Tuesday, January 24, 2017

ବନ ପୋଡ଼ିଗଲେ ଜାଣନ୍ତି ସଭିଏଁ


(କବି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କର ଆତ୍ଜଜୀବନୀ ‘ନିରବଧି ନିରବ’ରୁ ସଙ୍ଗୃହିତ)


ମାନସିକ ବିଷାଦର ଲକ୍ଷଣ ବିଷୟକ ଏକ ଚିତ୍ର
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନସ୍ସ


୧୯୫୬ ମସିହାର କଥା । ଅଗଷ୍ଟ-ସେପ୍ଟେମ୍ବର ମାସ । ସେତେବେଳେ କବି ଓ ଶିକ୍ଷକ ଶ୍ରୀ କୃଷ୍ଣଚନ୍ଦ୍ର ତ୍ରିପାଠୀ ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ପାଞ୍ଚ ବରଷ ଶିକ୍ଷାଦାନ କରି ସାରି ନୂଆନୂଆ ପାରଳାଖେମୁଣ୍ଡି ପାଖ ଗୁରାଣ୍ଡିକୁ ବଦଳି ହୋଇଥାଆନ୍ତି । ଗୁରାଣ୍ଡି କବିଙ୍କର ଗାଁ ବାଣପୁରଠାରୁ ଅଢ଼େଇଶ କିଲୋମିଟର ଠାରୁ ମଧ୍ୟ ଦୂର ବାଟ । ସେତେବେଳେ ଗୁରାଣ୍ଡିକୁ ଯିବାର ତିନୋଟି ପି. ନିୟମ ପ୍ରଚଳିତ ଥାଏ । ତିନୋଟି ପି.ର ଅର୍ଥ ଇଂରାଜୀ ଭାଷାର ପି. ଅକ୍ଷରରୁ ଆରମ୍ଭ ତିନୋଟି ଶବଦ – ପୋଷ୍ଟିଙ୍ଗି, ପ୍ରମୋସନ ଓ ପନିଷିମେଣ୍ଟ । ଅର୍ଥାତ, ପ୍ରଥମ ଚାକିରୀ, ପଦୋନ୍ନତ୍ତି କିମ୍ବା ଦଣ୍ଡ ବିନା କେହି ଗୁରାଣ୍ଡି ଯାଉ ନଥିଲେ । କୁଷ୍ଟଁ ବାବୁ ଗୁରାଣ୍ଡି ଇସ୍କୁଲରେ ଯୋଗ ଦେବାର କିଛି ସପ୍ତାହ ଭିତରେ ତାଙ୍କର ଘୋର ମାନସିକ ଅବସାଦ ଦେଖାଦେଲା । ଏହିପରି ମାନସିକ ବିଷାଦ କବିଙ୍କ ପାଇଁ ପ୍ରଥମ ନଥିଲା । ଏହା ଆଗରୁ ଦୁଇଥର ସେ ଗଭୀର ମାନସିକ କଷ୍ଟ ଭୋଗିସାରିଥିଲେ । ପ୍ରଥମ ଥର ନିଜର ମା ଚାଲିଗଲା ପରେ । ୧୯୩୮ ମସିହାରେ । ମାତୃବିୟୋଗରେ କବିପ୍ରାଣରେ ଘୋର ଆଘାତ ଲାଗିଲା ସେତେବେଳେ କବିଙ୍କୁ ମାତ୍ର ୨୭ ବର୍ଷ ବୟସ ହୋଇଥିଲା । ଦ୍ୱିତୀୟ ଥର ନିଜର ପ୍ରାଣପ୍ରିୟ ଗୋପାଳ ଭାଇନା ହଇଜାରେ ଅସମୟରେ ପ୍ରାଣ ହରାଇଲା ପରେ । ସେତେବେଳେ କୁଷ୍ଟଁବାବୁଙ୍କୁ ମାତ୍ର ୩୨ ବର୍ଷ । ଭାଇ ଚାଲିଗଲା ପରେ କବିଙ୍କର ପରିବାରରେ ନାନା ଅଶାନ୍ତି ଦେଖାଦେଲା । ଭାଇଙ୍କୁ ଅକାଳରେ ହରାଇବାର ଦୁଃଖ ଓ ଏ ଅବ୍ୟବସ୍ଥା ତ୍ରିପାଠୀଏଙ୍କୁ କରାଇଲା ବିଷାଦଗ୍ରସ୍ତ ।

