Thursday, January 19, 2017

ମୁଦି ବନ୍ଧୁକ 


ଜ୍ୟୋତି ନନ୍ଦ


ମୁଦି ବନ୍ଧୁକ
ଫଟୋ କ୍ରେଡ଼ିଟ - http://www.hightech-edge.com

ହଁ ଆପଣ ମାନେ ଠିକ୍ ପଢିଛନ୍ତି।ଶୀର୍ଷକରେ କୌଣସି ତୃଟି ନାହିଁ । କଥାଟି କୁହାଯାଉଛି ମୁଦି ବନ୍ଧୁକ ଉପରେ । ଏଥିରେ କୌଣସି ରାଜନୀତିର ଗନ୍ଧ ନାହିଁ । ଏମିତିରେ ଆମର ପୋଷାକସର୍ବସ୍ୱ ପ୍ରଧାନମନ୍ତ୍ରୀଙ୍କୁ ଦେଖିଲେ ମୋତେ ସର୍ବଦା ଭାରି ପୁଲକିତ ଲାଗେ । ଏହି ପୁଲକ ଭାବଟି ଆମର ଇତିହାସ ଚେତନାରୁ ଆସିଛି ବୋଲି ମୋର ଧାରଣା । ଏବେ ଆଉ କଉ ଗୋରା ସାଇବର ଜିଭରେ ହାଡ ଅଛି କଥା ନହସରେ ହଉ ପଛକେ କହିଦବ, ଲଙ୍ଗଳା ଫକୀର ? ଆମେ ଯେତେ ଭାରତୀୟ ଅଛୁ ତାହାର ଜିଭ ଓଟାରି ଆଣିବୁ । କେଉଁ କାଳରେ ସେହି ଲଙ୍ଗଳା ଫକୀର ସିନା ସେଇ ଗୋରା ପଲଟଣଙ୍କୁ ବିବାକ ଲଙ୍ଗଳା କରି ବାଟ ଦେଖାଇ ଦେଲା, ହେଲେ ଆଜି କ'ଣ ସେକାଳ ପଖାଳ ଚଳିବ ? ଆମେ ଆଜି ଗର୍ବର ସହ ଛାତିରେ ହାତ ପିଟି ଗୋରାମୁଲକରେ ଡାକି ବଜେଇ କହୁଚୁ, ଆମ ଭଳି ଚକମକିଆ ପୋଷାକରେ ଯଦି ତମର ଦୋହଦ ବଳିଛି ତେବେ ଆସ, ଆମ ରାଇଜକୁ ଆସ । ଖାଲି ହାତପାଣ୍ଠି ର ତାକତ ଥିଲେ ହେଲା । ଆମେ ସବୁ ତିଆରି ପାରିବୁ ମ ।

ସେଇ ପାକୁଆ ଲଙ୍ଗଳା ଫକୀରଟି ହାତରେ ତାଳି ବଜେଇ ସିନେମାମାଫିକ କଥା କ'ଣ କହିପାରିଥାନ୍ତା ? ସେଇଥିପାଇଁ ଆମେ ତାକୁ ଚରଖା ପାଖରୁ ଉଠେଇ ଦେଇ କହିଲୁ,ବାପା,ଏହାକୁ କହନ୍ତି ସେଲ୍ଫି । ଟିକେ ଆଡ ହେଇଯାଅ । ବାପା ସେଇଠେ ବଲବଲ କରି ଚାହିଁଥାନ୍ତୁ ।
ଆମେ ଫେରିବା ଆମର ମୁଦି-ବନ୍ଧୁକ ପାଖକୁ । ଇତିହାସ ଅନୁସାରେ ନିଜେ ସୁରକ୍ଷିତ ରହିବା ପାଇଁ ଲୋକଟି ବାହାରର ଅସ୍ତ୍ରଶସ୍ତ୍ର ଲୋଡିଥାଏ । ମାତ୍ର ଅନ୍ୟାନ୍ୟ ଜୀବଜନ୍ତୁମାନଙ୍କର ସେଇ ପ୍ରକାରର ଉପାଦାନ ନିଜ ନିଜ ଭିତରେ ଥାଏ, ମୂଖ୍ୟତଃ ନଖ ବା ଦାନ୍ତ ।ସେମାନେ ବାହାରୁ କିଛି ଆମ ଭଳି ଲୋଡନ୍ତି ନାହିଁ ।

