ଟଙ୍କାର ଗୁହାରି
ଶ୍ରୀଯୁକ୍ତ ଭୂପତି ଭୂଷଣ ମୁଖୋପାଧ୍ୟାୟ, ଏମ୍. ଏ, ବି. ଏଲ୍
୧୮୩୫ ମସିହାରେ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ଜାରୀ କରିଥିବା ଟଙ୍କିକିଆ ମୁଦ୍ରା ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
ମୋତେ
ନ ଚିହ୍ନେ କିଏ ?
ମୁଁ
ନଥାଏ କୋଉଁଠି ?
ଯେତେବେଳେ
ଗୋଟିଏ ନୂଆ ପିଲା ଜନ୍ମ ହୁଏ ଓ
ଲୋକେ ତାକୁ ଦେଖିବାକୁ ଆସନ୍ତି,
ତା
ହାତରେ ମୋତେ ଗୁଞ୍ଜି ଦେଇ ତା ମୁହଁ
ଦେଖନ୍ତି !
ଲୋକେ
ମୋତେ ହାର ଗୁନ୍ଥି ପିଲାଙ୍କ ବେକରେ
ପିନ୍ଧାନ୍ତି !
ସେହି
ଦିନୁ ମନୁଷ୍ୟମାନଙ୍କ ସଙ୍ଗରେ
ମୋର ପ୍ରଥମ ପରିଚୟ । ତା ପରେ
ଯେତେବେଳେ ପିଲାଟି ବଢିଯାଏ,
ସେତେବେଳେ
ମୁଁ ଲୋଡା ହୁଏ ତାର ଦରମା ଦେବାକୁ
!
ଯେଉଁ
ଭଲ ପିଲାଏ ମନ ଦେଇ ପାଠ ପଢନ୍ତି,
ସେମାନେ
ମୋତେ ବୃତ୍ତିରୂପେ ପାଆନ୍ତି !
ପଢାପଢି
ଶେଷ ହେଲେ ମୋତେ ଖୋଜି ଖୋଜି ସେମାନେ
ଏଣେ ତେଣେ ଦଉଡ ଧାପଡ କରନ୍ତି ।
ମୁଁ ନ ଥିଲେ ଲୋକେ ଖାଇବାକୁପାନ୍ତେ
ନାହିଁ,
ରହିବାର
ଘର ପାନ୍ତେ ନାହିଁ,
ପିନ୍ଧିବାର
ଲୁଗା ଖଣ୍ଡିଏ ପାନ୍ତେ ନାହିଁ,
ଦୋକାନୀଠାରୁ
ଲୋକେ ଜିନିଷପତ୍ର ପାନ୍ତେ ନାହିଁ
। ମୁଁ ନ ଥିଲେ ଚାଷୀର କୋଠିରେ ଧାନ
ପୋକ ଲାଗିଯାନ୍ତା,
କିନ୍ତୁ
ସେ ପିନ୍ଧିବାର ଲୁଗା ପାନ୍ତାନାହିଁ,
ଭାତରେ
ଲୁଣ ପାନ୍ତା ନାହିଁ,
ପିଲାପିଲିଙ୍କର
ବିଭାଘର କରିପାରନ୍ତା ନାହିଁ,
ହଳ
ବଳଦ କିଣି ପାରନ୍ତା ନାହିଁ,
ଜମିଦାରଙ୍କୁ
ଖଜଣା ଦେଇ ପାରନ୍ତା ନାହିଁ ।
ଯେତେବେଳେ
ଆମ ବଂଶକୁ ଲୋକେ ଭଲରୂପେ ଜାଣି ନ
ଥିଲେ,
ସେତେବେଳେ
ଲୋକଙ୍କର କି ଅବସ୍ଥା ହେଉଥିଲା
ଶୁଣ । ଗୋଟିଏ ଗାଁରେ ଗୋଟିଏ ଚଷା
ଗୋଟିଏ କମାର ଘରକୁ ଗଲା !
ଚଷାର
ହଳ କରିବା ଲାଗି ଖଣ୍ଡିଏ ଲଙ୍ଗଳ
ଲୁହା ଦରକାର । ସେ କମାରକୁ କହିଲା
– “ଭାଇ !
