ଏକଦା ଏକ ଦିନ - ଜାନୁଆରୀ ପହିଲା
ଜ୍ୟୋତି ନନ୍ଦ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
ମାୟା ସଭ୍ୟତାର ଅଧିବାସୀ, ଚୀନା
ଲୋକେ,
ଆରବୀୟ
ଆଉ ଈହୁଦୀଙ୍କ ଭଳି ପୃଥିବୀ ର
କିଛି ଲୋକଙ୍କ ପାଇଁ ଆଜିର ଦିନଟି
ଗୋଟିଏ ସାଧାରଣ ଦିନ, ଅନ୍ୟ ସବୁ
ଦିନ ମାନଙ୍କ ଭଳି । ଓଡିଆ ମାନଙ୍କର
ନବବର୍ଷ ତ ମହାବିଷୁବ ସଙ୍କ୍ରାନ୍ତି
ଦିନ । କିଏ ମାନୁ ବା ନମାନୁ ପଛକେ, ଏହା ନବବର୍ଷ ହିସାବରେ ଗତ ୪୦୦ ବର୍ଷ ଧରି ପୃଥିବୀରେ ପାଳିତ ହୋଇ
ଆସୁଛି । ଆମେ ଯାହାକୁ ଛୁଟିଦିନ
ବା ଇଂରାଜୀରେ ହଲି ଡେ ବୋଲି
କହୁ ତାହାର ଉତ୍ପତ୍ତି ହେଉଛି ହଲିଡାଇ ଶବ୍ଦରୁ, ଯାହାର ଅର୍ଥ ହେଉଛି ପବିତ୍ର ଦିବସ । ତେଣୁ ଆମର ସମସ୍ତ
ଛୁଟିଦିନ ମାନ କହିବାକୁ ଗଲେ ସବୁ
ପବିତ୍ର ଦିବସ, ଧର୍ମ
କାର୍ଯ୍ୟରେ ଉତ୍ସବ କରି ସମୟ
ବିତାଇବାର ଦିନ ।
ପ୍ରଥମ ଜାନୁଆରୀର ନବବର୍ଷଟି ପୃଥିବୀର ପ୍ରାଚୀନତମ
ସାର୍ବଜନୀନ ପବିତ୍ର ଦିବସ । ଏହି
ଜାନୁଆରୀ ପ୍ରଥମର ନବବର୍ଷର କାହାଣୀ
ସେହି ସମୟରୁ ପ୍ରଚଳିତ ହୋଇ ଆସିଛି,
ଯେଉଁ
ସମୟରେ ବର୍ଷ କହିଲେ ଆମେ ଯାହା
ଏବେ ବୁଝୁ, ତାହା ସେତେବେଳେ ଲୋକେ
ବୁଝୁ ନଥିଲେ । ଆମ ପାଇଁ ବର୍ଷ କହିଲେ
ହେଉଛି ଗୋଟିଏ କ୍ୟାଲେଣ୍ଡର, ଯାହା
ଜାନୁଆରୀ ଏକ ତାରିଖରୁ ଆରମ୍ଭ
ହୋଇ ଡିସେମ୍ବର ଏକତିରିଶ ତାରିଖରେ
ଶେଷ ହୁଏ । ଆଗରୁ ଲୋକେ ଏହିଭଳି
କ୍ୟାଲେଣ୍ଡର ବର୍ଷରେ ଚଳୁ ନଥିଲେ ।
ତାଙ୍କର ବର୍ଷଟି ଆରମ୍ଭ ହେଉଥିଲା
ଜମିରେ ହଳ କରି ବିହନ ବୁଣିବାରୁ
ଆଉ ଶେଷ ହେଉଥିଲା ଫସଲ ଅମଳ
କରିବାରେ । ଫସଲ ଚକ୍ରକୁ ଭିତ୍ତି
କରି ବର୍ଷଟିଏ ବିତୁଥିଲା ସେମାନଙ୍କର
। ଆଉ ସେହି ଫସଲର ବୁଣିବାଠାରୁ
ଅମଳ ପର୍ଯ୍ୟନ୍ତ ଓ ଆଉ ତାହା
ପରବର୍ତ୍ତୀ ଅବସର କିଛି ସମୟକୁ
ସେମାନେ ଧର୍ମ ସହିତ ଯୋଡି ନାନାଦି
ଉତ୍ସବରେ ବର୍ଷଟି କାଳାତିପାତ
କରୁଥିଲେ ।
ଆମେ ଯେମିତି ଜାନୁଆରୀରୁ