କିଛି ଲୋକ ବେଶ୍ ଆଡମ୍ବର ସହକାରେ ଅସ୍ତ୍ରଶସ୍ତ୍ର ଆଦିକୁ ଧରି ଚାଲିଥାନ୍ତି । ଏହା ଅନ୍ୟମାନଙ୍କ ଭିତରେ ଗୋଟିଏ ଭୟ ସୃଷ୍ଟି କରିଥାଏ । ଆଉ ଏଇ ଭୟରୁ ସେମାନେ ହୀନ ବୋଲି ଧାରଣାଟି ଆସେ । ନିଜେ ହୀନ ବୋଲି ଧାରଣାଟିଏ ତିଆରି ହୋଇଗଲେ ଲୋକଟି ଆଉ ଯାହା କିଛି ହେଉ ପଛକେ ଆକ୍ରମଣକାରୀ ହୋଇ ପାରିବ ନାହିଁ । ତେଣୁ ଅସ୍ତ୍ରଶସ୍ତ୍ର ଧରି ଚାଲିଥିବା ଲୋକଟି ନିରାପଦ ଧନସମ୍ପତ୍ତି ସହ ସୁରକ୍ଷିତ ।

ଆଉ କିଛି ଲୋକ ନିଜର ସୁରକ୍ଷା ପାଇଁ ଅସ୍ତ୍ରଶସ୍ତ୍ରକୁ ଲୁଚାଇ ରଖିଥାନ୍ତି । ସେମାନଙ୍କ ପାଖରୁ ରୁଲବାଡିଟି ଦିଫାଳ ହୋଇ ବାହାରି ଆସେ ଧାରୁଆ ଆଉ ମୁନିଆ ଗୁପ୍ତି । ଲୁଚାଇ ରଖିଥିବା ଅସ୍ତ୍ର ଦ୍ବାରା ଅନ୍ୟକୁ ହଠାତ୍ ଚିତପଟାଙ୍ଗ କରି ପାରିବା ହିଁ ଏଇ ଶ୍ରେଣୀୟ ମଣିଷମାନଙ୍କ ପରମ ଆହ୍ଲାଦ । ସେମାନେ ସର୍ବଦା ସାଧାରଣ ଦିଶୁଥିବା ଅସାଧାରଣ ବ୍ୟକ୍ତିବିଶେଷ । ସେମାନେ ଅଧିକ ବୁଦ୍ଧିମାନ,ପ୍ରତ୍ୟୁତ୍ପନ୍ନମତି ଓ କିମିଆବାଜ ।

ଉନବିଂଶ ଶତାବ୍ଦୀର ମଧ୍ୟଭାଗରେ ଏହି ମୁଦି-ବନ୍ଧୁକକୁ ଭିକ୍ଟୋରିଆ ଯୁଗର ମହିଳା ମାନେ ଏକେଲା ଯାତ୍ରା କଲାବେଳେ ନିଜର ସୁରକ୍ଷା ପାଇଁ ନିଜ ମଝି ଆଙ୍ଗୁଠିରେ ପିନ୍ଧୁଥିଲେ । ଅତ୍ୟନ୍ତ ଛୋଟ ହୋଇଥିଲେ ହେଁ, ଏଥିରୁ ଛୁଞ୍ଚି ଭଳି ଯେଉଁ ଗୁଳି ବାହାରେ ତାହା ଅତି ନିକଟରୁ ଆକ୍ରମଣକାରୀର ଆଖି ପାଇଁ ବେଶ୍ ଘାତକ ଥିଲା ।

ବି.ଦ୍ର.**ଦୋହଦ ଶବ୍ଦଟି ବହୁତ ସୁନ୍ଦର । ଏହା ଏବେ ସେତେ ପ୍ରଚଳନରେ ନାହିଁ । ତରୁଣମାନଙ୍କ ପାଇଁ ଲେଖୁଚି, ଦୋହଦର ଅର୍ଥ ହେଉଛି ଗର୍ଭବତୀ ସ୍ତ୍ରୀର ର ନାନାଦି ସ୍ବାଦିଷ୍ଟ ଖାଦ୍ୟର ଲାଳସା ।

No comments:

Post a Comment