Living in Bhubaneswar
Tuesday, January 03, 2017
କେଶବ କୋଇଲି
ମାର୍କଣ୍ଡେୟ ଦାସ
ଗୀତର ୟୁଟ୍ୟୁବ ଲିଙ୍କ - https://www.youtube.com/watch?v=X5rgElih9Ng
ଗାୟକ - ପ୍ରଣବ ପଟ୍ଟନାୟକ
କୁସୁମ ସରୋବର ଘାଟ, ବୃନ୍ଦାବନ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍
କୋଇଲି ! କେଶବ ଯେ ମଥୁରାକୁ ଗଲା ।
କାହା ବୋଲେ ଗଲା ପୁତ୍ର ବାହୁଡ଼ି ନଇଲା ।
କୋଇଲି ! ଖଣ୍ଡ କ୍ଷୀର ଦେବି ମୁଁ କାହାକୁ ।
ଖାଇବାର ପୁତ୍ର ଗଲା ମଥୁରାପୁରକୁ ।
କୋଇଲି ! ଗଲା ପୁତ୍ର ବାହୁଡ଼ି ନଇଲା ।
ଗହନତ ବୃନ୍ଦାବନ ଶୋଭା ନ ପାଇଲା ।
କୋଇଲି ! ଘରେ ମୋର ନ ମଣନ୍ତି ନନ୍ଦ ।
ଘଟଣ ନ ଦିଶେ ପୁର ନ ଥିଲେ ଗୋବିନ୍ଦ ।
କୋଇଲି ! ନନ୍ଦଦେହ ପାଷାଣେ ଗଢ଼ିଲା ।
ନୟନେ କଜ୍ଜ୍ୱଳ ଦେଇ ରଥେ ବସାଇଲା ।
କୋଇଲି ! ଚଳୁଥାଇ କଟିସ୍ଥ ମେଖଳୀ ।
ଚକିତ ହୋଇଲେ ଶୁଣି ଗୋପପୁରବାଳୀ ।
କୋଇଲି ! ଛାଟେକ ମୁଁ ମାଇଲି ପୂରୁବେ ।
ଛାଡ଼ି ଅବା ଗଲେ କୃଷ୍ଣ ସେହି ପରାଭବେ ।
କୋଇଲି ! ଦୂତପଣେ ଅଇଲା ଅକ୍ରୂର ।
ଯାତ୍ରା ବୋଲି ଭଣ୍ଡିନେଲା ବସାଇ ରଥର ।
କୋଇଲି ! ଝୁରୁଝୁରୁ ଲୁହ ନ ରହିଲା ।
ଝଗଡ଼ା ସାରିଣ କୃଷ୍ଣ ମଥୁରା ରହିଲା ।
କୋଇଲି ! ନିଶାକାଳେ ହରି ମାଗେ ଚାନ୍ଦ ।
ନୟନ ଟେକିଣ ତାଙ୍କୁ ରାଉଥାନ୍ତି ନନ୍ଦ ।
କୋଇଲି ! ଟହଚହ ହସୁଥାନ୍ତି କୋଳେ ।
ଟଳଟଳ ହେଉଥାନ୍ତି ଝଳିବାର ବେଳେ ।
କୋଇଲି ! ଠଣ ଯେ ସୁନ୍ଦର ବେନି ପୋଏ ।
ଠକି ଭଣ୍ଡି ଗଲେ କୃଷ୍ଣ ନଇଲେ ଭେଡ଼ାଏ ।
କୋଇଲି ! ଡାକିଲେ ଭାଷଇ ଯେହ୍ନେ ଶାରୀ ।
ଡାଳରତ୍ନଶୁଆ ପ୍ରାଏ ଭାଷୁଥାନ୍ତି ହରି ।
କୋଇଲି ! ଢ଼ଳୁଛନ୍ତି ମାଏ ଯଶୋବନ୍ତୀ ।
ଢ଼ାଳେ ହରାଇଲି ମୋର ପୁଅ ଶିରୀପତି ।
କୋଇଲି ! ଅନେକ ହିଂସିଲା ରାୟ କଂସ ।
ଅଣହେଳା କରିଣ ଆପଣେ ଗଲା ନାଶ ।
କୋଇଲି ! ତନୁରେ ତା ଲେପଇ କୁଙ୍କୁମ ।