ପୂର୍ବକଥିତ ବୃତ୍ତାନ୍ତ ଅନୁସାରେ, ତୃତୀୟ ଛେକରେ କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କର ମାନସିକ ଅବସାଦ ଗୁରାଣ୍ଡି ଆସିଲା ପରେ ଦେଖାଦେଲା । ମନ ଭଲ ରହିଲା ନାହିଁ । ଭୋଜନର ସ୍ପୃହା ଚାଲିଗଲା । ବେଳେବେଳେ ଭାତ ତଣ୍ଟିରେ ଗଳେ ନାହିଁ । ବାନ୍ତି ଲାଗେ । ବାବୁ ପ୍ରଧାନ ଶିକ୍ଷକ ଫକୀର ଚରଣ ପଟ୍ଟନାୟକଙ୍କ ସହିତ ମିଶି ଇସ୍କୁଲରେ ହିଁ ଶୋଉଥାଆନ୍ତି । ହେଲେ ଅଧିକାଂଶ ଦିନ ଫକୀର ବାବୁ ଶୋଇସାରିଲା ପରେ, କୁଷ୍ଟଁ ବାବୁଙ୍କ ଆଖିକୁ ନିଦ ଆସେ ନାହିଁ । ଇସ୍କୁଲୁ ଘଣ୍ଟାର ଆୱାଜ ଶୁଣିଶୁଣି ଅନେକ ଦିନ ରାତିର ଅର୍ଦ୍ଧାଧିକ କଟିଯାଏ । ସକାଳ ହେଲେ ଗାଧୋଇପାଧୋଇ ଆସି ଶେଯରେ ଯଥାକଥା କରି ଶୋଇପଡ଼ନ୍ତି । ଅଧା ନିଦ୍ରିତ । ଅଧା ଜାଗ୍ରତ । ଧିରେ ଧିରେ ମାନସିକ ଅବସାଦ ଓ ନିଦ୍ରାହୀନତା ଇସ୍କୁଲର କାମରେ ମଧ୍ୟ ପ୍ରଭାବ ପକାଇଲା । ଖାତା ଦେଖା ଠିକ ଭାବରେ ହୋଇପାରିଲା ନାହିଁ । ଅନ୍ୟମନସ୍କତା ପ୍ରକାଶ ପାଇଲା ।

କବି ଜାଣିଥିଲେ ଯେ ରୋଗ ଭଲ ହେବା ପାଇଁ ଦରକାର ଧୈର୍ଯ୍ୟ ଓ ସାହସ । ଦ୍ୱିତୀୟରେ ଆବଶ୍ୟକ ପୁଷ୍ଟିକର ଖାଦ୍ୟ ଓ ଔଷଧ । ସେତେବେଳେ ମାନସିକ ଅବସାଦ ପାଇଁ ଓଡ଼ିଶାରେ ଡାକ୍ତରୀ ଔଷଧର ପ୍ରଚଳନ ପ୍ରାୟ ନ ଥାଏ । ଏ ଘଟଣାର ଷାଠିଏ ବରଷ ପରେ ମଧ୍ୟ ଅବସ୍ଥା କିଛି ବିଶେଷ ଭିନ୍ନ ନୁହେଁ । କୁଷ୍ଟଁବାବୁ ଅବସାଦକୁ ଦୂରେଇବା ପାଇଁ ଚଉକସ ଜଳଖିଆ ଖାଇବାକୁ ଆରମ୍ଭ କଲେ । ସକାଳୁ ଉଠି ଜଳଖିଆ ସହିତ କଞ୍ଚା ଅଣ୍ଡା ସହ କଫି ବା ଦୁଧ । ଦଶଟା ବେଳକୁ ଭାତ, ଡାଲି ଓ ତରକାରୀ ସହ ପାଏ ଖିର ଓ ଅର୍ଦ୍ଧ-ସିଦ୍ଧ ଡିମ୍ବ ଗୋଟାଏ । ସେହିପରି ରାତ୍ରିଭୋଜନ ସହିତ ଅନ୍ୟ ଆନୁଷଙ୍ଗିକ ଖାଦ୍ୟ ସହିତ ଦୁଧ ଓ ଡ଼ିମ୍ବଭଜା । ଏହା ସହିତ ଔଷଧ ଭାବରେ ରତ୍ନପୁରୁଷ ଲେହ, ଛାଗଳାଦି ଘୃତ, ସିରପ, ଟନିକି, ଦିଲ୍ଲୀରୁ ସଙ୍ଗୃହିତ ହାକିମ ଦବାଇ, ଇତ୍ୟାଦିର ସେବନ ମଧ୍ୟ ହେଉଥାଏ । ସେତେବେଳେ ଗୁରାଣ୍ଡି ଇସ୍କୁଲୁରେ ଅଗାଧୁ ବୋଲି ଜଣେ ପିଅନ ବାବୁ ଥାଆନ୍ତି । ତ୍ରିପାଠୀ ବାବୁଙ୍କର ସେ ଅନେକ ସେବା କରନ୍ତି । ସକାଳେ ଓ ସନ୍ଧ୍ୟାବେଳେ ନିଇତି ମୁଣ୍ଡରେ ଭୃଙ୍ଗରାଜ ତୈଳ ମର୍ଦ୍ଦନ କରନ୍ତି । କୁଅରୁ ପାଣି କାଢ଼ି ମୁଣ୍ଡରେ ଢାଳି ଗାଧୋଇ ଦିଅନ୍ତି । ଖାଇବା ତିଆରି କରନ୍ତି । ଆଉ ଜଣେ ଥାଆନ୍ତି ଆପୁଡ଼ୁ ଆଜ୍ଞା । ଇସ୍କୁଲୁର ମେହେନ୍ତର । ଜର, ବାଧିକି ଇତ୍ୟାଦି ବେଳେ ଗୋଡ଼, ହାତ, ମୁଣ୍ଡ ଘଷି ଦିଅନ୍ତି । ଗୋଡ଼େ ଗୋଡ଼େ ଜଗିକି ରହନ୍ତି, ଯେମିତି ବାବୁ ଆପଣେ ଭଲରେ ରହିବେ ଆଉ ବାଧିକି ଦିହକୁ ପରାଶ ନଦେବ । ନିଜର ଯତ୍ନ ନେଇ, ଆଉ ଏଇ ଦୁଇଜଣ ତଥାକଥିତ ଅଶିକ୍ଷିତ ଲୋକଙ୍କର ସେବାଯତନରେ, ମାନସିକ ଅବସାଦରେ ଶୁକୁଟି ଆସୁଥିବା ଜୀବନଲତାଟି ପୁଣି ରସ ସଙ୍ଗ୍ରହ କଲା, ନୂଆ ପତର ଦେଲା । ଖରାଛୁଟି ବେଳକୁ ଘରକୁ ବାଣପୁର ଫେରିଲା ବେଳକୁ ଆଉ ଅବସାଦ ନଥିଲା ।

(ପାକ୍ଷିକ ପତ୍ରିକା 'ସମଦୃଷ୍ଟି'ର ୧୧ତମ ଖଣ୍ଡର ୧୪ ତମ ସଂଖ୍ୟାରେ ୨୦୧୭ ମସିହାରେ ପ୍ରକାଶିତ)

No comments:

Post a Comment