Friday, January 06, 2017

ମହିମା ଭକ୍ତି କବିତା - 'ଶୂନ୍ୟ ସ୍ୱରୂପ ହେ' 


କବି - ଭୀମ ଭୋଇ


ବାସୁକୀଙ୍କ ଦ୍ୱାରା ସମୁଦ୍ର ମନ୍ଥନ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଶୂନ୍ୟ ସ୍ୱରୂପ ହେ, ଘୋଟିଅଛ ତ୍ରିଭୁବନ ମହୀ ।
ସୁଜ୍ଞାନୀ ଜନଙ୍କ ଚିତ୍ତରେ ଅଦୃଶ୍ୟ କୁଜ୍ଞାନୀକି ପଥ ଦିଶୁ ନାହିଁ । ଘୋଷା ।

ଆଜ୍ଞାରେ ବାସୁକୀ ଧରିଛି ପୃଥ୍ୱୀକି କିବା ଦୁଷ୍ଟ ସନ୍ଥ ଏକ ହୋଇ ।
କାହାକୁ ଅନ୍ତର ଚିତ୍ତେ ନାହିଁ ତାର ଅଲେଖ ପୁରୁଷ ଦୀକ୍ଷା ବହି ।୧।

ସାୟେର ମଣ୍ଡଳ ଦ୍ରୌପଦୀର ଖଳ କେତେ ଉପଦ୍ରବ ମର୍ତ୍ତ୍ୟେ ନାହିଁ ।
ଧନ୍ୟ ସେ ପୁରୁଷ ଶୂନ୍ୟୁ ଅବତରି ଉଦ୍ଧରେ ମାନବ ଦେହ ବହି ।୨।

ସ୍ୱର୍ଗେ ସୁରପତି ଦିଗପାଳ ଖ୍ୟାତି ଅମ୍ରାଧି ଭୁବନେ ବାସ ପାଇ ।
କେ ରଚିଲା ପୁର ହେତୁ ନାହିଁ ତାର ଶଚିଘେନି ଭୋଗ କଲା ମହୀ ।୩।

ବ୍ରହ୍ମା ବେଦବର ଜଗତ ଅଧିକାର ଦିବସ ରଜନୀ ସୁସ୍ଥ ନାହିଁ ।
ବେଦ ଅଧ୍ୟାନରେ ସୃଷ୍ଟି ସର୍ଜନାରେ କୋଟି କୋଟି ଯୁଗ ଗଲା ବହି ।୪।

ନକ୍ଷତ୍ରାଦିଗଣ ଶଶାଙ୍କ ଅରୁଣ ଚଳୁଛନ୍ତି ସର୍ବେ ଆଜ୍ଞା ପାଇ ।
ଆଜ୍ଞା ବିନୁ ବଡ଼ ଜଗତେ କେ ଗାଢ଼ ଦୁଷ୍ଟ ହୋଇ ଜଣେ ନାହିଁ କେହି ।୫।

ଘଟେ ଘଟେ ଦେଖ ନାହିଁ ରୂପରେଖ ଏକରୁ ଅନେକ ସଞ୍ଚରଇ ।
ଭୀମସେନ ଭୋଇ ପଦ ବଖାଣଇ ଅମନ ମନ୍ଦିରେ ମନ ଥୋଇ ।୬।   

No comments:

Post a Comment