ତନୟେ ଖେଳାଉଥାନ୍ତି ଭାଇ ବଳରାମ ।
କୋଇଲି ! ଥନ ଭାଙ୍ଗି କ୍ଷୀର ପିଆଇଲି ।
ଥବିର କାଳକୁ ପୁତ୍ର ଦେଖି ନ ପାରିଲି ।
କୋଇଲି ! ଦଉଡ଼ିରେ ବାନ୍ଧିଲି ପୁତ୍ରକୁ ।
ଦାମୋଦର ରାଗେ ଗଲେ ମଥୁରାପୁରକୁ ।
କୋଇଲି ! ଧନ୍ୟ ସେହୁ ଦଇବକୀ ନାରୀ ।
ଧର୍ମ ଥିଲା ପୁତ୍ର ଗୋଟି ହୋଇଲା ତାହୁରି ।
କୋଇଲି ! ନ ଶୋଭଇ ଗୋପପୁର ମୋର ।
ନାରାୟଣ ଗଲା ଦିନୁ ମଥୁିରାନଗର ।
କୋଇଲି ! ପବିତ୍ର ପୁରୁଷ ମୋ ମାଧୋଇ ।
ପବିତ୍ର ମୁଁ ହେଉଥିଲି କୃଷ୍ଣ ମୁଖ ଚାହିଁ ।
କୋଇଲି ! ଫଳିବାକୁ ନାହିଁ ମୋର ଆଶ ।
ଫଳିବାର ଫଳ ଗଲା ବସୁଦେବ ପାଶ ।
କୋଇଲି ! ବହୁତ ସହିଲି ତାଙ୍କ ଅଳି ।
ବଡ଼ାଇ ସରଧା ଭାଙ୍ଗିଗଲେ ବନମାଳୀ ।
କୋଇଲି ! ଭଣ୍ଡି ମୋତେ ଗଲେ ବେନି ପୋଏ ।
ଭାଇ ତାଙ୍କ ବଳରାମ ନଇଲେ ଭେଡ଼ାଏ ।
କୋଇଲି ! ମଥୁରାକୁ ଯିବି କି ମୁଁ ଧାଇଁ ।
ମାଧବ ମଧୁସୂଦନ ଆଣିବି କଢ଼ାଇ ।
କୋଇଲି ! ଯିବେ ଯେ ଆସିବେ ବୋଲି ଗଲେ ।
ଜଗତଜୀବନ ପ୍ରଭୁ ଭେଡ଼ାଏ ନଇଲେ ।
କୋଇଲି ! ରତ୍ନ ବସ୍ତ୍ର ଅଳଙ୍କାରମାନ ।
ରାମ-କୃଷ୍ଣ-ଶ୍ରୀଅଙ୍ଗକୁ ଦିଶେ ଶୋଭାବନ ।
କୋଇଲି ! ଲକ୍ଷ୍ମୀମନ୍ତ ଅଟେ ନାରାୟଣ ।
ଲଳିତରେ ନାମ ଦେଲେ ସେ ଗର୍ଗ ବ୍ରାହ୍ମଣ ।
କୋଇଲି ! ବୃନ୍ଦାବନ ନ ଶୋଭଇ ମୋର ।
ବତ୍ସା କିଏ ଚରାଇବ ଯମୁନାର ତୀର ।
କୋଇଲି ! ଶ୍ରୀମନ୍ତ ପୁରୁଷ ମୋ ମାଧୋଇ ।
ଶୀରୀଅଙ୍ଗ ଗଲାଦିନୁ ନନ୍ଦ ହେଲେ ବାଇ ।
କୋଇଲି ! ଶଶୀ ଯେହ୍ନେ ଦିନୁ ଦିନୁ କ୍ଷୀଣ ।
ସେହିମତି କ୍ଷୀଣହେଲେ ମୋ ନନ୍ଦରାଜନ ।
କୋଇଲି ! ସାତ ଦିନ ଇନ୍ଦ୍ର ବୃଷ୍ଟି କଲା ।
ସପତ ବରଷ ପୁଅ ମନ୍ଦର ଧଇଲା ।
କୋଇଲି ! ହାଇ ଯେ ମାରଇ ପୁତ୍ର ତୁଣ୍ଡ ।
ହୃଦୟେ ଦିଶିଲା ତାର ସପତ ବ୍ରହ୍ଣାଣ୍ଡ ।
କୋଇଲି ! କ୍ଷନ୍ଦଣି ବନ୍ଧଣି ଭୁଜଦଣ୍ଡ ।
କ୍ଷମା କର ଦୋଷ ମୋର ଭଣେ ମାରକଣ୍ଡ ।
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment