳନକାରକ ଲୋକେ ଧନ୍ୟ, ଯେହେତୁ ସେମାନେ ପରମେଶ୍ୱରଙ୍କ ସନ୍ତାନ ବୋଲି ବିଖ୍ୟାତ ହେବେ । ଧର୍ମ ନିମନ୍ତେ ତାଡ଼ିତ ଲୋକେ ଧନ୍ୟ, ଯେହେତୁ ସ୍ୱର୍ଗ ରାଜ୍ୟ ସେମାନଙ୍କର ଅଧିକାର । ଆମ୍ଭ ନିମନ୍ତେ ମନୁଷ୍ୟମାନେ ଯେବେ ତୁମ୍ଭମାନଙ୍କୁ ନିନ୍ଦା ଓ ତାଡ଼ନା କରନ୍ତି, ପୁଣି ମିଥ୍ୟାରେ ତୁମ୍ଭମାନଙ୍କ ବିରୁଦ୍ଧରେ ନାନା ମନ୍ଦ କଥା କହନ୍ତି, ତେବେହେଁ ତୁମ୍ଭେମାନେ ଧନ୍ୟ । ସେହି ସମୟରେ ଉଲ୍ଲାସ କର, ଓ ଅତିଶୟ ଆନନ୍ଦିତ ହୁଅ; ଯେହେତୁ ସ୍ୱର୍ଗରେ ତୁମ୍ଭେମାନେ ମହାଫଳ ପାଇବ; ସେମାନେ ତୁମ୍ଭମାନଙ୍କ ପୂର୍ବକାଳର ଭବିଷ୍ୟଦ୍-ବକ୍ତାଗଣଙ୍କୁ ଏହିପରି ତାଡ଼ନା କରିଥିଲେ । 

ଉତ୍ସ - 'ପବିତ୍ର ବାଇବେଲ : ପୁରାତନ ଓ ନୂତନ ନିୟମ' । ବାଇବେଲ ସୋସାଇଟି ଅଫ ଇଣ୍ଡିଆ : ବାଙ୍ଗାଲୋର । ପ୍ରକାଶନର ତାରିଖ ଦିଆଯାଇନାହିଁ ।

No comments:

Post a Comment