ଖଣ୍ଡେ
ଲୁହା ଦେ ।“ କମାର କହିଲା – “ତୋତେ
ମୁଁ ଖଣ୍ଡେ ଲୁହା ଦେଲେ ତୁ ମୋତେ
କଣ ଦେବୁ !”
ଚଷା
କହିଲା “ ଆଉ କଣ ଦେବି ଭାଇ !
ଗଉଣିଏ
ଧାନ ଦେବି ।“ କମାର କହିଲା – “ମୋର
କଣ ଧାନ ନାହିଁ ?
ମୋର
ତ ଧାନ ଗଦା ସଢି ଯାଉଛି,
ତୁ
ମୋତେ କଣ ଧାନ ଦେଖାଉଛୁ । ଖଣ୍ଡେ
ଲୁଗା ଦେଲେ ମୁଁ ତୋତେ ଗୋଟିଏ ଲୁହା
ଦେବି ।“ ଚଷା ତହୁଁ ଗଲା ତନ୍ତି
ଘରକୁ । ତନ୍ତି ସେହିପରି କହିଲା
– “ମୋର ଧାନ କଣ ହେବ ?
ଆଟିଏ
ସୂତାଦେଲେ ଖଣ୍ଡେ ଲୁଗା ଦେବି ।“
ଚାଷୀ ବିଚରା କରେ କଣ ?
ସେଇ
ବାଟରେ ପାଠଶାଳାର ଅବଧାନ ଜଣେ
ଯାଉଥିଲେ । ତାଙ୍କୁ ଚଷା ଯାଇଁ
ସବୁକଥା କହିଲାରୁ ସେ ଆମ ବଂଶର
ସନ୍ଧାନ କହିଲେ । ତହୁଁ ଚଷା ବିଚରା
ଖୋଜି ଖୋଜି ମୋତେ ଗାଁକୁ ଆଣିଲା
!
ମୋତେ
ଦେଖିବାକୁ ସ୍ତିରୀ ବାଳକ ବୁଢା
ଭେଣ୍ଡିଆ କେତେ ଲୋକ ଜମା ହୋଇ
ପଡିଲେ !
କେତେ
ଲୋକ ମୋତେ ହାତକୁ ନେଇ ଏ ପାଖ ସେ
ପାଖ କରି ଦେଖିଲେ,
ମୋର
ଶବ୍ଦରେ ମୋହିତ ହୋଇ ମୋତେ ପଥର
ଉପରେ ବାଡେଇଲେ,
କଚାଡିଲେ
। ବାଡିଆ କଚଡାରେ ମୋର ଦେହ ଦରଜ
ହେଉଥାଏ,
କିନ୍ତୁ
ସେମାନେ ମୋତେ ବାଡେଇବାରେ ଆନନ୍ଦ
ପାଉଥାନ୍ତି । ମୁଁ ଗାଁକୁ ଆସିଲା
ଦିନୁ ଗାଁର ଲୋକେ ଭାରି ସୁଖରେ
ରହିଲେ । ଚାଷିର କୋଠିର ଧାନ କୁଆଡେ
ଉଭେଇ ଗଲା,
ତାର
ଲଙ୍ଗଳ ଲୁହା ପାଇବାକୁ ତାକୁ ଆଉ
ଭାବନା କରିବାକୁ ହେଲାନାହିଁ ;
କମାର
ମୋ ଅନୁଗ୍ରହରୁ ନୂଆ ଲୁଗା ପିନ୍ଧିଲା
;
ତନ୍ତି
ସୂତା ଗୋଛା ଗୋଛା ଆଣି ଲୁଗା
ବୁଣିବାକୁ ଲାଗିଲା ।
ତୁମ୍ଭେମାନେ
ମୋର କ୍ଷମତା କଥା ଶୁଣି ନିଶ୍ଚୟ
ମୋର ଜନ୍ମ କଥା ଶୁଣିବାକୁ ଇଚ୍ଛା
କରିବ । ଭୂଗୋଳରେ ତୁମ୍ଭେମାନେ
ଆମେରିକା ଦେଶ କଥା ପଢିଥିବ । ସେହି
ଦେଶ ମୋର ଜନ୍ମଭୁମି । ସେତେବେଳେ
ମୋର ଚେହେରା ଅନ୍ୟ ରକମ ଥିଲା ।
ଲୋକେ ସେଠାରୁ ମୋତେ ଖୋଳି ଜାହାଜରେ
ଏ ଦେଶକୁ ଆଣିଲେ । ପ୍ରଥମେ ମୋତେ
ଗୋଟାଏ ବଡ ପଥର କୋଠା ଭିତରକୁ
ନେଇଗଲେ । ସେଠାରେ ଯାଇ ଶୁଣିଲି
ସେ ଘରଟାର ନାମ ‘ଟଙ୍କାଶାଳ’ ।
ଦେଖିଲି,
ସେ
ଘରେ ଅନେକ କଳ ରହିଛି । ସେ ଘରେ
ମୋତେ ଗୋଟାଏ ବଡ ଚୁଲ୍ଲି ଉପରେ
ବସାଇଲେ ;
ତଳେ
ହୁ ହୁ ନିଆଁ ଜଳୁଛି । ଭାରି ଗରମ
;
ସେ
ଗରମରେ ମୁଁ ତରଳି ଗଲି !