ଡିସେମ୍ବର ପର୍ଯ୍ୟନ୍ତ ଏକ
କ୍ୟାଲେଣ୍ଡର ବର୍ଷ ବିତାଉଛୁ, ସେମିତି ଆମର ବ୍ୟବହାରିକ ଜୀବନରେ
ଆହୁରି କିଛି କିଛି ବିଭିନ୍ନ
ପ୍ରକାରର ବର୍ଷ ରହିଛି । ଆମର
ଶିକ୍ଷା ବର୍ଷ ଆରମ୍ଭ ହୁଏ ଜୁଲାଇ
ରୁ ପରବର୍ତ୍ତୀ ମାର୍ଚ୍ଚ ଯାଏଁ । ଆର୍ଥିକ
ବର୍ଷଟି ଲମ୍ବିଥାଏ ମାର୍ଚ୍ଚରୁ ପରବର୍ତ୍ତୀ
ଫେବୃଆରୀ ମାସ ପର୍ଯ୍ୟନ୍ତ । ପ୍ରାଚୀନ ଯୁଗରେ
ରାଜାମାନେ ନିଜ ଇଚ୍ଛା ଅନୁସାରେ
ବର୍ଷ ଚଳାଉ ଥିଲେ । ଏମିତିରେ
ଦେଖିଲେ ରାଜାମାନଙ୍କର ସମୟ ଉପରେ
ଭାରି ଅହନ୍ତା । ସମୟ କୁ ନିଜ ହାତରେ
ରଖିବା ପାଇଁ ସେମାନଙ୍କର ଅନେକ
କେଳିକୌତୁକ ଆମେ ଦେଖୁ ଇତିହାସ ସାରା ।
ସର୍ବପ୍ରାଚୀନ ନବବର୍ଷ ତଥ୍ୟ ଅନୁସାରେ ଖ୍ରୀ.ପୂ ୨୦୦୦ରେ ବେବିଲୋନ ସହରରେ ପାଳିତ ହୋଇଥିଲା । ଏହାର
ଧ୍ୱଂସାବଶେଷ ଇରାକର ଆଲ୍-ହିଲାଲ୍
ନାମକ ସହରରେ ଅବସ୍ଥିତ । ଅବଶ୍ୟ ସେଇ ନବବର୍ଷଟି ଆଜିଭଳି ଜାନୁଆରୀ
ମାସର ପ୍ରଥମ ତାରିଖର ନବବର୍ଷ
ପାଳନ ନଥିଲା । ମାର୍ଚ୍ଚ ମାସର
ଶେଷଭାଗରେ ଏହି ଉତ୍ସବଟି ପାଳିତ
ହୋଇଥିଲା ପ୍ରାୟ ଏଗାର ଦିନ ଧରି ।
ବର୍ତମାନର ଯେ କୌଣସି ଆଧୁନିକ
ଉତ୍ସବ ତୁଳନାରେ ଏହି ଉତ୍ସବ
ଅତ୍ୟନ୍ତ ଆଡ଼ମ୍ବରପୂର୍ଣ୍ଣ
ଥିଲା । ଉତ୍ସବ ଦିନ ପାହାନ୍ତିଆର ଦୁଇଘଣ୍ଟା ପୂର୍ବରୁ ଅନ୍ଧାରରେ
ମୂଖ୍ୟ ପୂଜକ ନିଜର ସ୍ନାନାଦି ସାରି
ପବିତ୍ର ଇଉଫ୍ରେଟିସ ନଈର ପାଣି
ଆଣି ପହଞ୍ଚୁଥିଲେ ମାର୍ଦୁକଙ୍କ
ମନ୍ଦିରରେ । ମାର୍ଦୁକ ହେଉଛନ୍ତି
କୃଷିର ଦେବତା । ମନ୍ତ୍ରୋଚ୍ଚାରଣ
ଦ୍ୱାରା ଏକ ମେଣ୍ଢା କୁ ବଳି ଦିଆ
ଯାଉଥିଲା । ସେଇ ମେଣ୍ଢାର ରକ୍ତ
ଆଉ ଇଉଫ୍ରେଟିସ ନଈର ପାଣିରେ
ମନ୍ଦିର ର କାନ୍ଥକୁ ବେଶ ଭଲ
ଭାବରେ ଲିପି ଦିଆ ଯାଉଥିଲା ।
ନିଷ୍ଠାପର ଭାବରେ ଏହିଭଳି ଲିପିବାର
କାରଣ ହେଉଛି ମନ୍ଦିର ର ଦେବତା
ମାର୍ଦୁକଙ୍କୁ ଯାବତୀୟ ସଙ୍କ୍ରମଣରୁ
ରକ୍ଷା କରିବା । ଫଳତଃ ଫସଲ ସବୁ
ହାନିକାରକ କୀଟପତଙ୍ଗଙ୍କ ଦାଊରୁ ରକ୍ଷା ପାଇପାରିବ ।