ତାପରେ
ମୋତେ ଗୋଟାଏ କଳ ଭିତରକୁ ନେଇ ଖଣ୍ଡ
ଖଣ୍ଡ କରି କାଟି ପକାଇଲେ । ମୋର
ଚେହେରା ଏକାବେଳକେ ବଦଳି ଗଲା ।
ଯେ ଲୋକଟି ମୋତେ ଆଣିଥିଲା,
ସେ
ଓଜନ କରି ଦେଖିଲା,
ଯେତିକି
ଓଜନ ମୋର ପୂର୍ବେ ଥିଲା,
ସେତିକି
ବର୍ତ୍ତମାନ ଓଜନ । ସେ ଭାରି ଖୁସି
ହୋଇ ମୋତେ ଗୋଟାଏ ମୁଣି ଭିତରେ
ପୁରାଇ ଘରକୁ ଘେନିଗଲା ।
ତାପରେ
ମୁଁ କେତେ ଦେଶ ବୁଲିଲି !
କେତେ
ଲୋକଙ୍କୁ ଚିହ୍ନିଲି ;
କେହି
ମୋତେ ଦେଖିଲା କ୍ଷଣି ପାକିଟିରେ
ପୁରାଇଦିଏ ;
କେହି
ମୋତେ ପଥରରେ ବାଡେଇ ବାଡେଇ ମୋ
ଦେହ ଦରଜ କରିଦିଏ । ଶେଷରେ ଯାଇଁ
ପହଞ୍ଚିଲି ଗୋଟିଏ ମୋଟା ଲୋକ ପାଖରେ
। ତା ମୁଣ୍ଡରେ ନାକ ଅଗରୁ ବେଣ୍ଚିଯାଏ
ତିଳକଚିତା ;
ବେକରେ
ଗୋଛାଏ ମାଳି ;
ପେଟଟି
ଗଣେଶ ପେଟ ପରି ଥନ୍ତଲ ପେଟ ।
ଶୁଣିଲି,
ତା
ନାଆଁଟି ମହାଜନ !
ସେ
ମୋତେ କେତେ ବାଡେଇଲା,
କେତେ
ପିଟିଲା,
ଶେଷରେ
ନେଇ ଗୋଟାଏ ବଡ ଲୁହା ସିନ୍ଧୁକ
ଭିତରେ କିଟକିଟ ଅନ୍ଧାରରେ ରଖିଲା
। ସେଠି କେତେ ଜାତି ଭାଇଙ୍କ ସାଙ୍ଗରେ
ମୋର ଦେଖାହେଲା । କିନ୍ତୁ ସେଠି
ବେଶି ଦିନ ରହି ପାରିଲି ନାହିଁ ।
ମହାଜନ ମୋତେ ନେଇ ଗୋଟିଏ ଗରିବ
ଲୋକକୁ ଦେଲା !
ସେ
ମୋତେ ତିନି ମାସ ପରେ ମହାଜନକୁ
ଫେରାଇ ଦେଲା । କିନ୍ତୁ ମୋ ସାଙ୍ଗରେ
ମୋର ପିଲା କେତୋଟି ମହାଜନ ଘରକୁ
ଆସିଲେ !
ଆଜିକାଲି
ଆମ ସୃଷ୍ଟି ସରକାରଙ୍କ ହାତରେ ।
ସରକାର ଦରକାର ବୁଝି ଆମକୁ ସୃଷ୍ଟି
କରନ୍ତି ।
ଏତେ
ଦିନ ଯାଏ ଆମ୍ଭେମାନେ ବେଶ ସୁଖରେ
ଥିଲୁଁ ;
କୌଣସି
ଶତ୍ରୁ ଆମର ନଥିଲା । ସମସ୍ତେ
ଆମ୍ଭମାନଙ୍କୁ ଭାରି ଆଦର କରୁଥିଲେ
। କିନ୍ତୁ ଦୁଇ ବର୍ଷ ହେଲା ଆମର
ଗୋଟାକେତେ ଶତ୍ରୁ ପହଞ୍ଚିଛନ୍ତି
। ଖୁବ ଯୁଦ୍ଧ ହେଲାରୁ ଆମ ଜନ୍ମ
ଦେଶରୁ ଆମ ଜାତି ଭାଇମାନେ ଏ ଦେଶକୁ
ବେଶି ଆସିପାରିଲେ ନାହିଁ । ସରକାର
ବାହାଦୂର ଗୋଟାଏ କୌଶଳ କଲେ ।
ଖଣ୍ଡେ ଖଣ୍ଡେ କାଗଜରେ ଲେଖିଦେଲେ
–“ଏ କାଗଜଖଣ୍ଡିମାନ ଦେଖାଇବ,
ସେ
ଟଙ୍କାଟିଏ ପାଇବ,
ଅଢେଇ
ଟଙ୍କା ପାଇବ ।“ ଏ କାଗଜଟିମାନ
ଯହୁଁ ଲୋକଙ୍କ ହାତରେ ପଡିଲା,
ସରକାର
ଆମ୍ଭମାନଙ୍କୁ ଆଣି ଗୋଟିଏ ସିନ୍ଧୁକରେ
ବନ୍ଦ କରି ରଖିଲେ । ଯେତେବେଳେ
କେହି ସେ କାଗଜଖଣ୍ଡମାନ ସରକାରଙ୍କୁ
ଦେଲା ଓ ଆମ୍ଭମାନଙ୍କୁ ପାଇବାକୁ
ଇଚ୍ଛା କଲା,
ସେତେବେଳେ
ଆମେ ସେ ସିନ୍ଧୁକରୁ ପୁଣି ବାହାରିଲୁଁ
। ଲୋକେ ସେହି କାଗଜ ପାଇ ଭାରି
ଖୁସି ;
ଆମକୁ
କ୍ରମେ ଭୁଲି ଯିବାକୁ ଲାଗିଲେ ।
ସେ କାଗଜ ଓଜନ ହେଲା ନାହିଁ,
ତାର
ଶବ୍ଦ ବି ନାହିଁ । ପାକିଟି ଭିତରେ
ଆମରି ଭଳିଆ ହଜାର ହଜାର କାଗଜ ହୋଇ
ରହିଗଲେ କେହି ଜାଣିବେ ନାହିଁ,
ଚୋର
ଡକାଇତର ଭୟ ନାହିଁ । ଗତ ଦୁଇ ବର୍ଷ
ହେଲା ଆମ୍ଭମାନଙ୍କର ଏ ଶତ୍ରୁ
ପ୍ରବଳ ହେବାରୁ ଆମ୍ଭେମାନେ ଆପଣା
ଆପଣା କାନମୁଣ୍ଡାଟିମାନ ଆଉଁସି
ଚୁପ ହୋଇ ରହିଛୁଁ ।
ବି.ଦ୍ର:
ଏହି
ଲେଖାଟି ପ୍ରଥମେ ପଞ୍ଚାମୃତ
ପତ୍ରିକାର ପ୍ରଥମ ସଂଖ୍ୟାର ପ୍ରଥମ
ଭାଗରେ ପ୍ରକାଶିତ ହୋଇଥିଲା ।
No comments:
Post a Comment