ଏହି ଉତ୍ସବକୁ "କୁପୁରୁ"
ବୋଲି
କୁହାଯାଉଥିଲା। ତାହାପରେ ଖାଦ୍ୟ, ମଦ୍ୟ, ପୋଷାକର ଆଡମ୍ବରର ପର୍ଯ୍ୟାୟ । ଏହା
କୃଷିଦେବତା ମାର୍ଦୁକଙ୍କ ପୂର୍ବ
ବର୍ଷର ଫସଲ ଅମଳର ବରଦାନର କୃତଜ୍ଞତା
ହିସାବରେ ନିବେଦିତ । ଉତ୍ସବର
ଷଷ୍ଠ ଦିନରେ ମୁଖାପିନ୍ଧି ସେମାନେ
ନାଟକ କରୁଥିଲେ । ସୁନ୍ଦର ପୋଷାକ
ରେ ସେମାନେ ସହର ପରିକ୍ରମା କରୁଥିଲେ, ନାଚଗୀତ ଆଉ ବାଦ୍ୟଯନ୍ତ୍ର ସହ ।
ଏହି ପରିକ୍ରମଣ ମାର୍ଦୁକଙ୍କ
ମନ୍ଦିରଠାରୁ ଆରମ୍ଭ ହୋଇ ବେବିଲୋନ ସହରର ଉପାନ୍ତରେ ଶେଷ ହେଉଥିଲା । ଯେଉଁଠି
ଶେଷ ହେଉଥିଲା, ସେଇଠେ ଗୌଟିଏ ବଡ
ଘର ନିର୍ମାଣ କରାଯାଇଥିଲା, ଯାହାକୁ
"ନବବର୍ଷ
ଘର"
ବୋଲି
କୁହାଯାଉଥିଲା। ତାହାର ଧ୍ୱଂସାବଶେଷ
ଏବେବି ଅଛି । ନବବର୍ଷର ପ୍ରଥମ
ଦିନ ବିଶେଷତଃ ବିହନ ବୁଣିବାର
ଦିନ । ମାତ୍ର ବିହନ ବୁଣିବା କାମ
ଶୀତ ଦିନେ, ଅର୍ଥାତ ଜାନୁଆରୀ
ମାସରେ ହୁଏନାହିଁ । ତେଣୁ କହିବାକୁ
ଗଲେ ପୃଥିବୀର ଇତିହାସରେ ନବବର୍ଷଟି ମାର୍ଚ୍ଚ ମାସରୁ ବିବର୍ତ୍ତିତ
ହୋଇ ଆସି ଜାନୁଆରୀ ମାସରେ ପହଞ୍ଚିଛି ।
ରୋମୀୟ ମାନେ ସର୍ବପ୍ରଥମେ ମାର୍ଚ୍ଚ
ମାସର ୨୫ ତାରିଖକୁ ନବବର୍ଷର
ପ୍ରଥମଦିନ ବୋଲି ପାଳନ କରୁଥିଲେ । ତାହାପରେ
ରୋମର ନରପତିମାନେ ବର୍ଷର କ୍ୟାଲେଣ୍ଡରକୁ ବଦଳାଇଚାଲିଥିଲେ ମଝିରେ
ମଝିରେ । ତାହାଫଳରେ ଋତୁ ଆଉ ମାସ
ସମକାଳୀନ ହେଲାନାହିଁ । ଯଦି ଆପଣ
ଏଇ ଜାନୁଆରୀରେ ଧାରା ଶ୍ରାବଣ
ଭୋଗିବେ, ଆଉ ତାହା ଆର ବର୍ଷ ସେଇ ସମାନ
ଶ୍ରାବଣକୁ ମାର୍ଚ୍ଚ ମାସରେ ଅନୁଭବ
କରିବେ, ତେବେ ଅସୁବିଧା ହେବ ନିଶ୍ଚୟ । ଅନ୍ୟ ପକ୍ଷରେ ରୋମୀୟ ସମ୍ରାଟମାନେ ସମୟକୁ
ପାହାର ପକାଇବାରେ ପାରଙ୍ଗମ । ନିଜର
ଶାସନକୁ ମହନୀୟ କରିବା ପାଇଁ
ସେମାନେ ମାସକୁ ଅଧିକ ଦିନ ଭାବରେ
ଗଣନା କରିପକାଉଥିଲେ । ରାଜା ପାଇଁ
ମାସଟି ତିରିଶ ଦିନ ବଦଳରେ ଷାଠିଏ
ଦିନ ହେଲେ କ୍ଷତି କ'ଣ
?
ଏହି
ଋତୁ ଆଉ ମାସକୁ ସମକାଳ କରିବା ପାଇଁ
ଖ୍ରୀପୂ. ୧୫୩ରେ ରୋମର ସିନେଟ
ଜାନୁଆରୀ ପହିଲାକୁ ନବବର୍ଷର ପ୍ରଥମ
ଦିନ ବୋଲି ଘୋଷଣା କଲେ । କ୍ୟାଲେଣ୍ଡରକୁ ଖ୍ରୀପୂ. ୪୩ର ଜାନୁଆରୀ ପହିଲା ସହ
ସମତୁଲ କରିବାପାଇଁ ଜୁଲିଅସ ସିଜରଙ୍କୁ ୪୪୫ ଦିନ ଆଗେଇବାକୁ
ପଡିଥିଲା । ଜୁଲିଅସ ସିଜରଙ୍କର
ସେହି ୪୪୫ ଦିନକୁ ବିସଙ୍ଗତିର ବର୍ଷ
ବୋଲି କୁହାଯାଏ । ଖ୍ରୀଷ୍ଟୀୟ
ଚତୁର୍ଥ ଶତାବ୍ଦୀରେ ରୋମର
ଖ୍ରୀଷ୍ଟଧର୍ମାବଲମ୍ବନ ପରେ
ନବବର୍ଷ ପାଳନ ମାର୍ଚ୍ଚ ମାସ ୨୫
ରେ କିଛିକାଳ ଚାଲିଥିଲା । କିନ୍ତୁ
ତତ୍କାଳୀନ ଚର୍ଚ୍ଚ ଏଇ ଅଣଖ୍ରୀଷ୍ଟୀୟ
ଉତ୍ସବକୁ ସମ୍ମତି ଦେଉ ନଥିଲା । ଚର୍ଚ୍ଚ
ଏବଂ ଖ୍ରୀଷ୍ଟ ଧର୍ମର ପ୍ରାଧାନ୍ୟ ବୃଦ୍ଧି ପାଇଲା ପରେ ଖ୍ରୀଷ୍ଟଙ୍କ
ଜନ୍ମ ଓ ପରବର୍ତ୍ତି ଉତ୍ସବ
ଭାବରେ ଜାନୁଆରୀ ମାସର ପ୍ରଥମ
ତାରିଖକୁ ନବବର୍ଷର ପ୍ରଥମ ଦିନ
ବୋଲି ଧରାଗଲା । ବିଶେଷତଃ ଗଲା
ଚାରିଶହ ବର୍ଷ ହେଲା ପ୍ରଥମ ଜାନୁଆରୀ
ଆମର ନବବର୍ଷର ପ୍ରଥମ ଦିନ ଏଇ
ପୃଥୀବିରେ । କାହାକୁ କିଛି ଉପହାର
ଦେବାକୁ ହେଲେ କିଛି ଗୋଟିଏ ଉପଲକ୍ଷର
ଆବଶ୍ୟକତା ପଡେ । ଆଜି ନବବର୍ଷ
ଉପଲକ୍ଷେ ସମସ୍ତେ ସୁସ୍ଥ ଆନନ୍ଦରେ ରହିବାର ଉପହାର ଭଗବାନଙ୍କ
ଠାରୁ ପାଆନ୍ତୁ,ଏତିକି
କାମନା ।
superb, sir!
ReplyDelete